ବୈଶ୍ୱିକ ରାଜନୀତି ଏବଂ ଆଞ୍ଚଳିକ ସହଯୋଗ ମଧ୍ୟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେବା ପାଇଁ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଫଗାନିସ୍ତାନର କୃଷି, ଗୋପାଳନ ଓ ଜଳସେଚନ ମନ୍ତ୍ରୀ ମାଓଲାଭୀ ଅତାଉଲ୍ଲା ଓମାରୀ ନୂଆଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଖାଦ୍ୟ ପ୍ରସ୍କରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନ ଏବଂ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ପବିତ୍ରା ମାର୍ଗେରିଟାଙ୍କ ସହ ପୃଥକ ପୃଥକ ଭାବେ ସାକ୍ଷାତ କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଉଭୟ ଦେଶ ମଧ୍ୟରେ ଖାଦ୍ୟ ପ୍ରସ୍କରଣ, କୃଷି ବାଣିଜ୍ୟ ଏବଂ ପାରସ୍ପରିକ ସମ୍ପର୍କକୁ ଆଗକୁ ନେବା ଦିଗରେ ରଣନୈତିକ ଆଲୋଚନା କରାଯାଇଛି।

ଖାଦ୍ୟ ପ୍ରସ୍କରଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଜୋର୍
କେନ୍ଦ୍ର ଖାଦ୍ୟ ପ୍ରସ୍କରଣ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଇଥିବା ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଆଫଗାନିସ୍ତାନର କୃଷିମନ୍ତ୍ରୀ ଓମାରୀଙ୍କୁ ସ୍ୱାଗତ କରିବା ସହ ଦ୍ୱିପାକ୍ଷିକ ବାଣିଜ୍ୟକୁ ବୃଦ୍ଧି କରିବା ନେଇ ଆଲୋଚନା କରିଥିଲେ। ବିଶେଷ କରି ଖାଦ୍ୟ ସାମଗ୍ରୀର ପ୍ରସ୍କରଣ, କୃଷି ଜାତ ଦ୍ରବ୍ୟର ଆମଦାନୀ-ରପ୍ତାନି ଏବଂ ଏହି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ଉଭୟ ଦେଶ ମିଳିତ ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଫଗାନିସ୍ତାନରେ କୃଷି କ୍ଷେତ୍ରର ବିକାଶ ପାଇଁ ଭାରତ ନିଜର ଅଭିଜ୍ଞତା ଓ ଜ୍ଞାନକୌଶଳ ସାହାଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି।
ବୈଦେଶିକ ମନ୍ତ୍ରାଳୟ ସହ ଆଲୋଚନା: ମାନବୀୟ ସହାୟତା ପାଇଁ ଭାରତ ପ୍ରତିବଦ୍ଧ

ଅନ୍ୟପକ୍ଷରେ, ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ପବିତ୍ରା ମାର୍ଗେରିଟାଙ୍କ ସହ ଆଫଗାନିସ୍ତାନ ପ୍ରତିନିଧି ଦଳର ବୈଠକ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ପାରସ୍ପରିକ ସ୍ୱାର୍ଥ ରକ୍ଷା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ନେଇ ସକାରାତ୍ମକ ଆଲୋଚନା ହୋଇଛି। ଭାରତ ସବୁବେଳେ ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି।
ଚଳିତ ବର୍ଷ ଜୁନ୍ ୧୭ ରେ ଭାରତ ଆଫଗାନିସ୍ତାନକୁ ୫ ଟନ୍ ଜରୁରୀକାଳୀନ ଔଷଧ ସହାୟତା ପଠାଇଥିଲା। ଏହା ପୂର୍ବରୁ ମେ ୨୨ ତାରିଖରେ କାବୁଲକୁ ଆଫଗାନିସ୍ତାନର ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଟୀକାକରଣ ଅଭିଯାନକୁ ସଫଳ କରିବା ପାଇଁ ୨୦ ଟନ୍ ବ୍ୟାସିଲସ୍ କ୍ୟାଲମେଟ୍-ଗୁଏରିନ୍ ଏବଂ ଟେଟାନସ୍, ଡିଫଥେରିଆ ର ଟୀକା ପଠାଯାଇଥିଲା।
ଆଫଗାନିସ୍ତାନରେ ଚାଲିଥିବା ଆର୍ଥିକ ଓ ପ୍ରାକୃତିକ ସଙ୍କଟ ସମୟରେ ଭାରତର ଏହି ମାନବୀୟ ସହାୟତା ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଆଫଗାନିସ୍ତାନର କୃଷିମନ୍ତ୍ରୀ ଓମାରୀ ଭାରତ ସରକାରଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଏହି ବୈଠକ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।


