ରାଜ୍ୟରେ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଚାଲିଛି। ୨୦୨୪ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ଓଡ଼ିଶାରେ କ୍ଷମତାକୁ ଆସିଥିବା ବିଜେପି ଶିବିରରେ ଏବେ କିନ୍ତୁ କିଛିଟା ଆଭ୍ୟନ୍ତରୀଣ ଝଡ଼ର ଆଭାସ ମିଳୁଛି। ଏକଥାକୁ ପ୍ରଥମେ ଦଳର ନବ ନିଯୁକ୍ତ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ମଇ ମାସରେ ଓଡ଼ିଶା ଗସ୍ତ କାଳରେ କହିବା ସହିତ ରାଜ୍ୟର ନେତା ଓ ମନ୍ତ୍ରୀମାନଙ୍କୁ କହିବା ସହିତ ଚେତାବନୀ ଦେଇଥିଲେ। ଏହାପରେ ଏହି ପ୍ରସଙ୍ଗରେ ଏବେ ଦଳର ନେତାମାନଙ୍କୁ ନୂଆ ପ୍ରଭାରୀ ହୋଇଥିବା ଡି. ପୁରନ୍ଦେଶ୍ୱରୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ଓଡ଼ିଶା ବିଜେପିରେ ସତର୍କ ଘଣ୍ଟି! ନେତାମାନଙ୍କୁ ଦଳୀୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ କଡ଼ା ଚେତାବନୀ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି. ପୁରନ୍ଦେଶ୍ୱରୀ ଯେଉଁସବୁ କଥା କହିଛନ୍ତି, ତାହା କେବଳ ଦଳୀୟ କର୍ମୀଙ୍କ ପାଇଁ ନୁହେଁ, ବରଂ ଶାସନ କଳ ଏବଂ ସଂଗଠନ ମଧ୍ୟରେ ତାଳମେଳ ରକ୍ଷା କରିବା ପାଇଁ ଏକ ବଡ଼ ବାର୍ତ୍ତା। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏବେ ସରକାର ଓ ଦଳର କର୍ମୀ ଖାସ କରି ବୁଥ୍ ସ୍ତରର କର୍ମୀମାନଙ୍କ ମଧ୍ୟରେ ସମ୍ପର୍କ ତୁଟିଗଲାଣି। ଆମେ ଆଉ ବିରୋଧୀ ଦଳରେ ନାହୁଁ, ଆମେ ଏବେ ଶାସନରେ ଅଛୁ। ତେଣୁ ବିରୋଧୀ ଦଳରେ ଥିଲାବେଳେ ଯାହା ଇଚ୍ଛା ତାହା କହି ହେଉଥିଲା, କିନ୍ତୁ ଆଜି କ୍ଷମତାରେ ଥାଇ ସେଭଳି ବାଟବଣା ହେଲେ ଚଳିବ ନାହିଁ।
୨୦୨୯ ବିଜୟର ଲକ୍ଷ୍ୟ ଏବଂ ‘ତେରା-ମେରା’ ଭାବନା ପରିତ୍ୟାଗ
![]()
ଦର୍ଶକବନ୍ଧୁ, ଡି. ପୁରନ୍ଦେଶ୍ୱରୀ ଯେତେବେଳେ ରାଜ୍ୟ ଗସ୍ତରେ ଆସି ସାଂସଦ, ବିଧାୟକ, ପଦାଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି, ସେତେବେଳେ ତାଙ୍କ ସ୍ୱରରେ ଗୋଟିଏ କଥା ସ୍ପଷ୍ଟ ଥିଲା— “ଏକଜୁଟ୍ ହୁଅ, ନଚେତ୍ କୁପରିଣାମ ନିଶ୍ଚୟ ଭୋଗିବ।”
