ଖରାଦିନେ ଏବଂ ଗୁଳୁଗୁଳି ପାଗରେ ଶରୀରର ଅନ୍ୟ ଅଙ୍ଗ ଭଳି ମହିଳାମାନଙ୍କୁ ନିଜର ପ୍ରାଇଭେଟ୍ ପାର୍ଟ ବା ଗୁପ୍ତାଙ୍ଗର ସ୍ୱଚ୍ଛତା ପ୍ରତି ବିଶେଷ ସତର୍କ ରହିବାକୁ ପଡ଼ିଥାଏ। ଏହି ଦିନଗୁଡ଼ିକରେ ପ୍ରବଳ ଝାଳ ଏବଂ ଆଦ୍ରତା ଯୋଗୁଁ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସଂକ୍ରମଣ ଦେଖାଯିବାର ଆଶଙ୍କା ବହୁ ଗୁଣ ବୃଦ୍ଧି ପାଇଥାଏ। ଏହି ସମସ୍ୟାରୁ କିପରି ଦୂରେଇ ରହିବେ, ସେ ନେଇ ପ୍ରସିଦ୍ଧ ଗାଇନେକୋଲୋଜିଷ୍ଟ ଡାକ୍ତର ମନନ ଗୁପ୍ତା କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ସହଜ ଟିପ୍ସ ଦେଇଛନ୍ତି।
![]()
ଖରାଦିନେ କାହିଁକି ବଢ଼ିଥାଏ ସଂକ୍ରମଣର ଭୟ ?
ଡାକ୍ତରଙ୍କ ଅନୁଯାୟୀ, ମହିଳାମାନଙ୍କ ପ୍ରାଇଭେଟ୍ ଏରିଆରେ ପ୍ରାକୃତିକ ଭାବେ କିଛି ଭଲ ବ୍ୟାକ୍ଟେରିଆ ରହିଥାନ୍ତି, ଯାହା ସେଠାକାର pH Level ସନ୍ତୁଳିତ ରଖି ସଂକ୍ରମଣରୁ ରକ୍ଷା କରନ୍ତି। କିନ୍ତୁ ଗରମ ଯୋଗୁଁ ପ୍ରବଳ ଝାଳ ହେବା, ଟାଇଟ୍ କପଡ଼ା ପିନ୍ଧିବା ଏବଂ ସଫାସୁତୁରା ନ ରହିବା ଦ୍ୱାରା ଏହି ସନ୍ତୁଳନ ବିଗିଡ଼ିଯାଏ। ଏହାଦ୍ୱାରା ଖରାପ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ସେଠାରେ ବଂଶବୃଦ୍ଧି କରନ୍ତି, ଯାହା ଫଳରେ କୁଣ୍ଡେଇ ହେବା, ପୋଡ଼ାଜଳା ଏବଂ ଦୁର୍ଗନ୍ଧ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଦେଖାଦେଉଥିବା ପ୍ରମୁଖ ସମସ୍ୟା
![]()
ବ୍ୟାକ୍ଟେରିଆଲ୍ ଭାଜିନୋସିସ୍ (BV) : ପ୍ରାକୃତିକ ବ୍ୟାକ୍ଟେରିଆର ସନ୍ତୁଳନ ବିଗିଡ଼ିବା ଯୋଗୁଁ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବ (White Discharge) ଏବଂ ଜଳାପୋଡ଼ା ହୋଇଥାଏ।
ୟୁରିନାରୀ ଟ୍ରାକ୍ଟ ଇନଫେକସନ (UTI) : ଶରୀରରେ ଜଳୀୟ ଅଂଶ କମିବା ଏବଂ ସଠିକ୍ ସ୍ୱଚ୍ଛତା ଅଭାବରୁ ୟୁଟିଆଇ (UTI) ହେବାର ଆଶଙ୍କା ବଢ଼ିଯାଏ। ଏହାଦ୍ୱାରା ପରିସ୍ରା କରିବା ସମୟରେ ଅତ୍ୟଧିକ କଷ୍ଟ ଓ ଜଳାପୋଡ଼ା ହୁଏ।
