ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ମହାକାଶଚାରୀମାନେ ରହିବାକୁ ଥିବା ‘କ୍ରୁ ମଡ୍ୟୁଲ୍’କୁ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ପାରାଚୁଟ୍ ପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଏୟାରଡ୍ରପ୍ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମଧ୍ୟପ୍ରଦେଶର ଶ୍ୟାମପୁର ସ୍ଥିତ ଆଡ୍ରି ଡ୍ରପ୍ ଜୋନ୍ଠାରେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା।
![]()
ବାୟୁସେନାର ଆଇଏଲ-୭୬ ବିମାନରୁ ହୋଇଥିଲା ଡ୍ରପ୍
ଏହି ପରୀକ୍ଷଣ ସମୟରେ, ଏକ ମୁଖ୍ୟ ପାରାଚୁଟ୍ ଏବଂ କ୍ରୁ ମଡ୍ୟୁଲ୍ ଭଳି କୃତ୍ରିମ ଓଜନ ବିଶିଷ୍ଟ ଏକ ସିମୁଲେଟେଡ୍ ଆସେମ୍ବଲିକୁ ଭାରତୀୟ ବାୟୁସେନାର ଆଇଏଲ-୭୬ ପରିବହନ ବିମାନ ସାହାଯ୍ୟରେ ପ୍ରାୟ ୨.୫ କିଲୋମିଟର ଉଚ୍ଚତାରୁ ତଳକୁ ଖସାଯାଇଥିଲା। ଆକାଶରୁ ମଡ୍ୟୁଲ୍ଟି ଅଲଗା ହେବା ପରେ ପ୍ରଥମେ ଏକ ଏକ୍ସଟ୍ରାକ୍ଟର ପାରାଚୁଟ୍ ଏବଂ ତା’ ପରେ ଏକ ‘ଡ୍ରୋଗ୍ ପାରାଚୁଟ୍’ ସଫଳତାର ସହ ଖୋଲିଥିଲା। ଏହି ଡ୍ରୋଗ୍ ପାରାଚୁଟ୍ ଗୁଡ଼ିକ କ୍ରୁ ମଡ୍ୟୁଲ୍ ଆକାଶରେ ଦୋହଲିବାକୁ ସ୍ଥିର କରିବା ସହ ତାର ପ୍ରାରମ୍ଭିକ ଗତିକୁ ବହୁ ମାତ୍ରାରେ ହ୍ରାସ କରିବାରେ ସଫଳ ହୋଇଥିଲେ।
୫ମ ପରୀକ୍ଷଣରେ ମିଳିଲା ପୂର୍ଣ୍ଣ ସଫଳତା

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗଗନଯାନ ମିଶନର ମୁଖ୍ୟ ପାରାଚୁଟ୍ ବ୍ୟବସ୍ଥାର ପ୍ରମାଣିକରଣ ପାଇଁ ଆୟୋଜିତ ହୋଇଥିବା ଇଣ୍ଟିଗ୍ରେଟେଡ୍ ମେନ୍ ପାରାଚୁଟ୍ ଏୟାରଡ୍ରପ୍ ଟେଷ୍ଟ ଶୃଙ୍ଖଳାର ଏହା ଥିଲା ପଞ୍ଚମ ପରୀକ୍ଷଣ। ‘IMAT-05’ ର ଏହି ଆଖିଦୃଶିଆ ସଫଳତା ଆଗାମୀ ଦିନରେ ହେବାକୁ ଥିବା ଭାରତର ପ୍ରଥମ ମାନବବିହୀନ ଗଗନଯାନ ‘ଜି-୧’ ମିଶନ ପାଇଁ ମୁଖ୍ୟ ପାରାଚୁଟ୍ ପ୍ରଣାଳୀର କାର୍ଯ୍ୟଦକ୍ଷତା ଏବଂ ବିଶ୍ୱସନୀୟତାକୁ ପ୍ରମାଣିତ କରିଛି। ଏହି ସଫଳ ପରୀକ୍ଷଣରେ ଇସ୍ରୋ ସହିତ ଡିଆରଡିଓ , ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
କେମିତି କାମ କରେ ଗଗନଯାନର ୧୦ଟି ପାରାଚୁଟ୍ ବ୍ୟବସ୍ଥା?
ମହାକାଶରୁ ପୃଥିବୀ ବାୟୁମଣ୍ଡଳକୁ ପ୍ରବେଶ କରିବା ସମୟରେ କ୍ରୁ ମଡ୍ୟୁଲ୍ର ଗତି ଅତ୍ୟନ୍ତ ତୀବ୍ର ଥାଏ। ସମୁଦ୍ରରେ ଏହାର ସୁରକ୍ଷିତ ଅବତରଣ ପାଇଁ ଗଗନଯାନରେ ୪ଟି ଭିନ୍ନ ପ୍ରକାରର ମୋଟ ୧୦ଟି ପାରାଚୁଟ୍ ଲଗାଯାଇଛି:

- ଏପେକ୍ସ କଭର ସେପାରେସନ୍ ପାରାଚୁଟ୍ (୨ଟି) : ଏଗୁଡ଼ିକ ଅବତରଣ ସମୟରେ ଯାନର ଉପର ଭାଗରେ ଥିବା ସୁରକ୍ଷା କଭରକୁ ଅଲଗା କରିଥାନ୍ତି।
- ଡ୍ରୋଗ୍ ପାରାଚୁଟ୍ (୨ଟି) : ଏଗୁଡ଼ିକ ଯାନକୁ ଆକାଶରେ ସ୍ଥିର ରଖିବା ସହ ତାର ପ୍ରଚଣ୍ଡ ଗତିକୁ ପ୍ରଥମ ପର୍ଯ୍ୟାୟରେ କମାଇଥାନ୍ତି।
- ପାଇଲଟ୍ ପାରାଚୁଟ୍ (୩ଟି) : ଏଗୁଡ଼ିକ ମୁଖ୍ୟ ପାରାଚୁଟ୍ ଗୁଡ଼ିକୁ ସୁରକ୍ଷିତ ଭାବେ ବାହାରକୁ ଟାଣିବାରେ ସାହାଯ୍ୟ କରନ୍ତି।
- ମୁଖ୍ୟ ପାରାଚୁଟ୍ (୩ଟି) : ଏହି ବିଶାଳ ପାରାଚୁଟ୍ ଗୁଡ଼ିକ ଶେଷ ପର୍ଯ୍ୟାୟରେ ଖୋଲି ମଡ୍ୟୁଲ୍ର ଗତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରନ୍ତି, ଯାହାଫଳରେ ମହାକାଶଚାରୀମାନେ କୌଣସି ବିପଦ ନଥାଇ ସମୁଦ୍ରରେ ସଫଳତାର ସହ ଓହ୍ଲାଇପାରିବେ।
୨୦୪୭ ସୁଦ୍ଧା ଭାରତକୁ ମହାକାଶ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଏବଂ ଭାରତୀୟ ମହାକାଶଚାରୀଙ୍କୁ ନିଜ ସ୍ୱଦେଶୀ ରକେଟ୍ରେ ମହାକାଶକୁ ପଠାଇବା ଦିଗରେ ଏହି ସଫଳତା ଏକ ବଡ଼ ପଦକ୍ଷେପ।


