ଭାରତୀୟ ନିର୍ବାଚନ କମିଶନ ବା ECI ବର୍ତ୍ତମାନ ଆମର ଭୋଟର ଆଇଡି ପ୍ରଣାଳୀରେ ଏକ ବଡ଼ ଧରଣର ପରିବର୍ତ୍ତନ ବା ‘Voter ID Overhaul’ କରିବାକୁ ଯାଉଛନ୍ତି । ଏହା ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ପ୍ରଶାସନିକ ସଂସ୍କାର ହେବାକୁ ଯାଉଛି। ଆପଣଙ୍କ ଭୋଟର ଆଇଡି କାର୍ଡ ଉପରେ ଯେଉଁ ୧୦ ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ ନମ୍ବର ଥାଏ, ଯାହାକୁ ଆମେ EPIC ନମ୍ବର (Electors Photo Identity Card) ବୋଲି କହୁ, ତାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଜାଲିଆତିମୁକ୍ତ କରିବା ପାଇଁ କମିଶନ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।

କୁହାଯାଉଛି ଯେ, ବର୍ଷ ବର୍ଷ ଧରି ଚାଲିଆସୁଥିବା ‘ଡୁପ୍ଲିକେଟ୍’ କିମ୍ବା ଜାଲ୍ ଭୋଟର ଆଇଡିର ସମସ୍ୟା ଏହାଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯିବ । ତେବେ କ’ଣ ହେବ ଏହି EPIC କାର୍ଡରେ ପରିବର୍ତ୍ତନ ଓ ଜଣେ ସାଧାରଣ ଭୋଟର ଉପରେ କଣ ପଡ଼ିବ ପ୍ରଭାବ ?
କାହିଁକି ନିର୍ବାଚନ କମିଶନ ନେଲେ ଏତେ ବଡ଼ ପଦକ୍ଷେପ ?

ଆମ ଦେଶର ଭୋଟର ତାଲିକାରେ ଦୀର୍ଘ ବର୍ଷ ଧରି ଗୋଟିଏ ବଡ଼ ସମସ୍ୟା ରହିଆସିଥିଲା, ତାହା ହେଉଛି ‘ଡୁପ୍ଲିକେଟ୍ ଏପିକ ନମ୍ବର’ ବା ଗୋଟିଏ ନମ୍ବରରେ ଏକାଧିକ ଭୋଟର ଆଇଡି କାର୍ଡ ତିଆରି ହେବା । ସାଧାରଣତଃ ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ରହନ୍ତି, ସେତେବେଳେ ସେ ସେଠାରେ ନୂଆ ଭୋଟର ଆଇଡି ପାଇଁ ଆବେଦନ କରିଦିଅନ୍ତି। କିନ୍ତୁ ତାଙ୍କର ପୁରୁଣା ଆଇଡି କାର୍ଡ ସେମିତି ଚାଲୁ ରହିଥାଏ। ଏହା ବ୍ୟତୀତ ପୁରୁଣା ଭୋଟର ତାଲିକାର ଡିଜିଟାଲାଇଜେସନ୍ ବା କମ୍ପ୍ୟୁଟରୀକରଣ ସମୟରେ ତଥ୍ୟ ଏଣ୍ଟ୍ରିରେ ଅନେକ ଭୁଲ୍ ହୋଇଥିଲା। ଏହି କାରଣରୁ ଜଣେ ଜଣେ ବ୍ୟକ୍ତିଙ୍କ ନାଁରେ ଦୁଇଟି ଅଲଗା ଅଲଗା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେବାର ସୁଯୋଗ ରହିଯାଉଥିଲା, ଯାହା ଜାଲ୍ ଭୋଟ୍ ବା ବୋଗସ୍ ଭୋଟିଂ (Bogus Voting) ର ବିପଦ ବଢ଼ାଉଥିଲା। ଗଣତନ୍ତ୍ରର ସ୍ୱଚ୍ଛତା ଉପରେ ଏହା ଏକ ବଡ଼ ଆହ୍ୱାନ ଥିଲା। ଏହି ଦୀର୍ଘଦିନର ପୁରୁଣା ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ନିର୍ବାଚନ କମିଶନ ଏବେ ଏକ ବ୍ୟାପକ ସଫେଇ ଏବଂ ନବୀକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହି ‘e-EPIC’ ବା ଡିଜିଟାଲ୍ ଭୋଟର ଆଇଡି କାର୍ଡରେ କେମିତି ସୁଧୁରିବ ସ୍ଥିତି ?

