ଯଦି ଆମେ ଓଡ଼ିଶା ରାଜନୀତିର ପୁରୁଣା ଅଧ୍ୟାୟକୁ ଟିକେ ଓଲଟାଇ ଦେଖିବା, ବିଜେଡି ସରକାର ସମୟରେ ଅଫିସରମାନଙ୍କ କ୍ଷମତା ଏତେ ବଢ଼ିଯାଇଥିଲା ଯେ ଜନପ୍ରତିନିଧିମାନଙ୍କର କୌଣସି ମୂଲ୍ୟ ନ ଥିଲା। ସେହି ସମୟରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ବିଭାଗର ଜଣେ ଅଧସ୍ତନ ଗୋପାଳ ଦାସ ନାମକ କର୍ମଚାରୀ ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କଲା। ଜଣେ ସରକାରୀ ଅଫିସର ହାତରେ ସ୍ୱୟଂ ଜଣେ ମନ୍ତ୍ରୀ ସୁରକ୍ଷିତ ନ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ହତ୍ୟାକାଣ୍ଡ ପଛର ପ୍ରକୃତ ଗୁମର କ’ଣ, ଏହା ପଛରେ କେଉଁ ବଡ଼ ମୁଣ୍ଡର ହାତ ଥିଲା, ତାହା ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିପାରିଲା ନାହିଁ। ପ୍ରଶାସନିକ ସ୍ତରରେ ସେହି ମାମଲାକୁ ଏମିତି ଚପାଇ ଦିଆଗଲା ଯେ ସତ୍ୟ ସବୁଦିନ ପାଇଁ ପୋତି ହୋଇ ରହିଗଲା।
ଲୋକେ ଭାବିଥିଲେ ସରକାର ବଦଳିଲେ ଏଭଳି ସମ୍ବେଦନଶୀଳ ମାମଲାରେ ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ଉପରେ ଲଗାମ ଲାଗିବ। କିନ୍ତୁ ବିଜେପି ସରକାର ଆସିବା ପରେ ମଧ୍ୟ ପ୍ରଶାସନିକ ଅବହେଳାର ଆଉ ଏକ ନଗ୍ନ ଚିତ୍ର ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଲା। ସେଠାରେ ସ୍ଥାନୀୟ ପ୍ରଶାସନ ଓ ଅବକାରୀ ବିଭାଗର ଆଖି ଆଗରେ ବେଆଇନ ମଦ କାରବାର ଚାଲିଲା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ବିଷାକ୍ତ ମଦ ପିଇ ଅନେକ ଗରିବ ଲୋକଙ୍କର ମୃତ୍ୟୁ ହେଲା। ଦୁଇ ବର୍ଷ ବିତିଯାଇଥିଲେ ବି ଏହି ଘଟଣାର ପ୍ରକୃତ ଦୋଷୀ କିଏ ଏବଂ ଏଥିପାଇଁ କେଉଁ ବଡ଼ ଅଫିସର ଦାୟୀ, ତାହାର ତଦନ୍ତ ଆଜି ପର୍ଯ୍ୟନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିନାହିଁ।
ସରକାରୀ କଳ ଆଗରେ ଯେବେ ନଇଁଗଲେ ସରକାର
ଆସନ୍ତୁ ନଜର ପକାଇବା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି (BMC)ର ସେହି ଚର୍ଚ୍ଚିତ ଘଟଣା ଉପରେ। ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ଜଣେ ଓଏଏସ (OAS) ଅଫିସରଙ୍କୁ ତାଙ୍କର ଭୁଲ୍ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ବିରୋଧ କଲେ ଏବଂ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ତାଙ୍କୁ ପିଟିଲେ। ଏହାପରେ କ’ଣ ହେଲା? ରାଜ୍ୟର ସମସ୍ତ ଓଏଏସ ଅଫିସରମାନେ ନିଜର ବଡ଼ପଣିଆ ଦେଖାଇବା ପାଇଁ ଏକଜୁଟ୍ ହୋଇ ସଙ୍ଘୀୟ ସ୍ତରରେ ଧର୍ମଘଟ କଲେ।
