ଓଡ଼ିଶା ରାଜନୀତିର ବିଜେପି ଶିବିରରେ ଏବେ ଏକ ଚିନ୍ତା ବଢ଼ିଛି। ଆଗକୁ ଆସୁଛି ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନକୁ ଜିତିବା ପାଇଁ ସବୁ ରାଜନୈତିକ ଦଳ ଏବେ ଠାରୁ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ବା ବିଜେପି ଏହାକୁ ଏକ ବଡ଼ ପ୍ରତିଷ୍ଠାର ଲଢ଼େଇ ଭାବେ ଗ୍ରହଣ କରିଛି।

ଦ୍ୱିତୀୟ ଥର ପାଇଁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେଇ ଆସିଥିବା କେନ୍ଦ୍ରୀୟ ନେତ୍ରୀ ଡି. ପୁରେନ୍ଦରଶ୍ୱରୀ ଓଡ଼ିଶା ଗସ୍ତ କରି ପଞ୍ଚାୟତ ନିର୍ବାଚନ ପାଇଁ ଏକ କଡ଼ା ସାଂଗଠନିକ ରୋଡମ୍ୟାପ୍ ପ୍ରସ୍ତୁତ କରିସାରିଛନ୍ତି। କିନ୍ତୁ ଏହି ରୋଡମ୍ୟାପ୍ ପଛରେ ରହିଛି ଏକ ବିରାଟ ଚ୍ୟାଲେଞ୍ଜ—ରାଜ୍ୟର ମହିଳା ଭୋଟ୍ ବ୍ୟାଙ୍କ। ଆମ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ସିଧାସଳଖ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିଛି। ଅର୍ଥାତ୍, ଯେଉଁ ଦଳ ମହିଳା ମତଦାତାଙ୍କୁ ନିଜ ଆଡ଼କୁ ଆଣିବାରେ ସଫଳ ହେବ, ସେହି ଦଳ ହିଁ ପଞ୍ଚାୟତ ମଇଦାନରେ ବିଜୟୀ ହେବ।
ସୁଭଦ୍ରା ଯୋଜନା ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସ୍ଥିତି: ଆଶା ବନାମ ବାସ୍ତବତା
ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ମହିଳାମାନଙ୍କ ପାଇଁ ଅନେକ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରେ ସବୁଠାରୁ ଆଗରେ ରହିଛି ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା। ରାଜ୍ୟର ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପର୍ଯ୍ୟଟନ ବିଭାଗ ସହିତ ଏହି ପ୍ରମୁଖ ‘ସୁଭଦ୍ରା’ ଯୋଜନାର ସିଧାସଳଖ ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ହାତରେ ନ୍ୟସ୍ତ କରାଯାଇଛି।
କିନ୍ତୁ ସମୟ ଗଡ଼ିବା ସହିତ ରାଜ୍ୟ ବିଜେପି ସଂଗଠନରେ ଏକ ବଡ଼ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି ହୋଇଛି। ଆଜି ସେହି ଉପମୁଖ୍ୟମନ୍ତ୍ରୀ ହିଁ ଧୀରେ ଧୀରେ ସାଧାରଣ ମହିଳାମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହାନ୍ତି। ଯାହାଫଳରେ ଦଳର ଶୀର୍ଷ ନେତୃତ୍ୱଙ୍କ ଚିନ୍ତା ବହୁଗୁଣରେ ବଢ଼ିଯାଇଛି। ବିଜେପିର ବରିଷ୍ଠ ନେତାମାନେ ଯେଉଁ ‘ସୁଭଦ୍ରା’ ଯୋଜନାକୁ ଦଳ ପାଇଁ ସବୁଠାରୁ ବଡ଼ ରାଜନୈତିକ ଲାଭଦାୟକ ଅସ୍ତ୍ର ବୋଲି ଭାବିଥିଲେ, ବାସ୍ତବ କ୍ଷେତ୍ରରେ ତାହାର ହିତାଧିକାରୀ ଚୟନରେ ହୋଇଥିବା ପ୍ରବଳ ଅବ୍ୟବସ୍ଥା ଏବେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଯୋଜନା ପାଇଁ ଆବେଦନ କରିଥିବା ବହୁ ପ୍ରକୃତ ହିତାଧିକାରୀ ନିରାଶ ହେଉଥିବାବେଳେ, ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଛି। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳଗୁଡ଼ିକରେ ଆଜି ମହିଳାମାନେ ସୁରକ୍ଷିତ ନଥିବା ଅଭିଯୋଗ ମଧ୍ୟ ଖୁବ୍ ଜୋରସୋରରେ ଉଠୁଛି। ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବରେ ଏହି ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠୁଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳୁନଥିବାରୁ, ତାଙ୍କର ଲୋକପ୍ରିୟତା ଓ ଗ୍ରହଣୀୟତା ଖୁବ୍ କ୍ଷୀପ୍ର ଗତିରେ ଖସିବାରେ ଲାଗିଛି। ଏଭଳି ପରିସ୍ଥିତିରେ ତାଙ୍କ ନେତୃତ୍ୱରେ ଦଳ କିପରି ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବ ସେ ନେଇ ଦଳର ରଣନୀତିକାରମାନଙ୍କ ଚିନ୍ତା ବଢ଼ିଯାଇଛି। କରଣ ଦଳ ଆଶା କରିଥିଲା ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତ୍ୱରେ ଦଳର ମହିଳା ସଂଗଠନ ଓ ସମର୍ଥନ ଭିତ୍ତିଭୂମି ଆଗକୁ ବଢ଼ିବ। କିନ୍ତୁ ପ୍ରକୃତ ପକ୍ଷରେ ସଂଗଠନ ଓ ସମର୍ଥନ ଭିତ୍ତିଭୂମି ଆଗକୁ ବଢ଼ିବା ପରିବର୍ତ୍ତେ ଏବେ ଓଲଟା ଗତି କରୁଛି।
ମହିଳା ମୋର୍ଚ୍ଚାର ନୈରାଶ୍ୟଜନକ ଭୂମିକା ଏବଂ ନେତୃତ୍ୱ ଶୂନ୍ୟତା
ଯଦି ଆମେ ଦଳର ଆଭ୍ୟନ୍ତରୀଣ ସଂଗଠନକୁ ଦେଖିବା, ତେବେ ବିଜେପିର ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟିତ୍ୱରେ ଥିବା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟର ସାଧାରଣ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳର ମହିଳାମାନେ ତ ଦୂରର କଥା, ଅନେକ ଦଳୀୟ କର୍ମୀ ମଧ୍ୟ ତାଙ୍କ ନାଁ ଠିକ୍ ଭାବେ ଜାଣିନାହାନ୍ତି। ବିଜେପିର ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ମହିଳା ସଂଗଠନକୁ ଏତେ ନିଷ୍କ୍ରିୟ ଅବସ୍ଥାରେ କେବେବି ଦେଖିବାକୁ ମିଳିନଥିଲା।
ଆଜି ଯେତେବେଳେ ରାଜ୍ୟରେ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ଦଳ ମହିଳା ପ୍ରସଙ୍ଗ, ଆଇନଶୃଙ୍ଖଳା ଏବଂ ଅପରାଧକୁ ନେଇ ଶାସକ ଦଳକୁ କାଠଗଡ଼ାରେ ଠିଆ କରୁଛନ୍ତି, ଠିକ୍ ସେହି ସମୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କର ଗୋଟିଏ ହେଲେ ଦୃଢ଼ ବକ୍ତବ୍ୟ କିମ୍ବା ପ୍ରତିବାଦ ଦେଖିବାକୁ ମିଳେ ନାହିଁ। ବିରୋଧୀଙ୍କ ସାମ୍ନାରେ ଛାତି ଚିରି ଲଢ଼େଇ କରିବା ତ ବହୁ ଦୂରର କଥା, ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାରେ ମଧ୍ୟ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଭଳି ଜଣେ ପ୍ରଭାବହୀନ ନେତ୍ରୀଙ୍କ ହାତରେ ମହିଳା ମୋର୍ଚ୍ଚା ଦାୟିତ୍ୱ ରହିବା କାରଣରୁ ତୃଣମୂଳ ସ୍ତରରେ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ଯାହାକି ଦଳୀୟ ନେତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ନିର୍ବଚନ ବେଳକୁ ଦଳରେ ମହିଳା ନେତ୍ରୀ ରହିବେ କି ନାହିଁ ତାହା ସନ୍ଦେହଜନକ ବୋଲି କୁହାଯାଉଛି।
ଜିଲ୍ଲା ଓ ସଂସଦୀୟ କ୍ଷେତ୍ରରେ ସୀମିତ ପ୍ରମୁଖ ମହିଳା ଚେହେରା: ସର୍ବଭାରତୀୟ ବା ସର୍ବରାଜ୍ୟ ସ୍ୱୀକୃତିର ଅଭାବ
