ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ଏହି ଚୁକ୍ତି ଅନୁସାରେ ସାଉଦି ଆରବ ଉପରେ ଆକ୍ରମଣକୁ ପାକିସ୍ତାନ ନିଜ ଉପରେ ଆକ୍ରମଣ ଭାବେ ନେବ । ସେହିଭଳି ଯଦି ପାକିସ୍ତାନ ଉପରେ କୌଣସି ଦେଶ ଆକ୍ରମଣ କରେ ତେବେ ସାଉଦି ଆରବ ଏହାକୁ ନିଜ ଉପରେ ଆକ୍ରମଣ ଭାବେ ବିବେଚନା କରିବ । ଯାହାର ଦୂରଗାମୀ ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି । ନିକଟରେ ଅପରେସନ୍ ସିନ୍ଦୂର କାଳରେ ସାଉଦି ଆରବ ,ଭାରତକୁ ସମର୍ଥନ କରିଥିଲା । କିନ୍ତୁ ଏହି ଚୁକ୍ତି ପରେ ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯିବ । କାରଣ ଭାରତ ଆଗକୁ ଯଦି କେବେ ଅପରେସନ୍ ସିନ୍ଦୂର ଭଳି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୋଧରେ ଗ୍ରହଣ କରେ ତେବେ ସେତେବେଳେ ସାଉଦି ଆରବର ଆଭିମୁଖ୍ୟ କ’ଣ ରହିବ ? ସାଉଦି ଆରବ କ’ଣ ଭାରତ ବିରୋଧରେ ପାକିସ୍ତାନକୁ ସାମରିକ ସହଯୋଗ କରିବ ? ଏହି ପ୍ରଶ୍ନର ଉତ୍ତର ଏତେ ସହଜ ନୁହେଁ । କାରଣ ସାଉଦି ଆରବକୁ ତା’ର ବାଣିଜ୍ୟ ହିତ ମଧ୍ୟ ଦେଖିବାକୁ ପଡ଼ିବ । କାରଣ ଭାରତ ସହିତ ସାଉଦି ଆରବର ବାଣିଜ୍ୟ ପାକିସ୍ତାନଠାରୁ ଅଧିକ ।

ଇଏ ତ’ ହେଉଛି ଗୋଟିଏ ହାଇପୋଥେଟିକାଲ କ୍ୱେଶ୍ଚିନ୍ । ଏମିତି ହେଲେ କ’ଣ ହେବ,କ’ଣ ହେବ ନାହିଁ । କିନ୍ତୁ ଏଇଠି ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯ,ଭାରତ କ’ଣ କୌଣସି ଦେଶ ସହିତ ଏଭଳି ପାରସ୍ପରିକ ସାମରିକ ଚୁକ୍ତି ସ୍ୱାକ୍ଷର କରିଛି କି ? ଆସନ୍ତୁ ଜାଣିବା ଏହାର ଉତ୍ତର…
ଭାରତ କେବେ କୌଣସି ଦେଶ ସହ ଏପରି ଚୁକ୍ତି କରିଛି କି?
