ମହିଳା ସଂରକ୍ଷଣ ବିଲ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। କିନ୍ତୁ ଏହି ଚର୍ଚ୍ଚା ଭିତରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଏକ ଲେଖା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ‘ଦ ହିନ୍ଦୁ’ ଖବରକାଗଜରେ ସେ ଏକ ଆର୍ଟିକିଲ୍ ଲେଖି କହିଛନ୍ତି ଯେ, ସରକାର ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାରେ ବହୁତ ଜଲଦି ବା ଶୀଘ୍ରତା କରୁଛନ୍ତି। ତାଙ୍କ ମତରେ ସରକାରଙ୍କୁ ସର୍ବଦଳୀୟ ବୈଠକ ଡାକିବା ଉଚିତ୍, ସର୍ବସାଧାରଣରେ ବିତର୍କ ପାଇଁ ସମୟ ଦେବା ଉଚିତ୍ ଏବଂ ତା’ପରେ ଯାଇ ବିଲ୍ ଆଣିବା ଉଚିତ୍।
କିନ୍ତୁ ପ୍ରଶ୍ନ ଉଠୁଛି, ଆଉ କେତେ ସମୟ ଦରକାର? ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଉ କେତେ ଦଶନ୍ଧିର ବିତର୍କ ଆବଶ୍ୟକ? ଯେଉଁ ସୋନିଆ ଗାନ୍ଧୀ ୨୦୨୩ରେ କହୁଥିଲେ ଯେ ବିଲ୍କୁ ତୁରନ୍ତ ଲାଗୁ କରାଯାଉ, ସେ ଆଜି କାହିଁକି କହୁଛନ୍ତି ଯେ ସରକାର ଜଲଦି କରୁଛନ୍ତି? ଆଜି ଆମେ ଏହି ରାଜନୈତିକ ଦୋମୁହାଁ ନୀତିର ପୋଷ୍ଟମର୍ଟମ କରିବା।
ଇତିହାସ ଉପରେ ନଜର ପକାଇବା। ସୋନିଆ ଗାନ୍ଧୀ ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ଏହି ବିଲ୍ ସଂସଦରେ ଉପସ୍ଥାପିତ ହୋଇସାରିଥିଲା। ୧୯୯୬ ମସିହାରେ ଏଚ୍.ଡି. ଦେବଗୌଡ଼ାଙ୍କ ସରକାର ପ୍ରଥମ କରି ଏହାକୁ ଲୋକସଭାରେ ଆଣିଥିଲେ। ଏହା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ମଧ୍ୟ ଚେଷ୍ଟା କରିଥିଲେ। ୨୦୦୮ ଏବଂ ୨୦୧୦ରେ ମଧ୍ୟ ଏହି ବିଲ୍ ଆସିଥିଲା, କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଏହାକୁ ଆଇନରେ ପରିଣତ କରିପାରିନଥିଲା।
ସୋନିଆ ଗାନ୍ଧୀ କହୁଛନ୍ତି ଯେ ଯେତେବେଳେ ରାଜୀବ ଗାନ୍ଧୀ ପଞ୍ଚାୟତ ସ୍ତରରେ ସଂରକ୍ଷଣ ଆଣିଥିଲେ, ସେତେବେଳେ ୫ ବର୍ଷ ଧରି ଆଲୋଚନା ହୋଇଥିଲା। କିନ୍ତୁ ବାସ୍ତବତା ହେଉଛି, ମହିଳା ସଂରକ୍ଷଣ ଉପରେ ବିତର୍କ ଆଜିର ନୁହେଁ। ୧୯୭୪ ମସିହାରେ ‘ଟୁୱାର୍ଡସ୍ ଇକ୍ୱିଟି’ (Towards Equity) ରିପୋର୍ଟରେ ପ୍ରଥମେ ମହିଳାଙ୍କ ରାଜନୈତିକ ସଂରକ୍ଷଣ କଥା କୁହାଯାଇଥିଲା। ଅର୍ଥାତ୍ ପ୍ରାୟ ୫୨ ବର୍ଷ ବା ଅଧା ଶତାବ୍ଦୀ ଧରି ଏହା ଉପରେ ଚର୍ଚ୍ଚା ଚାଲିଛି। ତଥାପି କଂଗ୍ରେସ କହୁଛି ଯେ ଏବେ ଜଲଦି କରାଯାଉଛି!
