ଓଡ଼ିଶା ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚା ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ଆଗକୁ କ’ଣ ହେବ? ୨୪ ବର୍ଷର ଶାସନ ପରେ କ୍ଷମତାରୁ ଦୂରେଇ ଯାଇଥିବା ବିଜୁ ଜନତା ଦଳ ବା ବିଜେଡିର ଆଗାମୀ ପଦକ୍ଷେପ କ’ଣ ରହିବ? ଆଉ ସବୁଠାରୁ ବଡ଼ କଥା, ଯେଉଁ ପ୍ରଶ୍ନ ଏବେ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜନୈତିକ କରିଡରରେ ଘୂରି ବୁଲୁଛି—ତାହା ହେଉଛି, କ’ଣ ବିଜୁ ଜନତା ଦଳ ପୁଣିଥରେ ଏନଡିଏ ବା NDA ମେଣ୍ଟକୁ ଫେରିବ? ଆମେ ଯଦି ଦେଶର ରାଜନୀତିକୁ ଟିକେ ନଜର ପକାଇବା, ତେବେ ଦେଖିବାକୁ ପାଇବା ଯେ ବିହାରରେ ନୀତିଶ କୁମାର ବାରମ୍ବାର ଏନଡିଏ ଛାଡ଼ିବା ପରେ ଏବେ ପୁଣି ଏନଡିଏରେ ରହିଛନ୍ତି।
ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି ଏନଡିଏକୁ ଫେରିବା ସହିତ କେବଳ ରାଜ୍ୟରେ କ୍ଷମତାକୁ ଫେରିନାହିଁ, ବରଂ କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଅଂଶୀଦାର ପାଲଟିଛି। କେବଳ ସେତିକି ନୁହେଁ, ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ସୁଖବୀର ସିଂହ ବାଦଲଙ୍କ ପ୍ରସଙ୍ଗ ମଧ୍ୟ ପୁଣିଥରେ ଏନଡିଏ ସହ ଯୋଡ଼ି ହେବା ନେଇ ସାମ୍ନାକୁ ଆସିଛି।
ଏହି ସବୁ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ବିଧାନସଭା ଓ ଲୋକସଭା ନିର୍ବାଚନରେ ନିଜ ନିଜ ରାଜ୍ୟରେ ‘ବଡ଼ ଭାଇ’ର ଭୂମିକା ନେଇଛନ୍ତି। ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ସୁଖବୀର ସିଂହ ବାଦଲଙ୍କ ପରେ କ’ଣ ନବୀନ ପଟ୍ଟନାୟକ ଏବଂ ବିଜେଡି ଏନଡିଏକୁ ଫେରିବେ?
ମେଣ୍ଟ ରାଜନୀତିର ଇତିହାସ ଓ ବିଜେଡିର ଜନ୍ମ – ସମୟ
ରାଜନୀତିରେ ମେଣ୍ଟ ବା ଗଠବନ୍ଧନ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଉଛି ‘ନିର୍ବାଚନ ପୂର୍ବ ମେଣ୍ଟ’ (Pre-poll Alliance) ଏବଂ ଅନ୍ୟଟି ହେଉଛି ‘ନିର୍ବାଚନ ପରବର୍ତ୍ତୀ ମେଣ୍ଟ’ (Post-poll Alliance)। କିନ୍ତୁ ଏହି ମେଣ୍ଟର ଆବଶ୍ୟକତା କେବେ ଏବଂ କାହିଁକି ପଡ଼େ, ତାହା ବୁଝିବା ପାଇଁ ଆମକୁ ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ।
