ବିଶ୍ୱ ରାଜନୀତି ଏବଂ ସାମରିକ ଗତିବିଧିକୁ ନେଇ ଏହି ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆଜିଠାରୁ ତୁର୍କୀର ରାଜଧାନୀ ଅଙ୍କାରାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ସଂଗଠନ ‘ନାଟୋ’ ଅର୍ଥାତ୍ ‘North Atlantic Treaty Organization’ର ମହାସମ୍ମିଳନୀ। ଜୁଲାଇ ୭ ଏବଂ ୮ ତାରିଖ—ଏହି ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ଶିଖର ସମ୍ମିଳନୀରେ ନାଟୋର ୩୨ଟି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟମାନେ ଏକାଠି ହେଉଛନ୍ତି। ଏଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ଅଛନ୍ତି।
କିନ୍ତୁ, ଏହି ସମ୍ମିଳନୀ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ନାଟୋ ଭିତରେ ହିଁ ଅନ୍ତର୍ଦ୍ୱନ୍ଦ୍ୱ ଏବଂ ମତଭେଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ଇରାନ ଯୁଦ୍ଧରେ ଆମେରିକାକୁ ସାମରିକ ସହଯୋଗ ନଦେବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ଜିଦ୍ ଧରିଛନ୍ତି, ତ ଅନ୍ୟପଟେ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ସାରା ୟୁରୋପକୁ ଚିନ୍ତାରେ ପକାଇଛି। ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଏବଂ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟରେ ଏହି ଅଙ୍କାରା ସମ୍ମିଳନୀ ନାଟୋର ଭବିଷ୍ୟତ ସ୍ଥିର କରିବ।
ଆଜି ଆମେ ଆଲୋଚନା କରିବା ସେହି ୧୦ଟି ବଡ଼ ପ୍ରସଙ୍ଗ ବିଷୟରେ, ଯାହା ଉପରେ ସାରା ବିଶ୍ୱର ନଜର ରହିଛି ଏବଂ ଶେଷରେ ଜାଣିବା ଯେ ଏହି ମହାମେଳିର ପ୍ରଭାବ ଆମ ଦେଶ ଭାରତ ଉପରେ କିଭଳି ପଡ଼ିବାକୁ ଯାଉଛି।
ପ୍ରସଙ୍ଗ ନମ୍ବର ୧: ପ୍ରତିରକ୍ଷା ବଜେଟକୁ ପ୍ରସଙ୍ଗ ହେଉଛି ପ୍ରତିରକ୍ଷା ବଜେଟ୍।
ଗତବର୍ଷ ‘ଦ ହେଗ୍’ ସମ୍ମିଳନୀରେ ନାଟୋ ଦେଶଗୁଡ଼ିକ ୨୦୩୫ ସୁଦ୍ଧା ନିଜ ନିଜ ଜିଡିପି (GDP)ର ୫ ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଏକ ବଡ଼ ଲକ୍ଷ୍ୟ ରଖିଥିଲେ। ଆପଣଙ୍କୁ ଜଣାଇଦେବୁ ଯେ ପୂର୍ବରୁ ଏହି ନିୟମ ମାତ୍ର ୨ ପ୍ରତିଶତ ଥିଲା। କେବଳ ୨୦୨୫ ମସିହାରେ ୟୁରୋପୀୟ ସହଯୋଗୀ ଏବଂ କାନାଡା ମିଶି ନିଜ ସାମରିକ ନିବେଶରେ ୧୩୯ ବିଲିୟନ ଡଲାରର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବଳ ଚାପ ପରେ ନାଟୋ ମହାନିର୍ଦ୍ଦେଶକ ମାର୍କ ରୁଟେ ସମସ୍ତ ସଦସ୍ୟ ଦେଶଙ୍କଠାରୁ ଏହି ୫ ପ୍ରତିଶତ ଲକ୍ଷ୍ୟ ପୂରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ମାଗିଛନ୍ତି। ଯାହାକୁ ନେଇ ଅନେକ ଛୋଟ ଦେଶ ଅସନ୍ତୁଷ୍ଟ ଅଛନ୍ତି।
