ଆଜିକାଲି ବେଜିଂର ଗଳି କନ୍ଦିରେ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବନ୍ଦ କୋଠରୀ ଭିତରେ ଗୋଟିଏ କଥାକୁ ନେଇ ବଡ଼ ଅଶାନ୍ତି ଚାଲିଛି। ଜାଣନ୍ତି ସେ ଅଶାନ୍ତି କାହିଁକି? କାରଣ ଯେଉଁ ଚୀନ୍ ଗତ ଦୁଇ ଦଶନ୍ଧି ଧରି ଭାବୁଥିଲା ଯେ ଟଙ୍କା ଫିଙ୍ଗି ଦୁନିଆକୁ କିଣିନେବ, ଯେଉଁ ଚୀନ୍ ନିଜର ‘ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲ୍ସ’ ବା ମୋତିର ମାଳା ନାଁରେ ଭାରତ ଚାରିପାଖେ ବେଢ଼ା ବାନ୍ଧୁଥିଲା—ସେହି ଚୀନ୍ ଆଜି ନିଜେ ତିଆରି କରିଥିବା ଜାଲରେ ଫସିଯାଇଛି।
ଚୀନ୍ ଭାବିଥିଲା, ଭାରତ କେବଳ ଲଦାଖ ଆଉ ଅରୁଣାଚଳ ସୀମାରେ ନିଜ ସୈନ୍ୟ ଜଗି ବସିରହିବ। କିନ୍ତୁ ନୂଆଦିଲ୍ଲୀ ଯେଉଁ ଖେଳ ଖେଳିଲା, ତାହା ଚୀନ୍ କଳ୍ପନା ମଧ୍ୟ କରିପାରି ନଥିଲା। ଭାରତ ଖେଳର ପିଚ୍ ବଦଳାଇଦେଲା। ଖେଳ ଆଉ କେବଳ ହିମାଳୟର ବରଫାବୃତ ପାହାଡ଼ରେ ସୀମିତ ନାହିଁ; ଖେଳ ଏବେ ସିଧାସଳଖ ପହଞ୍ଚିଯାଇଛି ଭାରତ ମହାସାଗରର ନୀଳ ଜଳରାଶିକୁ, ମାଲାକା ପ୍ରଣାଳୀକୁ, ଯେଉଁଠାରେ ଚୀନର ବେକ ଅଛି, ଆଉ ସେହି ବେକ ଉପରେ ଭାରତର ପାଦ ଅଛି।
- କିଭଳି ଭାରତର କୂଟନୀତି ଏବଂ ସାମରିକ ରଣନୀତି ଡ୍ରାଗନର ଅହଙ୍କାରକୁ ଧୂଳିସାତ୍ କରିଛି।
- ଚୀନର ସବୁଠାରୁ ବଡ଼ ଦୁର୍ବଳତା କ’ଣ?
- ସେମାନଙ୍କର ଟ୍ୟାଙ୍କ୍ କମ୍ ଅଛି?
- ପରମାଣୁ ବୋମା କମ୍ ଅଛି?
ନା।
ଚୀନର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ତାର ଭୌଗୋଳିକ ସ୍ଥିତି।
ଚୀନ୍ ନିଜକୁ ଯେତେ ବଡ଼ ଅର୍ଥନୀତି ବୋଲି ଦାବି କରୁନା କାହିଁକି, ସେହି ଅର୍ଥନୀତି ଚାଲେ ତେଲରେ, ଅଶୋଧିତ ତୈଳରେ। ଆଉ ଏହି ତେଲ ଆସେ କେଉଁଠୁ? ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରୁ। ଚୀନକୁ ଆସୁଥିବା ମୋଟ ତେଲର ପ୍ରାୟ ୮୦ ପ୍ରତିଶତ ଏବଂ ତାଙ୍କର ସମୁଦାୟ ଆନ୍ତର୍ଜାତୀୟ ବାଣିଜ୍ୟର ୬୦ ପ୍ରତିଶତରୁ ଅଧିକ ଜାହାଜ ଏକ ସଂକୀର୍ଣ୍ଣ ସମୁଦ୍ର ପଥ ଦେଇ ଯାଏ। ତାହାର ନାମ ହେଉଛି—‘ଷ୍ଟ୍ରେଟ୍ ଅଫ୍ ମାଲାକା’ (Strait of Malacca)।
ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ମଝିରେ ଥିବା ଏହି ରାସ୍ତାଟି କେତେକ ଜାଗାରେ ମାତ୍ର ଦେଢ଼ରୁ ଦୁଇ ମାଇଲ୍ ଚଉଡ଼ା। ଅର୍ଥାତ୍, ଏହା ଏକ ପତଳା ନଳୀ ଭଳି। ଯଦି କୌଣସି ଦିନ ଏହି ନଳୀକୁ ବନ୍ଦ କରିଦିଆଯାଏ, ତେବେ ମାତ୍ର ୪୫ ଦିନ ଭିତରେ ଚୀନର କାରଖାନାଗୁଡ଼ିକ ଠପ୍ ହୋଇଯିବ, ବେଜିଂ ଓ ସାଂଘାଇର ରାସ୍ତାରେ ଗାଡ଼ି ଚାଲିବା ବନ୍ଦ ହୋଇଯିବ, ଏବଂ ସେମାନଙ୍କର ବିମାନ ଉଡ଼ିବା ପାଇଁ ଇନ୍ଧନ ମିଳିବ ନାହିଁ।
ଏହାକୁ ପ୍ରତିରକ୍ଷା ବିଶେଷଜ୍ଞମାନେ କୁହନ୍ତି—‘ମାଲାକା ଡିଲେମା’ (Malacca Dilemma)। ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ ଏହି ଶବ୍ଦ ବ୍ୟବହାର କରିଥିଲେ। ସେମାନେ ଜାଣିଛନ୍ତି ଯେ ଏହି ରାସ୍ତା ବନ୍ଦ ହେଲେ ସେମାନେ ଶେଷ। ଆଉ ଠିକ୍ ଏହି ମାଲାକା ପ୍ରଣାଳୀର ମୁହଁରେ କିଏ ବସିଛି? ଆମର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ!
ଗତ କିଛି ବର୍ଷ ପୂର୍ବେ ଆମ ଦେଶରେ ଲୋକେ ଭାବୁଥିଲେ ଆଣ୍ଡାମାନ-ନିକୋବର କେବଳ ଛୁଟି କଟାଇବା ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ। କିନ୍ତୁ ଆଜିର ନୂଆ ଭାରତ ପାଇଁ ଆଣ୍ଡାମାନ କେବଳ ପର୍ଯ୍ୟଟନ ସ୍ଥଳ ନୁହେଁ, ଏହା ହେଉଛି ଏକ ‘ଅନସିଙ୍କେବୁଲ୍ ଏୟାରକ୍ରାଫ୍ଟ କ୍ୟାରିୟର୍’—ଏପରି ଏକ ବିମାନବାହୀ ଜାହାଜ, ଯାହାକୁ ଶତ୍ରୁ କେବେ ସମୁଦ୍ରରେ ବୁଡ଼ାଇ ପାରିବ ନାହିଁ।
ଭାରତ ସରକାର ସେଠାରେ କ’ଣ କରିଛନ୍ତି ଜାଣନ୍ତି?
ସେଠାରେ ଗଠନ କରାଯାଇଛି ଭାରତର ପ୍ରଥମ ଏବଂ ଏକମାତ୍ର ‘ଟ୍ରାଇ-ସର୍ଭିସେସ୍ କମାଣ୍ଡ’ (Tri-Services Command)। ସେଠାରେ ସ୍ଥଳସେନା, ବାୟୁସେନା ଏବଂ ନୌସେନା ଏକାଠି କାମ କରୁଛନ୍ତି। ବଡ଼ ବଡ଼ ରନୱେ ନିର୍ମାଣ ହୋଇଛି, ଯେଉଁଠାରୁ ଭାରତର ପି-୮ଆଇ (P-8I Poseidon) ବୁଡ଼ାଜାହାଜ ବିଧ୍ୱଂସୀ ବିମାନ ଉଡ଼ାଣ ଭରୁଛି। ତାହା ସହିତ ସେଠାରେ ମୁତୟନ ହୋଇଛି ସୁପରସୋନିକ୍ ବ୍ରହ୍ମୋସ କ୍ଷେପଣାସ୍ତ୍ର!
