ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ଓ ରୁଷ ମଧ୍ୟରେ ସିଧାସଳଖ ଭୂପୃଷ୍ଠ ସଂଯୋଗ ସ୍ଥାପନ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାମ୍ନାକୁ ଆସିଛି। ଭାରତ ଓ ରୁଷକୁ ରେଳପଥ ଦ୍ୱାରା ଯୋଡ଼ିବା ସହ ହିନ୍ଦ ମହାସାଗର ପର୍ଯ୍ୟନ୍ତ ଏକ ସିଧାସଳଖ ରେଳ କରିଡୋର ନିର୍ମାଣ କରିବାର ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ମସ୍କୋ ପ୍ରସ୍ତାବ ଦେଇଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାତ୍ ଖୁସନୁଲିନ୍ ଏହି ବଡ଼ ପ୍ରସ୍ତାବ ଆଗତ କରିଛନ୍ତି। ସାମୁଦ୍ରିକ ଜଳପଥ ଉପରେ ନିର୍ଭରଶୀଳତା କମାଇବା ଏବଂ ସୁରକ୍ଷିତ ବାଣିଜ୍ୟିକ ମାର୍ଗ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
![]()
ସାମୁଦ୍ରିକ ସଙ୍କଟ ଓ ମସ୍କୋର ନୂଆ ଆଭିମୁଖ୍ୟ
ରୁଷିଆନ୍ ନ୍ୟୁଜ୍ ଏଜେନ୍ସି ‘TASS’ କୁ ଦେଇଥିବା ଏକ ସାକ୍ଷାତକାରରେ ରୁଷର ଉପପ୍ରଧାନମନ୍ତ୍ରୀ ମରାତ୍ ଖୁସନୁଲିନ୍ କହିଛନ୍ତି ଯେ, ସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରମୁଖ ସାମୁଦ୍ରିକ ଜଳପଥଗୁଡ଼ିକ ଉପରେ ବିପଦ ବୃଦ୍ଧି ପାଉଛି। ବିଶେଷ କରି ବୋସଫୋରସ୍ ଏବଂ ହରମୁଜ୍ ରୁ ମଧ୍ୟ ଦେଇ ଯାଉଥିବା ଜାହାଜ ଚଳାଚଳରେ ବିଭିନ୍ନ ପ୍ରତିବନ୍ଧକ ଓ ସଙ୍କଟ ଦେଖାଦେଉଛି।
ସୂଚନା ଅନୁଯାୟୀ , ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ହେତୁ ହୋରମୁଜ୍ ଜଳଡମରୁମଧ୍ୟ ଦେଇ ବିଶ୍ୱ ବାଣିଜ୍ୟ ବାଧାପ୍ରାପ୍ତ ହୋଇଛି, ଯାହା ବିଶ୍ୱ ତେଲ ଓ ନିତ୍ୟପ୍ରଯୋଜନୀୟ ସାମଗ୍ରୀ ପରିବହନ ପାଇଁ ଅତ୍ୟନ୍ତ ସଂବେଦନଶୀଳ। ଏହି ସାମୁଦ୍ରିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ରୁଷ ଏବେ ବିକଳ୍ପ ଭୂପୃଷ୍ଠ ପରିବହନ ମାର୍ଗ ଖୋଜୁଛି।
କେଉଁ ଦେଶ ଦେଇ ଯିବ ଏହି ପ୍ରସ୍ତାବିତ ରେଳପଥ ?
)
ରୁଷ ଉପପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ରୁଷରୁ ବାହାରି ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ଭାରତ ପର୍ଯ୍ୟନ୍ତ ଏହି ରେଳ ଲିଙ୍କ୍ ବିସ୍ତାର କରାଯାଇପାରେ। ହିନ୍ଦ ମହାସାଗର ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ଏବଂ ଭାରତ ସହ ଯୋଡ଼ୁଥିବା ଯେକୌଣସି ବିକଳ୍ପ ଭୂପୃଷ୍ଠ ମାର୍ଗ ରୁଷ ପାଇଁ ଗ୍ରହଣୀୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଯଦି ଏହି ରେଳ କରିଡୋର ସାକାର ହୁଏ, ତେବେ ରୁଷ ସାମୁଦ୍ରିକ ଜଳପଥ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ହିନ୍ଦ ମହାସାଗର ଅଞ୍ଚଳରେ ନିଜର ସାମଗ୍ରୀ ଓ ବାଣିଜ୍ୟିକ କାରବାର ସହଜରେ କରିପାରିବ। ଏହା ଦ୍ୱାରା ମଧ୍ୟ ଏବଂ ଦକ୍ଷିଣ ଏସିଆ ସହ ରୁଷର ଆଞ୍ଚଳିକ ଓ ଭୂପୃଷ୍ଠ କନେକ୍ଟିଭିଟି ଅଧିକ ମଜବୁତ ହୋଇପାରିବ।
ଭାରତ ପାଇଁ ଏହି ପ୍ରସ୍ତାବର ଗୁରୁତ୍ୱ ଓ ଆହ୍ୱାନ
ଭାରତ ପାଇଁ ମଧ୍ୟ ଏହି ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଏହା ଦ୍ୱାରା ଭାରତ-ରୁଷ ମଧ୍ୟରେ ସିଧାସଳଖ ବାଣିଜ୍ୟିକ କାରବାର ତ୍ୱରାନ୍ୱିତ ହେବା ସହ ମଧ୍ୟ ଏସିଆର ଦେଶଗୁଡ଼ିକ ସହ ଯୋଗାଯୋଗର ନୂଆ ଦ୍ୱାର ଖୋଲିବ। ଭବିଷ୍ୟତରେ ଏହା ଦ୍ୱାରା ଜନସାଧାରଣଙ୍କ ଗମନାଗମନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।
ତେବେ ଏହି ଯୋଜନାଟି ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଭାରତ ଓ ରୁଷକୁ ଯୋଡ଼ିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ରେଳ ମାର୍ଗ, ଯାତ୍ରୀବାହୀ ଟ୍ରେନ୍ ସେବା କିମ୍ବା ତାରିଖ ନିର୍ଦ୍ଧାରଣ କରାଯାଇ ନାହିଁ।
ଏହି ପ୍ରସ୍ତାବିତ ମାର୍ଗରେ ଅନେକ ଦେଶ ସାମିଲ ଥିବାରୁ ଏହା ସାମ୍ନାରେ ବହୁ ଆହ୍ୱାନ ରହିଛି। ବିଶେଷ କରି ସୀମାପାର ନିରାପତ୍ତା, ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ପରିବହନର ସୁରକ୍ଷା, ଭିତ୍ତିଭୂମି ନିର୍ମାଣ ଏବଂ ବିଭିନ୍ନ ଦେଶ ମଧ୍ୟରେ କୂଟନୈତିକ ସମନ୍ୱୟ ରକ୍ଷା କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏସବୁ ସତ୍ତ୍ୱେ, ବିଶ୍ୱ ବାଣିଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ମସ୍କୋର ଏହି ପ୍ରସ୍ତାବ ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।


