ଲୋକତନ୍ତ୍ରରେ ପୋଲିସ କେବଳ ଆଇନ ରକ୍ଷାକାରୀ ସଂସ୍ଥା ନୁହେଁ; ଏହା ରାଜ୍ୟର ନୀତିଗତ ମେରୁଦଣ୍ଡ। ଯେଉଁ ପୋଲିସ ଉପରେ ସାଧାରଣ ନାଗରିକ ନ୍ୟାୟ ଓ ସୁରକ୍ଷା ପାଇଁ ଭରସା କରନ୍ତି, ସେହି ପୋଲିସର ନିଯୁକ୍ତି ପ୍ରକ୍ରିୟା ଯଦି ଜାଲିଆତି, ଦଲାଲି ଓ ଶକ୍ତିଶାଳୀ ସଂଯୋଗର ଦାଗରେ ଦୂଷିତ ହୋଇଯାଏ, ତେବେ ସେ ଭରସା ଭାଙ୍ଗିପଡ଼େ। ଓଡ଼ିଶାର ପୋଲିସ ଏସ୍ଆଇ (Sub-Inspector) ନିଯୁକ୍ତି କେଲେଙ୍କାରୀ ଏମିତି ଏକ ଘଟଣା—ଯାହା କେବଳ ଏକ ପରୀକ୍ଷା ଜାଲିଆତି ନୁହେଁ ବରଂ ସମଗ୍ର ପୋଲିସ ବ୍ୟବସ୍ଥାର ନୀତିଗତ ସଙ୍କଟକୁ ସାମ୍ନାକୁ ଆଣିଛି।
ଏହି ମାମଲାରେ ତଦନ୍ତକାରୀ Central Bureau of Investigation (CBI) ସିବିଆଇ ହସ୍ତଗତ କରିଥିବା ଡିଜିଟାଲ ପ୍ରମାଣ ଓ ମୋବାଇଲ ତଥ୍ୟ ଯାହା ସୂଚିତ କରୁଛି, ତାହା ଅତ୍ୟନ୍ତ ଗମ୍ଭୀର। ୩୨ଟି ମୋବାଇଲ ଫୋନର ଡାଟା—ଯେଉଁଥିରେ ରହିଛି ୨୨ଜଣ ପରୀକ୍ଷାର୍ଥୀ ଓ ୧୦ଟି ମୋବାଇଲ ଦଲାଲମାନଙ୍କ ଡାଟା । ଏହା ତଦନ୍ତର ଦିଗକୁ ପୂରାପୂରି ଉଲଟାଇ ଦେଇଛି । ଏହି ଡାଟା ଏକ ରାକେଟ, ଏକ ସଂଗଠିତ ଅପରାଧ ଓ ଶକ୍ତିଶାଳୀ ସଂଯୋଗର ଚିତ୍ର ଆଙ୍କିଦେଉଛି ।

ମୋବାଇଲ ଡାଟା: ଅପରାଧର ନିରବ ସାକ୍ଷୀ
ଡିଜିଟାଲ ଯୁଗରେ ଅପରାଧ ଲୁଚିଥାଏ ମୋବାଇଲ ଭିତରେ—କଲ୍ ଡିଟେଲ୍ ରେକର୍ଡ (CDR), ହ୍ୱାଟ୍ସଆପ୍ ଚାର୍ଟ, ଫଟୋ, ଭଏସ୍ ନୋଟ୍, ଲୋକେସନ ଡାଟା। ସିବିଆଇକୁ ଦିଲ୍ଲୀର ଏକ ବେସରକାରୀ ଡିଜିଟାଲ ଫରେନ୍ସିକ୍ ସଂସ୍ଥା ଯେଉଁ ରିପୋର୍ଟ ଦେଇଛି, ସେଥିରେ ଯାହା ଉଲ୍ଲେଖ ଅଛି, ତାହା ତଦନ୍ତକାରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।
