ଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଏବଂ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଯେତେବେଳେ ସୋସିଆଲ୍ ମିଡିଆରେ କୋଟିଆକୁ ନେଇ ପୋଷ୍ଟ କରନ୍ତି ଏବଂ ସରକାରଙ୍କୁ ଘେରିବାକୁ ଚେଷ୍ଟା କରନ୍ତି, ସେତେବେଳେ ସାଧାରଣରେ ଗୋଟିଏ ବଡ଼ ପ୍ରଶ୍ନ ଉଠେ— ୨୪ ବର୍ଷ କାଳ କ୍ଷମତାରେ ଥାଇ ଯେଉଁ ସମସ୍ୟାର ସ୍ଥାୟୀ ସମଧାନ କରିପାରିଲେ ନାହିଁ, ଆଜି ବିରୋଧୀ ଆସନରେ ବସିବା ପରେ ସେହି କୋଟିଆ କାହିଁକି ଏତେ ପ୍ରିୟ ହୋଇଗଲା?

ଏହି କୋଟିଆ ବିବାଦ ପ୍ରକୃତରେ କେବେଠାରୁ ଆରମ୍ଭ ହୋଇଥିଲା। ଏହା କୌଣସି ଗୋଟିଏ ବର୍ଷ କିମ୍ବା ଗୋଟିଏ ସରକାରଙ୍କ ସମୟର କଥା ନୁହେଁ। ୧୯୫୫ ମସିହାରୁ ଏହି ବିବାଦର ମଞ୍ଜି ପଡ଼ିଥିଲା। ଏହାପରେ ୧୯୬୮ ମସିହାରେ ଓଡ଼ିଶା ସରକାର ଏହି ବିବାଦର ସ୍ଥାୟୀ ସମଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ‘ଷ୍ଟାଟସ୍ କୋ’ ଅର୍ଥାତ୍ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ କେହି ମଧ୍ୟ ନିଜର ଲକ୍ଷଣରେଖା ପାର କରି ଅଧିକ ଅଞ୍ଚଳ ଅଧିକାର କରିବାକୁ ଚେଷ୍ଟା କରିବେ ନାହିଁ।
କିନ୍ତୁ ସମୟ ଗଡ଼ିବା ସହିତ ପରିସ୍ଥିତି ବଦଳିଲା। ୨୦୦୬ ମସିହାରେ, ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନଟି ଖାରଜ ହୋଇଯାଇଥିଲା। କାରଣ, ଆବେଦନଟି ଯେଉଁ ଢଙ୍ଗରେ କରାଯାଇଥିଲା, ତାହା ଯଥାର୍ଥ ନଥିଲା। ସେତେବେଳେ ସରକାର ଯଦି ଏହାକୁ ଗମ୍ଭୀରତାର ସହ ନେଇଥାନ୍ତେ ଏବଂ ଏକ ଦୃଢ଼ ‘ରିଭ୍ୟୁ ପିଟିସନ୍’ କିମ୍ବା ଆଇନଗତ ପଦକ୍ଷେପ ନେଇଥାନ୍ତେ,ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। କିନ୍ତୁ ଦୀର୍ଘ ବର୍ଷ ଧରି ଏହି ପ୍ରସଙ୍ଗ ପ୍ରାୟତଃ ନୀରବ ରହିଲା, ଯାହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶ କୋଟିଆ ଭିତରେ ନିଜର ପ୍ରଶାସନିକ ପ୍ରଭାବ ବିସ୍ତାର କରିବାକୁ ଲାଗିଲା।

୨୦୧୮ ମସିହା ପର୍ଯ୍ୟନ୍ତ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ସେତେଟା ତତ୍ପରତା ଦୃଶ୍ୟମାନ ହୋଇନଥିଲା। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ, ଯେତେବେଳେ ଆନ୍ଧ୍ର ପ୍ରଶାସନ କୋଟିଆ ଭିତରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରୟାସ କଲା ଏବଂ ଅନୁପ୍ରବେଶ ବଢ଼ିଗଲା, ସେତେବେଳେ ହଠାତ୍ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା। ୨୦୧୮ ମସିହାରେ କୋଟିଆ ପାଇଁ ଏକ ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍ ଘୋଷଣା କରାଗଲା। କୋଟିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ବିକାଶ ପାଇଁ କୋଟିକୋଟି ଟଙ୍କାର ପ୍ରକଳ୍ପ କଥା କୁହାଗଲା। କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ବନାର କଥା ହେଲା— ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ନବୀନ ପଟ୍ଟନାୟକ ନିଜେ କେବେହେଲେ କୋଟିଆ ଗସ୍ତ କରି ସେଠାକାର ଲୋକଙ୍କ ସୁଖଦୁଃଖ ବୁଝି ନଥିଲେ। ସେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରି କାମ ସାରି ଦେଇଥିଲେ।

