ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ନାଟକ ଆରମ୍ଭ ହୋଇଛି! ଆପଣମାନେ ଓଡ଼ିଶାର ପାରମ୍ପରିକ ଯାତ୍ରା କଳା, ବିଶେଷ କରି ଖୋଲା ମଞ୍ଚରେ ହେଉଥିବା “ଡବଲ୍ ପେଣ୍ଡାଲ୍” ନାଟକ ସମ୍ପର୍କରେ ନିଶ୍ଚୟ ଜାଣିଥିବେ। ୧୯୮୦ ଦଶକରେ ଗୋଟିଏ ପଟେ ମଞ୍ଚ, ଆଉ ଗୋଟିଏ ପଟେ ଆଉ ଏକ ପେଣ୍ଡାଲ୍— ଦୁଇଟି ମଞ୍ଚକୁ ମିଶାଇ କରାଯାଉଥିବା ଏହି ଅଭିନୟ ଯାତ୍ରା ଜଗତରେ ଏକ ବିପ୍ଳବ ଆଣିଥିଲା।
କିନ୍ତୁ ଆଜି ଆମେ କୌଣସି ପୌରାଣିକ କିମ୍ବା ସାମାଜିକ ଯାତ୍ରା କଥା କହୁନାହୁଁ। ଆଜି ଆମର ଚର୍ଚ୍ଚାର ବିଷୟ ହେଉଛି— ଆମ ରାଜ୍ୟର ମୁଖ୍ୟ ବିରୋଧୀ ଦଳ, ଅର୍ଥାତ୍ ବିଜୁ ଜନତା ଦଳ ବା ବିଜେଡିର ସେହି ସମାନ “ଡବଲ୍ ପେଣ୍ଡାଲ୍” ରାଜନୈତିକ ନାଟକ! କିପରି ଏହି ନାଟକର ଲେଖକ, ନିର୍ଦ୍ଦେଶକ ଏବଂ କଳାକାରମାନେ ବିଧାନସଭା ଭିତରେ ଏବଂ ରାଜରାସ୍ତାରେ ଏକ ସମୟରେ ଭିନ୍ନ ଭିନ୍ନ ଅଭିନୟ କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଛନ୍ତି।
ଇତିହାସରୁ ବର୍ତ୍ତମାନ: “ଜନତା ଗଣନାଟ୍ୟ”ରୁ ବିଜେଡିର “ଡବଲ୍ ପେଣ୍ଡାଲ୍”
ଆମ ରାଜ୍ୟରେ ଅଶୀ ଦଶକରେ ଏହି “ଡବଲ୍ ପେଣ୍ଡାଲ୍” ବ୍ୟବସ୍ଥା ନ ଥିଲା। ଓଡ଼ିଶାର ଯାତ୍ରା ଜଗତରେ ଯେତେବେଳେ ଏହି ବିପ୍ଳବ ଆସିଲା, ସେତେବେଳେ ପ୍ରସିଦ୍ଧ ଯାତ୍ରା ଦଳ ‘ଜନତା ଗଣନାଟ୍ୟ’କୁ ଏହାର ବ୍ୟାପକ ଶ୍ରେୟ ଦିଆଯାଏ। ସେତେବେଳର ‘ଯାତ୍ରା ସମ୍ରାଟ’ ବସନ୍ତ ମହାନ୍ତିଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ନେତୃତ୍ୱ ଓ ସୃଜନଶୀଳ ପରିଚାଳନାରେ, ଏହି ବ୍ୟବସ୍ଥା ଦୁଇଟି ସ୍ୱତନ୍ତ୍ର ମଞ୍ଚ ବା ପେଣ୍ଡାଲକୁ ସଂଯୁକ୍ତ କରି ପାରମ୍ପରିକ ଖୋଲା ମଞ୍ଚ ନାଟକର ସଜ୍ଜାକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିଦେଇଥିଲା। ଗୋଟିଏ ପେଣ୍ଡାଲରେ ଗୋଟିଏ ଦୃଶ୍ୟ ଚାଲିଥିବାବେଳେ ଅନ୍ୟ ପେଣ୍ଡାଲରେ ଆଉ ଏକ ଦୃଶ୍ୟର ପ୍ରସ୍ତୁତି ଚାଲୁ ରହୁଥିଲା। ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ।
ଠିକ୍ ସେହି ଢାଞ୍ଚାରେ, ଆଜି ଆମ ରାଜ୍ୟର ସଫଳ ଆଞ୍ଚଳିକ ରାଜନୈତିକ ଦଳ— ବିଜୁ ଜନତା ଦଳ ବା ବିଜେଡି ଠିକ୍ ସେହିଭଳି ଏକ ଡବଲ ପେଣ୍ଡାଲ ରାଜନୈତିକ ନାଟକ ଆରମ୍ଭ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନାଟକର ସ୍କ୍ରିପ୍ଟ ବା କାହାଣୀ କିଏ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା କିଏ ଦେଉଛନ୍ତି, ତାହା ବର୍ତ୍ତମାନ ରାଜ୍ୟର ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଏହି ନାଟକକୁ ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଲେଖିଥିବାବେଳେ, ଏହାକୁ ତାଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ନିର୍ଦ୍ଦେଶନା ଦେଉଛନ୍ତି! ବାସ୍, ଏଠାରୁ ଆରମ୍ଭ ହେଉଛି ଏବର ରାଜନୈତିକ ମଞ୍ଚର ପ୍ରକୃତ ଖେଳ।
ବିଜେଡିର ଭିତର ପେଣ୍ଡାଲ୍: ବିଧାନସଭା ଭିତରେ ନାଟକ ଏବଂ ହଟ୍ଟଗୋଳ
ଏବେ ଦେଖିବା ଏହି ଡବଲ୍ ପେଣ୍ଡାଲ୍ ନାଟକର ଭିତର ଦୃଶ୍ୟ, ଅର୍ଥାତ୍ ଆମର ବିଧାନସଭା ଭିତରେ କ’ଣ ସବୁ ଚାଲିଛି। ଏହି ନାଟକର ବିଭିନ୍ନ ଚରିତ୍ରରେ କିଏ କିଏ ଅଛନ୍ତି?