ରିପୋର୍ଟ ଅନୁଯାୟୀ, ରାକେଟର ମାଷ୍ଟରମାଇଣ୍ଡ୍ ଭାବେ ଚିହ୍ନଟ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଲ୍ୟାବ୍ର ସୁରେଶ ନାୟକ ଓ ମୁନା ମହାନ୍ତି—ଏହି ତିନିଜଣ ଦଲାଲ ନିୟମିତ ଭାବେ ୧୦ଜଣ ଭାରତୀୟ ପୋଲିସ ସେବା (IPS) ଅଫିସରଙ୍କ ସହ ସଂଯୋଗରେ ଥିଲେ। କଲ୍ ଓ ହ୍ୱାଟ୍ସଆପ୍ ଚାର୍ଟର ମାତ୍ରା ଏତେ ବେଶି ଥିଲା ଯେ, ଏହାକୁ ସାଧାରଣ “ପରିଚୟ” ବୋଲି ଖାରଜ କରିବା କଷ୍ଟକର। ସିବିଆଇ ଏହି ଯୋଗାଯୋଗର ବିଷୟବସ୍ତୁକୁ ଏବେ ଗୋପନ ରଖିଛି, କିନ୍ତୁ ତଦନ୍ତ ସହ ସଂପୃକ୍ତ ମହଲରେ ଚର୍ଚ୍ଚା—ଏହି ଫୋନ୍ କଲ୍ ଓ ଚାର୍ଟଗୁଡ଼ିକ କେବଳ ଶୁଭେଚ୍ଛା ବିନିମୟ ପାଇଁ ନଥିଲା।
ପ୍ରଶ୍ନପତ୍ର ପ୍ରଥମେ କାହା ପାଖକୁ?
ଏହି କେଲେଙ୍କାରୀର ସବୁଠୁ ଭୟାବହ ଦିଗ ହେଉଛି—ପ୍ରଶ୍ନପତ୍ର ପ୍ରଥମେ ଆଇପିଏସ୍ ଅଫିସରଙ୍କ ପାଖକୁ ଯାଇଥିଲା। ତଦନ୍ତରେ ଏମିତି ସୂଚନା ମିଳିଛି ଯେ, ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶ୍ନପତ୍ର ଦଲାଲମାନଙ୍କ ପାକକୁ ଆଗ ପଠାଯାଇଥିଲା, ପରୀକ୍ଷାର୍ଥୀଙ୍କୁ ବସ୍ରେ ଅନ୍ୟ ରାଜ୍ୟକୁ ନେଇ ଉତ୍ତର ଅଭ୍ୟାସ କରାଯାଇଥିଲା, ଏବଂ ପରୀକ୍ଷା ପୂର୍ବରୁ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଶ୍ନପତ୍ର ସେୟାର୍ ହୋଇଥିଲା। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କେବଳ ଜାଲିଆତି ନୁହେଁ—ଏହା ରାଜ୍ୟ ପୋଲିସ ପ୍ରଣାଳୀର ମୂଳକୁ କମ୍ପାଇ ଦେବା ପରି ଘଟଣା।

ହ୍ୱାଟ୍ସଆପ୍ ଗ୍ରୁପ୍: ଦଲାଲିର ଡିଜିଟାଲ କଣ୍ଟ୍ରୋଲ ରୁମ୍
ତଦନ୍ତରେ ଆଉ ଏକ ଚମତ୍କାର ତଥ୍ୟ ସାମ୍ନାକୁ ଆସିଛି। ଦଲାଲମାନେ ଏକାଧିକ ହ୍ୱାଟ୍ସଆପ୍ ଗ୍ରୁପ୍ରେ—
• କେତେ ପରୀକ୍ଷାର୍ଥୀ “ଯୋଗାଡ଼” ହେଲେ