ଆପଣମାନଙ୍କର ମନେଥିବ ୧୯୯୬ ମସିହାର କଥା। ସେତେବେଳେ ଭାରତୀୟ ଜନତା ପାର୍ଟି ବା ବିଜେପି କେନ୍ଦ୍ରରେ ପ୍ରଥମ ଥର ପାଇଁ ସରକାର ଗଢ଼ିଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେତେବେଳେ ଅନ୍ୟ ଆଞ୍ଚଳିକ ଦଳମାନଙ୍କ ସହ ବିଜେପିର କୌଣସି ମେଣ୍ଟ ନଥିଲା। ବିଜେପି ନେତୃତ୍ୱ ଭାବିଥିଲେ ଯେ, ଥରେ ସରକାର ଗଢ଼ିଦେଲେ ଆଞ୍ଚଳିକ ଦଳଗୁଡ଼ିକ ଆପେ ଆପେ ସେମାନଙ୍କ ସହ ଯୋଡ଼ି ହୋଇଯିବେ। କିନ୍ତୁ ବାସ୍ତବ ରାଜନୀତିରେ ତାହା ହେଲା ନାହିଁ। ଅନ୍ୟ ଦଳମାନେ ସମର୍ଥନ ଦେବାକୁ ରାଜି ହେଲେ ନାହିଁ ଏବଂ ଫଳସ୍ୱରୂପ ବାଜପେୟୀ ମନ୍ତ୍ରିମଣ୍ଡଳ ମାତ୍ର ୧୩ ଦିନରେ ଭାଙ୍ଗିଯାଇଥିଲା।
ସେହି ୧୩ ଦିନର ସରକାର ବିଜେପିକୁ ଏକ ବଡ଼ ଶିକ୍ଷା ଦେଇଥିଲା। ବିଜେପି ବୁଝିପାରିଥିଲା ଯେ ଦିଲ୍ଲୀ ଦରବାରରେ ସ୍ଥାୟୀ ସରକାର ଗଢ଼ିବାକୁ ହେଲେ, ଆଞ୍ଚଳିକ ଦଳମାନଙ୍କର ସହଯୋଗ ନିହାତି ଆବଶ୍ୟକ। ତା’ପରେ ଦେଶରେ ଏଚ୍.ଡି. ଦେବଗୌଡ଼ା ଏବଂ ଇନ୍ଦ୍ର କୁମାର ଗୁଜରାଲଙ୍କ ସରକାର ଆସିଲା। ଏହି ସମୟ ମଧ୍ୟରେ ବିଜେପି ସାରା ଦେଶରେ ଆଞ୍ଚଳିକ ଦଳମାନଙ୍କୁ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କଲା।
ସେତେବେଳେ ବିଜେପି ସହ ଯୋଡ଼ି ହୋଇଥିଲେ ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ, ତାମିଲନାଡୁର ଏଆଇଏଡିଏମକେ (AIADMK), ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ଦଳ, ପଞ୍ଜାବର ଅକାଳୀ ଦଳ ଏବଂ ବିହାରର ଜର୍ଜ ଫର୍ଣ୍ଣାଣ୍ଡିସ୍ଙ୍କ ସମତା ପାର୍ଟି।
ଠିକ୍ ସେହି ସମୟରେ ଓଡ଼ିଶାରେ ମଧ୍ୟ ରାଜନୈତିକ ସମୀକରଣ ବଦଳୁଥିଲା। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଜନତା ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିଥିଲା। ବିଜେପି ସହ ମେଣ୍ଟ କରିବାର ଆବଶ୍ୟକତା ମଧ୍ୟରେ ହିଁ ଓଡ଼ିଶାରେ ଜନତା ଦଳ ଭାଙ୍ଗିଥିଲା ଏବଂ ୧୯୯୭ ମସିହା ଶେଷ ଆଡ଼କୁ ଜନ୍ମ ନେଇଥିଲା ‘ବିଜୁ ଜନତା ଦଳ’ ବା BJD। ଏହା ଏକ ଐତିହାସିକ ସତ୍ୟ ଯେ ଓଡ଼ିଶାରେ ମେଣ୍ଟର ଆବଶ୍ୟକତାରୁ ହିଁ ବିଜେଡିର ଜନ୍ମ ହୋଇଥିଲା। