ଯୁଦ୍ଧ କ୍ଷେତ୍ରରେ ବଦଳୁଥିବା ଆଧୁନିକ ରଣନୀତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିଜକୁ ଆହୁରି ଶକ୍ତିଶାଳୀ ଓ ହାଇଟେକ୍ କରିବାରେ ଲାଗିଛି । ଏହି କ୍ରମରେ ସେନା ପକ୍ଷରୁ ଏକ ନୂତନ ସ୍ୱତନ୍ତ୍ର କ୍ୟାଡର୍ ଗଠନ କରାଯାଇଛି, ଯାହା ଭାରତୀୟ ସେନାରେ ଥିବା ସମସ୍ତ ବଡ଼ ଡ୍ରୋନ୍ ବା ରିମୋଟ୍ଲି ପାଇଲଟେଡ୍ ଏୟାରକ୍ରାଫ୍ଟ ର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ । ଏହି ନୂଆ ୟୁନିଟ୍କୁ ‘ବାଜ୍ ବାଟାଲିୟନ୍’ ନାମରେ ନାମିତ କରାଯାଇଛି ।

ସୂତ୍ର ଅନୁସାରେ, ନିକଟରେ ସେନା ପକ୍ଷରୁ ଏଭଳି କିଛି ବାଟାଲିୟନ୍ ଗଠନ କରାଯାଇ ସାରିଛି ଏବଂ ଆଗାମୀ ଦିନରେ ଏହାର ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ଯୋଜନା ରହିଛି । ମିଡିୟମ୍ ଆଲ୍ଟିଚ୍ୟୁଡ୍ (ମଧ୍ୟମ ଉଚ୍ଚତା) ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଆକାଶରେ ରହିପାରୁଥିବା (ଲଙ୍ଗ୍ ଏଣ୍ଡ୍ୟୁରେନ୍ସ) ସମସ୍ତ ବଡ଼ ଡ୍ରୋନ୍ ଗୁଡ଼ିକର ସଂପୂର୍ଣ୍ଣ ଦାୟିତ୍ୱ ଏହି କ୍ୟାଡର୍ର ସୈନିକମାନେ ସମ୍ଭାଳିବେ । ଏହି ନୂଆ କ୍ୟାଡର୍ ଡିଜି ଆଭିଏସନ୍ (DG Aviation)ଙ୍କ ଅଧୀନରେ ରହି କାର୍ଯ୍ୟ କରିବ ।
କାହିଁକି ଗଠନ ହେଲା ‘ବାଜ୍ ବାଟାଲିୟନ୍’?
ସାମ୍ପ୍ରତିକ ସମୟରେ ଯୁଦ୍ଧର ରୂପରେଖ ସଂପୂର୍ଣ୍ଣ ବଦଳିବାରେ ଲାଗିଛି । ଭାରତୀୟ ସେନା ପାଖରେ ବର୍ତ୍ତମାନ ଅନେକ RPA ରହିଛି ଏବଂ ଆଗକୁ ଆହୁରି ଅନେକ ଅତ୍ୟାଧୁନିକ ଡ୍ରୋନ୍ ସେନାରେ ସାମିଲ ହେବାକୁ ଯାଉଛି । ପୂର୍ବରୁ ଆର୍ମି ଆଭିଏସନ୍ ଅଧୀନରେ ଥିବା ‘ଆରପିଏ ଫ୍ଲାଇଟ୍ସ’ ନାମକ ଏକ ସ୍ୱତନ୍ତ୍ର ଟିମ୍ ଏହାକୁ ଅପରେଟ୍ କରୁଥିଲା। ମାତ୍ର ବଡ଼ ଡ୍ରୋନ୍ଗୁଡ଼ିକୁ ପରିଚାଳନା କରିବା ପାଇଁ ବିଶେଷ ପ୍ରଶିକ୍ଷଣ ସହ ଏହାର ରକ୍ଷଣାବେକ୍ଷଣ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ତେଣୁ ଏହି ବଡ଼ ଡ୍ରୋନ୍ଗୁଡ଼ିକର ଉପଯୁକ୍ତ ତଥା ସଠିକ୍ ବ୍ୟବହାର ପାଇଁ ଏକ ସ୍ୱତନ୍ତ୍ର ଓ ତାଲିମପ୍ରାପ୍ତ କ୍ୟାଡର୍ର ଆବଶ୍ୟକତା ଥିଲା, ଯାହାକୁ ‘ବାଜ୍ ବାଟାଲିୟନ୍’ ପୂରଣ କରିବ ।

