ପବିତ୍ର ମନ୍ଦିର ମାଳିନୀ ସହର କାଶୀ ବା ବାରଣାସୀରେ ଏକ ବଡ଼ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି । ସହରର ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଏବଂ ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖିବା ପାଇଁ ବାରଣାସୀ ନଗର ନିଗମ ସହର ସୀମା ଭିତରୁ ସମସ୍ତ ମାଂସ, ମାଛ ଏବଂ କୁକୁଡ଼ା ଦୋକାନକୁ ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନା ଅନୁଯାୟୀ, ଆଗାମୀ ଦୀପାବଳି ପୂର୍ବରୁ ସହରର ପ୍ରାୟ ୩୫୦ ରୁ ୪୦୦ ମାଂସ ବ୍ୟବସାୟୀଙ୍କୁ ସହରର ଉପକଣ୍ଠ ବା ବାହାର ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ପ୍ରଶାସନର ଏହି ପଦକ୍ଷେପକୁ ନେଇ ଏବେ ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।

୫ଟି ନିର୍ଦ୍ଧାରିତ ସ୍ଥାନରେ ମିଳିବ ମାଂସ
ନଗର ନିଗମର ସୂଚନା ଅନୁଯାୟୀ, ଆଗାମୀ ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ସହର ଭିତରୁ ହଟାଯାଉଥିବା ଦୋକାନଗୁଡ଼ିକ ପାଇଁ ସହର ବାହାରେ ୫ଟି ସ୍ୱତନ୍ତ୍ର ଅଞ୍ଚଳ ଚିହ୍ନଟ କରାଯାଇଛି।
ସେଗୁଡ଼ିକ ହେଲା :- ରାମନଗର, ସୁଜାବାଦ, ଗଣେଶପୁର, ଆୱାଲେଶପୁର ଏବଂ ଶିବପୁର। ଏଣିକି ଗ୍ରାହକମାନଙ୍କୁ ମାଂସ କିମ୍ବା ମାଛ କିଣିବା ପାଇଁ ସହର ବାହାରକୁ ଯିବାକୁ ପଡ଼ିବ, ଯାହାଫଳରେ ଅନେକ ସ୍ଥାନୀୟ ବାସିନ୍ଦାଙ୍କୁ ଏବେଠାରୁ ଲମ୍ବା ଦୂରତା ଅତିକ୍ରମ କରିବାକୁ ପଡିବ ।
ବାରଣାସୀର ବିବିଧ ଖାଦ୍ୟ ସଂସ୍କୃତି ଉପରେ ପ୍ରଭାବ

ସାଧାରଣତଃ ବାରଣାସୀ ବା କାଶୀକୁ ଶିବଙ୍କ ନଗରୀ ଏବଂ ନିରାମିଷ ସହର ଭାବେ ଦେଖାଯାଉଥିଲେ ବି, ଏଠାରେ ବହୁ ପୁରାତନ କାଳରୁ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଆସୁଛନ୍ତି, ଯାହାଙ୍କ ଖାଦ୍ୟପେୟରେ ଆମିଷର ପ୍ରମୁଖ ଭୂମିକା ରହିଛି। ବିଶେଷ କରି ସ୍ଥାନୀୟ ଠାକୁର (କ୍ଷତ୍ରିୟ) ପରିବାର, ମୁସଲିମ୍ ସମ୍ପ୍ରଦାୟ ଏବଂ ଦୀର୍ଘ ପିଢ଼ି ଧରି ରହିଆସୁଥିବା ବେଙ୍ଗଲୀ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ମାଛ, କୁକୁଡ଼ା ଓ ଛେଳି ମାଂସ ଖାଇବାର ପରମ୍ପରା ରହିଛି। ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁଁ ବ୍ୟବସାୟୀଙ୍କ ଜୀବିକା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଖାଦ୍ୟଶୈଳୀ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପ୍ରଶ୍ନର ଉତ୍ତରରେ ବାସିନ୍ଦାଙ୍କ ମିଶ୍ରିତ ପ୍ରତିକ୍ରିୟା

ଏହି ନିଷ୍ପତ୍ତିକୁ ନେଇ ବାରାଣସୀବାସୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ଲୋକ ପବିତ୍ର ସହରର ସ୍ୱଚ୍ଛତା ପାଇଁ ଏହାକୁ ସ୍ୱାଗତ କରିଥିବା ବେଳେ ଅନ୍ୟ କେତେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ କିଛି ବାସିନ୍ଦାଙ୍କ କହିବା ଅନୁଯାୟୀ, ମାଂସ ଦୋକାନ ତ ଲୋକେ ଘର ଭିତରେ ରୋଷେଇ କରି ଖାଆନ୍ତି, କିନ୍ତୁ ସହରର ଖୋଲା ରାସ୍ତାରେ ଥିବା ମଦ ଏବଂ ଭାଙ୍ଗ ଦୋକାନ ଯୋଗୁଁ ମହିଳା ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ସେଗୁଡ଼ିକ ଉପରେ କାହିଁକି କଟକଣା କରାଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ହରିଦ୍ୱାର ଓ ଅଯୋଧ୍ୟା ଭଳି ବ୍ୟବସ୍ଥା

ବାରଣାସୀ ସମ୍ପୂର୍ଣ୍ଣ ଭାବେ ନିରାମିଷ ସହର ହେବାକୁ ଯାଉନାହିଁ ଯେମିତି ଗୁଜରାଟର ପାଲିତାନା ଦୁନିଆର ଏକମାତ୍ର ସମ୍ପୂର୍ଣ୍ଣ ନିରାମିଷ ସହର ଅଟେ । ତେବେ ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ବାରଣାସୀ ଏବେ ହରିଦ୍ୱାର, ତିରୁପତି ଏବଂ ଅଯୋଧ୍ୟା ଭଳି ଅନ୍ୟ ପ୍ରମୁଖ ଧାର୍ମିକ ସହରଗୁଡ଼ିକର ମଡେଲ୍କୁ ଆପଣେଇବାକୁ ଯାଉଛି । ଯେଉଁଠାରେ ମନ୍ଦିର ପରିସର ଏବଂ ପବିତ୍ର ଘାଟଗୁଡ଼ିକର ଆଖପାଖ ଅଞ୍ଚଳରେ ଆମିଷ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂଆ ସ୍ଥାନଗୁଡ଼ିକରେ ବ୍ୟବସାୟୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ।