ଏହାର ଅର୍ଥ କ’ଣ? ସରଳ ଭାଷାରେ ବୁଝନ୍ତୁ—ଯଦି କାଲି ସକାଳେ ଚୀନ୍ ଲଦାଖ କିମ୍ବା ତୱାଙ୍ଗରେ କୌଣସି ଦୁଃସାହସ କରେ, ତେବେ ଭାରତକୁ ସେହି ପାହାଡ଼ ଉପରେ ରକ୍ତାକ୍ତ ସଂଘର୍ଷ କରିବାକୁ ପଡ଼ିବ ନାହିଁ। ଭାରତୀୟ ନୌସେନା କେବଳ ଆଣ୍ଡାମାନରୁ ବାହାରି ମାଲାକା ପ୍ରଣାଳୀକୁ ବ୍ଲକେଡ୍ କରିଦେବ। ଡ୍ରାଗନର ତଣ୍ଟି ଚିପି ଧରିବ। ଚୀନର ସବୁ ବାଣିଜ୍ୟ ଜାହାଜ ମଝି ସମୁଦ୍ରରେ ଅଟକିଯିବ।
ସି ଜିନପିଙ୍ଗ ଯେତେବେଳେ ରାତିରେ ଶୁଅନ୍ତି, ତାଙ୍କୁ ଲଦାଖର ଥଣ୍ଡା ପବନ ଯେତିକି ଡରାଏ ନାହିଁ, ଭାରତ ମହାସାଗରରେ ଘୁରି ବୁଲୁଥିବା ଭାରତୀୟ ଯୁଦ୍ଧପୋତଗୁଡ଼ିକ ତା’ଠାରୁ ଦଶ ଗୁଣ ଅଧିକ ଭୟଭୀତ କରେ।
ଏବେ ଆସନ୍ତୁ ଦ୍ୱିତୀୟ ଦିଗକୁ।
ଚୀନ୍ ଭାରତକୁ ଘେରିବା ପାଇଁ କ’ଣ କରିଥିଲା? ତାଙ୍କର ପୁରୁଣା ଅଭ୍ୟାସ—‘ଡେଟ୍ ଟ୍ରାପ୍ ଡିପ୍ଲୋମାସି’ ବା ଋଣ ଜାଲ କୂଟନୀତି। ଗରିବ ଦେଶମାନଙ୍କୁ ଏତେ ଟଙ୍କା ଋଣ ଦିଅ ଯେ ସେମାନେ ଶୁଝି ନପାରି ନିଜ ଜମି ଓ ବନ୍ଦର ଚୀନକୁ ଟେକି ଦେବେ।
ସେମାନେ ଶ୍ରୀଲଙ୍କାରେ ହମ୍ବନଟୋଟା ବନ୍ଦର ନେଲେ। କିନ୍ତୁ ତା’ପରେ କ’ଣ ହେଲା? ଶ୍ରୀଲଙ୍କା ଦେବାଳିଆ ହୋଇଗଲା। ଲୋକେ ରାସ୍ତାକୁ ଓହ୍ଲାଇଲେ, ରାଷ୍ଟ୍ରପତି ଭବନ ଉପରେ ଚଢ଼ିଗଲେ। ସେତେବେଳେ ବେଜିଂରୁ କେହି ତାଙ୍କୁ ତେଲ କିମ୍ବା ଔଷଧ ଦେବାକୁ ଆସିଲେ ନାହିଁ। କିଏ ଛିଡ଼ା ହେଲା ଶ୍ରୀଲଙ୍କା ପଛରେ? ଆମର ଭାରତ! ଭାରତ ୪ ବିଲିୟନ ଡଲାରର ସହାୟତା ପଠାଇଲା, ଖାଦ୍ୟ ପଠାଇଲା, ଇନ୍ଧନ ପଠାଇଲା। ଶ୍ରୀଲଙ୍କା ବୁଝିଗଲା ଯେ ଚୀନ୍ ହେଉଛି ରକ୍ତ ଶୋଷୁଥିବା ସୁଧଖୋର ମହାଜନ, ଆଉ ଭାରତ ହେଉଛି ବିପଦ ବେଳର ପ୍ରକୃତ ଭାଇ।
ଏବେ ମାଳଦ୍ୱୀପ କଥା। କିଛି ମାସ ତଳେ ମହମ୍ମଦ ମୁଇଜୁ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇ କ୍ଷମତାକୁ ଆସିଲେ। ଚୀନ୍ ଗଲେ, ସି ଜିନପିଙ୍ଗଙ୍କ ସହ ହାତ ମିଳାଇ ଫଟୋ ଉଠାଇଲେ। ବେଜିଂ ବହୁତ ଖୁସି ହୋଇଗଲା ଯେ ଭାରତ ହାରିଗଲା। କିନ୍ତୁ ଫଳାଫଳ କ’ଣ ହେଲା?
