ଦେଶରେ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ଦ୍ରୁତ ବିସ୍ତାର ଏବଂ ଏହାର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏଆଇ ଜନିତ ସାଇବର ଅପରାଧ ଏବଂ ‘ଡିପ୍ଫେକ୍’ ର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଏବଂ କଠୋର ଆଇନ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ହ୍ୱାଟ୍ସଆପ୍ , ଟେଲିଗ୍ରାମ ଏବଂ ସିଗନାଲ୍ ଭଳି ପ୍ରସିଦ୍ଧ ମେସେଜିଂ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଏବେ ସରକାରଙ୍କ ରଡାରକୁ ଆସିଛନ୍ତି। ଏହି ପ୍ଲାଟଫର୍ମଗୁଡ଼ିକରେ ଥିବା ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

IT ସଚିବ ଦେଲେ ବଡ଼ ସଂକେତ
ଏକ ସାଇବର ସୁରକ୍ଷା ସମ୍ମିଳନୀ ଅବସରରେ କେନ୍ଦ୍ର ଆଇଟି ସଚିବ ଏସ୍. କ୍ରିଷ୍ଣନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଆମେ ଏଆଇ ଜନିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଚଳିତ ଆଇଟି ନିୟମର ବ୍ୟବହାର କରୁଥିଲୁ। ମାତ୍ର ବର୍ତ୍ତମାନ ଯେଉଁଭଳି ଭାବେ ପ୍ରଯୁକ୍ତିବିଦ୍ୟା ବଦଳୁଛି, ଏଆଇ ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାର ଉପଯୁକ୍ତ ସମୟ ଆସିଯାଇଛି। ଆଇଟି ମନ୍ତ୍ରଣାଳୟ ସ୍ତରରେ ଏହି ନୂଆ ଆଇନର ଏକ ଚିଠା ବା ଡ୍ରାଫ୍ଟ ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ପରବର୍ତ୍ତୀ ସମୟରେ ସରକାର ଏବଂ ସଂସଦର ଅନୁମୋଦନ ପାଇଁ ପଠାଯିବ। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବରୁ ସୂଚନା ଦେଇଥିଲେ ଯେ, ନୂତନ ଏଆଇ ବ୍ୟବସ୍ଥା ପାଇଁ ପୁରୁଣା ଆଇନ ଯଥେଷ୍ଟ ନୁହେଁ ଏବଂ ନବସୃଜନ ଓ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ଏକ ନୂଆ ଆଇନ ଆଣିବା ଜରୁରୀ।
ରଡାର୍ରେ ମେସେଜିଂ ଆପ୍ ଏବଂ ‘ୟୁଜରନେମ୍’ ବିପଦ

ସରକାରଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ମେସେଜିଂ ଆପ୍ଗୁଡ଼ିକରେ ବ୍ୟବହାର ହେଉଥିବା ‘ୟୁଜରନେମ୍’ ସୁବିଧା। ସାଧାରଣତଃ ମୋବାଇଲ୍ ନମ୍ବର ବିନା କେବଳ ଏକ କାଳ୍ପନିକ ୟୁଜରନେମ୍ ସାହାଯ୍ୟରେ ଏହି ଆପ୍ଗୁଡ଼ିକରେ ଆକାଉଣ୍ଟ ଖୋଲାଯାଇପାରୁଛି। ଆଇଟି ସଚିବଙ୍କ ଅନୁଯାୟୀ, ଏହି ଫିଚର ଯୋଗୁଁ ସାଇବର ଅପରାଧୀମାନେ ନିଜର ପ୍ରକୃତ ପରିଚୟ ଲୁଚାଇ ଅତି ସହଜରେ ଅନ୍ୟମାନଙ୍କ ନକଲ କରିପାରୁଛନ୍ତି। ଏହାଦ୍ୱାରା ନକଲି ପରିଚୟ ସୃଷ୍ଟି କରି ଲୋକଙ୍କୁ ଠକିବା ଏବଂ ବ୍ଲାକମେଲ୍ କରିବା ଅତି ସହଜ ହୋଇଯାଇଛି। ନିକଟରେ ଦେଶରେ ବଢ଼ିଚାଲିଥିବା ‘ଡିଜିଟାଲ୍ ଆରେଷ୍ଟ’ ଭଳି ସାଇବର ସ୍କାମ୍ ପଛରେ ଏହି ୟୁଜରନେମ୍ ଫିଚର ଏକ ପ୍ରମୁଖ ମାଧ୍ୟମ ସାଜିଛି। ଏହି ଗମ୍ଭୀର ବିପଦକୁ ଦେଖି ସରକାର ହ୍ୱାଟ୍ସଆପ୍, ଟେଲିଗ୍ରାମ ଏବଂ ସିଗନାଲ୍କୁ ନୋଟିସ୍ ଜାରି କରି ଏ ବିଷୟରେ ଜବାବ ମାଗିଛନ୍ତି।
ଡିପ୍ଫେକ୍ ବିରୋଧରେ କଡ଼ା ଆଭିମୁଖ୍ୟ

ସରକାର ପୂର୍ବରୁ ହିଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଇଣ୍ଟରନେଟ୍ ମଧ୍ୟସ୍ଥି ମାନଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି। ନୂଆ ନିୟମ ଅନୁସାରେ, ଏକ୍ସ (X) କିମ୍ବା ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମଗୁଡ଼ିକରେ କୌଣସି ପ୍ରାଧିକୃତ ସଂସ୍ଥା କିମ୍ବା କୋର୍ଟ ଦ୍ୱାରା ଚିହ୍ନଟ କରାଯାଇଥିବା ଏଆଇ ଜନିତ କିମ୍ବା ଡିପ୍ଫେକ୍ ଆପତ୍ତିଜନକ କଣ୍ଟେଣ୍ଟକୁ ମାତ୍ର ୩ ଘଣ୍ଟା ମଧ୍ୟରେ ହଟାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ AI ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟ ଉପରେ ସ୍ପଷ୍ଟ ଭାବେ ଏକ ସ୍ଥାୟୀ ‘ଲେବଲ୍’ ବା ଚିହ୍ନ ରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯେପରି ସାଧାରଣ ଲୋକେ ପ୍ରକୃତ ଏବଂ କୃତ୍ରିମ କଣ୍ଟେଣ୍ଟ ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ। କେନ୍ଦ୍ର ସରକାରଙ୍କ ଏହି ଆଗାମୀ AI LAW ସାଧାରଣ ନାଗରିକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ସହ ଦେଶର ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।