- ଏହି ବଡ଼ ପରିବର୍ତ୍ତନର ସବୁଠାରୁ ଆଧୁନିକ ଅଂଶ ହେଉଛି ‘e-EPIC’ ବା ଡିଜିଟାଲ୍ ଭୋଟର ଆଇଡି କାର୍ଡ । ନିର୍ବାଚନ କମିଶନ ଏବେ ସାରା ଦେଶରେ ଡିଜିଟାଲାଇଜେସନ୍କୁ ୧୦୦% ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ।
- ଏହି e-EPIC ହେଉଛି ଆପଣଙ୍କ ଭୋଟର ଆଇଡି କାର୍ଡର ଏକ ସୁରକ୍ଷିତ, ଅଣ-ସମ୍ପାଦନଯୋଗ୍ୟ PDF ସଂସ୍କରଣ।
- ଏଥିରେ ଆପଣଙ୍କର ସମସ୍ତ ତଥ୍ୟ ଯେମିତି କି ନାଁ, ଫଟୋ, ଠିକଣା ସହିତ ଏକ ସ୍ୱତନ୍ତ୍ର ଏବଂ ଡିଜିଟାଲ୍ ସାଇନ୍ ହୋଇଥିବା QR କୋଡ୍ ରହିବ।
- ଏହି QR କୋଡ୍ ସିଧାସଳଖ ନିର୍ବାଚନ କମିଶନଙ୍କ କେନ୍ଦ୍ରୀୟ ସର୍ଭର ସହିତ ସଂଯୁକ୍ତ ରହିବ।
- ଯେତେବେଳେ ଆପଣ ଭୋଟ୍ ଦେବାକୁ ଯିବେ, ପୋଲିଂ ଅଫିସର କେବଳ ସେହି QR କୋଡ୍କୁ ସ୍କାନ କରି ସେକେଣ୍ଡ ଭିତରେ ଜାଣିପାରିବେ ଯେ ଆପଣ ପ୍ରକୃତ ଭୋଟର କି ନୁହଁନ୍ତି।
- ଏହାକୁ ଆଉ ପକେଟରେ ପ୍ଲାଷ୍ଟିକ୍ କିମ୍ବା ପେପର କାର୍ଡରେ ଧରି ବୁଲିବାକୁ ପଡ଼ିବ ନାହିଁ ।
- ଆପଣ ନିଜ ମୋବାଇଲ୍ରେ ଏହି PDF ରଖିପାରିବେ କିମ୍ବା ସରକାରଙ୍କ DigiLocker ଆପ୍ରେ ଲୋଡ୍ କରି ସେଠାରୁ ମଧ୍ୟ ଦେଖାଇପାରିବେ, ଯାହା ସମ୍ପୂର୍ଣ୍ଣ ଭାବେ ବୈଧ ବା ଲିଗାଲ୍ ବୋଲି ଗ୍ରହଣ କରାଯିବ।
ସାଧାରଣ ନାଗରିକ ଏ ସୁବିଧା କେମିତି ଓ କେଉଁଠୁ ପାଇବେ ?

