ଦିନଥିଲା ରାଜ୍ୟ ରାଜନୀତିରେ ସମ୍ପାଦକରୁ ନେତା ହୋଇଥିବା ବ୍ୟକ୍ତିମାନେ ଅତ୍ୟନ୍ତ କ୍ଷମତାଶୀଳ ଥିଲେ। ମନ୍ତ୍ରିମଣ୍ଡଳରେ ଥାଆନ୍ତୁ ବା ନ ଥାଆନ୍ତୁ କ୍ଷମତାକୁ ଚଳାଉ ଥିଲେ। ଏପରିକି ବାଟହୁଡ଼ା ଶାସନ ଓ ପ୍ରଶାସନକୁ ଅଙ୍ଗୁଳି ଦେଖାଇ ସେମାନଙ୍କ ଭୁଲକୁ ଦର୍ଶାଉଥିଲେ। କେବଳ ଭୁଲ ଦର୍ଶାଉଥିଲେ ତାହା ନୁହେଁ, ଏଭଳି ସମ୍ପାଦକମାନଙ୍କର ମତାମତକୁ ରାଜନେତା ଓ ପ୍ରଶାସକମାନେ ଗୁରୁତ୍ୱ ଦେଇ ନିଜ କାମରେ ସଂଶୋଧନ ଆଣିଥିବାର ଅନେକ ନଜିର ରହିଛି।

ଏପରି କି ଦିନ ଥିଲା ଖବରକାଗଜରେ ଖବରଟିଏ ପ୍ରକାଶ ପାଇଲେ ତାହାର ସୁଦୂର ପ୍ରସାରୀ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଥିଲା। ହେଲେ ଆଜି ବଦଳୁଥିବା ରଜାନୀତିକ ପରିସ୍ଥିତିରେ ଏଭଳି ସାମ୍ବାଦିକରୁ ରାଜନେତା ହୋଇଥିବା ନେତାମାନେ ସତ୍ତାହୀନ ହୋଇଯାଇଛନ୍ତି। ପ୍ରଶ୍ନ ଉଠୁଛି ଏମାନଙ୍କ ଲେଖନୀର ମୁନ ଥୁଣ୍ଟା ହୋଇଛି ନା ରାଜନୀତି ଆଉ ଗଣମାଧ୍ୟମକୁ ଲୋଡ଼ୁନାହିଁ?
ଏକଥା କାହାକୁ ଅଛୁପା ନାହିଁ ଯେ ଓଡ଼ିଶାର ରାଜନୀତି ଓ ସାମ୍ବାଦିକତା ପରସ୍ପରର ପରିପୂରକ ରହି ଆସିଛନ୍ତି। ଏପରିକି ରାଜନୀତିକ ଦଳମାନେ ବରିଷ୍ଠ ସମ୍ପାଦକମାନଙ୍କୁ ସେମାନଙ୍କ ଲେଖନୀର ବଳ ଦେଖି ନିଜ ପରିସରକୁ ଟାଣି ଆଣନ୍ତି। କିନ୍ତୁ ସମ୍ପାଦକ ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣ କରନ୍ତି ବୋଲି ଚର୍ଚ୍ଚା ହୁଏ। ସମାଜର ସମ୍ପାଦକ ଥିବା ଲିଙ୍ଗରାଜ ମିଶ୍ର, ରାଧାନାଥ ରଥ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ପ୍ରଜାତନ୍ତ୍ରର ହରେକୃଷ୍ଣ ମହତାବ, ଚିନ୍ତାମଣି ପାଣିଗ୍ରାହୀ, ଜାନକୀବଲ୍ଲଭ ପଟ୍ଟନାୟକ, ଭୈରବ ମହାନ୍ତି ପ୍ରମୁଖଙ୍କ ନାଁ ଏଭିତରେ ଗଣାଯାଏ। ଭୈରବ ମହାନ୍ତିଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜିର ବାରବାଟୀ ଷ୍ଟାଡିୟମ ରାଜ୍ୟର ଗର୍ବ ଭାବରେ ଠିଆ ହୋଇଛି। ସେହିପରି ଗଡ଼ଜାତ ଆନ୍ଦୋଳନ ଓ ରାଜନୀତିରେ ସୁନାମ ଅର୍ଜନ କରିଥିବା ପତିତପାବନ ପ୍ରଧାନ ସମ୍ବଲପୁରରୁ ପ୍ରକାଶ ପାଉଥିବା ହୀରାଖଣ୍ଡର ସମ୍ପାଦକ ଥିଲେ।

