ପରଦା ଉପରେ ଏହି ଶୀର୍ଷକଟି ଦେଖି ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ— “ଖ୍ରୀଷ୍ଟିଆନ୍ଙ୍କଙ ଭୟରେ ଦାରା ବଳି?” ଓଡ଼ିଶାରେ ବିଜେପି ସରକାର ଅଛି, ପୁଣି ଖ୍ରୀଷ୍ଟିଆନ୍ ଭୋଟ୍ କେବେଠାରୁ ଏତେ ବଡ଼ ନିର୍ଣ୍ଣାୟକ ହୋଇଗଲା ଯେ ଜଣେ କଏଦୀଙ୍କ ଭାଗ୍ୟ ତା’ ଉପରେ ନିର୍ଭର କରିବ?
୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ସଂଖ୍ୟା ଥିଲା ପ୍ରାୟ ୧୧ ଲକ୍ଷ ୬୧ ହଜାର। ଆଜି ଏହା ବଢ଼ି ବହୁ କଷ୍ଟରେ ୧୪ ରୁ ୧୫ ଲକ୍ଷ ହୋଇଥିବ। ସେମାନଙ୍କ ମଧ୍ୟରୁ ଭୋଟର ମାତ୍ର ୧୦ ରୁ ୧୧ ଲକ୍ଷ। ଆଉ ସମସ୍ତେ ଜାଣନ୍ତି, ଏହି ଭୋଟ୍ବ୍ୟାଙ୍କ ବିଜେପିର ପାରମ୍ପରିକ ଭୋଟର ନୁହନ୍ତି।
ତେବେ ସରକାର କାହାକୁ ଡରୁଛନ୍ତି?
ଏହି ଭୟ ସ୍ଥାନୀୟ ଭୋଟରଙ୍କୁ ନେଇ ନୁହେଁ, ବରଂ ବିଶ୍ୱବ୍ୟାପୀ ପରିବ୍ୟାପ୍ତ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଏବଂ ଆନ୍ତର୍ଜାତୀକ କୂଟନୀତିର ଭୟ। ଆଉ ଏହି ଭୟର କେନ୍ଦ୍ରବିନ୍ଦୁରେ ଅଛନ୍ତି— ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହ। ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ମାମଲାରେ ଯିଏ ଦୀର୍ଘ ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଜେଲରେ ଅଛନ୍ତି।
କିନ୍ତୁ ଆଜି ପ୍ରଶ୍ନ କେବଳ ରାଜନୀତିର ନୁହେଁ; ପ୍ରଶ୍ନ ହେଉଛି ଆମ ରାଜ୍ୟର ମର୍ଯ୍ୟାଦା ଏବଂ ସୁପ୍ରିମକୋର୍ଟରେ ପ୍ରଶାସନର କଳଙ୍କିତ ଚେହେରାର।
ତାରିଖଟି ଥିଲା ସେପ୍ଟେମ୍ବର ୮। ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନର ଶୁଣାଣି ଚାଲିଥିଲା, ଯେଉଁଥିରେ ବିଚାରପତି ଥିଲେ ଜଷ୍ଟିସ ମନୋଜ ମିଶ୍ର। ଏହି ମାମଲାକୁ ଦୁଇ ବର୍ଷ ହେବ ରାଜ୍ୟ ସରକାର ଝୁଲାଇ ରଖିଛନ୍ତି।