- ନାଟକର ମୁଖ୍ୟ ଭୂମିକାରେ ଅଛନ୍ତି ବିଜେଡି ସଭାପତି ତଥା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
- ତାଙ୍କ ସହିତ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଏବଂ ଅରୁଣ ସାହୁ ପ୍ରମୁଖ ପ୍ରମୁଖ ଭୂମିକାରେ ଅଛନ୍ତି।
- ଆଉ ବାକି ଅନ୍ୟ ବିଧାୟକମାନେ? ସେମାନେ ହେଉଛନ୍ତି ନେପଥ୍ୟର କୋଳାହଳ ସୃଷ୍ଟିକାରୀ!
ଘଟଣାଟି କ’ଣ? ଗତକାଲି ଅର୍ଥାତ୍ ବୁଧବାର ଦିନ, ଏହି ନାଟକର ପ୍ରକୃତ ନିର୍ଦ୍ଦେଶକ ସାଜିଥିବା ବିଜେଡିର ଅସାଧାରଣ ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ସାମାଜିକ ଗଣମାଧ୍ୟମରେ ଏମଏମଡିଆର ସଂଶୋଧନ ଆଇନକୁ ନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ। ସେ କିପରି ବିଧାନସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିହେବ, ତାହାର ପୂର୍ଣ୍ଣ ରୂପରେଖ ସଂକେତ ମାଧ୍ୟମରେ ଜଣାଇ ଦେଇଥିଲେ।
ବାସ୍, ଆଉ କ’ଣ ଦରକାର! ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ବିଜେଡି ବିଧାୟକମାନେ ତୁରନ୍ତ କାମରେ ଲାଗିଗଲେ। ବିଧାନସଭାକୁ ନିଜ ଇଚ୍ଛାମୁତାବକ ପ୍ରସଙ୍ଗ ଆଧାରରେ ଚଳାଇବା ପାଇଁ ସେମାନେ ଜିଦ୍ ଧରି ବସିଲେ ଏବଂ ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିଦେଲେ। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏମଏମଡିଆର ଆଇନ ସଂଶୋଧନ ସମୟରେ ବିଜେଡି ନିଜ ସରକାର ଅମଳର ଭୁଲ୍ ଏବଂ ନୀତିଗତ ବିଫଳତାକୁ ଲୁଚାଇବା ପାଇଁ ଏହି ବନ୍ଦ ନାଟକକୁ ଜାରି ରଖିଛି। ଏହି ନାଟକ ସମଗ୍ର ଅଧିବେଶନ କାଳରେ ଏହିପରି ଚାଲିବ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି। ଏହା ହେଉଛି ଆମର ଡବଲ୍ ପେଣ୍ଡାଲ୍ ନାଟକର ଭିତର ପେଣ୍ଡାଲ୍ ଅର୍ଥାତ୍ ବିଧାନସଭା ଭିତରର ଦୃଶ୍ୟ!
ବିଜେଡିର ବାହାର ପେଣ୍ଡାଲ୍: ରାଜରାସ୍ତାରେ ଯୁବ ଓ ଛାତ୍ର ସଂଗଠନର ଗର୍ଜନ ତର୍ଜନ
ବର୍ତ୍ତମାନ ଦେଖିବା ଏହି ଡବଲ୍ ପେଣ୍ଡାଲ୍ ନାଟକର ଦ୍ୱିତୀୟ ଅଂଶ, ଅର୍ଥାତ୍ ବାହାର ପେଣ୍ଡାଲ୍ କିମ୍ବା ଖୋଲା ମଞ୍ଚର ଦୃଶ୍ୟ!