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଯଦି ସେତେବେଳେ ବିଜେପି ସହ ମେଣ୍ଟ ହୋଇନଥାନ୍ତା, ତେବେ ହୁଏତ ବିଜୁ ଜନତା ଦଳ ସୃଷ୍ଟି ହୋଇନଥାନ୍ତା ଏବଂ ନବୀନ ପଟ୍ଟନାୟକ ତୁରନ୍ତ କେନ୍ଦ୍ର ମନ୍ତ୍ରୀ କିମ୍ବା ପରବର୍ତ୍ତୀ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିନଥାନ୍ତେ। ଆଶ୍ଚର୍ଯ୍ୟର କଥା ହେଉଛି, ଯାହାର ଓଡ଼ିଶା ରାଜନୀତିରେ ସେତେବେଳେ କୌଣସି ମଜଭୁତ ଜନଆଧାର ନଥିଲା, କିମ୍ବା ଯିଏ ଓଡ଼ିଆ ଭାଷା ମଧ୍ୟ ଭଲ ଭାବରେ କହିପାରୁନଥିଲେ, ବିଜେପି ସହ ସେହି ମେଣ୍ଟ ହିଁ ନବୀନ ବାବୁଙ୍କୁ ଓଡ଼ିଶାରେ ୨୪ ବର୍ଷ ଧରି ନିରଙ୍କୁଶ ଶାସନ କରିବାର ମୂଳଦୁଆ ଦେଇଥିଲା।
ଅନ୍ୟପଟେ ଚନ୍ଦ୍ରବାବୁ ନାଇଡୁ ଏବଂ ଅକାଳୀ ଦଳର ଉଦାହରଣ ଦେଖିଲେ ଜଣାପଡ଼େ ଯେ, ଯେତେବେଳେ ବି ଏହି ଆଞ୍ଚଳିକ ଦଳଗୁଡ଼ିକ ଏନଡିଏ ଛାଡ଼ିଛନ୍ତି, ସେତେବେଳେ ସେମାନଙ୍କୁ ନିଜ ନିଜ ରାଜ୍ୟରେ ବଡ଼ ରାଜନୈତିକ କ୍ଷତି ସହିବାକୁ ପଡ଼ିଛି ଏବଂ ଶେଷରେ ପୁଣିଥରେ ଏନଡିଏ ମେଣ୍ଟକୁ ଫେରିବା ପାଇଁ ବାଧ୍ୟ ହୋଇଛନ୍ତି।

୧୯୯୮ ରୁ ୨୦୨୪ – ନବୀନ ଓ ବିଜେପି ସମ୍ପର୍କର ତିନୋଟି ପର୍ଯ୍ୟାୟ
ନବୀନ ପଟ୍ଟନାୟକଙ୍କ ରାଜନୈତିକ ଯାତ୍ରାକୁ ଯଦି ଆମେ ନିରପେକ୍ଷ ଭାବରେ ଦେଖିବା, ତେବେ ବିଜେପି ସହ ତାଙ୍କର ସମ୍ପର୍କର ଅନେକ ରୂପ ଦେଖିବାକୁ ମିଳେ। ଆମେ ଏହାକୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିପାରିବା।
ପ୍ରଥମ ପର୍ଯ୍ୟାୟ: ୧୯୯୮ ରୁ ୨୦୦୯ (ସହଯୋଗ ଓ ଶାସନର ୧୧ ବର୍ଷ)
ଏହି ୧୧ ବର୍ଷ ଧରି ବିଜେଡି ଓ ବିଜେପି ମିଶି କେନ୍ଦ୍ର ଏବଂ ରାଜ୍ୟରେ ଶାସନ କଲେ। ୨୦୦୦ ମସିହାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେଡି-ବିଜେପି ମେଣ୍ଟ ସରକାର ଗଠନ ହେଲା। କିନ୍ତୁ ୨୦୦୪ରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଯିବା ପରେ ନବୀନ ବାବୁଙ୍କ ଚିନ୍ତାଧାରାରେ ଧୀରେ ଧୀରେ ପରିବର୍ତ୍ତନ ଆସିଲା। ତାଙ୍କୁ ଲାଗିଲା ଯେ ବିଜେପି ସହ ରହିଲେ ହୁଏତ ତାଙ୍କର ଧର୍ମନିରପେକ୍ଷ ଭାବମୂର୍ତ୍ତି ପ୍ରଭାବିତ ହୋଇପାରେ ଏବଂ ବିଜେଡିର ବିସ୍ତାରରେ ବିଜେପି ବାଧକ ସାଜିପାରେ। ଫଳସ୍ୱରୂପ, ୨୦୦୯ ନିର୍ବାଚନ ପୂର୍ବରୁ କନ୍ଧମାଳ ଦଙ୍ଗା ଓ ସିଟ୍ ଭାଗବଣ୍ଟାକୁ ଆଳ କରି ନବୀନ ବାବୁ ବିଜେପି ସହ ୧୧ ବର୍ଷର ପୁରୁଣା ମେଣ୍ଟ ଭାଙ୍ଗିଦେଲେ।
