ରାଜ୍ୟରେ ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଘଂନ ହୋଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ଯୋଜନାରେ ଆର୍ଥିକ ଅନିୟମିତତା, ଭିତ୍ତିଭୂମିର ଅଭାବ, ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି, ତଥ୍ୟରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି ସିଏଜି ରିପୋର୍ଟରେ। ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବାର ଗୁରୁତର ଦିଗକୁ ସିଏଜି ଇଙ୍ଗିତ କରିବା ସହ ମିଡ ଡେ’ ମିଲଠୁ ଆରମ୍ଭ କରି ସାଇକେଲ ଯୋଜନା ପର୍ଯ୍ୟନ୍ତ ସବୁଥିରେ କିଭଳି ହେରଫେର ହୋଇଛି ସେ ତଥ୍ୟକୁ ସିଏଜି ଉଜାଗର କରିଛନ୍ତି । ଏହି ରପୋର୍ଟ ୨୦୧୮-୧୯ ରୁ ୨୦୨୨-୨୩ ପର୍ଯ୍ୟନ୍ତ ଭଦ୍ରକ, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର ୧୨ଟି ବ୍ଲକର ୧୦୮ଟି ସରକାରୀ ସ୍କୁଲର କାର୍ଯ୍ୟଦକ୍ଷତା ଅଡିଟ୍ ଉପରେ ଏହି ନିଷ୍କର୍ଷ ଆଧାରିତ।

ମିଡ୍ ଡେ ମିଲ୍ ଚାଉଳ ହଡ଼ପ ପାଇଁ ଭୂତ ଛାତ୍ରଛାତ୍ରୀ
ସିଏଜିଙ୍କ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇଟି ସଂସ୍ଥା ଓସେପା ଏବଂ ପିଏମ ପୋଷଣ(ମିଡ ଡେ ମିଲ) ଦ୍ୱାରା ପ୍ରଦତ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ତାଳମେଳ ନାହିଁ। ୨୦୧୮-୧୯ରେ ମିଡ୍ ଡେ୍ ମିଲ୍ ତାଲିକାରେ ଥିବା ପିଲାଙ୍କ ସଂଖ୍ୟା ବାସ୍ତବରେ ନାମଲେଖା ତଥ୍ୟଠାରୁ ପ୍ରାୟ ୨.୫୦ଲକ୍ଷ ଅଧିକ ଥିଲା। ଗୋଟିଏପଟେ ସ୍କୁଲରେ ପିଲାଙ୍କ ସଂଖ୍ୟା କମ୍ ଥିବାବେଳେ ମିଡ୍ ଡେ୍ ମିଲ୍ ତାଲିକାରେ ଅଧିକ ପିଲାଙ୍କ ନାମ ଦର୍ଶାଯାଇ ଚାଉଳ ଓ ଟଙ୍କା ହଡ଼ପ କରାଯାଉଥିବାର ଗୁରୁତର ତ୍ରୁଟିକୁ ସିଏଜି ଉଜାଗର କରିଛନ୍ତି। ଲକ୍ଷ ଲକ୍ଷ ‘ଭୂତ’ ପିଲାଙ୍କ ନାମରେ କୋଟି କୋଟି ଟଙ୍କାର ଚାଉଳ ଓ ଅର୍ଥ ହରିଲୁଟ୍ କରାଯାଇଛି। ୨୦୧୮-୨୩ ଶିକ୍ଷାବର୍ଷ ମଧ୍ୟରେ ପ୍ରଥମରୁ ଏକାଦଶ ଶ୍ରେଣୀ ମଧ୍ୟରେ ପ୍ରାୟ ୧.୫୦ ଲକ୍ଷରୁ ୫.୪୭ ଲକ୍ଷ ପିଲା ପାଠପଢ଼ା ଅଧାରୁ ଛାଡ଼ି (ଡ୍ରପଆଉଟ) ଦେଇଥିବାବେଳେ ୬୧୪୮୭ ଜଣ ସ୍କୁଲ ବାହାରେ ଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଅଣାଯାଇ ପାରିନାହିଁ।
ପାଣ୍ଠି ଅପଚୟ ଯୋଗୁ କେନ୍ଦ୍ରୀୟ ଅନୁଦାନ ହ୍ରାସ
ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ବିଭାଗର ଅପାରଗତା ଯୋଗୁ ପାଣ୍ଠି ଖର୍ଚ୍ଚ ହେଉନଥିବାରୁ କେନ୍ଦ୍ର ସରକାର ୨୦୧୯-୨୨ ମସିହା ମଧ୍ୟରେ ୩୬୯.୧୦କୋଟି ଟଙ୍କାର ଅନୁଦାନ କାଟି ଦେଇଥିଲେ। ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ୨୦୧୯-୨୨ ଆର୍ଥିକ ବର୍ଷ ମଧ୍ୟରେ ବଜେଟରେ ବରାଦ ଅର୍ଥରୁ ୧୧୫୯.୩୧ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ସରକାରଙ୍କୁ ଫେରସ୍ତ ଦିଆଯାଇଛି। ସେହିପରି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମିଳିଥିବା ପାଣ୍ଠିର ମାତ୍ର ୪୪ରୁ ୫୦ ପ୍ରତିଶତ ଅର୍ଥ ବିନିଯୋଗ ହୋଇପାରିଛି। ରାଜ୍ୟରେ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ମୌଳିକ ସୁବିଧାସୁଯୋଗରୁ ଛାତ୍ରଛାତ୍ରୀମାନେ ବଞ୍ଚିତ ଥିବାବେଳେ ହଜାର ହଜାର କୋଟି ଟଙ୍କା ଫେରସ୍ତ ଯିବା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛି ବୋଲି ସିଏଜି କହିଛନ୍ତି।
୪୩ ପ୍ରତିଶତ ସ୍କୁଲରେ ବସିବା ସୁବିଧା ନାହିଁ, ଶ୍ରେଣୀଗୃହ ଅସୁରକ୍ଷିତ
ରାଜ୍ୟରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିପର୍ଯ୍ୟସ୍ତ ସ୍ଥିତି ପଦାକୁ ଆସିଛି। ସିଏଜିଙ୍କ ନମୂନା ଯାଞ୍ଚରୁ ଜଣାପଡ଼ିଛି ଯେ, ୪୩ ପ୍ରତିଶତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଡେସ୍କ-ବେଞ୍ଚ ନାହିଁ। ପିଲା ତଳେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ୨୩ ପ୍ରତିଶତ ସ୍କୁଲରେ ଗୋଟିଏ ଶ୍ରେଣୀ ଗୃହରେ ଏକାଧିକ କ୍ଲାସର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି। ରାଜ୍ୟର ୪୬ ପ୍ରତିଶତ ସ୍କୁଲରେ ଛାତ୍ର-ଶ୍ରେଣୀଗୃହ ଅନୁପାତ ଅତ୍ୟନ୍ତ ଖରାପ ରହିଛି। ଗୋଟିଏ ରୁମରେ ନିୟମଠାରୁ ଅଧିକ ପିଲା ବସୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏପରିକି ୧୫ ପ୍ରତିଶତ ସ୍କୁଲର କୋଠା ବିପଦଶଙ୍କୁଳ ଅବସ୍ଥାରେ ଥିବାବେଳେ ୧୯ ପ୍ରତିଶତ ସ୍କୁଲରେ ଶୌଚାଳୟ ଅପରିଷ୍କାର କିମ୍ବା ଅଚଳ ହୋଇ ପଡ଼ିରହିଛି।

କୋରାପୁଟ ଜିଲ୍ଲାରେ ସ୍କୁଲ ଘର ତିଆରି ପାଇଁ ଟଙ୍କା ଉଠାଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି କାମ ଶେଷ ହୋଇନାହିଁ। ସେମିଳିଗୁଡ଼ା ବ୍ଲକର ରେଣୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ପାଇଁ ୨୦୧୩ ମସିହାରେ ୪.୦୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ କାମ ଶେଷ ହୋଇନାହିଁ, ଅଥଚ ଟଙ୍କା ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏଭଳି ୧୭ଟି ପ୍ରକଳ୍ପରେ ୫୮.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଛି, ଯାହା ସିଧାସଳଖ ଦୁର୍ନୀତିକୁ ଇଙ୍ଗିତ କରୁଛି।