ତାଙ୍କ ବକ୍ତବ୍ୟରୁ ଗୋଟିଏ ବଡ଼ କଥା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ୨୦୨୪ରେ ଯେଉଁ ବିଜୟ ଆମେ ହାସଲ କରିଛୁ, ତାକୁ ଆମକୁ ଆଗାମୀ ୨୦୨୯ରେ ମଧ୍ୟ ବଜାୟ ରଖିବାକୁ ପଡ଼ିବ। ଆଉ ଏହା କେବଳ ସମ୍ଭବ ହୋଇପାରିବ ଯେତେବେଳେ ଆମେ ସମସ୍ତେ ମିଶି, ଗୋଟିଏ ପରିବାର ଏବଂ ଗୋଟିଏ ଲକ୍ଷ୍ୟ ନେଇ କାମ କରିବା। ଏହାର ଅର୍ଥ ହେଲା ବିଜେପି କ୍ଷମତାକୁ ଆସିବା ପରଠାରୁ ଏବେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପର ବିରୋଧରେ ଗୋଛି କଟାକଟିରେ ଲାଗିଛନ୍ତି। ଏଥିରୁ କ୍ଷାନ୍ତ ହେବାକୁ ଡି. ପୁରନ୍ଦେଶ୍ୱରୀ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ସେ ଖାସ୍ କରି ଗୁରୁତ୍ୱ ଦେଇ କହିଛନ୍ତି—
“ଏଠାରେ ମୁଖ୍ୟମନ୍ତ୍ରୀ ବସିଛନ୍ତି, ପ୍ରଦେଶ ସଭାପତି ବସିଛନ୍ତି କିମ୍ବା ଆମେ ସମସ୍ତେ ବସିଛୁ। ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଦେଶ ସଭାପତି ହେବା ପୂର୍ବରୁ ଆମେ ପ୍ରତ୍ୟେକେ ହେଉଛୁ ଭାରତୀୟ ଜନତା ପାର୍ଟିର ଜଣେ ସାଧାରଣ କର୍ମକର୍ତ୍ତା। ତେଣୁ ଆମ ଭିତରେ ‘ତେରା-ମେରା’ (ମୋର ଓ ତୋର) ଭାବନା ରହିବାଚିତ ନୁହେଁ।” ଯାହାକି ଏବେ ଦଳରେ ବହୁମାତ୍ରାରେ ଚାଲିଛି, ଯାହାକି ଆଗାମୀ ଦିନରେ ଦଳକୁ ବୁଡ଼ାଇ ଦେଇପାରେ। ଦଳର ନେତାମାନେ ସାମାନ୍ୟ କ୍ଷମତା ପାଇବା ପରେ ଏବେ ଏତେମାତ୍ରାରେ ଅଂହକରୀ ହୋଇପଡ଼ିଥିବାରୁ ଏହା ଦଳ ପାଇଁ କ୍ଷତିକାରକ ବୋଲି ବୋଲି ଡି. ପୁରନ୍ଦେଶ୍ୱରୀ ପରୋକ୍ଷରେ ଚେତାଇ ଦେଇଛନ୍ତି।
ଏହି କଥାରୁ ଆପଣ ଅନୁମାନ କରିପାରୁଥିବେ ଯେ ଦଳ ଭିତରେ କୌଣସି ନା କୌଣସି ସ୍ଥାନରେ କ୍ଷମତା ଓ ପଦପଦବୀକୁ ନେଇ କିଛିଟା ଅନ୍ତଃକଳହ ବା ଗୋଷ୍ଠୀବାଦ ରହିଛି, ଯାହାକୁ ହାଇକମାଣ୍ଡ୍ ବେଶ୍ ଭଲ ଭାବରେ ଅନୁଭବ କରିସାରିଛନ୍ତି। ନେତାମାନେ ଯଦି ନିଜର ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ଓ ଅଂହକାରକୁ ଛାଡ଼ି ସଂଗଠନକୁ ପ୍ରାଥମିକତା ନ ଦିଅନ୍ତି, ତେବେ ଆଗାମୀ ଦିନରେ ଏହା ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ପ୍ରଭାରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ବିରୋଧୀଙ୍କ ଆକ୍ରମଣ ଓ ଏସସିଇଆରଟି (SCERT) ପ୍ରସଙ୍ଗ
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବିଜେପି ସରକାର ସାମନାରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ’ଣ?