ଦ୍ୱିତୀୟ ପର୍ଯ୍ୟାୟ: ୨୦୦୯ ରୁ ୨୦୧୫ (ସମଦୂରତା ଓ ଏକାକୀ ଶକ୍ତି) ଏହି ୬ ବର୍ଷ ଧରି ବିଜେଡି ନା ବିଜେପି ସହ ଥିଲା, ନା କଂଗ୍ରେସ ସହ। ନବୀନ ବାବୁ “ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା”ର ନାରା ଦେଲେ। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା ଏବଂ ଓଡ଼ିଶାରେ ନବୀନ ବାବୁଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ସେ କାହାର ସାହାଯ୍ୟ ନନେଇ ଏକାକୀ ନିର୍ବାଚନ ଜିତୁଥିଲେ ଏବଂ ଆଗକୁ ବଢ଼ୁଥିଲେ।
ତୃତୀୟ ପର୍ଯ୍ୟାୟ: ୨୦୧୪ ରୁ ପରବର୍ତ୍ତୀ ସମୟ (ନରମ ଆଭିମୁଖ୍ୟ ଓ ଅଘୋଷିତ ବୁଝାମଣା) ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଲା, ସେତେବେଳେ ଦେଶର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା। ୨୦୧୫ ପରଠାରୁ ନବୀନ ବାବୁଙ୍କ ଆଭିମୁଖ୍ୟରେ ଏକ ପ୍ରକାର ନରମ ଭାବ ଦେଖାଗଲା। ଦେଶରେ କଂଗ୍ରେସ ଦୁର୍ବଳ ହେବା ପରେ ବିଜେଡି କେନ୍ଦ୍ରର ମୋଦୀ ସରକାରଙ୍କୁ ଖୋଲାଖୋଲି ବିରୋଧ କରିବାରୁ ଦୂରେଇ ରହିଲା।
ଏକ ଅତ୍ୟନ୍ତ ରୋଚକ କଥା ହେଉଛି, ଦୀର୍ଘ ବର୍ଷ ଧରି ନବୀନ ବାବୁ କେବେ ବି ନିଜ ଭାଷଣରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରୁନଥିଲେ। ସେ ସ୍ଥାନୀୟ ସ୍ତରରେ ରାଜ୍ୟ ବିଜେପି ନେତା—ଯେପରିକି ଧର୍ମେନ୍ଦ୍ର ପ୍ରଧାନ କିମ୍ବା ମୋହନ ଚରଣ ମାଝୀଙ୍କୁ ଟାର୍ଗେଟ୍ କରୁଥିଲେ, କିନ୍ତୁ ଦିଲ୍ଲୀ ନେତୃତ୍ୱ ବିରୋଧରେ କେବେ ବି ସିଧା କହୁନଥିଲେ। କେବଳ ସେତିକି ନୁହେଁ, ସଂସଦରେ ବିମୁଦ୍ରୀକରଣ ହେଉ, ଧାରା ୩୭୦ ଉଚ୍ଛେଦ ହେଉ, ଟ୍ରିପଲ୍ ତଲାକ୍ ହେଉ କିମ୍ବା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା କଥା ହେଉ—ବିଜେଡି ସବୁବେଳେ ମୋଦୀ ସରକାରଙ୍କ ସଙ୍କଟମୋଚକ ସାଜିଥିଲା।
୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ, ଏହି ମେଣ୍ଟ ପୁଣିଥରେ ଯୋଡ଼ି ହେବାର ମୂଳଦୁଆ ପଡ଼ିଥିଲା ୨୮ ଫେବୃଆରୀ ୨୦୨୦ରେ। ସେଦିନ ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ‘ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍’ (Eastern Zonal Council) ବୈଠକ ଅନୁଷ୍ଠିତ ହୋଇଥିଲା।