ମାତ୍ର ଛଅ ମାସ ଭିତରେ ମାଳଦ୍ୱୀପର ଅର୍ଥନୀତି ଭୁଶୁଡ଼ି ପଡ଼ିଲା। ପର୍ଯ୍ୟଟନ ବ୍ୟବସାୟ ଶୂନ ହୋଇଗଲା। ଶେଷରେ ସେହି ମୁଇଜୁଙ୍କୁ ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ହାତ ଯୋଡ଼ିବାକୁ ପଡ଼ିଲା। ଭାରତ ତାଙ୍କୁ ସାହାଯ୍ୟ କଲା, କିନ୍ତୁ ନିଜ ସର୍ତ୍ତରେ।
ଅର୍ଥାତ୍, ଚୀନ୍ ଯେଉଁ ଟଙ୍କା ବଳରେ ଭାରତର ପଡ଼ୋଶୀମାନଙ୍କୁ କିଣିବାକୁ ଚାହୁଁଥିଲା, ସେହି ଟଙ୍କା ହିଁ ଆଜି ସେହି ଦେଶମାନଙ୍କ ପାଇଁ ଅଭିଶାପ ପାଲଟିଛି।
ଏବେ ସବୁଠାରୁ ବଡ଼ ଖେଳ। ଦୁନିଆର ସବୁଠାରୁ ବଡ଼ ଶକ୍ତିମାନେ ଏବେ କାହା ପାଖରେ ଛିଡ଼ା ହୋଇଛନ୍ତି?
ଚୀନର ପାଖରେ କିଏ ଅଛି? ଗୋଟିଏ ହେଉଛି ଭିକାରୀ ପାକିସ୍ତାନ, ଯିଏ ନିଜେ ଆଇଏମଏଫ୍ (IMF) ଆଗରେ କଚୋରା ଧରି ବୁଲୁଛି। ଅନ୍ୟଟି ଉତ୍ତର କୋରିଆ। ଏହା ଛଡ଼ା ଚୀନର କୌଣସି ପ୍ରକୃତ ବନ୍ଧୁ ଦୁନିଆରେ ନାହାନ୍ତି।
ଅନ୍ୟପଟେ ଭାରତ କ’ଣ ଗଠନ କଲା? କ୍ୱାଡ୍ (QUAD)—ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ।
ଚୀନ୍ ଏହାକୁ କୁହେ ‘ଏସିଆର ନାଟୋ’। ଚୀନର ପ୍ରବକ୍ତାମାନେ ଟିଭିରେ ଆସି ଚିତ୍କାର କରନ୍ତି ଯେ କ୍ୱାଡ୍ ଚୀନକୁ ଟାର୍ଗେଟ୍ କରୁଛି। ହଁ ଭାଇ, ସତ କଥା! କ୍ୱାଡ୍ ତୁମକୁ ହିଁ ଟାର୍ଗେଟ୍ କରୁଛି। କାରଣ ତୁମେ ଅନ୍ତର୍ଜାତୀୟ ନିୟମ ମାନୁନାହଁ, ତୁମେ ଫିଲିପାଇନ୍ସକୁ ଧମକାଉଛ, ତାଇୱାନକୁ ଆଖି ଦେଖାଉଛ, ଭାରତର ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଛ।
ଆଜି ଭାରତର ନୌସେନା କେବଳ ହିନ୍ଦ ମହାସାଗରରେ ସୀମିତ ନାହିଁ; ଆମର ଯୁଦ୍ଧପୋତ ଆଜି ସାଉଥ୍ ଚାଇନା ସି (South China Sea) ରେ ଅଭ୍ୟାସ କରୁଛି। ଫିଲିପାଇନ୍ସ ଭାରତଠାରୁ ବ୍ରହ୍ମୋସ ମିସାଇଲ୍ କିଣିସାରିଛି। ଯେଉଁ ଚୀନ୍ ଦିନେ ପାକିସ୍ତାନକୁ ଅସ୍ତ୍ର ଦେଇ ଭାରତକୁ ହଇରାଣ କରୁଥିଲା, ଆଜି ଭାରତ ଚୀନର ପଡ଼ୋଶୀ ଫିଲିପାଇନ୍ସ ଏବଂ ଭିଏତନାମକୁ ଅସ୍ତ୍ର ଦେଇ ଚୀନର ଛାତି ଉପରେ ବ୍ରହ୍ମୋସ ଛିଡ଼ା କରିଦେଇଛି!
