ଆଜିକାଲି ଦେଶଦୁନିଆରେ BBQ ଏବଂ ଗ୍ରୀଲ୍ଡ୍ ଖାଦ୍ୟ ଖାଇବାର କ୍ରେଜ୍ ବହୁତ ବଢ଼ିବାରେ ଲାଗିଛି। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ଗ୍ରୀଲ୍ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ଏକ ସାଧାରଣ ଜିନିଷ ଆପଣଙ୍କ ପାଇଁ ମାରାତ୍ମକ ସାଜିପାରେ। ଗ୍ରୀଲ୍ରେ ଜମି ରହିଥିବା ପୋଡ଼ା ଖାଦ୍ୟ ଓ ତେଲ ଅଂଶକୁ ସଫା କରିବା ପାଇଁ ସାଧାରଣତଃ ଧାତୁର ତାର ଥିବା ‘ମେଟାଲ୍ ୱାୟାର ଗ୍ରୀଲ୍ ବ୍ରଶ୍’ ବ୍ୟବହାର କରାଯାଇଥାଏ। ଏହି ବ୍ରଶ୍ର ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏବେ ଡାକ୍ତରମାନେ ସତର୍କ ସୂଚନା ଜାରି କରିଛନ୍ତି।

ଭୋଜନ ନଳୀ କିମ୍ବା ପାକସ୍ଥଳୀରେ ଫସିପାରେ ତାର
ଡାକ୍ତରଙ୍କ ଅନୁଯାୟୀ, ଗ୍ରୀଲ୍କୁ ଧାତୁ ବ୍ରଶ୍ରେ ଘଷି ସଫା କରିବା ସମୟରେ ଅନେକ ସମୟରେ ତା’ର ପତଳା ଏବଂ ମୁନିଆ ତାର ଗୁଡ଼ିକ ଭାଙ୍ଗି ବା ଖସି ଗ୍ରୀଲ୍ ର ସୂକ୍ଷ୍ମ ଅଂଶରେ ଲାଗି ରହିଯାଏ। ଏହା ପରେ ଯେତେବେଳେ ସେହି ଗ୍ରୀଲ୍ରେ ପୁଣି ଥରେ ଖାଦ୍ୟ ପ୍ରସ୍ତୁତ କରାଯାଏ, ସେହି ତାରଗୁଡ଼ିକ ଅଜାଣତରେ ଖାଦ୍ୟ ସହିତ ମିଶି ମଣିଷ ଶରୀର ଭିତରକୁ ଚାଲିଯାଏ।

ଧାତୁର ଏହି ଛୋଟ ଏବଂ ଧାରୁଆ ତାରଗୁଡ଼ିକ ଗଳା, ଟନ୍ସିଲ୍, ଭୋଜନ ନଳୀ , ପାକସ୍ଥଳୀ କିମ୍ବା ଅନ୍ତନଳୀରେ ଫସିଯାଇପାରେ। କିଛି ଗମ୍ଭୀର ମାମଲାରେ ଏହା ପାଚନ ପ୍ରକ୍ରିୟାର ଅଙ୍ଗଗୁଡ଼ିକୁ କଣା ବା କ୍ଷତବିକ୍ଷତ କରିଦେଇଥାଏ, ଯାହାଫଳରେ ଶରୀର ଭିତରେ ସଂକ୍ରମଣ, ପୂଜ ଜମିବା କିମ୍ବା ଆନ୍ତରିକ ରକ୍ତସ୍ରାବ ଭଳି ଜଟିଳ ସମସ୍ୟା ଦେଖାଦିଏ।
ଚିହ୍ନଟ କରିବା ସବୁଠାରୁ ଜରୁରୀ
ଏହି ସମସ୍ୟାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି, ଧାତୁର ଏହି ଖଣ୍ଡ ଗୁଡ଼ିକ ଏତେ ଛୋଟ ଯେ ସେଗୁଡ଼ିକ ସହଜରେ ଆଖିକୁ ଦେଖାଯାଏ ନାହିଁ। ଏପରିକି ଏକ୍ସ-ରେ ରେ ମଧ୍ୟ ଏହାକୁ ଧରିବା କଷ୍ଟକର ହୋଇଥାଏ। ଫଳରେ ରୋଗୀର ପେଟ ବା ଗଳା ବେଦନାର ପ୍ରକୃତ କାରଣ ଜାଣିବାରେ ବିଳମ୍ବ ହୁଏ, ଯାହା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି କରେ। ଯଦି ଏହି ତାର ଶରୀର ଭିତରେ ଫସିଯାଏ, ତେବେ ତାହାକୁ ବାହାର କରିବା ପାଇଁ ଏଣ୍ଡୋସ୍କୋପି କିମ୍ବା ଜଟିଳ ସର୍ଜରୀ ର ସାହାରା ନେବାକୁ ପଡ଼ିଥାଏ।

କେମିତି ରହିବେ ସୁରକ୍ଷିତ ?
ଡାକ୍ତରମାନେ କହିଛନ୍ତି ଯେ, ଏହି ସମସ୍ୟାରୁ ବଞ୍ଚିବା ପାଇଁ ସତର୍କତା ହିଁ ସବୁଠାରୁ ବଡ଼ ଉପାୟ।
- ଗ୍ରୀଲ୍ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ବ୍ରଶ୍କୁ ନିୟମିତ ଯାଞ୍ଚ କରନ୍ତୁ। ଯଦି ତା’ର ତାରଗୁଡ଼ିକ ଢିଲା କିମ୍ବା ପୁରୁଣା ଦେଖାଯାଉଛି, ତେବେ ତୁରନ୍ତ ତାକୁ ବଦଳାଇ ନୂଆ ବ୍ରଶ୍ ଆଣନ୍ତୁ।
- ମେଟାଲ୍ ବ୍ରଶ୍ ବଦଳରେ ନାଇଲନ୍ ବ୍ରଶ୍ କିମ୍ବା ଅନ୍ୟ ସୁରକ୍ଷିତ ବିକଳ୍ପ ବ୍ୟବହାର କରିବା ଉଚିତ।
- ବ୍ରଶ୍ରେ ଗ୍ରୀଲ୍ ସଫା କରିବା ପରେ, ତା’ ଉପରେ ଖାଦ୍ୟ ରଖିବା ପୂର୍ବରୁ ଏକ ଓଦା କପଡ଼ାରେ ଗ୍ରୀଲ୍ ପୃଷ୍ଠକୁ ଭଲ ଭାବେ ପୋଛି ଦିଅନ୍ତୁ, ଯେପରି କୌଣସି ବି ଧାତୁ କଣିକା ସେଥିରେ ରହିବ ନାହିଁ।
- ଗ୍ରୀଲ୍ଡ୍ ଖାଦ୍ୟ ଖାଇବା ପରେ ଯଦି ଗଳାରେ କିଛି ଫସିବା ଭଳି ଲାଗେ କିମ୍ବା ପେଟରେ ଅସହ୍ୟ ଯନ୍ତ୍ରଣା ହୁଏ, ତେବେ ଏହାକୁ ସାଧାରଣ ଭାବି ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
Also read : https://purvapaksa.com/consumer-court-fines-amazon-for-not-delivering-gas-stoves-on-time/