ପ୍ରସଙ୍ଗ ନମ୍ବର ୨: ୟୁକ୍ରେନକୁ ସାମରିକ ସହାୟତା ଏବଂ ପାଟ୍ରିଅଟ୍ ମିସାଇଲର ସଙ୍କଟ
ରୁଷର ପ୍ରତିଦିନର ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଅଙ୍କାରା ପହଞ୍ଚୁଛନ୍ତି। ନିକଟରେ କିଭ୍ ଉପରେ ହୋଇଥିବା ରୁଷୀୟ ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ପରେ ଜେଲେନସ୍କି ନାଟୋ ନିକଟରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି କରିଛନ୍ତି। କିନ୍ତୁ ଏଠାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ୟୁକ୍ରେନ ପାଖରେ ଆମେରିକୀୟ ‘ପାଟ୍ରିଅଟ୍ ଏୟାର ଡିଫେନ୍ସ ମିସାଇଲ୍’ର ଭୟଙ୍କର ଅଭାବ ଦେଖାଦେଇଛି। କାରଣ ଆମେରିକା ନିଜର ଅଧିକାଂଶ ସାମରିକ ସମ୍ବଳ ଏବେ ଇରାନ ସୀମା ଆଡ଼କୁ ମୋଡ଼ି ଦେଇଛି।
ପ୍ରସଙ୍ଗ ନମ୍ବର ୩: ଇରାନ ଯୁଦ୍ଧକୁ ନେଇ ନାଟୋ ଭିତରେ ଫାଟ
ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ ଯୁଦ୍ଧ ନାଟୋ ମଧ୍ୟରେ ଏକ ବଡ଼ ପ୍ରାଚୀର ଠିଆ କରିଦେଇଛି। ୟୁରୋପୀୟ ଦେଶଗୁଡ଼ିକ ୱାଶିଂଟନକୁ ଏହି ଯୁଦ୍ଧରେ କୌଣସି ପ୍ରକାରର ସାମରିକ ସହଯୋଗ ଦେବାକୁ ସଫା ସଫା ମନା କରିଦେଇଛନ୍ତି। ଏପରିକି ‘ହୋର୍ମୁଜ ପ୍ରଣାଳୀ’ (Strait of Hormuz)କୁ ମୁକ୍ତ କରିବା ପାଇଁ ଆମେରିକାର ଅଭିଯାନରେ ସାମିଲ ହେବାକୁ ମଧ୍ୟ ସେମାନେ ପ୍ରସ୍ତୁତ ନୁହନ୍ତି। ସମ୍ମିଳନୀର ଘୋଷଣାପତ୍ରରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ପରିବହନର ସ୍ୱାଧୀନତା ବିଷୟରେ ଉଲ୍ଲେଖ ତ ରହିବ, କିନ୍ତୁ ଭିତରର ତିକ୍ତତା ଏବେ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି।
ପ୍ରସଙ୍ଗ ନମ୍ବର ୪: ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଏବଂ ଟ୍ରମ୍ପଙ୍କ ଧମକ
ୟୁରୋପୀୟ ଦେଶଗୁଡ଼ିକର ଏଭଳି ମନୋଭାବରେ ଅସନ୍ତୁଷ୍ଟ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମେ ମାସରେ ଜର୍ମାନୀରୁ ପ୍ରାୟ ୫,୦୦୦ ଆମେରିକୀୟ ସୈନିକଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଟ୍ରମ୍ପ ଇଟାଲୀ ଏବଂ ସ୍ପେନରୁ ମଧ୍ୟ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି। ଟ୍ରମ୍ପଙ୍କ କହିବା କଥା ହେଲା—”ଆମେ ୟୁକ୍ରେନ ମାମଲାରେ ୟୁରୋପକୁ ସବୁ ପ୍ରକାର ସାହାଯ୍ୟ କଲୁ, କିନ୍ତୁ ଯେତେବେଳେ ଆମେରିକାକୁ ଇରାନ ବିରୁଦ୍ଧରେ ସହାୟତା ଦରକାର ପଡ଼ିଲା, ସେତେବେଳେ ସମସ୍ତେ ଗାୟବ ହୋଇଗଲେ।” ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ୟୁରୋପର ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି।