ଏଠାରେ ସବୁଠାରୁ ସଂଘାତିକ କଥା ହେଉଛି, ଏହି ଅଫିସରମାନେ ଗତ ବିଜେଡି ସରକାର ସମୟର ସେହି ପୁରୁଣା ବଳରେ ବଳୀୟାନ ହୋଇ ସବୁ ସୀମା ସରହଦ ଡେଇଁ ସରକାରଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେଲେ। ଜଣେ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ନୀତି ଓ ନେତାଙ୍କୁ ଚ୍ୟାଲେଞ୍ଜ କଲେ। କିନ୍ତୁ ବିଜେପି ସରକାର ସେହି ବିଶୃଙ୍ଖଳିତ ଅଫିସରମାନଙ୍କ ବିରୋଧରେ କୌଣସି ଦୃଢ଼ ଶୃଙ୍ଖଳାଗତ ପଦକ୍ଷେପ ନେଇପାରିଲେ ନାହିଁ। ବରଂ ଓଲଟା, ସରକାର ସେହି ଅଫିସରମାନଙ୍କ ଜିଦ୍ ଆଗରେ ସମ୍ପୂର୍ଣ୍ଣ ଭାବେ ନଇଁଗଲେ ଏବଂ ଶେଷରେ ନିଜ ଦଳର ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ହୋଇ ଜେଲ୍ ଯିବାକୁ ପଡ଼ିଲା। ଏହି ଗୋଟିଏ ଘଟଣା ପ୍ରମାଣ କରୁଛି ଯେ ଆଜି ବି ଶାସନର ପ୍ରକୃତ ରିମୋଟ୍ କଣ୍ଟ୍ରୋଲ୍ ନେତାଙ୍କ ହାତରେ ନାହିଁ, ବରଂ ବ୍ୟୁରୋକ୍ରାଟ୍ମାନଙ୍କ ହାତରେ ଅଛି।
‘ମାର ମାର ଭଣ୍ଡାରିଆକୁ ମାର’ ନୀତି ଏବଂ ବଡ଼ ବାବୁଙ୍କୁ ସୁରକ୍ଷା
ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ୱହୀନତାର ସବୁଠାରୁ ବଡ଼ ଏବଂ ଦୁଃଖଦ ଉଦାହରଣ ଦେଖିବାକୁ ମିଳିଲା ୨୦୨୫ ମସିହା ପୁରୀ ରଥଯାତ୍ରା ସମୟରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ପାଇଁ ଯେଉଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବା କଥା, ଅଫିସରମାନଙ୍କର ସେହି ପରିଚାଳନାରେ ବଡ଼ ତ୍ରୁଟି ରହିଲା। ଫଳରେ ବଡ଼ଦାଣ୍ଡରେ ଅଭାବନୀୟ ଦଳାଚକଟା ହେଲା ଏବଂ ୩ ଜଣ ନିରୀହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ନିଜର ପ୍ରାଣ ହରାଇଲେ।
ଏହି ବଡ଼ ଦୁର୍ଘଟଣାକୁ ନେଇ ଯେତେବେଳେ ସାରା ରାଜ୍ୟରେ ହୋହଲ୍ଲା ହେଲା, ସେତେବେଳେ ସରକାର ତଦନ୍ତ ଦାୟିତ୍ୱ ଦେଲେ ତତ୍କାଳୀନ ଉନ୍ନୟନ କମିଶନରଙ୍କୁ। କିନ୍ତୁ ରିପୋର୍ଟ ଆସିବା ପରେ କ’ଣ ହେଲା? ସେ ତାଙ୍କ ତଦନ୍ତରେ ସେଠାରେ ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱରେ ଥିବା ବଡ଼ ବଡ଼ ପ୍ରଶାସନିକ ଅଫିସର— ଯେମିତିକି ସେଠାକାର ଏସପି (SP), ଜିଲ୍ଲାପାଳ (Collector) କିମ୍ବା ଶ୍ରୀମନ୍ଦିରର ବଡ଼ ବଡ଼ ପ୍ରଶାସକମାନଙ୍କୁ ସାମାନ୍ୟତମ ଦାୟୀ କଲେ ନାହିଁ। ବରଂ ଓଡ଼ିଶାର ସେହି ପୁରୁଣା ଢଗ ‘ମାର ମାର ଭଣ୍ଡାରିଆକୁ ମାର’ ନୀତି ଆପଣାଇ କେବଳ କିଛି ତଳିଆ କର୍ମଚାରୀଙ୍କୁ ଦାୟୀ କରି ନିଲମ୍ବିତ କରାଗଲା ଏବଂ ଏସି ରୁମ୍ରେ ବସି ରଣନୀତି କରୁଥିବା ବଡ଼ ବଡ଼ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନଙ୍କୁ ସୁରକ୍ଷିତ ଭାବେ ପଛ ଦୁଆର ଦେଇ ଖସାଇ ଦିଆଗଲା।