ଗୋଟିଏ ପଟେ ବିଧାନସଭା ଭିତରେ ଯେତେବେଳେ ହଟ୍ଟଗୋଳ ଚାଲିଛି, ଅନ୍ୟପଟେ ବାହାର ପେଣ୍ଡାଲରେ ବିଜେଡିର ଯୁବ ଓ ଛାତ୍ର ସଂଗଠନର କଳାକାର ରୂପକ ନେତା ଏବଂ ନେତ୍ରୀମାନେ ରାଜରାସ୍ତାରେ ଓହ୍ଲାଇ ଆସିଛନ୍ତି। ସେମାନଙ୍କର ପ୍ରସଙ୍ଗ କ’ଣ? ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା କିଛି ଭୁଲକୁ ନେଇ ସେମାନେ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୋରଦାର ଗର୍ଜନ ତର୍ଜନ କରୁଛନ୍ତି।
କିନ୍ତୁ, ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଏବଂ ବିଡମ୍ବନା କ’ଣ ଜାଣିଛନ୍ତି? ଯେତେବେଳେ ଜୁନ୍ ମାସରେ ଏହି ପାଠ୍ୟପୁସ୍ତକର ଭୁଲ୍ ସାମ୍ନାକୁ ଆସିଥିଲା, ସେତେବେଳେ ବିଜେଡିର ଏହି ଯୁବଛାତ୍ର ସଂଗଠନ କେଉଁଠି ଥିଲା?
ସେତେବେଳେ ସେମାନେ କେବଳ ନାମକୁ ମାତ୍ର ଏକ ବିରୋଧ ପ୍ରଦର୍ଶନ କରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ, କାରଣ ସେତେବେଳେ ନିର୍ଦ୍ଦେଶିକାଙ୍କଠାରୁ କିଭଳି ନାଚିବାକୁ ହେବ ସେ ସମ୍ପର୍କରେ କିଛି ନିର୍ଦ୍ଦେଶ ଆସି ନ ଥିଲା!
ଆଜି, ଯେତେବେଳେ ବିଜେଡିର ମୁଖ୍ୟ ନିର୍ଦ୍ଦେଶକ ସୁଜାତା ରାଉତ କାର୍ତ୍ତିକେୟନଙ୍କ ନିର୍ଦ୍ଦେଶ ମିଳିଛି, ସେତେବେଳେ ଏହି ପିଲାମାନେ ଖୋଲା ପେଣ୍ଡାଲ ରୂପକ ରାଜରାସ୍ତାରେ ଗଳା ଫଟାଇ ଗର୍ଜନ ତର୍ଜନ କରୁଛନ୍ତି। ଯଦିଓ ଏହି ବାହାର ନାଟକଟି ଏବେ ଶେଷ ହୋଇଛି, କିନ୍ତୁ ଡବଲ ପେଣ୍ଡାଲର ଭିତର ପେଣ୍ଡାଲ ରୂପକ ବିଧାନସଭାରେ ଏହି ନାଟକ ଚଳିତ ମୌସୁମୀ ଅଧିବେଶନର ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ବେଶ୍ ଚର୍ଚ୍ଚା ହେଉଛି।
ବିଜେଡି ନେତାଙ୍କୁ ଜନସାଧାରଣଙ୍କ ପ୍ରଶ୍ନ
ତେଣୁ, ଏସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, ଓଡ଼ିଶାର ରାଜନୀତିରେ ଆଜି ବିଜେଡି ନେତାମାନେ ଜନସାଧାରଣଙ୍କ ପ୍ରକୃତ ସମସ୍ୟା, ଯେପରିକି ବେକାରୀ, ଦରବୃଦ୍ଧି ବା ବିକାଶମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ କେବଳ ଏପରି ନାଟକୀୟ ରାଜନୀତିରେ ମଜ୍ଜି ରହିଛନ୍ତି। ଗୋଟିଏ ପଟେ ବିଧାନସଭା ଭିତରେ ବନ୍ଦ ପେଣ୍ଡାଲର ହଟ୍ଟଗୋଳ ନାଟକ ଏବଂ ଅନ୍ୟପଟେ ରାଜରାସ୍ତାରେ ଖୋଲା ପେଣ୍ଡାଲର ବିରୋଧ ପ୍ରଦର୍ଶନ— ଏହି ଡବଲ୍ ପେଣ୍ଡାଲ୍ ରଣନୀତି କେବଳ ଦଳୀୟ ଅସନ୍ତୋଷ ଏବଂ ନେତୃତ୍ୱର ଦୋଷତ୍ରୁଟିକୁ ଲୁଚାଇବା ପାଇଁ ଏକ ଅଭିନବ ପ୍ରୟାସ ଛଡ଼ା ଆଉ କିଛି ନୁହେଁ।
ଓଡ଼ିଶାର ଜନସାଧାରଣ ସବୁକିଛି ଦେଖୁଛନ୍ତି ଏବଂ ବୁଝୁଛନ୍ତି ମଧ୍ୟ। ଏହି ନାଟକର ନାୟକ ଏବଂ ନିର୍ଦ୍ଦେଶକମାନେ ଯେତେ ପ୍ରକାରର ପେଣ୍ଡାଲ୍ ସଜ୍ଜା କଲେ ମଧ୍ୟ, ଜନସାଧାରଣ ଆଜି ସଚେତନ।