ପ୍ରସଙ୍ଗ ନମ୍ବର ୫: ୟୁରୋପର ସ୍ମାର୍ଟ ଷ୍ଟ୍ରାଟେଜିକ୍ ସ୍ୱାଧୀନତା (Strategic Autonomy)
ଆମେରିକା ଉପରେ ସବୁଦିନ ପାଇଁ ନିର୍ଭର ନରହିବା ପାଇଁ ଏବେ ୟୁରୋପୀୟ ଦେଶଗୁଡ଼ିକ ନିଜର ଆତ୍ମରକ୍ଷା କ୍ଷମତା ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି। ୨୦୨୦ ରୁ ୨୦୫ ମସିହା ମଧ୍ୟରେ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକର ପ୍ରତିରକ୍ଷା ଖର୍ଚ୍ଚରେ ୬୨ ପ୍ରତିଶତର ବୃଦ୍ଧି ଘଟିଛି। ସେମାନେ ଏବେ ନିଜସ୍ୱ ସାମରିକ ରଣନୀତି ପ୍ରସ୍ତୁତ କରୁଛନ୍ତି, ଯେପରିକି ଆମେରିକାରେ କ୍ଷମତା ବଦଳିଲେ ମଧ୍ୟ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ନାହିଁ।
ପ୍ରସଙ୍ଗ ନମ୍ବର ୬: ଜର୍ମାନୀର ବ୍ୟାପକ ସାମରିକୀକରଣ (Militaization)
ଡୋନାଲ୍ଡ ଟ୍ରମ୍ପଙ୍କ ଚାପର ସବୁଠାରୁ ବଡ଼ ପ୍ରଭାବ ଯଦି କେଉଁ ଦେଶ ଉପରେ ପଡ଼ିଛି, ତାହା ହେଉଛି ଜର୍ମାନୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଜର୍ମାନୀ ନିଜ ସମ୍ବିଧାନରେ ସଂଶୋଧନ କରି ବ୍ୟାପକ ସ୍ତରରେ ପୁନଃଶସ୍ତ୍ରୀକରଣ କିମ୍ବା ନୂଆ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଜର୍ମାନୀର ଲକ୍ଷ୍ୟ ହେଉଛି ଅତି କମ୍ ସମୟ ମଧ୍ୟରେ ବ୍ରିଟେନ ଏବଂ ଫ୍ରାନ୍ସର ମିଳିତ ସାମରିକ ଶକ୍ତିଠାରୁ ମଧ୍ୟ ଅଧିକ ବଡ଼ ଏବଂ ଶକ୍ତିଶାଳୀ ସେନା ଗଠନ କରିବା, ଯାହା ସାରା ବିଶ୍ୱକୁ ଚକିତ କରିଛି।
ପ୍ରସଙ୍ଗ ନମ୍ବର ୭: ବଜେଟର ଚତୁରତାପୂର୍ଣ୍ଣ ବ୍ୟବହାର
ନାଟୋର ୫ ପ୍ରତିଶତ ବଜେଟ୍ ନିୟମକୁ ପୂରଣ କରିବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ଏକ ଚତୁର ରଣନୀତି ଆପଣେଇଛନ୍ତି। ସେମାନେ ନିଜର ମୋଟ ପ୍ରତିରକ୍ଷା ବଜେଟର ୩.୫ ପ୍ରତିଶତ ପ୍ରକୃତ ସାମରିକ ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ରରେ ଖର୍ଚ୍ଚ କରୁଥିବା ବେଳେ ବାକି ୧.୫ ପ୍ରତିଶତ ଅଂଶ ସୁରକ୍ଷା ସହ ଜଡ଼ିତ ଭିତ୍ତିଭୂମି ଯେପରିକି ରାସ୍ତାଘାଟ, ପାୱାର ଗ୍ରିଡ୍ ଏବଂ ଅକ୍ଷୟ ଶକ୍ତି (Renewable Energy)ର ବିକାଶରେ ଲଗାଉଛନ୍ତି। ଏହା ଦ୍ୱାରା ସେମାନଙ୍କର ଆଭ୍ୟନ୍ତରୀଣ ବିକାଶ ମଧ୍ୟ ହେଉଛି ଏବଂ ନାଟୋର ସର୍ତ୍ତ ମଧ୍ୟ ପୂରଣ ହେଉଛି।