ଏମାନେ ଜନସାଧାରଣଙ୍କ ନିକଟରେ ନିଜର ବଳିଷ୍ଟ ଚିନ୍ତନ ଲାଗି ଅତ୍ୟନ୍ତ ସମ୍ମାନର ପାତ୍ର ଥିଲେ। ସେମାନେ ଲୋକଙ୍କୁ କ’ଣ ଭାବିବାକୁ ହେବ, କେମିତି ଭାବିବାକୁ ହେବ; ତାହା ନିର୍ଦ୍ଦେଶ କରୁଥିଲେ। ଆଉ ସେଥିଲାଗି କଂଗ୍ରେସ ଏହି ସମ୍ପାଦକମାନଙ୍କୁ ନିଜର ପ୍ରତିନିଧି କରିବାକୁ ଉଚିତ ମନେ କରିଥିଲା। ଏହି ତାଲିକାରେ ସର୍ବାଗ୍ରେ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଯଦିଓ ସାମ୍ବାଦିକତା ଅପେକ୍ଷା ତାଙ୍କର ଅନେକ ପରିଚୟ ଥିଲା କିନ୍ତୁ ଦୈନିକ ‘ଆଶା’, ସତ୍ୟବାଦୀ ଓ ‘ସମାଜ’ର ଶକ୍ତି ତାଙ୍କୁ ଅଧିକ ସମ୍ମାନ ଦେବାରେ ସହାୟକ ହେଉଥିଲା।
ଏହାଙ୍କ ପରବର୍ତ୍ତୀ ପିଢ଼ି ଭାବେ ଯେଉଁ ନାଁ ଗୁଡ଼ିକ ସାମ୍ନାକୁ ଆସେ ସେଥିରେ ଦୁଇଜଣ ସମ୍ପାଦକ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଜଣାଯାଏ। ହରେକୃଷ୍ଣ ମହତାବ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମ ଏଥିରେ ଉଲ୍ଲେଖଯୋଗ୍ୟ। ଉଭୟ ଏକାଧିକ କାଳ ମୁଖ୍ୟମନ୍ତ୍ରୀତ୍ୱ ନିର୍ବାହ କରିଛନ୍ତି। ହରେକୃଷ୍ଣ ମହତାବଙ୍କ ରାଜନୀତିରେ ଲେଖନୀ ଓ ନୀତି ଏକାକାର। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମାମଲାରେ ସମ୍ପାଦକୀୟ ଶୈଳୀ ହିଁ ତାଙ୍କ ଶାସନର ମୂଳ ଆଧାର ଥିଲା।
ପ୍ରଗତିବାଦୀର ସମ୍ପାଦକ ଥିବା ପ୍ରଦ୍ୟୁମ୍ନ ବଳ, ସମ୍ବାଦର ସମ୍ପାଦକ ଥିବା ସୁରେନ୍ଦ୍ର ମହାନ୍ତି ଲୋକସଭାରେ ରାଜ୍ୟକୁ ପ୍ରତିନିଧିତ୍ୱ କରିଛନ୍ତି। ଏହି ଦୁଇଜଣ ନିଜର ତୀକ୍ଷଣ ସମାଲୋଚନା ପାଇଁ ରାଜ୍ୟର କୋଣେ ଅନୁକୋଣରେ ପରିଚିତ ଥିଲେ।

ଏହିକ୍ରମରେ ଧରିତ୍ରୀର ପୂର୍ବତନ ସମ୍ପାଦକ ନନ୍ଦିନୀ ଶତପଥି, ଦେବେନ୍ଦ୍ର ସତପଥିଙ୍କୁ ମଧ୍ୟ ସ୍ମରଣ କରାଯାଇପାରେ। ଏବେ ଧରିତ୍ରୀର ସମ୍ପାଦକ ଥିବା ତଥାଗତ ସତପଥି ମଧ୍ୟ ପୂର୍ବରୁ ସଂସଦରେ ନିଜର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚିତ ହୋଇଛନ୍ତି। ତଥାଗତଙ୍କ ଯୁକ୍ତିକୁ ତ ଜାତୀୟ ଗଣମାଧ୍ୟମ ଏଭଳି ପ୍ରଚାର କରିଥିଲା ଯେ ଆଜି ବି ତାହା ଇଣ୍ଟରନେଟରେ ରହିଛି।
ସେହିପରି ସମ୍ବାଦ ସମ୍ପାଦନାରୁ ନିଜକୁ ଦୂରେଇ ଥିବା ସୌମ୍ୟରଞ୍ଜନ ରଞ୍ଜନ ପଟ୍ଟନାୟକ ଲୋକସଭା, ରାଜ୍ୟସଭା ଓ ବିଧାନସଭାର ସଦସ୍ୟ ହୋଇଥିଲେ। ସେ ବିଜେଡି ନେତୃତ୍ୱ ସହିତ ବିବାଦ କରି ଅଧିକ ଚର୍ଚ୍ଚାରେ ଥିଲେ।
• କିନ୍ତୁ ପ୍ରଶ୍ନ ହେଉଛି ଏବେ ବିଧାନସଭାରେ କାହିଁକି କୌଣସି ସମ୍ପାଦକ ପ୍ରତିନିଧି ନାହାନ୍ତି?