ଫଙ୍ଗାଲ୍ ବା ଇଷ୍ଟ ଇନଫେକସନ : ଅଧିକ ଓଦାପଣ ଯୋଗୁଁ ଫଙ୍ଗସ୍ ଦ୍ରୁତଗତିରେ ବଢ଼ିଥାଏ, ଯାହା ତୀବ୍ର କୁଣ୍ଡେଇ ହେବାର କାରଣ ସାଜେ।
ର଼୍ୟାସେସ୍ ଓ ନାଲି ପଡ଼ିବା : ଝାଳ ଜମି ରହିବା ଦ୍ୱାରା ସେହି ସ୍ଥାନରେ ଲାଲ୍ ଦାଗ ବା ର଼୍ୟାସେସ୍ ଦେଖାଯାଏ।
ସୁରକ୍ଷିତ ରହିବା ପାଇଁ ଡାକ୍ତରଙ୍କ ପରାମର୍ଶ
![]()
୧. ସୂତା କପଡ଼ାର ଅନ୍ତଃବସ୍ତ୍ର ବ୍ୟବହାର କରନ୍ତୁ : ଖରାଦିନେ ସବୁବେଳେ ସୂତା କପଡ଼ାରେ ତିଆରି ଢିଲା ଅନ୍ତଃବସ୍ତ୍ର ବ୍ୟବହାର କରନ୍ତୁ। ଏହା ପବନ ଚଳାଚଳରେ ସାହାଯ୍ୟ କରିବା ସହ ଝାଳକୁ ଶୋଷିନିଏ। ସିନ୍ଥେଟିକ୍ ବା ଟାଇଟ୍ କପଡ଼ା ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ।
୨. ରାସାୟନିକ ପ୍ରୋଡକ୍ଟର ବ୍ୟବହାର କରନ୍ତୁ ନାହିଁ : ପ୍ରାଇଭେଟ୍ ପାର୍ଟକୁ ସଫା କରିବା ପାଇଁ କୌଣସି ପ୍ରକାରର କେମିକାଲ୍ ଯୁକ୍ତ ସାବୁନ୍, ସେଣ୍ଟେଡ୍ ପ୍ରୋଡକ୍ଟ ବା ସୁଗନ୍ଧିତ ସ୍ପ୍ରେ ବ୍ୟବହାର କରନ୍ତୁ ନାହିଁ। କେବଳ ସାଧାରଣ ଉଷୁମ ପାଣିରେ ଏହାକୁ ସଫା କରିବା ସବୁଠାରୁ ନିରାପଦ।
୩. ସଫା କରିବାର ସଠିକ୍ ତରିକା : ସବୁବେଳେ ପ୍ରାଇଭେଟ୍ ପାର୍ଟକୁ ଆଗପଟୁ ପଛପଟକୁ ସଫା କରନ୍ତୁ, ଯେପରି ପଛପଟର ଜୀବାଣୁ ଆଗକୁ ଆସିବେ ନାହିଁ।
୪. ପ୍ରଚୁର ପାଣି ପିଅନ୍ତୁ : ଶରୀରରୁ ଦୂଷିତ ପଦାର୍ଥକୁ ବାହାର କରିବା ଏବଂ ୟୁଟିଆଇ ସଂକ୍ରମଣରୁ ବଞ୍ଚିବା ପାଇଁ ଦୈନିକ ଅନ୍ତତଃ ୩ ରୁ ୪ ଲିଟର ପାଣି ଏବଂ ତରଳ ଖାଦ୍ୟ ଗ୍ରହଣ କରନ୍ତୁ।
୫. ଓଦା କପଡ଼ା ତୁରନ୍ତ ବଦଳାନ୍ତୁ : ବ୍ୟାୟାମ କରିବା ପରେ କିମ୍ବା ବର୍ଷାରେ ଓଦା ହେବା ପରେ ଝାଳ ଜମିଥିବା କପଡ଼ାକୁ ଅଧିକ ସମୟ ପିନ୍ଧି ରୁହନ୍ତୁ ନାହିଁ, ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ।