ଓଡ଼ିଶା ରାଜନୀତିରେ ବିଜେପି ପାଖରେ କିଛି ନାମୀଦାମୀ ଏବଂ ପାଠୁଆ ମହିଳା ନେତ୍ରୀ ନାହାନ୍ତି କି? ନିଶ୍ଚୟ ଅଛନ୍ତି। କିନ୍ତୁ ସେମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି, ସେମାନଙ୍କର ପ୍ରଭାବ କେବଳ ନିଜ ନିଜର ନିର୍ବାଚନମଣ୍ଡଳୀ କିମ୍ବା ସୀମିତ କ୍ଷେତ୍ର ମଧ୍ୟରେ ଆବଦ୍ଧ ରହିଛି। ଆସନ୍ତୁ ଦେଖିବା:
• ଭୁବନେଶ୍ୱରର ଓଜନଦାର ସାଂସଦ ଅପରାଜିତା ଷଡ଼ଙ୍ଗୀ ହୁଅନ୍ତୁ,
• ଆସ୍କାର ସାଂସଦ ଅନୀତା ଶୁଭଦର୍ଶିନୀ ହୁଅନ୍ତୁ,
• ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତ୍ରୀ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ହୁଅନ୍ତୁ,
• କଳାହାଣ୍ଡି ସାଂସଦ ମାଳବିକା ଦେବୀ ହୁଅନ୍ତୁ,
• କିମ୍ବା ବିଧାୟିକା ସୀମାରାଣୀ ନାୟକ, ଉପାସନା ମହାପାତ୍ର ଏବଂ ସଞ୍ଜାଳୀ ମୁର୍ମୁଙ୍କ ପର୍ଯ୍ୟନ୍ତ—
ଏହି ସମସ୍ତ ନେତ୍ରୀ ନିଜ ନିଜ ସ୍ଥାନରେ ଦକ୍ଷ ହୋଇଥିଲେ ମଧ୍ୟ, ସେମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ସମଗ୍ର ଓଡ଼ିଶାର ମହିଳାମାନଙ୍କୁ ଏକାଠି କରିବାର କ୍ଷମତା ରଖୁଥିବା ସର୍ବସ୍ୱୀକୃତ ରାଜ୍ୟସ୍ତରୀୟ ନେତ୍ରୀ ଭାବେ ପରିଚିତ ନୁହଁନ୍ତି। ଏମାନେ ସମସ୍ତେ କେବଳ ନିଜ ନିଜ ନିର୍ବାଚନ କ୍ଷେତ୍ରର ବିକାଶ ଓ ସମସ୍ୟା ଭିତରେ ହିଁ ସୀମିତ ରହିଯାଇଛନ୍ତି। ଯାହାଫଳରେ ଏଭଳି ନେତ୍ରୀମାନେ ଦଳ ପାଇଁ ସମ୍ପତ୍ତି ହେବା ପରିବର୍ତ୍ତେ ଏବେ ବଡ଼ ବିପତ୍ତିରେ ପରିଣତ ହୋଇଛନ୍ତ।

ଯଦି ଦଳ ପାଇଁ କେହି ଜଣେ ଦୃଢ଼ ଭାବେ ବାହାରି ସମଗ୍ର ରାଜ୍ୟରେ ବିରୋଧୀଙ୍କୁ ମାତ୍ ଦେଇପାରିଥାନ୍ତେ, ସେ ହେଉଛନ୍ତି ସୁରମା ପାଢ଼ୀ। କିନ୍ତୁ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ରାଜ୍ୟ ବିଧାନସଭାର ବାଚସ୍ପତି ଭଳି ଏକ ସର୍ବୋଚ୍ଚ, ଗୌରବଶାଳୀ ଏବଂ ସମ୍ପୂର୍ଣ୍ଣ ନିରପେକ୍ଷ ପଦବୀରେ ଅବସ୍ଥାପିତ କରାଯାଇଛି। ବାଚସ୍ପତି ଆସନରେ ବସିଥିବା ବ୍ୟକ୍ତି ଦଳୀୟ ରାଜନୀତି କିମ୍ବା ନିର୍ବାଚନୀ ପ୍ରଚାରରୁ ଦୂରେଇ ରହିବାକୁ ବାଧ୍ୟ। ତେଣୁ ସେ ମଧ୍ୟ ଦଳ ପାଇଁ ମୈଦାନକୁ ଓହ୍ଲାଇ ପ୍ରଚାର କରିପାରିବେ ନାହିଁ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହ୍ୱାନ
ଏସବୁ ପରିସ୍ଥିତିକୁ ବିଚାରକୁ କଲେ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଗମ୍ଭୀର ନେତୃତ୍ୱ ଶୂନ୍ୟତା ବିଜେପିର ଶୀର୍ଷ ନେତୃବର୍ଗଙ୍କ ପାଇଁ ଏକ ପ୍ରକାର ମୁଣ୍ଡବିନ୍ଧା ପାଲଟିଛି। ଡି. ପୁରେନ୍ଦରଶ୍ୱରୀ ଯେତେ ସୁନ୍ଦର ରୋଡମ୍ୟାପ୍ ପ୍ରସ୍ତୁତ କଲେ ମଧ୍ୟ, ଯେତେବେଳେ ପର୍ଯ୍ୟନ୍ତ ମୈଦାନରେ ମହିଳାମାନଙ୍କୁ ଆଗେଇ ନେବା ପାଇଁ ଜଣେ କାର୍ଯ୍ୟକ୍ଷମ, ଜନପ୍ରିୟ ଏବଂ ଦୃଢ଼ ଇଚ୍ଛାଶକ୍ତିସମ୍ପନ୍ନ ମହିଳା ଚେହେରା ସାମ୍ନାକୁ ନଆସିଛି, ସେତେବେଳେ ପଞ୍ଚାୟତ ବୈତରଣୀ ପାର ହେବା ଦଳ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ।
also read
https://purvapaksa.com/bjds-affinity-for-congress-is-it-hidden-or-are-the-feet-showing/


