ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ କଠୋର ଭାବେ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦୀର୍ଘ ଚିଠି ଲେଖି ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳସ୍ୱରୂପ ଚାଷୀମାନେ ଆଜି ମଣ୍ଡିରେ ହନ୍ତସନ୍ତ ହେଉଛନ୍ତି ଓ ନ୍ୟାୟ ପାଇଁ ଦୁଆରେ ଦୁଆରେ ଘୂରୁଛନ୍ତି।

ନବୀନଙ୍କ ପ୍ରମୁଖ ଅଭିଯୋଗ ମଧ୍ୟରେ ସବୁଠାରୁ ଗୁରୁତର ହେଉଛି ମଣ୍ଡିରେ ଚାଲିଥିବା କଟନି-ଛଟନି। ତାଙ୍କ କହିବା ଅନୁଯାୟୀ, ଗୁଣବତ୍ତା ନାଁରେ ପ୍ରତି କ୍ୱିଣ୍ଟାଲରୁ ୫ରୁ ୭ କିଲୋ ଧାନ କଟାଯାଉଛି। ଏହି କାର୍ଯ୍ୟରେ ମିଲର ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଏହା ସହିତ ୧୫୦ କ୍ୱିଣ୍ଟାଲ ସୀମାକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ୮୦୦ ଟଙ୍କା ଇନପୁଟ୍ ସବସିଡି ଉପରେ ୧୫୦ କ୍ୱିଣ୍ଟାଲର ସୀମା ଲଗାଇବା ଦ୍ୱାରା ଚାଷୀମାନେ ଭୟଙ୍କର କ୍ଷତି ସହୁଛନ୍ତି। ଏହା ବିଜେପିର ସଂକଳ୍ପ ପତ୍ରର ସ୍ପଷ୍ଟ ଉଲ୍ଲଂଘନ ବୋଲି ସେ କହିଛନ୍ତି।
ଧାନ ଉଠାଇବାରେ ବିଳମ୍ବ ଯୋଗୁଁ ହଜାର ହଜାର ଚାଷୀ ଶୀତ କାକରରେ ଖୋଲା ଆକାଶ ତଳେ ଧାନ ଜଗି ରହିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଟଙ୍କା ମିଳିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହେଉନଥିବାରୁ ଚାଷୀମାନେ ଅଭାବୀ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଅବହେଳାର ସୁଯୋଗ ନେଇ ଦଲାଲ ଓ ମିଲରମାନେ କମ୍ ଦାମରେ ଧାନ କିଣୁଥିବା ଅଭିଯୋଗ ମଧ୍ୟ ଉଠିଛି।

ଏହି ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକ ସରକାରଙ୍କ ସମ୍ମୁଖରେ ୪ଟି ମୁଖ୍ୟ ଦାବି ରଖିଛନ୍ତି—ମଣ୍ଡିରେ କଟନି-ଛଟନି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ, ୧୫୦ କ୍ୱିଣ୍ଟାଲ ସୀମା ହଟାଇବା, ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଏବଂ ୭୨ ଘଣ୍ଟା ମଧ୍ୟରେ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଉଠାଇବା। ଶେଷରେ ନବୀନ ପଟ୍ଟନାୟକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ତୁରନ୍ତ ପଦକ୍ଷେପ ନେବେ ନାହିଁ, ତେବେ ବିଜୁ ଜନତା ଦଳ ଚାଷୀଙ୍କ ସ୍ୱାର୍ଥରେ ସାରା ରାଜ୍ୟରେ ଆନ୍ଦୋଳନକୁ ତୀବ୍ର କରିବ।
also read https://purvapaksa.com/reliance-jio/
୧୨୫ ଟଙ୍କାରୁ ବି କମ୍ Jioର ଶସ୍ତା ପ୍ଲାନ୍, ଜାଣନ୍ତୁ ।। Reliance Jio