ରାଜନୈତିକ ଗଣିତ: ସୋନିଆ ଗାନ୍ଧୀ ନିଜ ଲେଖାରେ ଆଉ ଏକ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲ ନିର୍ବାଚନ ଚାଲୁଥିବାରୁ ସରକାର ରାଜନୈତିକ ଫାଇଦା ପାଇଁ ଏହା କରୁଛନ୍ତି। ତେବେ ପ୍ରଶ୍ନ ହେଉଛି, କେବେ ଆଣିଲେ ରାଜନୈତିକ ଫାଇଦା ମିଳିବ ନାହିଁ? ବେଙ୍ଗଲ ପରେ ୟୁପି ନିର୍ବାଚନ ଆସିବ, ତା’ପରେ ୨୦୨୯ ଲୋକସଭା ନିର୍ବାଚନ ଆସିବ। ତେବେ କଂଗ୍ରେସ କ’ଣ ଚାହୁଁଛି ଯେ ମହିଳାଙ୍କ ହକ୍ ଆହୁରି ୫୦ ବର୍ଷ ଅପେକ୍ଷା କରୁ?
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋନିଆଙ୍କ ବୈଶ୍ୱିକ ସଙ୍କଟର ଯୁକ୍ତି। ସେ କହୁଛନ୍ତି ଋଷ-ୟୁକ୍ରେନ ଯୁଦ୍ଧ କିମ୍ବା ଆମେରିକା-ଇରାନ ମଧ୍ୟରେ ଥିବା ତିକ୍ତତା ଭଳି ପରିସ୍ଥିତିରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ବିଲ୍ ଆଣୁଛନ୍ତି। ଜଣେ ବରିଷ୍ଠ ନେତ୍ରୀଙ୍କଠାରୁ ଏଭଳି ଯୁକ୍ତି କେତେ ପ୍ରାସଙ୍ଗିକ? ବିଶ୍ୱରେ ଯୁଦ୍ଧ ଚାଲିଥିବ ବୋଲି କ’ଣ ଭାରତରେ ମହିଳାଙ୍କୁ ସେମାନଙ୍କ ଅଧିକାର ଦିଆଯିବ ନାହିଁ?
ଏଠାରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସର ନିୟତରେ କେଉଁଠି ନା କେଉଁଠି ଖୋଟ୍ ଅଛି। ୨୦୨୩ରେ ସୋନିଆ ଗାନ୍ଧୀ କହୁଥିଲେ ବିଲ୍ ତୁରନ୍ତ ଲାଗୁ ହେଉ, ସେତେବେଳେ ସେ ଜାଣିଥିଲେ ଯେ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ (Delimitation) ବିନା ଏହା ତୁରନ୍ତ ସମ୍ଭବ ନୁହେଁ। କିନ୍ତୁ ଏବେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସୋନିଆ ଗାନ୍ଧୀ ‘ଜଲଦି’ ହେଉଛି ବୋଲି କହି ରୋଡ଼ା ଅଟକାଉଛନ୍ତି।
ସେ ମଧ୍ୟ ଜନଗଣନା ଏବଂ ସୀମା ନିର୍ଦ୍ଧାରଣକୁ ନେଇ ପ୍ରୋପାଗାଣ୍ଡା କରୁଥିବା ଅଭିଯୋଗ ହେଉଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଆବଶ୍ୟକ ସାମ୍ବିଧାନିକ ସଂଶୋଧନ କରାଯିବ। କିନ୍ତୁ କଂଗ୍ରେସର ଇକୋ-ସିଷ୍ଟମ ଏହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି।
ଦଶନ୍ଧି ଦଶନ୍ଧି ଧରି ସବୁ ରାଜନୈତିକ ଦଳ କହିଆସୁଛନ୍ତି ଯେ ସେମାନେ ମହିଳା ସଂରକ୍ଷଣ ସପକ୍ଷରେ ଅଛନ୍ତି। କିନ୍ତୁ ଯେତେବେଳେ ବି କାର୍ଯ୍ୟକାରୀ କରିବାର ସମୟ ଆସେ, ସେତେବେଳେ କେଉଁଠି ‘ଯଦି’ ତ କେଉଁଠି ‘କିନ୍ତୁ’ ଲଗାଇ ଏହାକୁ ଟାଳି ଦିଆଯାଏ। ପ୍ରଧାନମନ୍ତ୍ରୀ ମୋଦୀ ଏବେ ମହିଳା ସଂରକ୍ଷଣର ଜଣେ ଚାମ୍ପିଅନ୍ ଭାବେ ଉଭା ହୋଇଛନ୍ତି ଏବଂ ବିଲ୍ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି।
ସୋନିଆ ଗାନ୍ଧୀଙ୍କର ଏହି ବିରୋଧ କ’ଣ ବାସ୍ତବରେ ମହିଳାଙ୍କ ସ୍ୱାର୍ଥ ପାଇଁ ନା ଏହା କେବଳ ଏକ ରାଜନୈତିକ ଚାଲ୍? ୫୨ ବର୍ଷର ବିତର୍କ କ’ଣ କମ୍ ଥିଲା?
AlsoRead; https://purvapaksa.com/temple-of-education-or-a-school-of-sexual-arts/
ଶିକ୍ଷାର ମନ୍ଦିର ନା ଯୌନକଳଙ୍କର ପାଠଶାଳା? || Temple of education or a school of sexual arts?


