ଅରୁଣାଚଳ ପ୍ରଦେଶର ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରୁ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟର ଅପର ସୁବନସିରି ଜିଲ୍ଲାରେ ଥିବା ଭାରତୀୟ ସୀମା ମଧ୍ୟରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଗତ ୬ ବର୍ଷ ମଧ୍ୟରେ ବ୍ୟାପକ ସ୍ଥାୟୀ ନିର୍ମାଣ କାର୍ଯ୍ୟ କରିଥିବା ନେଇ ସ୍ଥାନୀୟ ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ‘ନାହ’ ଆଦିବାସୀ ସମ୍ପ୍ରଦାୟ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଚୀନ ସେନା ଭାରତୀୟ ଭୂଖଣ୍ଡର ଅନେକ କିଲୋମିଟର ଭିତରକୁ ପଶିଆସି ନିଜର ସାମରିକ ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିଛି।

ସୀମା ଭିତରେ ଚୀନର ପକ୍କା ରାସ୍ତା ଓ କ୍ୟାମ୍ପ
ନାହ ଜନଜାତିର ପ୍ରତିନିଧି ଏବଂ ସ୍ଥାନୀୟ ନେତାମାନଙ୍କ ସୂଚନା ଅନୁଯାୟୀ, ଅପର ସୁବନସିରି ଜିଲ୍ଲାର ରକ୍ଷାମୂଳକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଚୀନ ସେନା ପକ୍କା ରାସ୍ତା ନିର୍ମାଣ କରିବା ସହ ଅନେକ ସେନା ଛାଉଣୀ ବା Military Camps ମଧ୍ୟ ସ୍ଥାପନ କରିସାରିଛି। ଗତ ୬ ବର୍ଷ ଧରି ଏହି ସବୁ ଅଞ୍ଚଳରେ ଚୀନ ପକ୍ଷରୁ କ୍ରମାଗତ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସୀମାନ୍ତରେ ଥିବା ପାରମ୍ପରିକ ଚାରଣଭୂମି ଏବଂ ଜଙ୍ଗଲ ଜମିକୁ ଚୀନ ନିଜ ନିୟନ୍ତ୍ରଣକୁ ନେଇଯାଇଥିବାରୁ ସ୍ଥାନୀୟ ଆଦିବାସୀମାନଙ୍କ ଜୀବିକା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।

ପୂର୍ବରୁ ମଧ୍ୟ ଆସିଥିଲା ଗାଁ ବସାଇବା ଖବର
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଅପର ସୁବନସିରି ଜିଲ୍ଲାର ସାରି ଚୁ ନଦୀ କୂଳରେ ଚୀନ ଏକ ସମ୍ପୂର୍ଣ୍ଣ ସାମରିକ ଗାଁ ନିର୍ମାଣ କରିଥିବା ନେଇ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଥିଲା। ବର୍ତ୍ତମାନ ସ୍ଥାନୀୟ ସୀମାନ୍ତବାସୀଙ୍କ ଏହି ନୂତନ ଦାବି ସରକାର ଓ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସ୍ଥାନୀୟ ବାସିନ୍ଦାମାନେ ନିଜ ସୁରକ୍ଷାକୁ ନେଇ ଭୟଭୀତ ଥିବାବେଳେ ଭାରତ ସରକାର ଏହି ଅନୁପ୍ରବେଶ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

ଭାରତ ସେନା ପକ୍ଷରୁ ସୀମାରେ ନଜର
ଅନ୍ୟପକ୍ଷରେ, ଭାରତୀୟ ସେନା ପକ୍ଷରୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସେନା ସୂତ୍ର ଅନୁଯାୟୀ, ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଚୀନର ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଭାରତ ମଧ୍ୟ ନିଜ ସୀମା ମଧ୍ୟରେ ସାମରିକ ରୋଡ୍ ନେଟୱର୍କ ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ବହୁ ଗୁଣ ପ୍ରତିହତ କରି ଦ୍ରୁତଗତିରେ ଆଗକୁ ବଢ଼ାଉଛି।