ୟାକୁ କୁହନ୍ତି—‘ଇଟାର ଜବାବ ପଥରରେ ଦେବା’। ଇଏ ହେଉଛି ଚାଣକ୍ୟ ନୀତି।
ଗୋଟିଏ କଥା ସବୁବେଳେ ମନେରଖନ୍ତୁ—କୌଣସି ଦେଶ କେବଳ ଅନ୍ୟ ଦେଶର ଭରସାରେ ମହାଶକ୍ତି ହୋଇପାରିବ ନାହିଁ। ଯଦି ଆପଣଙ୍କୁ ଯୁଦ୍ଧ ଜିତିବାର ଅଛି, ତେବେ ଅସ୍ତ୍ର ନିଜର ହେବା ଦରକାର।
୨୦୧୪ ପୂର୍ବର ଭାରତ କ’ଣ ଥିଲା? ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ର ଆମଦାନୀକାରୀ। ଗୋଟିଏ ଗୁଳି ତିଆରି କରିବା ପାଇଁ ମଧ୍ୟ ଆମକୁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ଆଜି?
ଆଜି ଭାରତ ନିଜ ମାଟିରେ ‘ଆଇଏନଏସ୍ ବିକ୍ରାନ୍ତ’ (INS Vikrant) ଭଳି ବିମାନବାହୀ ଯୁଦ୍ଧପୋତ ତିଆରି କରୁଛି। ଆଜି ତେଜସ୍ ଲଢୁଆ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେଉଛି। ଆଜି ଭାରତ ୨୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ବିଶ୍ୱର ୮୫ରୁ ଅଧିକ ଦେଶକୁ ରପ୍ତାନି କରୁଛି!
ସି ଜିନପିଙ୍ଗ ଭାବିଥିଲେ ୧୯୬୨ର ଭାରତ ଏବେ ବି ସେମିତି ଅଛି। ନା, ମିଷ୍ଟର ଜିନପିଙ୍ଗ! ଏହା ୧୯୬୨ର ଭାରତ ନୁହେଁ। ଏହା ୨୦୨୬ର ନୂଆ ଭାରତ। ଏହି ଭାରତ ଯଦି ଶାନ୍ତି ଚାହେଁ, ତେବେ ଯୁଦ୍ଧ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଜାଣେ। ଗଲୱାନ ଘାଟିରେ ଆମର ୨୦ ଜଣ ବୀର ଯବାନ ନିଜ ପ୍ରାଣ ଦେଇ ଦେଶର ସୀମା ରକ୍ଷା କଲେ, କିନ୍ତୁ ଚୀନର କେତେ ସୈନିକ ମଲେ ତାହା ଚୀନ୍ ସରକାର ଆଜି ଯାଏଁ ନିଜ ଦେଶର ଲୋକଙ୍କୁ କହିବାକୁ ସାହସ ପାଇଲେ ନାହିଁ। କବର ଖୋଳି ଲୁଚାଇଦେଲେ!
ତେବେ ପୂରା କାହାଣୀର ନିର୍ଯ୍ୟାସ କ’ଣ?
ଚୀନ୍ ଭାରତକୁ ଘେରିବାକୁ ଆସିଥିଲା, କିନ୍ତୁ ଆଜି ନିଜେ ଚାରିପାଖରୁ ଘେରି ହୋଇ ରହିଯାଇଛି। ସ୍ଥଳଭାଗରେ ହିମାଳୟ ପାହାଡ଼ରେ ଭାରତୀୟ ସେନାର ତୀକ୍ଷ୍ଣ ନଜର, ଆଉ ଜଳଭାଗରେ ଭାରତୀୟ ନୌସେନାର ବଜ୍ର ପ୍ରହାର। ଚୀନର ‘ୱାନ୍ ବେଲ୍ଟ ୱାନ୍ ରୋଡ୍’ ପ୍ରୋଜେକ୍ଟ ଆଜି ଅର୍ଦ୍ଧନିର୍ମିତ ଭଗ୍ନାବଶେଷ ପାଲଟିଛି, ଆଉ ଭାରତ ବିଶ୍ୱ ଅର୍ଥନୀତିର ଏକ ନୂଆ ଇଞ୍ଜିନ୍ ଭାବେ ଉଭା ହେଉଛି।
Also read : https://purvapaksa.com/pakistan-is-begging/