ସେଦିନ କୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ ଯାହା କହିଲେ, ତାହା ଆଶ୍ଚର୍ଯ୍ୟଜନକ ଥିଲା। ସରକାରୀ ଓକିଲ ହାତ ଟେକିଦେଇ କହିଲେ— ତାଙ୍କ ପାଖରେ ସରକାରଙ୍କ କୌଣସି ନିର୍ଦ୍ଦେଶ ନାହିଁ। ଆଡଭୋକେଟ୍-ଅନ୍-ରେକର୍ଡ ଅସୁସ୍ଥ ଥିବାରୁ ନିଷ୍ପତ୍ତି ଜଣାଇବା ପାଇଁ ଆଉ ଚାରି ସପ୍ତାହ ମହଲତ ଦିଆଯାଉ।
ଏଭଳି ଖାମଖିଆଲି ଆଭିମୁଖ୍ୟ ଦେଖି ବିଚାରପତି ଜଷ୍ଟିସ ମନୋଜ ମିଶ୍ର କ୍ରୋଧ ପ୍ରକାଶ କରି ସିଧାସଳଖ ଚେତାବନୀ ଦେଲେ—
“ଆପଣମାନେ ନିଷ୍ପତ୍ତି ନେବାରୁ ପଳାୟନ କରିପାରିବେ ନାହିଁ। ଆବେଦନ ଗ୍ରହଣ କରନ୍ତୁ କିମ୍ବା ଖାରଜ କରନ୍ତୁ, କିନ୍ତୁ ତୁରନ୍ତ ଫଇସଲା ଜଣାନ୍ତୁ। ନଚେତ୍ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ଶୁଣାଣି ବେଳେ ଆପଣଙ୍କ ବିଭାଗୀୟ ସଚିବଙ୍କୁ କାଠଗଡ଼ାକୁ ଡକାଇବୁ।”
ଜଣେ ବିଭାଗୀୟ ସଚିବଙ୍କୁ କୋର୍ଟରେ ହାଜର ହେବା ପାଇଁ ଏଭଳି ଚେତାବନୀ ଦିଆଯିବା ଯେକୌଣସି ରାଜ୍ୟ ପାଇଁ ଅତ୍ୟନ୍ତ ଅପମାନଜନକ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି— ଯେଉଁ ନିଷ୍ପତ୍ତି ପାଇଁ ଓକିଲ ଚାରି ସପ୍ତାହ ମାଗୁଥିଲେ, ରାଜ୍ୟ ସରକାର ସେହି ନିଷ୍ପତ୍ତି ତା’ର ଆଠ ଦିନ ପୂର୍ବରୁ ହିଁ ନେଇସାରିଥିଲେ!
ଅଗଷ୍ଟ ୩୧ରେ ହିଁ ଦାରା ସିଂହଙ୍କ ଆବେଦନ ଖାରଜ ହୋଇସାରିଥିଲା। ତେବେ ଏହାକୁ ସୁପ୍ରିମକୋର୍ଟଙ୍କ ଆଗରେ କାହିଁକି ଲୁଚାଗଲା?
ସରକାରୀ ଦସ୍ତାବିଜରୁ ମିଳିଥିବା ତଥ୍ୟ ଅନୁସାରେ, ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୩୧ ତାରିଖ ସନ୍ଧ୍ୟା ୬ଟାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ‘ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ’ର ଜରୁରୀ ବୈଠକ ବସିଥିଲା।
ଏହି ବୈଠକରେ ଉପସ୍ଥିତ ଥିଲେ:
• ଆଇନ ସଚିବ ପବିତ୍ର ମୋହନ ସାମଲ,
• ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମହାନ୍ତି,
• କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ,
• ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପରେଶ ଚନ୍ଦ୍ର ମିଶ୍ର,
• ଏବଂ ଜେଲ୍ ଡିଜି ତଥା ବୋର୍ଡର ସଦସ୍ୟ ସଚିବ ସୁଶାନ୍ତ କୁମାର ନାଥ।
ବୋର୍ଡ ସମୀକ୍ଷାରୁ ଜଣାପଡ଼ିଲା ଯେ, ଦାରା ସିଂହ ମୁକୁଳିଲେ ସମାଜରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ପାଞ୍ଚ ପାଞ୍ଚ ଥର— ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ତାଙ୍କ ଆବେଦନ ଖାରଜ ହୋଇଥିଲା।
ଏହା ସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ଚିଠି ନଂ ୨୩୬୪ରେ ଉଲ୍ଲେଖ ଥିଲା ଯେ, ଗତ ଅଗଷ୍ଟ ୧୫ରେ ‘ଦାରା ସେନା’ର ପ୍ରାୟ ୨୫୦ ଜଣ ସମର୍ଥକ କେନ୍ଦୁଝର ଜେଲ୍ ସମ୍ମୁଖରେ ଉତ୍ତେଜନାମୂଳକ ନାରାବାଜି କରିଥିଲେ।
ଏସବୁକୁ ଦେଖି ରିଭ୍ୟୁ ବୋର୍ଡ ଅଗଷ୍ଟ ୩୧ରେ ଦାରା ସିଂହଙ୍କୁ ମୁକ୍ତ ନକରିବାକୁ ନିଷ୍ପତ୍ତି ନେଇ ଆବେଦନକୁ ଖାରଜ କରିଦେଲା। ପୁଣି ସେପ୍ଟେମ୍ବର ୫ ତାରିଖରେ ଜେଲ୍ ଡିଜି ସୁଶାନ୍ତ ନାଥ (ଚିଠି ନଂ ୧୨୮୮୦୫) ମାଧ୍ୟମରେ ସମସ୍ତ ବିଭାଗକୁ ଏହି ନିଷ୍ପତ୍ତି ଜଣାଇଦେଲେ।
ଏବେ ବଡ଼ ପ୍ରଶ୍ନ ହେଉଛି— ଯଦି ସେପ୍ଟେମ୍ବର ୫ ସୁଦ୍ଧା ସବୁକିଛି ଚୂଡ଼ାନ୍ତ ଥିଲା, ତେବେ ୩ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୮ରେ ସୁପ୍ରିମକୋର୍ଟରେ ସରକାରୀ ଓକିଲ କାହିଁକି କହିଲେ ଯେ ତାଙ୍କ ପାଖରେ କୌଣସି ନିର୍ଦ୍ଦେଶ ନାହିଁ? ଆଜିର ଡିଜିଟାଲ୍ ଯୁଗରେ ଗୋଟିଏ ମେଲ୍ ପଠାଇବାକୁ କ’ଣ ୩ ଦିନ ଲାଗେ? କାହିଁକି କୋର୍ଟରେ ରାଜ୍ୟକୁ ଅପଦସ୍ଥ କରାଗଲା?
ଏହି ସମଗ୍ର ପ୍ରହସନ ପଛରେ ରହିଛି ଏକ ବଡ଼ ରାଜନୈତିକ ଅନ୍ତର୍ଦ୍ୱନ୍ଦ୍ୱ।
ଆପଣମାନଙ୍କ ମନେଥିବ, ୨୦୨୨ ସେପ୍ଟେମ୍ବର ୨୧ ତାରିଖ। ସେତେବେଳେ ରାଜ୍ୟରେ ବିଜେଡି ଶାସନ ଥିଲା। ଦାରା ସିଂହଙ୍କ ମୁକ୍ତି ଦାବି କରି ରାଜରାସ୍ତାରେ ଧାରଣା ଦେଇଥିଲେ ତତ୍କାଳୀନ ବିଜେପି ବିଧାୟକ, ଯିଏ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ!