• କାହିଁକି ସମ୍ପାଦକଙ୍କୁ ଟିକଟ ଦେବାକୁ ଚାହୁଁନାହାନ୍ତି ରାଜନୀତିକ ଦଳ?
କୌଣସି ନିର୍ଦ୍ଦିଷ୍ଟ ଦଳ ନୁହେଁ, ସମସ୍ତ ପ୍ରମୁଖ ରାଜନୀତିକ ଦଳ ଏଥିରେ ଅନ୍ତର୍ଭୁକ୍ତ। ସରକାରୀ ଦଳର ୮୨ ବିଧାୟକଙ୍କ କଥା କୁହନ୍ତୁ କି ବିରୋଧି ଦଳର ୬୫, କେହି ମୁଖ୍ୟସ୍ରୋତ ମିଡିଆର ସମ୍ପାଦକ ନୁହନ୍ତି। ପୁଣି ଲୋକସଭାର ୨୧ ଆସନ ଅବା ରାଜ୍ୟସଭାରେ ୧୦ ପ୍ରତିନିଧିଙ୍କୁ ଦେଖିଲେ ଜଣେମାତ୍ର ସମ୍ପାଦକଙ୍କୁ ସାଂସଦ ହେବାର ସୁଯୋଗ ମିଳିଛି। ସେ ହେଉଛନ୍ତି ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତ୍ତୃହରି ମହତାବ। କିନ୍ତୁ ସରକାରୀ ଦଳରେ ଥାଇ ସୁଦ୍ଧା ସେ ନିରସ୍ତ୍ର ପ୍ରାୟ। ନାଁକୁ ଯେମିତି ତାଙ୍କ ସମ୍ପାଦିତ ଖବରକାଗଜ ରାଜ୍ୟରେ ଚାଲୁଛି, ସେମିତି ସମ୍ମାନ ସେ ନାଁକୁ ମାତ୍ର ପ୍ରାପ୍ତ କରୁଛନ୍ତି। ବରଂ ଏହା ପୂର୍ବରୁ ସେ ଯେତେବେଳେ ସହଯୋଗୀ- ବିରୋଧୀ ଦଳର ସାଂସଦ ଥିଲେ ତାଙ୍କୁ ବାଚସ୍ପତି ଚେୟାରରେ ଦେଖିବାକୁ ମିଳୁଥିଲା, ହେଲେ ଏବେ ସେଠାରେ ବି ସେ ଆଉ ଦେଖିବାକୁ ମିଳୁ ନାହାନ୍ତି।
ଏପରି କି ଅନେକ ଥର ଶ୍ରେଷ୍ଠ ସାଂସଦର ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି।
• ପ୍ରଶ୍ନ ଉଠୁଛି, କାହିଁକି?
• ଏମାନଙ୍କ ଲେଖନୀର ମୁନ ଥୁଣ୍ଟା ହୋଇଛି କି?
• ଏମାନେ ନିଜ ଲେଖାଦ୍ୱାରା ଶାଣିତ ଜନମତ ସୃଷ୍ଟି କରିବାରେ ବିଫଳ ହେଉଛନ୍ତି କି?