ସେହି ବୈଠକ ପରେ, ନବୀନ ପଟ୍ଟନାୟକ ନିଜ ବାସଭବନ ନବୀନ ନିବାସରେ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଅନ୍ୟ ନେତାମାନଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ।
ରାଜନୈତିକ ମହଲରେ ଆଜି ବି ଚର୍ଚ୍ଚା ହୁଏ ଯେ, ନବୀନ ନିବାସର ସେହି ମଧ୍ୟାହ୍ନ ଭୋଜନ ସମୟରେ ଏମିତି କି ଆଲୋଚନା ହେଲା, ଯାହାଫଳରେ ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେଡି ସରକାର ବିରୋଧରେ ଅତ୍ୟନ୍ତ ମୁଖର ହୋଇପଡ଼ିଥିବା ଧର୍ମେନ୍ଦ୍ର ପ୍ରଧାନ ହଠାତ୍ ନୀରବ ହୋଇଯାଇଥିଲେ? ରାଜ୍ୟ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟରେ ହଠାତ୍ ବ୍ରେକ୍ ଲାଗିଯାଇଥିଲା।
ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତା ତଥା ନବୀନ ପଟ୍ଟନାୟକଙ୍କ ଏକାନ୍ତ ବିଶ୍ୱସ୍ତ ଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହିତ ଦିଲ୍ଲୀରେ ଅମିତ ଶାହ ଏକୁଟିଆ ଆଲୋଚନା କରିବା ପରେ ମେଣ୍ଟ ଚର୍ଚ୍ଚା ପୁଣି ଜୋର ଧରିଥିଲା। ଓଡ଼ିଶା ରାଜନୀତିରେ ପ୍ରାୟ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ବିଜେଡି ଓ ବିଜେପି ପୁଣି ଏକାଠି ହେବେ।
କିନ୍ତୁ ଶେଷ ମୁହୁର୍ତ୍ତରେ କ’ଣ ହେଲା? ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ପାଣ୍ଡିଆନଙ୍କ କଥାବାର୍ତ୍ତା ଏବଂ ସିଟ୍ ଭାଗବଣ୍ଟା ଦାବିରେ ଠିକ୍ଠିକଣା ନ ରହିବାରୁ, ବିଶେଷକରି ରାଜ୍ୟ ବିଜେପି ନେତାମାନଙ୍କ ପ୍ରବଳ ବିରୋଧ ଯୋଗୁଁ ଶେଷ ମୁହୁର୍ତ୍ତରେ ମେଣ୍ଟ ଉଦ୍ୟମ ଭାଙ୍ଗିଯାଇଥିଲା। ଆଉ ତା’ର ପରିଣାମ ଆମେ ସମସ୍ତେ ୨୦୨୪ ନିର୍ବାଚନରେ ଦେଖିଲେ। ବିଜେପି ଏକାକୀ ଲଢ଼ି ଓଡ଼ିଶାରେ ସରକାର ଗଢ଼ିଲା ଏବଂ ବିଜେଡିକୁ ବିରୋଧୀ ଦଳ ଆସନରେ ବସିବାକୁ ପଡ଼ିଲା।
ଏବେ ପ୍ରଶ୍ନ ହେଉଛି, ୨୦୨୪ ନିର୍ବାଚନ ସରିଯାଇଛି, ଓଡ଼ିଶାରେ ବିଜେପି ସରକାର ଚାଲିଛି। ଏଭଳି ସ୍ଥିତିରେ ପୁଣିଥରେ ମେଣ୍ଟ କଥା କାହିଁକି ଉଠୁଛି? ଆଉ ଯଦି ମେଣ୍ଟ ହୁଏ, ତେବେ ଆଲୋଚନା ଆଗେଇ ପାରୁନାହିଁ କାହିଁକି?