ଯେତେବେଳେ ବିଜେଡି ସରକାର କ୍ଷମତାରୁ ଗଲା, ସେତେବେଳେ ମଧ୍ୟ କୋଟିଆର ବହୁ ଅଞ୍ଚଳରେ ଆନ୍ଧ୍ରର ଦାଦାଗିରି ସମ୍ପୂର୍ଣ୍ଣ ବନ୍ଦ ହୋଇପାରିଲାନି। ଆଜି ଯେତେବେଳେ ନବୀନ ପଟ୍ଟନାୟକ ସୋସିଆଲ୍ ମିଡିଆରେ କୋଟିଆକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ରାଜ୍ୟର ଜନସାଧାରଣ ଏବଂ ରାଜନୈତିକ ସମୀକ୍ଷକମାନେ ପଚାରୁଛନ୍ତି— ଯେତେବେଳେ ଆପଣଙ୍କ ହାତରେ କ୍ଷମତା ଥିଲା, ଆପଣ କାହିଁକି ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ଏହାର ଏକ ସ୍ଥାୟୀ ରାଜନୈତିକ ଓ କୂଟନୈତିକ ସମାଧାନ କଲେ ନାହିଁ?
ଏହା ପରେ ଆସନ୍ତୁ ଦେଖିବା, ଅନ୍ୟ ଦଳଗୁଡ଼ିକର ଭୂମିକା କ’ଣ ରହିଛି। ବିଶେଷ କରି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ କୋଟିଆ ପ୍ରସଙ୍ଗରେ କିପରି ସ୍ୱର ଉତ୍ତୋଳନ କରାଯାଇଛି। ସେତେବେଳେ କେନ୍ଦ୍ରମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର ଏପରି ଜଣେ ପ୍ରମୁଖ ରାଜନୈତିକ ଚେହେରା, ଯିଏ ବାରମ୍ବାର କୋଟିଆ ମାଟିକୁ ଯାଇଛନ୍ତି। ୨୦୧୮, ୨୦୧୯ ଏବଂ ୨୦୨୩ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ କୋଟିଆରେ ପହଞ୍ଚି ଆନ୍ଧ୍ରର ଅଧିକାରୀମାନଙ୍କୁ ବିରୋଧ କରିଥିଲେ ଏବଂ ସେଠାରେ “ନୋ ଆନ୍ଧ୍ର, ଓନ୍ଲି ଓଡ଼ିଶା”ର ସ୍ଲୋଗାନ ଦେଇ ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ ଦେଇଥିଲେ।
ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ମଧ୍ୟ କୋଟିଆର ବିକାଶ ପାଇଁ ନୂତନ ପ୍ରକଳ୍ପ ଏବଂ ପ୍ୟାକେଜ୍ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଏକାଧିକ ବିଧାୟକ ବାରମ୍ବାର କୋଟିଆ ଗସ୍ତ କରି ସେଠାକାର ସାଧାରଣ ଜନତାଙ୍କ ସହିତ ମିଶୁଛନ୍ତି, ସେମାନଙ୍କ ସମସ୍ୟା ବୁଝୁଛନ୍ତି ଏବଂ ଆନ୍ଧ୍ରର ବେଆଇନ ଅନୁପ୍ରବେଶକୁ ଦୃଢ଼ ଭାବରେ ପ୍ରତିହତ କରୁଛନ୍ତି।
ତେଣୁ, ଗୋଟିଏ ପଟେ ଯେଉଁଠି ପୂର୍ବ ସରକାର କେବଳ ସୋସିଆଲ୍ ମିଡିଆ ଏବଂ ଭିଡିଓ କନଫରେନ୍ସିଂରେ ସୀମିତ ଥିଲେ, ଅନ୍ୟପଟେ ବର୍ତ୍ତମାନର ସରକାର ଏବଂ ବିଜେପି ନେତୃତ୍ୱ ଗ୍ରାଉଣ୍ଡ ଜିରୋରେ ରହି କାମ କରିବାର ପ୍ରୟାସ ଜାରି ରଖିଛନ୍ତି।
ଏହି ସମଗ୍ର ରାଜନୈତିକ ଲଢ଼ଇରେ କଂଗ୍ରେସ ଦଳର ଭୂମିକା ମଧ୍ୟ କିଛି କମ୍ ନୁହେଁ। କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ସାଂସଦ ସପ୍ତଗିରି,ଉଲାକା, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଦମ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତାମାନେ ବିଭିନ୍ନ ସମୟରେ କୋଟିଆ ଗସ୍ତ କରିଛନ୍ତି ଏବଂ ଫାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଛନ୍ତି। କିନ୍ତୁ କଂଗ୍ରେସର ଭୂମିକା ମୁଖ୍ୟତଃ କେବଳ ଅଭିଯୋଗ ଏବଂ ପ୍ରେସ୍ ବାର୍ତ୍ତାରେ ହିଁ ସୀମିତ ରହିଛି।
ବିଧାନସଭାର ତଥ୍ୟ ଅନୁଯାୟୀ, କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ବରଂ ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର ସୀମାନ୍ତ ବିବାଦ ରହିଛି। ବିଧାନସଭା ତଥ୍ୟ କୁହେ ଯେ ପ୍ରାୟ ୨୪ରୁ ଅଧିକ ସ୍ଥାନରେ ପଡ଼ୋଶୀରାଜ୍ୟଗୁଡ଼ିକ ସହିତ ସୀମା ବିବାଦ ଜାରି ରହିଛି। ଏଭଳି ସ୍ଥଳେ, କୋଟିଆକୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିବା ପରିବର୍ତ୍ତେ, ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଓଡ଼ିଶାର ଭୂଖଣ୍ଡ ଏବଂ ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଏକ ଦୃଢ଼ ରାଜନୈତିକ ଏକତା ପ୍ରଦର୍ଶନ କରିବା ଆବଶ୍ୟକ।
also read
Kotia Issue: Is Naveen Worried After Losing Power? II କୋଟିଆ ପ୍ରସଙ୍ଗ: କ୍ଷମତା ଯିବା ପରେ ଚିନ୍ତାରେ ନବୀନ?
https://purvapaksa.com/kotia-issue-is-naveen-worried-after-losing-power68142-2/