ଯେତେବେଳେ ଗୋଟିଏ ଦଳ ବିରୋଧୀ ଆସନରେ ଥାଏ, ସେତେବେଳେ ସରକାରଙ୍କ ଭୁଲ୍ ତ୍ରୁଟିକୁ ଖୋଜିବା ଏବଂ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହଜ ହୋଇଥାଏ। କିନ୍ତୁ ଯେତେବେଳେ ଦଳ କ୍ଷମତାରେ ଥାଏ, ସେତେବେଳେ ବିରୋଧୀ ମଧ୍ୟ ସେତିକି ତୀକ୍ଷ୍ଣ ନଜର ରଖିଥା’ନ୍ତି।
ସଦ୍ୟତମ ଉଦାହରଣ ନିଅନ୍ତୁ— ରାଜ୍ୟରେ ଏସସିଇଆରଟି (SCERT) ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଡି. ପୁରନ୍ଦେଶ୍ୱରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ଥିବା ସମସ୍ତ ଭୁଲ୍ ଗୁରୁତର ନୁହେଁ। କେତେକ ସ୍ଥାନରେ ଫୁଲ୍ଷ୍ଟପ୍ କମାର ଭୁଲ୍ ରହିଛି ଏବଂ କିଛି ମାତ୍ରାରେ ତଥ୍ୟଗତ ଭୁଲ୍ ରହିଛି। ଆଉ ଏହାକୁ ନେଇ ସରକାର ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି, ଯେପରିକି ଏସସିଇଆରଟି ନିର୍ଦ୍ଦେଶକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।
କିନ୍ତୁ କଥା ହେଉଛି, ଯଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତେବେ ବିରୋଧୀ କାହିଁକି ଏହାକୁ ଏକ ବଡ଼ ପ୍ରସଙ୍ଗ କରୁଛନ୍ତି? କାରଣ ବିରୋଧୀଙ୍କ କାମ ହେଉଛି ସରକାରଙ୍କୁ ଘେରିବା। ତେଣୁ ଏହିଭଳି ପ୍ରସଙ୍ଗଗୁଡ଼ିକର ମୁକାବିଲା କିପରି କରାଯିବ, ସେନେଇ ସରକାର ଏବଂ ସଂଗଠନ ମଧ୍ୟରେ ଦୃଢ଼ ସମନ୍ୱୟ ରହିବା ନିତାନ୍ତ ଆବଶ୍ୟକ। ଯଦି ସରକାର କୌଣସି ଭଲ କାମ କରୁଛନ୍ତି, ତେବେ ତାହା ତୃଣମୂଳ ସ୍ତରର କର୍ମୀଙ୍କ ପାଖରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ କିପରି ସଠିକ୍ ଭାବେ ପହଞ୍ଚିବ, ସେନେଇ ମଧ୍ୟ ନେତାମାନଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ପ୍ରକୃତ ପକ୍ଷରେ ଏବେ ଦଳର ଶୀର୍ଷ ନେତା, ମନ୍ତ୍ରୀମାନଙ୍କର ପଦାଧିକାରୀ ଓ ତୃଣମୂଳ ସ୍ତରର କର୍ମୀଙ୍କ ସହିତ ସମ୍ପର୍କ ନାହିଁ। ତେଣୁ ସରକାରଙ୍କ ଅନେକ ଭଲ କାମ ଲୋକମାନଙ୍କ ପାଖରେ ତାହା ପହଞ୍ଚିପାରୁନାହିଁ। ଏଥିପାଇଁ ଦଳର ଶୀର୍ଷ ନେତାମାନଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ସଫଳ ହେବା ନେଇ ସନ୍ଦେହ ରହିଛି। କାରଣ ଏବେ ଦଳରେ ବିଚାରବିମର୍ଶ ଶବ୍ଦଟି ଅଲୋଡ଼ା ହୋଇଯାଇଛି। ସମସ୍ତେ ଏବେ ନିଜ ହାତରେ ଚଉଦ ପା’।
ଜନପ୍ରତିନିଧି ଓ ସଂଗଠନ ମଧ୍ୟରେ ଦୂରତା – ଏକ ବଡ଼ ସତ୍ୟ
