ଭାରତ ଓ ଚୀନ ସୀମାରେ ଉତ୍ତେଜନା ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ବେଳେ ବାୟୁସୀମାର ସୁରକ୍ଷାକୁ ନେଇ ସାମରିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଚୀନର ସବୁଠାରୁ ଆଧୁନିକ ତଥା ରଦାର ଆଖିରେ ଧୂଳି ଦେବାରେ ସକ୍ଷମ ପଞ୍ଚମ ପିଢ଼ିର ଷ୍ଟିଲ୍ଥ୍ ଯୁଦ୍ଧବିମାନ ‘ଜେ-୨୦’ କୁ ଚିହ୍ନଟ କରିବା ପାଇଁ ଭାରତୀୟ ବାୟୁସେନା ପାଖରେ କେଉଁ ସାମରିକ ପ୍ରଯୁକ୍ତି ରହିଛି, ତାହାକୁ ନେଇ ଏକ ବଡ଼ ବିଶ୍ଳେଷଣ ସାମ୍ନାକୁ ଆସିଛି। ରୁଷ ନିର୍ମିତ ଭାରତର ‘ନେବୋ-ୟୁଏମ୍’ ରାଡାର୍ ସିଷ୍ଟମ୍ ଏହି ଚୀନା ଯୁଦ୍ଧବିମାନର ମୁକାବିଲା କରିବାରେ କେତେ ସକ୍ଷମ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

ଷ୍ଟିଲ୍ଥ୍ ବିଦ୍ୟାରେ ମାତ୍ ଦେବାର କ୍ଷମତା
ରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଚୀନର ଜେ-୨୦ ବିମାନକୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେପରି ସାଧାରଣ ହାଇ-ଫ୍ରିକ୍ୱେନ୍ସି ରାଡାର୍ ଏହାକୁ ସହଜରେ ଚିହ୍ନଟ କରିପାରିବେ ନାହିଁ। ମାତ୍ର ଭାରତ ପାଖରେ ଥିବା ‘ନେବୋ-ୟୁଏମ୍’ ହେଉଛି ଏକ ମୋବାଇଲ୍ ଥ୍ରୀ-ଡାଇମେନ୍ସନାଲ୍ (3D) ଭିଏଚ୍ଏଫ୍ (VHF) ଆଣ୍ଟି-ଷ୍ଟିଲ୍ଥ୍ ରାଡାର୍। ଏହି ରାଡାର୍ ବିଶେଷ ଭାବେ ସେହି ସାମରିକ ଲକ୍ଷ୍ୟ ବା ଯୁଦ୍ଧବିମାନଗୁଡ଼ିକୁ ଟ୍ରାକ୍ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁଗୁଡ଼ିକ ଷ୍ଟିଲ୍ଥ୍ (ଆଦୃଶ୍ୟ) ପ୍ରଯୁକ୍ତିରେ ନିର୍ମିତ। ଏହି ରାଡାରରେ ଥିବା ସ୍ୱତନ୍ତ୍ର ତରଙ୍ଗ ଜେ-୨୦ ର ଆକୃତି ଏବଂ ଏହାର ପ୍ରତିଫଳନ କ୍ଷମତାକୁ ଅତି ସହଜରେ ଧରିପାରେ।
ନେବୋ-ୟୁଏମ୍ ରାଡାର୍ର ପ୍ରମୁଖ ବୈଶିଷ୍ଟ୍ୟ
- ବ୍ୟାପକ ସୀମା : ଏହି ରୁଷୀୟ ରାଡାର ସିଷ୍ଟମ୍ ପ୍ରାୟ ୬୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଥିବା ଯେକୌଣସି ଉଡ଼ନ୍ତା ବସ୍ତୁକୁ ସଠିକ୍ ଭାବେ ଚିହ୍ନଟ କରିପାରେ।
- ଏକାଧିକ ଟାର୍ଗେଟ୍ : ଏହା ଏକ ସମୟରେ ବାଲିଷ୍ଟିକ୍ ମିସାଇଲ୍, ହାଇପରସୋନିକ୍ ଟାର୍ଗେଟ୍ ଏବଂ ଅତ୍ୟନ୍ତ କମ୍ ଉଚ୍ଚତାରେ ଉଡ଼ୁଥିବା ଡ୍ରୋନ୍ କିମ୍ବା ଯୁଦ୍ଧବିମାନକୁ ଏକାସଙ୍ଗେ ଟ୍ରାକ୍ କରିବାର କ୍ଷମତା ରଖିଛି।
- ଜାମିଂ ପ୍ରତିରୋଧକ : ଶତ୍ରୁ ପକ୍ଷର ଇଲେକ୍ଟ୍ରୋନିକ ଯୁଦ୍ଧ କୌଶଳ ବା ଜାମିଂ ପ୍ରକ୍ରିୟା ଏହି ରାଡାର୍ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ।
ଭାରତର ସୁରକ୍ଷା ଚକ୍ର ବ୍ୟାପକ

କେବଳ ‘ନେବୋ-ୟୁଏମ୍’ ନୁହେଁ, ଭାରତୀୟ ବାୟୁସେନା ନିଜର ସୀମାନ୍ତ ସୁରକ୍ଷାକୁ ମଜବୁତ କରିବା ପାଇଁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ମଧ୍ୟ ମୁତୟନ କରିଛି, ଯେଉଁଥିରେ ସ୍ୱତନ୍ତ୍ର ସର୍ଭେଲାନ୍ସ ରାଡାର୍ ରହିଛି। ଏହା ସହିତ ଭାରତର ସ୍ୱଦେଶୀ ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନରେ ଥିବା ଶକ୍ତିଶାଳୀ ରାଡାର୍ ପୂର୍ବରୁ ମଧ୍ୟ ସୀମା ଆରପାରିରେ ଉଡ଼ୁଥିବା ଚୀନର ଜେ-୨୦ ବିମାନକୁ ଚିହ୍ନଟ କରି ନିଜର ସକ୍ଷମତା ପ୍ରମାଣିତ କରିସାରିଛି। ତେଣୁ ଚୀନ ଯେତେ ଆଧୁନିକ ଜ୍ଞାନକୌଶଳ ଆପଣାଇଲେ ମଧ୍ୟ, ଭାରତର ବହୁସ୍ତରୀୟ ରାଡାର୍ ନେଟୱାର୍କକୁ ସହଜରେ ଭେଦ କରିବା ବେଜିଂ ପାଇଁ ଆଦୌ ସହଜ ହେବନାହିଁ ବୋଲି ସାମରିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