• କାହାଠୁ କେତେ ଟଙ୍କା ଆସିଲା
• କେଉଁ ପରୀକ୍ଷାର୍ଥୀକୁ କେଉଁ ନିର୍ଦ୍ଦେଶ ଦିଆଯିବ
—ଏସବୁ ଆଲୋଚନା କରୁଥିଲେ। ପୋଲିସ ପ୍ରମାଣରୁ ବର୍ତ୍ତିବା ପାଇଁ ସିଧା କଲ୍ ପରିବର୍ତ୍ତେ ହ୍ୱାଟ୍ସଆପ୍ କଲ୍ ଓ ଚାର୍ଟ ବ୍ୟବହାର କରାଯାଉଥିଲା—ଏହା ରାକେଟର ପ୍ରଫେସନାଲ ଧାରାକୁ ସୂଚିତ କରେ।
ଗିରଫ ପୂର୍ବରୁ ଏହି ତିନି ଅଭିଯୁକ୍ତ ମୋବାଇଲରୁ ସମସ୍ତ ତଥ୍ୟ ଡିଲିଟ୍ କରିଦେଇଥିବା କଥା ମଧ୍ୟ ତଦନ୍ତରେ ଆସିଛି। କିନ୍ତୁ ଡିଜିଟାଲ ଫରେନ୍ସିକ୍ ଏକ କଠିନ ସତ୍ୟ କହେ—ଡିଲିଟ୍ କରାଯାଇଥିବା ଡାଟା ମଧ୍ୟ ଫେରିଆସିପାରେ।
୧୦ ଆଇପିଏସ୍ ଅଫିସର: ସନ୍ଦେହ ଓ ସମନ
ଅଭିଯୁକ୍ତଙ୍କ ମୋବାଇଲ ଫୋନରେ ସମ୍ପୃକ୍ତ ଆଇପିଏସ୍ ଅଫିସରଙ୍କ ଫଟୋ ମିଳିବା ସହ ସନ୍ଦେହ ଆହୁରି ଦୃଢ଼ ହୋଇଛି। ସିବିଆଇ ମହଲରୁ ସୂଚନା—୧୦ଜଣ ଆଇପିଏସ୍ ଅଫିସରଙ୍କ ଭୂମିକା ସ୍ପଷ୍ଟ ହେବା ପରେ ସେମାନଙ୍କୁ ସମନ କରାଯିବ। ଏଠି ପ୍ରଶ୍ନ ଉଠେ—ଯଦି ଆଇପିଏସ୍ ଭଳି ସଂବେଦନଶୀଳ ସେବାର ଅଧିକାରୀମାନେ ଏଭଳି ରାକେଟ ସହ ସଂଯୁକ୍ତ ଥାନ୍ତି, ତେବେ ନିମ୍ନସ୍ତରରେ ଆଇନ ମାନିବାର ନୈତିକ ଅଧିକାର କିପରି ରହିବ?
ଏସ୍ଏସ୍ଏସ୍ଏଲ୍ ଓ ତଦନ୍ତର ବିଳମ୍ବ
ଏହି ମାମଲାରେ ତଦନ୍ତର ଗତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଗିରଫ ୩ ଅଭିଯୁକ୍ତ, ଦଲାଲ ଓ ପରୀକ୍ଷାର୍ଥୀଙ୍କଠାରୁ ଜବତ ୧୩୩ଟି ମୋବାଇଲର ସିଡିଆର ଓ ଅନ୍ୟାନ୍ୟ ତଥ୍ୟ ଦେବାକୁ ରାଜ୍ୟ ଫୋରେନ୍ସିକ୍ ଲାବ୍ (SFSL) ମାନବ ସମ୍ବଳ ଅଭାବ ଦର୍ଶାଇ ବର୍ଷେ ସମୟ ମାଗିଥିଲା। ଡିଜିଟାଲ ପ୍ରମାଣ ତୁରନ୍ତ ଆବଶ୍ୟକ ହେଉଥିବାରୁ, କୋର୍ଟଙ୍କ ଅନୁମତି ପରେ ସିବିଆଇ ଏହି ମୋବାଇଲଗୁଡ଼ିକୁ ରାଜ୍ୟ ବାହାରର ଘରୋଇ ସଂସ୍ଥାକୁ ପଠାଇଥିଲା। ଏହା ରାଜ୍ୟର ଫରେନ୍ସିକ୍ ବ୍ୟବସ୍ଥାର ଦୁର୍ବଳତାକୁ ମଧ୍ୟ ପ୍ରକାଶ କରେ—ଯେଉଁଠି ଏତେ ବଡ଼ ମାମଲାରେ ବି ତୁରନ୍ତ ବୈଜ୍ଞାନିକ ସହାୟତା ମିଳିପାରୁନାହିଁ।