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ରହିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ରାଜ୍ୟର ୪୮ ପ୍ରତିଶତ ପ୍ରାଥମିକ ଓ ୪୩ ପ୍ରତିଶତ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାଙ୍କ ସଂଖ୍ୟା ତୁଳନାରେ ଶିକ୍ଷକ ସଂଖ୍ୟା ବହୁତ କମ ରହିଛି। ମାଧ୍ୟମିକସ୍ତରରେ ୯୪ ପ୍ରତିଶତ ବିଦ୍ୟାଳୟରେ କଳା ଶିକ୍ଷକ ଓ ୩୧ ପ୍ରତିଶତ ବିଦ୍ୟାଳୟରେ ଖେଳ ଶିକ୍ଷକ ନାହାନ୍ତି। ରାଜ୍ୟର ଅନେକ ସ୍ଥାନରେ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍ ପାଇଁ ଯନ୍ତ୍ରପାତି କିଣାଯାଇଥିଲେ ମଧ୍ୟ ଦକ୍ଷ ଶିକ୍ଷକ ଓ ବିଦ୍ୟୁତ୍ ସଂଯୋଗ ଅଭାବରୁ ସେଗୁଡ଼ିକ ଅଚଳ ହୋଇ ପଡ଼ିରହିଛ। ଶିକ୍ଷକ ଅଭାବ ଯୋଗୁଁ ୨୦୨୨-୨୩ ମସିହାରେ ଦଶମ ଶ୍ରେଣୀ ପରୀକ୍ଷାରେ ମାତ୍ର ୧ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସଫଳ ହୋଇଛନ୍ତି।
ସରକାରୀ ଯୋଜନାର ହରିଲୁଟ,ଭିନ୍ନକ୍ଷମ ପିଲାଙ୍କୁ ବି ଛାଡ଼ିଲେନି

ବିଭିନ୍ନ ଯୋଜନାରେ ହିତାଧିକାରୀ ଥିବା ଛାତ୍ରଛାତ୍ରୀଙ୍କ ଅର୍ଥକୁ ହଡ଼ପ କରାଯାଇଥିବା ସିଏଜି ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ପାଖକୁ ଡିବିଟି ମାଧ୍ୟମରେ ଯୋଜନାର ଅର୍ଥ ପହଂଚାଇବାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ବିଶେଷକରି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପରିବହନ ଭତ୍ତା ଓ ଷ୍ଟାଇପେଣ୍ଡ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ନଯାଇ ଅନ୍ୟ ବ୍ୟାଙ୍କ ଓ ଅଚଳ ଆକାଉଣ୍ଟକୁ ପଠାଯାଇଛି। ହଜାର ହଜାର ଟଙ୍କା ଭୁଲ ଆକାଉଣ୍ଟକୁ ଯିବା ଯୋଗୁ ଶହ ଶହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ହୋଇଥିବା ନମୂନା ଯାଞ୍ଚରୁ ଜଣାପଡ଼ିଛି। ସେହିପରି ସାଇକେଲ କିଣିବା ପାଇଁ ଆସିଥିବା ୧.୫୯ କୋଟି ଟଙ୍କା ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ ତଥ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିନଥିଲା। ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ପାଇଁ ୨୦୧୮-୨୩ ମସିହା ମଧ୍ୟରେ ପ୍ରାୟ ୧୯,୨୬୦ଟି ସ୍କୁଲକୁ ତାଲିମ ପାଇଁ ପାଣ୍ଠି ଦିଆଯାଇନାହିଁ । ଆଉ ଯେଉଁ ସ୍କୁଲଗୁଡ଼ିକୁ ସ୍କୁଲକୁ ପାଣ୍ଠି ଯାଇଥିଲା ସେଥିରୁ ୬୫ ପ୍ରତିଶତ ସ୍କୁଲ ୟୁସି ଦାଖଲ କରିନାହାନ୍ତି। ତାଲିମ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ନହୋଇ ବାଟମାରଣା ହୋଇଥିବା ଜଣାପଡ଼ିଛି।
also read https://purvapaksa.com/the-vacuum-period-in-bjps-politics/
“The vacuum period in BJP’s politics” ।। ବିଜେପିରେ ରାଜନୀତିର ‘ଶୂନ୍ୟକାଳ’