ସୂଚନା ଅନୁଯାୟୀ,ଭାରତୀୟ ସେନାର ପ୍ରତ୍ୟେକ ଇନ୍ଫାଣ୍ଟ୍ରି (ପଦାତିକ ସେନା) ୟୁନିଟ୍ରେ ଛୋଟ ଡ୍ରୋନ୍ ଅପରେଟ୍ କରିବା ପାଇଁ ‘ଅଗ୍ନି ପ୍ଲାଟୁନ୍’ ଗଠନ କରାଯାଇଛି, କିନ୍ତୁ ‘ବାଜ୍ ବାଟାଲିୟନ୍’ କେବଳ ବଡ଼ ଡ୍ରୋନ୍ ଉପରେ କାର୍ଯ୍ୟ କରିବ ।
ସେନାର ଆଧୁନିକ ରୂପାନ୍ତରଣ (High-Tech Transformation)
ଭାରତୀୟ ସେନାରେ କେବଳ ଡ୍ରୋନ୍ ନୁହେଁ, ବରଂ ସାମଗ୍ରିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ତଥା ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି:
- ‘ଭୈରବ’ ଲାଇଟ୍ କମ୍ବାଟ୍ ବାଟାଲିୟନ୍ : ସେନାରେ ଏକ ନୂତନ ଲାଇଟ୍ କମ୍ବାଟ୍ ବାଟାଲିୟନ୍ ‘ଭୈରବ’ ଗଠନ କରାଯାଇଛି । ଏହି ବାଟାଲିୟନଟି ସାଧାରଣ ୟୁନିଟ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ, କାରଣ ଏଥିରେ ପଦାତିକ ସେନା ସହିତ ଆର୍ଟିଲାରୀ (ତୋପଖାନା), ଏୟାର ଡିଫେନ୍ସ ଏବଂ ସିଗ୍ନାଲ୍ସ ବିଭାଗର ସୈନିକମାନେ ଏକାଠି ରହିଛନ୍ତି । ଏଥିରେ ଯୁଦ୍ଧ ଏବଂ ଯୁଦ୍ଧ ସହାୟକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଏକତ୍ର କରାଯାଇଛି, ଯେଉଁଥିରେ ତୋପର ଶକ୍ତି, ଡ୍ରୋନ୍, ଲଏଟରିଂ ମ୍ୟୁନିସନ୍ ଏବଂ ଏୟାର ଡିଫେନ୍ସ ସୁବିଧା ଏକ ସଙ୍ଗେ ଉପଲବ୍ଧ ରହିଛି ।

- ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ : ସେନା ପକ୍ଷରୁ ବ୍ରିଗେଡ୍ ଠାରୁ ବଡ଼ ଏବଂ ଡିଭିଜନ୍ ଠାରୁ ଛୋଟ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ ମଧ୍ୟ ପ୍ରସ୍ତୁତ କରାଯାଉଛି ।
- ‘ଶକ୍ତିବାଣ’ ରେଜିମେଣ୍ଟ : ପାରମ୍ପରିକ ଆର୍ଟିଲାରୀ ରେଜିମେଣ୍ଟ (ତୋପଖାନା) ମଧ୍ୟରୁ କିଛିକୁ ‘ଶକ୍ତିବାଣ’ ରେଜିମେଣ୍ଟରେ ପରିଣତ କରାଯାଇଛି । ପାରମ୍ପରିକ ରେଜିମେଣ୍ଟରେ କେବଳ ତୋପ ରହୁଥିବା ବେଳେ ଶକ୍ତିବାଣ ରେଜିମେଣ୍ଟରେ ଡ୍ରୋନ୍, ସ୍ୱାର୍ମ ଡ୍ରୋନ୍ ଏବଂ ଲଏଟରିଂ ମ୍ୟୁନିସନ୍ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଶତ୍ରୁ ଉପରେ ଆକ୍ରମଣ କରିବାର କ୍ଷମତା ଓ ପରିସରକୁ ବହୁଗୁଣିତ କରିଦେବ ।
ଭବିଷ୍ୟତର ଆଧୁନିକ ଯୁଦ୍ଧକୁ ଆଖିରେ ରଖି ଭାରତୀୟ ସେନାର ଏହି ହାଇଟେକ୍ ପଦକ୍ଷେପ ଶତ୍ରୁ ପକ୍ଷର ନିଦ ହଜାଇ ଦେବ ଏଥିରେ କୌଣସି ସନ୍ଦେହ ନାହିଁ ।