- ନିର୍ବାଚନ କମିଶନ ଏଥିପାଇଁ ଏକ ନୂଆ ବିଶାଳ ସିଙ୍ଗଲ୍-ପଏଣ୍ଟ ଡିଜିଟାଲ୍ ପ୍ଲାଟଫର୍ମ ତିଆରି କରିଛନ୍ତି, ଯାହାର ନାଁ ହେଉଛି ‘ECINet’।
- ପୂର୍ବରୁ ନିର୍ବାଚନ କମିଶନଙ୍କର ପ୍ରାୟ ୪୦ ରୁ ଅଧିକ ଅଲଗା ଅଲଗା ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ଥିଲା, ଯେମିତି କି ଭୋଟର ହେଲ୍ପଲାଇନ ଆପ୍, ସି-ଭିଜିଲ୍ (cVIGIL), ସକ୍ଷମ ଆପ୍ କିମ୍ବା KYC (Know Your Candidate) ଆପ୍।
- ଏହି ସବୁ ଆପ୍ ଅଲଗା ଥିବାରୁ ସାଧାରଣ ଲୋକ ବହୁତ କନଫ୍ୟୁଜ୍ ବା ଅସୁବିଧା ଅନୁଭବ କରୁଥିଲେ।
- କିନ୍ତୁ ଏବେ ଏହି ସମସ୍ତ ୪୦ଟି ଯାକ ଆପ୍କୁ ଏକାଠି ମିଶାଇ କେବଳ ଗୋଟିଏ ପ୍ଲାଟଫର୍ମ ‘ECINet’ ଭିତରେ ସାମିଲ କରିଦିଆଯାଇଛି।
- ଏହି ପ୍ଲାଟଫର୍ମ ସାହାଯ୍ୟରେ ଆପଣ ନୂଆ ଭୋଟର ଆଇଡି ପାଇଁ ଆବେଦନ କରିପାରିବା ସହ ନିଜର ନାଁ ତାଲିକାରେ ଖୋଜିପାରିବେ, ଆପଣଙ୍କର ଆପ୍ଲିକେସନ୍ ଷ୍ଟାଟସ୍ ଟ୍ରାକ୍ କରିପାରିବେ ଏବଂ ସବୁଠାରୁ ବଡ଼ କଥା ହେଉଛି ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ବା BLOଙ୍କ ସହିତ ସିଧାସଳଖ ଯୋଗାଯୋଗ କରି କଲ୍ ବୁକ୍ ମଧ୍ୟ କରିପାରିବେ।
ଏହା ଓଡ଼ିଶାର ଗାଁ ଗଣ୍ଡାରେ ଥିବା ଭୋଟରଙ୍କ ପାଇଁ ବହୁତ ସହଜ ହେବ।

ନିର୍ବାଚନ କମିଶନଙ୍କର ଏହି ମାସ୍ ଓଭରହଲ୍ ବା ବ୍ୟାପକ ସଂସ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ ସମ୍ବିଧାନ ଏବଂ ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ (Representation of the People Act) ର ନିୟମ ଅନୁସାରେ କରାଯାଉଛି। ତେବେ ଏନେଇ ଆପଣଙ୍କୁ Form 8 ପୂରଣ କରି କିମ୍ବା e-KYC ମାଧ୍ୟମରେ ନିଜର ଚାଲୁଥିବା ମୋବାଇଲ୍ ନମ୍ବରଟିକୁ ଭୋଟର ଆଇଡି ସହ ଲିଙ୍କ କରେଇବାକୁ ହେବ। ଏହାଦ୍ୱାରା ଆପଣ ତୁରନ୍ତ ନିଜର ଡିଜିଟାଲ୍ କାର୍ଡ ଡାଉନଲୋଡ୍ କରିପାରିବା ସହ ଭବିଷ୍ୟତରେ ଆପଣଙ୍କ ଆଇଡି କାର୍ଡ କଦାପି ବାତିଲ ହେବାର ଭୟ ମଧ୍ୟ ରହିବ ନାହିଁ । ତେବେ ଏଭଳି ଅଭିନବ ପଦକ୍ଷେପ ଆମର ଗଣତନ୍ତ୍ରକୁ ଆହୁରି ମଜବୁତ, ସ୍ୱଚ୍ଛ ଏବଂ ହାଇ-ଟେକ୍ ହେବ ବୋଲି କହିଛନ୍ତି ଭାରତର ନିର୍ବାଚନ କମିଶନ ମୁଖ୍ୟ।


