ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସେନାର ଅନୁପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୀମାରେ ଚୀନର କୌଣସି ପ୍ରକାରର “ଅନୁପ୍ରବେଶ” କୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ସମ୍ପୂର୍ଣ୍ଣ ଭାବେ ଚିହ୍ନଟ କିମ୍ବା ନିର୍ଦ୍ଧାରଣ ହୋଇନଥିବାରୁ ଦୁଇ ଦେଶର ସୀମାକୁ ନେଇ ଭିନ୍ନ ଭିନ୍ନ ଧାରଣା ରହିଛି। ଏହି କାରଣରୁ ସୀମା ପାର୍ଶ୍ୱରେ କେତେକ ସମୟରେ ଉଭୟ ପକ୍ଷରୁ ସୀମା ଉଲ୍ଲଂଘନ ବା ଅତିକ୍ରମଣ ର ଘଟଣା ଘଟୁଛି, ମାତ୍ର ଏହାକୁ ସ୍ଥାୟୀ ଭାବେ ଜମି ଦଖଲ କିମ୍ବା ଅନୁପ୍ରବେଶ ବୋଲି କୁହାଯାଇପାରିବ ନାହିଁ।

ଅରୁଣାଚଳ ପ୍ରଦେଶର ଏକ ସ୍ଥାନୀୟ ଆଦିବାସୀ ସଂଗଠନ ‘ନାହ ୱେଲଫେୟାର ସୋସାଇଟି’ (NWS) ପକ୍ଷରୁ କରାଯାଇଥିବା ଏକ ଦାବି ପରେ ଏହି ବିବାଦ ସାମ୍ନାକୁ ଆସିଥିଲା। ସଂଗଠନଟି ଅଭିଯୋଗ କରିଥିଲା ଯେ ଉପର ସୁବନସିରି ଜିଲ୍ଲାର ଟାକ୍ସିଙ୍ଗ୍ ଅଞ୍ଚଳରେ ଆଦିବାସୀମାନଙ୍କର ପୁରୁଷାନୁକ୍ରମିକ ଚାଷ ଜମି, ଶିକାର ଏବଂ ଚାରଣଭୂମିକୁ ଚୀନର ପିପୁଲ୍ସ ଲିବରେସନ ଆର୍ମି (PLA) ଗତ ୬ ବର୍ଷ ହେବ ନିଜ ନିୟନ୍ତ୍ରଣରେ ରଖିଛି ଏବଂ ସେଠାରେ ସାମରିକ ଶିବିର ତଥା ରାସ୍ତା ନିର୍ମାଣ କରିଛି।
ଭାରତୀୟ ସେନା ପକ୍ଷରୁ ମଧ୍ୟ ଦାବି ସମ୍ପୂର୍ଣ୍ଣ ଖଣ୍ଡନ

କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ସେନା ପକ୍ଷରୁ ମଧ୍ୟ ସାମ୍ବାଦିକ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ବିବୃତିରେ ଏହି ଅନୁପ୍ରବେଶ ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ‘ଭ୍ରମାତ୍ମକ ଏବଂ ଭିତ୍ତିହୀନ’ ବୋଲି କୁହାଯାଇଛି। ସେନା ସ୍ପଷ୍ଟ କରିଛି ଯେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ କ୍ଷେତ୍ର ମଧ୍ୟକୁ କୌଣସି ନୂତନ ଅନୁପ୍ରବେଶ ହୋଇନାହିଁ କିମ୍ବା ଚୀନ ସେନା କୌଣସି ନୂଆ କ୍ୟାମ୍ପ୍ ସ୍ଥାପନ କରିନାହିଁ।
ସୀମାରେ ଭିତ୍ତିଭୂମିର ଦ୍ରୁତ ବିକାଶ କରୁଛନ୍ତି ମୋଦୀ ସରକାର
)
ଅରୁଣାଚଳ ପଶ୍ଚିମ ଆସନର ସାଂସଦ ଥିବା କିରେନ ରିଜିଜୁ କହିଛନ୍ତି ଯେ ପୂର୍ବ ସରକାରଗୁଡ଼ିକ ସମୟରେ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମିର ବିକାଶକୁ ଅଣଦେଖା କରାଯାଇଥିଲା। ଉଦାହରଣ ସ୍ବରୂପ ଟାକ୍ସିଙ୍ଗ୍ ଅଞ୍ଚଳକୁ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପକ୍କା ରାସ୍ତା ସଂଯୋଗ ମିଳିଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସୀମାନ୍ତ ଅଞ୍ଚଳର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସୀମାରେ ଦ୍ରୁତ ଗତିରେ ରାସ୍ତା, ବ୍ରିଜ୍ ଏବଂ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଉଛି, ଯାହା ଦ୍ୱାରା ଚୀନର ଯେକୌଣସି ଚାଲ୍ର ମୁକାବିଲା ପାଇଁ ଭାରତୀୟ ସେନା ଏବଂ ଆଇଟିବିପି (ITBP) ସବୁବେଳେ ପ୍ରସ୍ତୁତ ରହିଛନ୍ତି। ସୀମାର ସୁରକ୍ଷାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ସରକାର ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।
Also read : https://purvapaksa.com/from-january-1-2027-everything-from-fir-to-chargesheet-will-be-digital/