ଦର୍ଶକବନ୍ଧୁ, ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିବା ଜରୁରୀ। ତାହା ହେଲା— ଜନପ୍ରତିନିଧି (ସାଂସଦ ଓ ବିଧାୟକ) ଏବଂ ସଂଗଠନ ମଧ୍ୟରେ ସମନ୍ୱୟର ଅଭାବ।
ପ୍ରକୃତରେ ଦେଖିବାକୁ ଗଲେ, ଅନେକ ସମୟରେ ଅଭିଯୋଗ ହୁଏ ଯେ, ଜନସାଧାରଣ କିମ୍ବା ସାଧାରଣ କର୍ମକର୍ତ୍ତାମାନେ ନିଜର ନିର୍ବାଚିତ ପ୍ରତିନିଧି (ସାଂସଦ କିମ୍ବା ବିଧାୟକ)ଙ୍କୁ ସହଜରେ ପାଉନାହାନ୍ତି। ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତିଗୁଡ଼ିକ ଦିଆଯାଇଥିଲା, ତାକୁ କାର୍ଯ୍ୟକାରୀ କରିବା ଏବଂ କର୍ମୀଙ୍କ ସୁଖଦୁଃଖରେ ସାମିଲ ହେବା କ୍ଷେତ୍ରରେ କିଛି ନା କିଛି ବ୍ୟବଧାନ ରହିଯାଉଛି।
କେବଳେ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଅନେକ ପଦପଦବୀ ଖାଲି ପଡ଼ିଛି ଏବଂ ଦୀର୍ଘ ଦିନ ହେଲା ସେଗୁଡ଼ିକ ପୂରଣ ହୋଇପାରି ନାହିଁ। ଏହା ମଧ୍ୟ ଦଳ ଭିତରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି। ଡି. ପୁରନ୍ଦେଶ୍ୱରୀ ଏହି ସମସ୍ତ ଦିଗଗୁଡ଼ିକୁ ନିଜର ଅନୁଭବ ଦ୍ୱାରା ବୁଝିପାରିଛନ୍ତି ଏବଂ ବୈଠକରେ ଏହାର ନିରାକରଣ ପାଇଁ ରାସ୍ତା ଖୋଜିଛନ୍ତି।
ସେ ସ୍ପଷ୍ଟ ଭାବେ ବୁଝାଇ ଦେଇଛନ୍ତି ଯେ, ସରକାର ଏବଂ ସଂଗଠନ ଦୁଇଟି ଭିନ୍ନ ରଥ ନୁହେଁ, ବରଂ ଗୋଟିଏ ରଥର ଦୁଇଟି ଚକ। ଯଦି ଗୋଟିଏ ଚକ ଡାହାଣକୁ ଯିବ ଏବଂ ଅନ୍ୟଟି ବାମକୁ ଯିବ, ତେବେ ରଥ ଆଗକୁ ବଢ଼ିପାରିବ ନାହିଁ। ତେଣୁ ସାଂସଦ ଓ ବିଧାୟକମାନେ ସଂଗଠନକୁ ସହଯୋଗ କରିବା ଏବଂ କର୍ମୀଙ୍କୁ ସାଥୀରେ ଧରି ଚାଲିବା ଏକାନ୍ତ ଜରୁରୀ।
ସବୁଠାରୁ ବଡ଼ କଥା ହେଲା— କ୍ଷମତାରେ ରହିବା ଗୋଟିଏ କଥା, କିନ୍ତୁ କ୍ଷମତାକୁ ସମ୍ଭାଳି ରଖିବା ଏବଂ ଜନସାଧାରଣଙ୍କ ବିଶ୍ୱାସ ଜିତିବା ଆଉ ଏକ ବଡ଼ କଥା। ୨୦୨୪ରେ ଓଡ଼ିଶାର ଜନସାଧାରଣ ବିଜେପି ଉପରେ ଯେଉଁ ଭରସା ପ୍ରକଟ କରିଛନ୍ତି, ତାହାକୁ ସମ୍ମାନ ଦେବା ପାଇଁ ପ୍ରତ୍ୟେକ ନେତା ଓ କର୍ମୀଙ୍କୁ ନିଜର ଅହଂକାର ତ୍ୟାଗ କରି ମିଳିମିଶି କାମ କରିବାକୁ ପଡ଼ିବ। ଡି. ପୁରନ୍ଦେଶ୍ୱରୀଙ୍କ ଏହି କଡ଼ା ଚେତାବନୀ ଏବଂ ପରାମର୍ଶ କେବଳ ଏକ ଦଳୀୟ ବୈଠକର ଭାଷଣ ନୁହେଁ, ବରଂ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାରର ସଫଳତା କିମ୍ବା ବିଫଳତା କାହା ଉପରେ ନିର୍ଭର କରୁଛି, ତାହାର ଏକ ସ୍ପଷ୍ଟ ଆଇନା।
also read
https://purvapaksa.com/bjds-affinity-for-congress-is-it-hidden-or-are-the-feet-showing/