ସେତେବେଳେ ବିରୋଧୀ ଦଳରେ ଥାଇ ଦାରା ସିଂହଙ୍କ ୨୦ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ ଦଣ୍ଡକୁ ଅମାନବୀୟ କହି ମୁକ୍ତି ଦାବି କରୁଥିବା ନେତାମାନେ ଆଜି କ୍ଷମତାର ଶୀର୍ଷରେ। କିନ୍ତୁ ବିରୋଧୀ ଆସନରେ ବସି ଧାରଣା ଦେବା ଏବଂ ଶାସନ ଗାଦିରେ ବସି ସମ୍ବିଧାନ ତଥା ଅନ୍ତର୍ଜାତୀୟ ଚାପକୁ ସମ୍ଭାଳିବା ସମ୍ପୂର୍ଣ୍ଣ ଅଲଗା କଥା।
ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ କେବଳ ଓଡ଼ିଶା କି ଭାରତ ଭିତରେ ସୀମିତ ନୁହେଁ। ଅଷ୍ଟ୍ରେଲିଆ ସମେତ ସାରା ବିଶ୍ୱର ନଜର ଏହା ଉପରେ ରହିଛି। ଭାରତ ସରକାର ମଧ୍ୟ ବିଶ୍ୱ ମଞ୍ଚରେ ନିଜର ମାନବାଧିକାର ଛବିକୁ କ୍ଷୁଣ୍ଣ ହେବାକୁ ଦେଇପାରିବେ ନାହିଁ।
ତେଣୁ ବିଜେପି ସରକାର ଏବେ ଏକ ବଡ଼ ଧର୍ମସଙ୍କଟରେ। ଗୋଟିଏ ପଟେ ନିଜର ପୁରୁଣା ହିନ୍ଦୁତ୍ୱବାଦୀ ସମର୍ଥକ ଓ ‘ଦାରା ସେନା’ର ଚାପ, ଅନ୍ୟପଟେ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର କ୍ରୋଧର ଭୟ।
ଏହି ଦୋଛକିରେ ପଡ଼ି ହିଁ ବୋଧହୁଏ ସରକାର ଗୋପନରେ ରିଭ୍ୟୁ ବୋର୍ଡ ଜରିଆରେ ଆବେଦନ ଖାରଜ କରିଦେଲେ, କିନ୍ତୁ ନିଜ ସମର୍ଥକଙ୍କ ଆଗରେ ଅପ୍ରିୟ ନହେବା ପାଇଁ କୋର୍ଟରେ ତୁରନ୍ତ ସ୍ୱୀକାର ନକରି ଚାରି ସପ୍ତାହ ମହଲତ ମାଗି ମାମଲାକୁ ଘୁଞ୍ଚାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ ଏହି ରଣନୀତିକୁ ଧୂଳିସାତ୍ କରିଦେଲା।
ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ସେଦିନ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରି କହିବାକୁ ହିଁ ପଡ଼ିବ ଯେ ଅଗଷ୍ଟ ୩୧ରେ ସେମାନେ ଦାରା ସିଂହଙ୍କୁ ମୁକ୍ତ ନକରିବାକୁ ନିଷ୍ପତ୍ତି ନେଇସାରିଛନ୍ତି।
କିନ୍ତୁ ଏହି ଘଟଣାକ୍ରମ ଆମ ବ୍ୟବସ୍ଥା ଆଗରେ ତିନିଟି ବଡ଼ ପ୍ରଶ୍ନ ଛାଡ଼ିଯାଇଛି—
1. କ୍ଷମତାକୁ ଆସିବା ପରେ ରାଜନୈତିକ ପ୍ରତିଶ୍ରୁତି ଓ ଆଦର୍ଶ କ’ଣ କେବଳ କାଗଜପତ୍ରରେ ହିଁ ସୀମିତ ରହିଯାଏ?
2. ସୁପ୍ରିମକୋର୍ଟରେ ରାଜ୍ୟକୁ ଯେଉଁ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା, ସେଥିପାଇଁ କୌଣସି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ?
3. ଆଉ ଶେଷ ପ୍ରଶ୍ନ— ଏହି ନିଷ୍ପତ୍ତି ପଛରେ ପ୍ରକୃତ କାରଣ କ’ଣ? ଆଇନ ଶୃଙ୍ଖଳା ରକ୍ଷାର ବାଧ୍ୟବାଧକତା, ନା ଆନ୍ତର୍ଜାତୀୟ ସ୍ତରରେ ଥିବା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଚାପ?
AlsoRead; https://purvapaksa.com/a-famous-bollywood-love-story-that-began-on-the-sets-of-agni-sakshi/

