ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଚମ୍ପାଗଡ଼ ସାହିରେ ମୁଣ୍ଡରେ ହୋଇଥିବା ଉକୁଣୀ ସଂକ୍ରମଣରେ ୧୨ ବର୍ଷୀୟା ଏକ ନାବାଳିକା ଜୀବନ ହାରାଇଛି । ମୃତକ ହେଉଛନ୍ତି ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । ସାଧାରଣ ଭାବେ ଦେଖାଯାଉଥିବା ଏକ ସମସ୍ୟା କେମିତି ଭୟାବହ ରୂପ ନେଇପାରେ, ଏହି ଘଟଣା ତାହାର ଜୀବନ୍ତ ଉଦାହରଣ।

ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଘରୋଇ ଉପାୟ ଓ ବିଭିନ୍ନ ପ୍ରତିକାର କରାଯାଇଥିଲେ ମଧ୍ୟ ଉକୁଣୀ ସମସ୍ୟା ଭଲ ହୋଇନଥିଲା। ଧୀରେ ଧୀରେ ଉକୁଣୀଗୁଡ଼ିକ ତାଙ୍କ ଖପୁରୀକୁ ଗୁରୁତର ଭାବେ ଆକ୍ରାନ୍ତ କରିଥିଲେ ।
ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେବା ପରେ ସେ ଲଜ୍ଜା ଓ ଭୟରେ ବାହାରକୁ ଯିବା ବନ୍ଦ କରିଦେଇଥିଲେ। ସ୍କୁଲକୁ ଯିବା, ସାଙ୍ଗମାନଙ୍କ ସହ ମିଶିବା ମଧ୍ୟ କମାଇ ଦେଇଥିଲେ। ମା’ ତାଙ୍କୁ ମୁଣ୍ଡ ଲଣ୍ଡା କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ କିଶୋରୀ ଲକ୍ଷ୍ମୀପ୍ରିୟା ଏଥିରେ ରାଜି ହୋଇନଥିଲେ। ମୁଣ୍ଡରେ ଦୀର୍ଘ ଚୁଟି ଥିବାରୁ ପରିବାର ଲୋକେ ମଧ୍ୟ ସଂକ୍ରମଣର ଗୁରୁତ୍ୱ ଅନୁମାନ କରିପାରିନଥିଲେ।

ଏହାରି ମଧ୍ୟରେ ତିନି ଦିନ ତଳେ ହଠାତ୍ ଲକ୍ଷ୍ମୀପ୍ରିୟାଙ୍କ ରକ୍ତବାନ୍ତି ଆରମ୍ଭ ହୋଇଥିଲା। ଝିଅର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନଥିଲା। ଶେଷରେ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା।
ଏହି ଦୁଃଖଦ ଘଟଣା ପରେ ଚମ୍ପାଗଡ଼ ସାହିରେ ଶୋକର ଛାୟା ଛାଇଯାଇଛି। ଏକ ଛୋଟ ସମସ୍ୟାକୁ ସମୟରେ ଗୁରୁତ୍ୱ ନଦେବା କେତେ ବଡ଼ ଦୁର୍ଘଟଣାକୁ ନେଇଯାଇପାରେ, ଏହା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଉକୁଣୀ ଭଳି ସମସ୍ୟାକୁ ଅବହେଳା କଲେ ଗୁରୁତର ସଂକ୍ରମଣ ହୋଇପାରେ ଏବଂ ସମୟରେ ଡାକ୍ତରୀ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ।
ALSO READ https://purvapaksa.com/ombirla/