ଯୁବପିଢ଼ି ଓ ପ୍ରତିଯୋଗୀ ପରୀକ୍ଷାର ଭରସା
ଏସଆଇ ନିଯୁକ୍ତି ପରୀକ୍ଷା କେବଳ ଏକ ଚାକିରି ପରୀକ୍ଷା ନୁହେଁ; ଏହା ହଜାର ହଜାର ଯୁବକ-ଯୁବତୀଙ୍କ ସ୍ୱପ୍ନ ସହ ଜଡିତ। ଯେଉଁମାନେ ବର୍ଷରୁ ବର୍ଷ ପଢ଼ି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି, ସେମାନଙ୍କ ପାଇଁ ଏଭଳି ଜାଲିଆତି ଏକ ଭୟଙ୍କର ମାନସିକ ଆଘାତ। ଯଦି ପ୍ରଶ୍ନପତ୍ର ଟଙ୍କା ଦେଇ କିଣାଯାଇପାରେ, ତେବେ ମେରିଟ୍, ପରିଶ୍ରମ ଓ ଯୋଗ୍ୟତାର ମୂଲ୍ୟ କ’ଣ?
କଠୋର ତଦନ୍ତ, ନିର୍ଦ୍ଦୟ ନ୍ୟାୟ
ଏସଆଇ ନିଯୁକ୍ତି କେଳେଙ୍କାରୀ ଓଡ଼ିଶା ପୋଲିସ ପାଇଁ ଏକ ଅଗ୍ନିପରୀକ୍ଷା। ଏଠି ଆଧା ତଦନ୍ତ, ଆଧା ସତ୍ୟ ଚାଲିବ ନାହିଁ। ଯଦି ଆଇପିଏସ୍ ଅଫିସର ଦୋଷୀ ସାବିତ ହୁଅନ୍ତି, ତେବେ ସେମାନଙ୍କୁ ଆଇନର ସବୁଠୁ କଠୋର ଦଣ୍ଡ ମିଳିବା ଦରକାର—କାରଣ ସେମାନେ କେବଳ ଅପରାଧ କରିନାହାନ୍ତି, ଆଇନ ଉପରେ ଲୋକଙ୍କ ଭରସାକୁ ଭାଙ୍ଗିଛନ୍ତି।
ଲୋକତନ୍ତ୍ରରେ ପୋଲିସର ସ୍ୱଚ୍ଛତା ହେଉଛି ନ୍ୟାୟର ପ୍ରଥମ ସିଢ଼ି।
ଏହି ସିଢ଼ି ଯଦି ଦୁର୍ବଳ ହୋଇଯାଏ, ସମଗ୍ର ବ୍ୟବସ୍ଥା ଧ୍ୱସ୍ତ ହେବ।
ପ୍ରଶ୍ନ ଏକ—
ଓଡ଼ିଶା ଏହି ସତ୍ୟକୁ ସାମ୍ନା କରି ସଂସ୍କାର କରିବ, ନା ଏହାକୁ ଆଉ ଏକ ଫାଇଲ୍ରେ ବନ୍ଦ କରିଦେବ?
ଉତ୍ତର ଦେବାକୁ ପଡ଼ିବ—ଆଇନ, ଶାସନ ଓ ରାଜନୀତି—ତିନିଜଣଙ୍କୁ।
also read https://purvapaksa.com/entry-of-men-into-tribal-school-student-dormitories-is-strictly-prohibited/