ସେହି ପୁରୁଣା ତଦନ୍ତକାରୀ ଅଧିକାରୀ ଓ ଫାଇଲ୍ ଗାଏବର ରହସ୍ୟ
ସେହିପରି ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାକୁ ଦେଖନ୍ତୁ। ଏହି ହତ୍ୟାକାଣ୍ଡରେ ଜଣେ ଏଡିଜି (ADG) ପାହ୍ୟାର ବଡ଼ ଅଫିସରଙ୍କୁ ଅଭିଯୁକ୍ତ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ତଦନ୍ତ ଭାର ଦିଆଯାଇଛି ଆଉ ଜଣେ ଏଡିଜି ସ୍ତରର ସମକକ୍ଷ ଅଫିସରଙ୍କୁ। ଏଥିରୁ କଣ ସୁଫଳ ମିଳିବ ତାହା ଓଡ଼ିଶାବାସୀ ବେଶ୍ ଭଲ ଭାବେ ଜାଣି ସାରିଲେଣି। କାରଣ ଏହି ଯେଉଁ ତଦନ୍ତ କରୁଥିବା ନୂଆ ଅଧିକାରୀ, ସେ ପୂର୍ବରୁ ସାରା ରାଜ୍ୟକୁ ହଲାଇ ଦେଇଥିବା ନବ ଦାସ ହତ୍ୟାକାଣ୍ଡ ଏବଂ ନୟାଗଡ଼ର ନିରୀହ ଶିଶୁ କନ୍ୟା ‘ପରୀ’ ଅପହରଣ ଓ ହତ୍ୟା ମାମଲାର ମଧ୍ୟ ତଦନ୍ତ କରିଥିଲେ। ସେସବୁ ବଡ଼ ବଡ଼ ସଙ୍ଗୀନ ହତ୍ୟାକାଣ୍ଡର ଫଳାଫଳ ଆଜି କ’ଣ ହୋଇଛି, ତାହା ଆଜି ସାରା ଓଡ଼ିଶା ଦେଖୁଛି। ସବୁ ମାମଲାରେ ପ୍ରଶାସନିକ ସ୍ତରରେ ଲୁଚକାଳି ଖେଳାଯାଇଛି।
ଏବେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର ଏବଂ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯେ, ରାଜ୍ୟର ସବୁଠାରୁ ସୁରକ୍ଷିତ ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବା ସିଏମଓ (CMO)ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ମୂଳ ଫାଇଲ୍ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ‘ଜଷ୍ଟିସ ଏସ୍. ନାଇଡୁ କମିଶନ’ ତଦନ୍ତ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଗାଏବ ବା ଚୋରି ହୋଇଯାଇଛି। ଏଭଳି ଅତି ଗୁପ୍ତ ଏବଂ ସମ୍ବେଦନଶୀଳ ଫାଇଲ୍ ସେକ୍ରେଟେରିଏଟ୍ ଭିତରୁ ଗାଏବ ହେବା ପଛରେ ସେହି ବଡ଼ ବଡ଼ ଅଫିସରଙ୍କ ହାତ ନିଶ୍ଚୟ ରହିଛି, ଯେଉଁମାନେ ପୂର୍ବ ସରକାରରେ ବି ଥିଲେ ଏବଂ ଏହି ସରକାରରେ ବି ଅଛନ୍ତି। କିନ୍ତୁ ଏହି ମାମଲାରେ ଦିନେ ଦୁଇ ଦିନ ରାଜନୈତିକ ହୋ-ହାଲା ଏବଂ ବିବୃତିବାଜି ପରେ, ସରକାର ଜଣେ ଅଧସ୍ତନ ଥାନା ଅଧିକାରୀ ବା ଆଇଆଇସି (IIC) ସ୍ତରର କର୍ମଚାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଏହା କେବଳ ଧର୍ମକୁ ଆଖିଠାର ଭଳି ମାମଲାକୁ ସବୁଦିନ ପାଇଁ ଚପାଇ ଦେବାକୁ ଅଫିସରଙ୍କ ଏକ ସୁଚିନ୍ତିତ ହୀନ ପ୍ରୟାସ ବୋଲି ଏବେ ସବୁଠି ସମାଲୋଚନା ହେଉଛି।
ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଓ ଅଫିସରଙ୍କ ଅହଂକାର
