ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ର ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ର ଏକ ପ୍ରମୁଖ କେନ୍ଦ୍ରର ନିର୍ଦ୍ଦେଶକ ଭି. ନାରାୟଣନ୍ ଏକ ବଡ଼ ଅପଡେଟ୍ ଦେଇ କହିଛନ୍ତି ଯେ, ମିଶନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଏବେ ଇଞ୍ଜିନ ଟେଷ୍ଟ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ପ୍ରଥମ ମାନବବିହୀନ ଉଡ଼ାଣର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।

୯୦% ଥ୍ରଷ୍ଟ ଲୋଡ୍ ହାସଲ
ସୂଚନା ଅନୁଯାୟୀ, ନିକଟରେ ଗଗନଯାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ ଥ୍ରଷ୍ଟ ଚାମ୍ବରକୁ ବାଦ୍ ଦେଇ ପ୍ରାୟ ୯୦% ଥ୍ରଷ୍ଟ ଲୋଡ୍ ସଫଳତାର ସହ ହାସଲ କରାଯାଇଛି। ଭି. ନାରାୟଣନ୍ ଏହାକୁ ଏକ ବଡ଼ ସଫଳତା ଏବଂ ମିଶନର ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି। ଏହାପରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଇଞ୍ଜିନ୍ ପରୀକ୍ଷା କରାଯିବ। ଏହାସହ ଅଭିଯାନ ପାଇଁ ସାଟେଲାଇଟ୍ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି।
ମହାକାଶଚାରୀଙ୍କ ସୁରକ୍ଷା ପାଇଁ ‘ହ୍ୟୁମାନ ରେଟିଂ’
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଗଗନଯାନ ଏକ ଅତ୍ୟନ୍ତ ଜଟିଳ ଏବଂ ଉଚ୍ଚ ପ୍ରଯୁକ୍ତିସମ୍ପନ୍ନ ମିଶନ। ତେଣୁ ଏଥିରେ ବ୍ୟବହାର କରାଯାଉଥିବା ଲଞ୍ଚ ରକେଟ୍ କୁ ‘ହ୍ୟୁମାନ ରେଟିଂ’ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଛି। ଏହି ପ୍ରକ୍ରିୟା ଦ୍ୱାରା ମହାକାଶଚାରୀମାନଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ପଠାଇବା ଏବଂ ପୁଣି ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବା ନିଶ୍ଚିତ କରାଯାଏ।

୩ଟି ମାନବବିହୀନ ମିଶନ ପରେ ଯିବେ ମଣିଷ
ବାସ୍ତବରେ ମଣିଷ ବା ମହାକାଶଚାରୀମାନଙ୍କୁ ମହାକାଶକୁ ପଠାଇବା ପୂର୍ବରୁ ଇସ୍ରୋ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ କରିବାକୁ ଚାହୁଁଛି। ଏଥିପାଇଁ ପ୍ରଥମେ ୩ଟି ମାନବବିହୀନ ମିଶନ ପରିଚାଳନା କରାଯିବ। ବର୍ତ୍ତମାନ ଏହି କ୍ରମରେ ପ୍ରଥମ ମାନବବିହୀନ ମିଶନର ଲଞ୍ଚିଂ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି ଏବଂ ଏହାର ଚୂଡ଼ାନ୍ତ ତାରିଖ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ ବୋଲି ସୂଚନା ମିଳିଛି।