ପ୍ରସଙ୍ଗ ନମ୍ବର ୮: ଗ୍ରୀନଲ୍ୟାଣ୍ଡ ଏବଂ ଆର୍କଟିକ ଅଞ୍ଚଳକୁ ନେଇ କଳହ
ଗ୍ରୀନଲ୍ୟାଣ୍ଡକୁ ଆମେରିକାର ସାମ୍ରାଜ୍ୟରେ ମିଶାଇବା ନେଇ ଡୋନାଲ୍ଡ ଟ୍ରମ୍ପ ଯେଉଁ ବୟାନ ଦେଇଛନ୍ତି, ସେଥିପାଇଁ ଡେନମାର୍କ ସମେତ ସାରା ୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆର୍କଟିକ ଅଞ୍ଚଳରେ ରୁଷ ଏବଂ ଚୀନର ବଢ଼ୁଥିବା ଗତିବିଧିକୁ ଦେଖି ଗ୍ରୀନଲ୍ୟାଣ୍ଡ ଉପରେ ନିଜର ନିୟନ୍ତ୍ରଣ ଜାହିର କରିବା ପାଇଁ ନାଟୋ ଭିତରେ ହିଁ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ପ୍ରସଙ୍ଗ ନମ୍ବର ୯: ୟୁରୋପର କ୍ଷମତା ମଧ୍ୟରେ ଥିବା ବଡ଼ ବ୍ୟବଧାନ (Capability Gap)
ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୟୁରୋପ ଯେତେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ‘International Institute for Strategic Studies’ (IISS)ର ରିପୋର୍ଟ ଅନୁସାରେ, ଦୂରଗାମୀ ଆକ୍ରମଣ (Long-range strikes), ସାଟେଲାଇଟ୍ ଟେକ୍ନୋଲୋଜି, ଗୁପ୍ତଚର ସୂଚନା ଏବଂ ଲଜିଷ୍ଟିକ୍ସ ପାଇଁ ୟୁରୋପ ଆଜି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆମେରିକା ଉପରେ ନିର୍ଭରଶୀଳ। ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ୟୁରୋପକୁ କମ୍ରେ କମ୍ ୧ ଟ୍ରିଲିୟନ ଡଲାର ଏବଂ ୧୦ ବର୍ଷରୁ ଅଧିକ ସମୟ ଲାଗିବ।
ପ୍ରସଙ୍ଗ ନମ୍ବର ୧୦: ମିଡିଲ୍ ଇଷ୍ଟ ଏବଂ ଇଣ୍ଡୋ-ପାସିଫିକ୍ ଦେଶଗୁଡ଼ିକର ଏଣ୍ଟ୍ରି
ଏହି ଅଙ୍କାରା ସମ୍ମିଳନୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ନୂତନ ଦିଗ ହେଉଛି ଯେ, ଏଥିରେ ନାଟୋ ବ୍ୟତୀତ ବାହାରିନ, କୁୱେତ, କତାର ଏବଂ ୟୁଏଇ (UAE) ଭଳି ମିଡିଲ୍ ଇଷ୍ଟ ବା ମଧ୍ୟ-ପ୍ରାଚ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଭାଗ ନେଉଛନ୍ତି। ଏହା ସହିତ ନାଟୋର ପ୍ରତିରକ୍ଷା ମନ୍ତ୍ରୀମାନେ ଅଷ୍ଟ୍ରେଲିଆ, ଜାପାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ କୋରିଆ ଭଳି ‘ଇଣ୍ଡୋ-ପାସିଫିକ୍ ପାର୍ଟନର’ମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରିବେ, ଯାହା ଚୀନର ନିଦ ହଜାଇ ଦେଇଛି।
ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ—ନାଟୋର ଏହି ଅଙ୍କାରା ନିଷ୍ପତ୍ତିର ପ୍ରଭାବ ଭାରତ, କ୍ୱାଡ ଏବଂ ବିଶ୍ୱ ଅସ୍ତ୍ର ବଜାର ଉପରେ କଣ ପଡ଼ିବ? ଭାରତ ପ୍ରତ୍ୟକ୍ଷ ଭାବେ ନାଟୋର ସଦସ୍ୟ ନୁହେଁ, କିନ୍ତୁ ଏହାର ପ୍ରତିଟି ସମୀକରଣ ଦିଲ୍ଲୀର ଚିନ୍ତାଧାରାକୁ ପ୍ରଭାବିତ କରିବ।
୧. କ୍ୱାଡ ଏବଂ ଇଣ୍ଡୋ-ପାସିଫିକ୍ ଉପରେ ପ୍ରଭାବ:
ନାଟୋ ଏବେ ୟୁରୋପ ସୀମାରୁ ବାହାରି ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ନିଜର ଗୋଡ଼ ବଢ଼ାଇବାକୁ ଚେଷ୍ଟା କରୁଛି। ଜାପାନ ଏବଂ ଦକ୍ଷିଣ କୋରିଆ ସହ ନାଟୋର ବଢ଼ୁଥିବା ସମ୍ପର୍କ ଭାରତ ନେତୃତ୍ୱରେ ଥିବା ‘କ୍ୱାଡ’ ସଂଗଠନକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିପାରେ। ଚୀନକୁ ଘେରିବା ପାଇଁ ଆମେରିକା ଏବଂ ନାଟୋ ଏବେ ଭାରତକୁ ଏକ ପ୍ରମୁଖ ସନ୍ତୁଳନ ରକ୍ଷାକାରୀ ଶକ୍ତି ଭାବେ ଦେଖୁଛନ୍ତି।
୨. ଗ୍ଲୋବାଲ୍ ଅସ୍ତ୍ର ବଜାରରେ ଭାରତ ପାଇଁ ସୁଯୋଗ:
ୟୁରୋପୀୟ ଦେଶଗୁଡ଼ିକ ଯେତେବେଳେ ନିଜର ପ୍ରତିରକ୍ଷା ବଜେଟ୍ ୫ ପ୍ରତିଶତକୁ ବଢ଼ାଇବେ, ସେତେବେଳେ ବିଶ୍ୱରେ ସାମରିକ ସରଞ୍ଜାମର ଚାହିଦା ବହୁତ ବଢ଼ିଯିବ। ଭାରତ ବର୍ତ୍ତମାନ ନିଜକୁ ଏକ ବଡ଼ ପ୍ରତିରକ୍ଷା ରପ୍ତାନିକାରୀ (Defense Exporter) ଦେଶ ଭାବେ ଗଢ଼ି ତୋଳୁଛି। ‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଯନ୍ତ୍ରାଂଶ ପାଇଁ ୟୁରୋପ ଏବଂ ମିଡିଲ୍ ଇଷ୍ଟ ଏକ ବଡ଼ ବଜାର ସାବ୍ୟସ୍ତ ହୋଇପାରେ।
୩. ରୁଷ-ଭାରତ ସମ୍ପର୍କର ପରୀକ୍ଷା:
ନାଟୋ ସମ୍ମିଳନୀରେ ୟୁକ୍ରେନକୁ ନେଇ ରୁଷ ବିରୋଧରେ ଯେଉଁ ନୂଆ ରଣନୀତି ପ୍ରସ୍ତୁତ ହେବ, ତାହା ଭାରତ ପାଇଁ ଏକ କୂଟନୈତିକ ଆହ୍ୱାନ ଆଣିବ। ରୁଷ ଭାରତର ପୁରୁଣା ବନ୍ଧୁ ହୋଇଥିବା ବେଳେ ପଶ୍ଚିମା ଦେଶଗୁଡ଼ିକ ଆମର ବର୍ତ୍ତମାନର ଆବଶ୍ୟକତା। ତେଣୁ ଭାରତକୁ ଏହି ଦୁଇ ଶକ୍ତି ମଧ୍ୟରେ ଅତି ଚତୁରତାର ସହ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ।
ତେବେ, ଅଙ୍କାରାରେ ହେବାକୁ ଥିବା ଏହି ନାଟୋ ସମ୍ମିଳନୀ କେବଳ ଏକ ସାଧାରଣ ଆଲୋଚନା ସଭା ନୁହେଁ, ବରଂ ଏହା ଆଗାମୀ ଦଶନ୍ଧି ପାଇଁ ବିଶ୍ୱର ସାମରିକ ଭୂଗୋଳକୁ ଏକ ନୂଆ ରୂପ ଦେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଜିଦ୍, ୟୁରୋପର ସ୍ୱାଭିମାନ ଏବଂ ଏସିଆର ବଢ଼ୁଥିବା ପ୍ରଭାବ ମଧ୍ୟରେ ଏହି ସମ୍ମିଳନୀରୁ କଣ ନିଷ୍କର୍ଷ ବାହାରୁଛି, ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ।
AlsoRead; https://purvapaksa.com/plane-hijacked-for-indira-gandhi-congress-made-the-hijacker-an-mla/