ପ୍ରଶାସନିକ ଏକଛତ୍ରବାଦ ଏବଂ ଅଫିସରମାନଙ୍କ ଅହଂକାରର ସବୁଠାରୁ ଜ୍ୱଳନ୍ତ ଉଦାହରଣ ଏବେ କେନ୍ଦ୍ରପଡ଼ା ଜିଲ୍ଲାର ଟିକିରି ପଞ୍ଚାୟତରୁ ସାମ୍ନାକୁ ଆସିଛି, ଯାହା ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ସେଠାକାର ଜଣେ ମହିଳା ସରପଞ୍ଚ ଚାମେଲି ଓଝା, ସେଠାକାର ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ (BDO)ଙ୍କ ବିରୋଧରେ ଦୁର୍ନୀତି ଏବଂ ମନମୁଖୀ କାର୍ଯ୍ୟର ଅଭିଯୋଗ କରିଥିଲେ। ଆମ ଗଣତନ୍ତ୍ରରେ ଜଣେ ସରପଞ୍ଚ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରଥମ ନାଗରିକ ଏବଂ ଜନପ୍ରତିନିଧି। କିନ୍ତୁ ଜଣେ ଜନପ୍ରତିନିଧି ହୋଇ ଜଣେ ସରକାରୀ ବାବୁଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାର ପରିଣାମ କ’ଣ ହେଲା ଦେଖନ୍ତୁ— ସରପଞ୍ଚ ଚାମେଲି ଓଝାଙ୍କୁ ପ୍ରଶାସନର ଇସାରାରେ ପୁଲିସ ଦ୍ୱାରା ଅତି ଅମାନୁଷିକ ଭାବେ ମାଡ଼ ମରାଗଲା ଏବଂ ଓଲଟା ମାମଲା ରୁଜୁ କରି ଆଜି ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଗଲା।
କିନ୍ତୁ ସବୁଠାରୁ ବଡ଼ ପରିହାସର ବିଷୟ ହେଉଛି, ଯେଉଁ ବିଡିଓଙ୍କ ବିରୋଧରେ ଏତେ ବଡ଼ ସଙ୍ଗୀନ ଦୁର୍ନୀତି ଅଭିଯୋଗ ଆସିଥିଲା, ସେହି ବାବୁ ଜଣକ ସରକାରଙ୍କ ଛତ୍ରଛାୟା ତଳେ ଆଜି ବି ଆରାମରେ ନିଜ ଚଉକିରେ ବସି ଶାସନ କରୁଛନ୍ତି। ଜଣେ ମହିଳା ପ୍ରତିନିଧି ଜେଲ୍ରେ, ଆଉ ଅଭିଯୁକ୍ତ ଅଫିସର ଏସି ରୁମ୍ରେ! ଏହା କ’ଣ ଓଡ଼ିଶାର ସେହି ପରିବର୍ତ୍ତନର ଚିତ୍ର?
ଏମିତି ଗୋଟିଏ କି ଦୁଇଟି ନୁହେଁ, ଓଡ଼ିଶାର ପ୍ରତିଟି ବ୍ଲକ୍, ପ୍ରତିଟି ତହସିଲ୍ ଏବଂ ପ୍ରତିଟି ଜିଲ୍ଲାରେ ଆଜି ଗରିବ ଏବଂ ସାଧାରଣ ଲୋକ ଅଫିସରମାନଙ୍କ ନାଲିଆଖି ଆଗରେ ଅସହାୟ ହୋଇପଡ଼ିଛନ୍ତି।
ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ବଡ଼ ଆଶା ଏବଂ ଭରସା କରି ବିଜେପିକୁ ଭୋଟ୍ ଦେଇଥିଲେ। ସେମାନେ ଭାବିଥିଲେ ଯେ ତୃଣମୂଳ ସ୍ତରରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ଚାଲିଥିବା ବ୍ୟୁରୋକ୍ରାଟିକ୍ ଏକଛତ୍ରବାଦର ଅନ୍ତ ହେବ ଏବଂ ନେତାମାନେ ଲୋକଙ୍କ ସ୍ୱର ଶୁଣିବେ। କିନ୍ତୁ ଆଜି ସରକାର ଗଠନର ଦୁଇବର୍ଷ ପରେ ବି ବାସ୍ତବ ଚିତ୍ର କିଛି ବଦଳିନାହିଁ। ସରକାର ଏହି ଅଫିସରମାନଙ୍କ ଉପରେ କୌଣସି ଲଗାମ ଲଗାଇ ପାରି ନାହାନ୍ତି। ଅପରପକ୍ଷରେ, ରାଜ୍ୟର ନେତା, ବିଧାୟକ ଓ ମନ୍ତ୍ରୀମାନେ ପୂର୍ବ ସରକାର ଭଳି ଅଫିସରଙ୍କ ଇସାରାରେ ହିଁ କାଠପୁତଳି ସାଜି ଉଠ୍ବସ ହେଉଛନ୍ତି।
AlsoRead; https://purvapaksa.com/suryastra-for-pakistan-and-bangladesh/
ପାକିସ୍ତାନ ଓ ବାଂଲାଦେଶ ପାଇଁ ‘ସୂର୍ଯ୍ୟାସ୍ତ୍ର’ || ‘Suryastra’ for Pakistan and Bangladesh


