ଉତ୍ତରାଖଣ୍ଡର ହାଲଦ୍ୱାନୀର ରେନୁ ଧରିୱାଲ ଏବେ ସାରା ଦେଶରେ ଚର୍ଚ୍ଚାରେ। କାରଣ ତାଙ୍କର ଅସାଧାରଣ ଲମ୍ବା କେଶ ପାଇଁ ତାଙ୍କ ନାଁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି।
ରେନୁଙ୍କ କେଶର ଲମ୍ବ ୨୭୧.୫୦ସେଣ୍ଟିମିଟର, ଅର୍ଥାତ୍ ପ୍ରାୟ ୮ ଫୁଟ୍ ୧୦ ଇଞ୍ଚ। ଏହି ଲମ୍ବ ଜଣେ ସାଧାରଣ ମଣିଷର ଉଚ୍ଚତାଠାରୁ ମଧ୍ୟ ଅଧିକ। ଏହି ରେକର୍ଡ଼ ପରେ ଲୋକେ ତାଙ୍କୁ ପ୍ରସିଦ୍ଧ କାର୍ଟୁନ୍ ଚରିତ୍ର ‘ରାପୁଞ୍ଜେଲ୍’ ସହ ତୁଳନା କରୁଛନ୍ତି।

ରେନୁଙ୍କ କହିବାନୁସାରେ, ସେ ୨୦୧୫ରୁ କେଶର ବିଶେଷ ଯତ୍ନ ନେବା ଆରମ୍ଭ କରିଥିଲେ। କିନ୍ତୁ ଏତେ ଲମ୍ବା କେଶର ଯତ୍ନ ନେବା ସହଜ ନୁହେଁ। କେଶ ଧୋଇବା, ଶୁଖାଇବା ଏବଂ ଜଟ ଛଡ଼ାଇବାରେ ତାଙ୍କୁ ଅନେକ ଘଣ୍ଟା ସମୟ ଲାଗିଥାଏ ।
ରେନୁ ଦାବି କରିଛନ୍ତି ଯେ, ସେ କେଶର ଯତ୍ନ ପାଇଁ ପ୍ରାକୃତିକ ପଦ୍ଧତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ କେମିକାଲ୍ଠାରୁ ଦୂରେଇ ରୁହନ୍ତି। ଏପରିକି କେଶ ପାଇଁ ବ୍ୟବହାର କରୁଥିବା ଶାମ୍ପୁ ଓ ତେଲ ମଧ୍ୟ ଘରେ ପ୍ରସ୍ତୁତ କରୁଥାନ୍ତି ।
ରେନୁଙ୍କ କେଶର ଲମ୍ବ ମାପିବା ପରେ ସେ ପୂର୍ବତନ ରେକର୍ଡ଼ଧାରୀ ୟୁକ୍ରେନ୍ର ଆଲିଆ ନାସ୍ରୋଭାଙ୍କୁ ପଛରେ ପକାଇଛନ୍ତି। ଆଲିଆଙ୍କ କେଶର ଲମ୍ବ ପ୍ରାୟ ୮ ଫୁଟ୍ ୫.୩ ଇଞ୍ଚ ଥିଲା। ରେନୁଙ୍କ କେଶର ମାପ ଏପ୍ରିଲ୍ରେ ନିଆଯାଇଥିବା ରିପୋର୍ଟରେ କୁହାଯାଇଛି।
ରେନୁ ଏବେ କେବଳ ଗିନିଜ୍ ରେକର୍ଡ ପାଇଁ ନୁହେଁ, ବରଂ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ସେ ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମ୍ରେ କେଶକୁ କିପରି ଲମ୍ବା ଓ ସୁସ୍ଥ ରଖିବେ, ତାହାର ଟିପ୍ସ ମଧ୍ୟ ଦେଉଛନ୍ତି।
ରେନୁଙ୍କ ଏହି ସଫଳତା ପଛରେ ରହିଛି ପ୍ରାୟ ଏକ ଦଶନ୍ଧିର ଧୈର୍ଯ୍ୟ, ନିୟମିତ ଯତ୍ନ ଏବଂ ନିଷ୍ଠା। ତାଙ୍କ କାହାଣୀ ଦେଖାଉଛି ଯେ ଏକ ବିଶେଷ ଲକ୍ଷ୍ୟ ନେଇ ଦୀର୍ଘ ସମୟ ଧରି ନିୟମିତ ପରିଶ୍ରମ କଲେ ଅସାଧାରଣ ଫଳ ମିଳିପାରେ।
ALSO READ:https://purvapaksa.com/tharoor-questions-congress/
ଥରୁର କହିଲେ ଆମେ Gen Zଙ୍କୁ ବୁଝିପାରିଲୁ ନାହିଁ || Tharoor Questions Congress