ଏପରିକି ବିଭିନ୍ନ ଖବର କାଗଜରେ ସାମ୍ବାଦିକ ଥିବା ସୂର୍ଯ୍ୟନାରାୟଣ ପାତ୍ର, ଯୋଗେନ୍ଦ୍ର ବେହେରା, ରାମଚନ୍ଦ୍ର ପଣ୍ଡା, ବିଭୁଧେନ୍ଦ୍ର ପ୍ରତାପ ଦାସ ଓ ଅତନୁ ସବ୍ୟସାଚ୍ଚୀ ନାୟକ ପ୍ରମୁଖ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସାମ୍ବାଦିକ ସୁଗ୍ରୀବ ସିଂହ ଫୁଲବାଣୀରୁ ଲୋକସଭା ସାଂସଦ ହୋଇଥିଲେ।
ଏ ପ୍ରଶ୍ନର ଉତ୍ତର ଗଲା କିଛିବର୍ଷ ହେଲା ଲଗାତାର ଖବର କାଗଜ ପ୍ରସାରଣ ସଂଖ୍ୟାରୁ ସ୍ପଷ୍ଟ ହୁଏ। ଏହାର ଅର୍ଥ ନୁହେଁ, ଯେ ଲୋକେ ଖବର ପଢ଼ୁ ନାହାନ୍ତି, ବରଂ ପାଠକ ଖବରକାଗଜର ବିକଳ୍ପ ଖୋଜୁଛନ୍ତି। ଅର୍ଥାତ୍ ତାଙ୍କ ମତକୁ ଖୋରାକି ଦେବା ଲାଗି ମନ୍ତବ୍ୟ ବା ରାସ୍ତା ଖବରକାଗଜ ଦେଉନାହିଁ। ଖବରକାଗଜ କେବଳ ସରକାରୀ ଓ ବେସରକାରୀ ବିଜ୍ଞାପନ ହାସଲ ଲାଗି ସଂଖ୍ୟା ଗଣିତରେ ନିଜକୁ ସୀମିତ ରଖିବାକୁ ଚାହିଁଛି। କେବଳ ଖବରକାଗଜ ନୁହେଁ, ନ୍ୟୁଜ୍ ଟେଲିଭିଜନ୍ ମଧ୍ୟ ସମାନ ଅବସ୍ଥା ଦେଇ ଗତି କରୁଛି। ଆଉ ଇଣ୍ଟରନେଟ୍ ପରିଚାଳିତ ମିଡିଆ ପ୍ରଥମ ଦିନରୁ ବଜାର ଖୋଜି ଖୋଜି ପ୍ରତିଦିନ ବଦଳିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଏକ ଶାଣିତ ମନ୍ତବ୍ୟ ଦେବା ବଦଳରେ ସଂଖ୍ୟାଭିତ୍ତିକ ପରିସଂଖ୍ୟାନ ହାସଲ ଲାଗି ବିନା ମାନସମନ୍ଥନରେ କିଛି ଅକ୍ଷରର ସମାହାର ପ୍ରକାଶନ କରିବାକୁ ସମ୍ପାଦକମାନେ ଶ୍ରେୟ ଭାବୁଛନ୍ତି।
ସମ୍ପାଦକୀୟ ମୁନ କାହିଁକି ଥୁଣ୍ଟା?
ଏହାର କାରଣ ବିଶ୍ଳେଷଣ କଲେ କିଛି କଡ଼ା ସତ୍ୟ ସାମ୍ନାକୁ ଆସେ:
୧. ବିଜ୍ଞାପନ ଭିତ୍ତିକ ସାମ୍ବାଦିକତା: ଆଜିର ଖବରକାଗଜଗୁଡ଼ିକ ମିଶନାରୀ ଭାବନାରୁ ବାହାରି ଏକ ଶିଳ୍ପରେ ପରିଣତ ହୋଇଛି। ସରକାରୀ ଓ ବେସରକାରୀ ବିଜ୍ଞାପନ ଉପରେ ନିର୍ଭରଶୀଳତା ସମ୍ପାଦକଙ୍କ ସ୍ୱାଧୀନ ସ୍ୱରକୁ ଚାପି ଦେଇଛି।
୨. ସଂଖ୍ୟା ଗଣିତର ପ୍ରତିଯୋଗିତା: ପାଠକୀୟ ସଂଖ୍ୟା (Readership) ବଢ଼ାଇବା ପାଇଁ ଖବରର ମାନ ଅପେକ୍ଷା ସଂଖ୍ୟାତ୍ମକ ତଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିରେ ‘ମାନସମନ୍ଥନ’ ବଦଳରେ ‘ଅକ୍ଷର ସମାହାର’ ପ୍ରକାଶ ପାଉଛି।