ଭାରତ କେବେ କୌଣସି ଦେଶ ସହ ଏପରି ଚୁକ୍ତି କରିନାହିଁ, ଯଦିଓ ଏକ ଦୃଢ଼ ରଣନୈତିକ ସହଭାଗିତା ରଖିଛି। ସାଉଦି ଆରବ ସହ ପାକିସ୍ତାନର ନୂଆ ଚୁକ୍ତି ଭଳି ବୁଝାମଣା ଭାରତ କେବେ କାହା ସହିତ କରିନାହିଁ ,ଯେଉଁଥିରେ ‘ଗୋଟିଏ ଦେଶ ଉପରେ ଆକ୍ରମଣକୁ ଅନ୍ୟଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ’। ଏହାର ଏକ କାରଣ ହେଉଛି ଯେ ଭାରତ ଗୋଷ୍ଠୀନିରପେକ୍ଷ ନୀତିର ପାଳନ କରେ। ଏହା ଅନୁଯାୟୀ ଭାରତ କୌଣସି ସାମରିକ ଶକ୍ତି ଗୋଷ୍ଠୀରେ ଯୋଗ ଦେବାକୁ ଚାହେଁ ନାହିଁ ଏବଂ ସ୍ୱାଧୀନତା ସହ ଶାନ୍ତିପୂର୍ଣ୍ଣ ସହଅସ୍ତିତ୍ୱକୁ ପ୍ରୋତ୍ସାହନ ଦିଏ। ଶୀତଳ ଯୁଦ୍ଧ ସମୟରେ ମଧ୍ୟ ଭାରତ ଏହି ନୀତିର ପାଳନ କରିଥିଲା। ଯଦିଓ, ଭାରତ ଦୃଢ଼ ସୁରକ୍ଷା ଓ ରକ୍ଷା ଚୁକ୍ତି ମଧ୍ୟ କରିଛି, ବିଶେଷକରି ରୁଷ ସହ। ରୁଷ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା।
୧୯୭୧ର ଯୁଦ୍ଧ ଓ ସୋଭିଏତ ସହଯୋଗ

ଭାରତ ଓ ସୋଭିଏତ ସଂଘ ମଧ୍ୟରେ ୯ ଅଗଷ୍ଟ ୧୯୭୧ରେ ଶାନ୍ତି, ବନ୍ଧୁତ୍ୱ ଓ ସହଯୋଗର ସନ୍ଧିରେ ସ୍ୱାକ୍ଷର କରାଯାଇଥିଲା। ଯଦିଓ, ଏହା ନାଟୋ ଚୁକ୍ତି ପରି ନଥିଲା, କିନ୍ତୁ ଏଥିରେ ସ୍ପଷ୍ଟ ଭାବେ ସାମରିକ, କୂଟନୈତିକ ଓ ଅର୍ଥନୈତିକ ସାହାଯ୍ୟର ଗ୍ୟାରେଣ୍ଟି ଥିଲା। ଏହି ଚୁକ୍ତି ବହୁତ ଆବଶ୍ୟକ ଥିଲା କାରଣ ଯୁଦ୍ଧ ସମୟରେ ଆମେରିକା ଭାରତକୁ ଧମକ ଦେବାକୁ ଓ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ବଙ୍ଗୋପସାଗରରେ ପରମାଣୁ ବିମାନବାହୀ ଯୁଦ୍ଧ ଜାହଜ ୟୁଏସଏସ ଏଣ୍ଟରପ୍ରାଇଜ୍ ପଠାଇଥିଲା।
ଏହାର ଜବାବରେ ସୋଭିଏତ ସଂଘ ଏକ ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲା, ଯାହା ଦେଖି ଆମେରିକା ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହାର ଅର୍ଥ ହେଉଛି ଭାରତ ଉପରେ ଯେକୌଣସି ଆକ୍ରମଣ ସିଧାସଳଖ ଆମେରିକା-ସୋଭିଏତ ସଂଘର୍ଷର କାରଣ ହୋଇପାରୁଥିଲା। ତେଣୁ ଆମେରିକା ରିସ୍କ ନେଇନଥିଲା।
ଭାରତର ଅନ୍ୟ ରଣନୈତିକ ସହଯୋଗୀ
ରୁଷ ବ୍ୟତୀତ ଭାରତର ଅନ୍ୟ ଅନେକ ଦେଶ ସହ ମଧ୍ୟ ନିକଟ ରକ୍ଷା ସମ୍ପର୍କ ରହିଛି। କିନ୍ତୁ କୌଣସି ଦେଶ ସହିତ ନାଟୋ ଚୁକ୍ତି ଭଳି ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ। ଭୁଟାନ ଭାରତର ସବୁଠାରୁ ଦୃଢ଼ ସହଯୋଗୀଙ୍କ ମଧ୍ୟରୁ ଗୋଟିଏ, ଯିଏ ୨୦୧୭ରେ ଚୀନ ସହ ଡୋକଲାମ୍ ବିବାଦ ସମୟରେ ଭାରତକୁ ପୂରା ସହଯୋଗ ଦେଇଥିଲା। ଏହା ବ୍ୟତୀତ ଫ୍ରାନ୍ସ ମଧ୍ୟ ଭାରତର ଏକ ପ୍ରମୁଖ ରକ୍ଷା ସହଯୋଗୀ। ଏହା ସାମରିକ ଉପକରଣ ବିଷୟରେ ମଧ୍ୟ ଭାରତକୁ ବହୁତ ସାହାଯ୍ୟ କରେ।