୩. ସୋସିଆଲ ମିଡିଆ ଓ ବିକଳ୍ପ: ପାଠକ ଆଜି ଖବରକାଗଜ ଅପେକ୍ଷା ଇଣ୍ଟରନେଟରେ ତୁରନ୍ତ ଖବର ପାଇବାକୁ ଚାହୁଁଛି। ଖବରକାଗଜ ଯେଉଁ ସମ୍ପାଦକୀୟରେ ଯେଉଁ ରାସ୍ତା ଦେଖାଇବା କଥା, ତାହା ଦେବାରେ ସେ ବିଫଳ ହେଉଛି।
ରାଜନୈତିକ ଦଳଙ୍କ ବଦଳୁଥିବା ମନୋବୃତ୍ତି
ରାଜନୈତିକ ଦଳମାନେ ଆଜି ସମ୍ପାଦକଙ୍କୁ ଟିକେଟ ଦେବା ଅପେକ୍ଷା ଜଣେ ‘ୱିନେବିଲିଟି’ ଥିବା ବ୍ୟକ୍ତି ବା ଶିଳ୍ପପତିଙ୍କୁ ଗୁରୁତ୍ୱ ଦେଉଛନ୍ତି। ସମ୍ପାଦକମାନେ ନିଜ ସମ୍ପାଦକୀୟ ଜରିଆରେ ଯେଉଁ ଶାଣିତ ଜନମତ ସୃଷ୍ଟି କରୁଥିଲେ, ତାହା ଆଜି ଅସ୍ତମିତ। ଫଳସ୍ୱରୂପ, ସେମାନେ ରାଜନୈତିକ ଦଳ ପାଇଁ ଆଉ ଅପରିହାର୍ଯ୍ୟ ହୋଇ ରହୁନାହାନ୍ତି।
ଥୁଣ୍ଟା ବରଗଛର ଛାଇ
![]()
ସମ୍ପାଦକୀୟ ସ୍ତମ୍ଭ ଆଜି ଏକ ଥୁଣ୍ଟା ବରଗଛ ସଦୃଶ। ଏହା ନା ଆଶ୍ରୟ ଦେଉଛି, ନା ଛାଇ। ଯେଉଁ ଲେଖନୀରେ ଦିନେ ରାଜ୍ୟର ଭାଗ୍ୟ ଲେଖାଯାଉଥିଲା, ତାହା ଆଜି ବିଜ୍ଞାପନର ଚାପରେ ନତମସ୍ତକ। ଯଦି ଗଣମାଧ୍ୟମ ନିଜର ପବିତ୍ରତା ଓ ସମ୍ପାଦକୀୟ ସ୍ୱାଧୀନତା ଫେରି ନ ପାଏ, ତେବେ ରାଜନୀତିରେ ସମ୍ପାଦକମାନଙ୍କ ସ୍ଥାନ କେବଳ ଇତିହାସର ପୃଷ୍ଠାରେ ସୀମିତ ରହିଯିବ।
ଆଜି ସମ୍ପାଦକୀୟ ଥୁଣ୍ଟା ବରଗଛ ଭଳି- ନା ଛାଇ ଦେଉଛି, ନା ଆଶ୍ରୟ। ବରଂ କେବେ କେବେ ଅନ୍ୟମାନଙ୍କ ପଥରେ ପ୍ରତିବନ୍ଧକ ସାଜୁଛି। ଯେତେବେଳେ ଛାଇ ଦେବାର କ୍ଷମତା ନାହିଁ, ସେତେବେଳେ ଗଣମାଧ୍ୟମ କେମିତି ରାଜନୀତିକ ନୀଡ଼ ହେବ?
ସତ୍ତା ନୁହେଁ, ଭରସା ହରାଇଛନ୍ତି
ଓଡ଼ିଶାର ସମ୍ପାଦକରୁ ନେତାମାନେ ସତ୍ତା ହରାଇନାହାନ୍ତି- ଭରସା ହରାଇଛନ୍ତି। ଲେଖନୀ ଯେପର୍ଯ୍ୟନ୍ତ ଜନମତ ଗଢ଼ୁଥିଲା, ସେପର୍ଯ୍ୟନ୍ତ ରାଜନୀତି ତାଙ୍କୁ ଚାହୁଁଥିଲା। ଆଜି ଲେଖନୀ ନିରାପଦ ହେବା ସହ ରାଜନୀତି ତାଙ୍କୁ ଅପରିହାର୍ଯ୍ୟ ଭାବୁନାହିଁ।
ପ୍ରଶ୍ନ ହେଉଛି-
ସମ୍ପାଦକମାନେ ପୁଣି ଲେଖନୀକୁ ଅସୁବିଧାଜନକ କରିପାରିବେ କି?
ଯଦି ନାହିଁ- ଇତିହାସ ଏହି ପରମ୍ପରାକୁ ଏଠି ଶେଷ କରିଦେବ।
also read https://purvapaksa.com/chacolate-day/
ରାଶି ଅନୁସାରେ ଦିଅନ୍ତୁ ଚକୋଲେଟ ,ପ୍ରେମ ହେବ ସଫଳ ।। Chacolate day