ଏହାର ସବୁଠାରୁ ବଡ଼ କାରଣ ହେଉଛି—’କିଏ ହେବ ବଡ଼ ଭାଇ?’
ଏଠାରେ ବୁଝିବାକୁ ହେବ ଯେ ମେଣ୍ଟର ଆବଶ୍ୟକତା ସମୟ ଅନୁସାରେ କେମିତି ବଦଳେ। ନିର୍ବାଚନ ପୂର୍ବ ମେଣ୍ଟର ଏକ ବିଶେଷ ଅର୍ଥ ଥାଏ। ଯେତେବେଳେ କୌଣସି ଦଳର ଏକାକୀ ଶକ୍ତି ସରକାର ଗଢ଼ିବା ପାଇଁ ଯଥେଷ୍ଟ ହୁଏ ନାହିଁ, ସେତେବେଳେ ସେମାନେ ମେଣ୍ଟ କରନ୍ତି।
ଉଦାହରଣ ସ୍ୱରୂପ, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଜଗନ ମୋହନ ରେଡ୍ଡୀଙ୍କୁ ହରାଇବା ପାଇଁ ବିଜେପିର ଆବଶ୍ୟକତା ପଡ଼ିଲା ଏବଂ ବିଜେପିକୁ ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜଭୁତ କରିବା ପାଇଁ ନାଇଡୁଙ୍କର ଆବଶ୍ୟକତା ପଡ଼ିଲା। ସେହିପରି ପଞ୍ଜାବରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ମୁକାବିଲା କରିବା ପାଇଁ ଅକାଳୀ ଦଳ ଓ ବିଜେପି ପରସ୍ପରର ପୁରୁଣା ମିତ୍ର ଭାବରେ ପାଖକୁ ଆସିବାକୁ ଚେଷ୍ଟା କରୁଛନ୍ତି।
କିନ୍ତୁ ଓଡ଼ିଶାର ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଏବେ ଓଡ଼ିଶାରେ ବିଜେଡି କ୍ଷମତାରେ ନାହିଁ, ବରଂ ବିଜେପି ନିଜ ଦମ୍ରେ ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିଛି। ତେଣୁ ଆଜିର ଦିନରେ ବିଜେଡିକୁ ମେଣ୍ଟରେ ଅଧିକ ସିଟ୍ ଓ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ଆଦୌ ଚାହୁଁ ନାହିଁ। ଏପରିକି ବିଜେଡି ସଭାପତି ନବୀନ ପଟ୍ଟନାୟକ ବୟସର ଅପରାହ୍ନରେ ଥିବାରୁ ସେ ଆଗଭଳି ଆଉ ଏତେଟା ସକ୍ରିୟ ନାହାନ୍ତି। ଏଭଳି ସ୍ଥିତିରେ ବିଜେପି ଓଡ଼ିଶାରେ ଆନ୍ଧ୍ରପ୍ରଦେଶ କିମ୍ବା ପଞ୍ଜାବ ଭଳି ‘ସାନ ଭାଇ’ ଭୂମିକାରେ ରହିବାକୁ କେବେ ବି ଚାହିଁବ ନାହିଁ।
କେବଳ “ମୁଁ ତୋତେ ଖୋଜୁଛି, ତୁ ମୋତେ ଖୋଜୁଛୁ” କହିଲେ ରାଜନୀତିରେ ମେଣ୍ଟ ହୁଏ ନାହିଁ, ଉଭୟ ପକ୍ଷଙ୍କର ବାସ୍ତବ ରାଜନୈତିକ ଆବଶ୍ୟକତା ରହିବା ଜରୁରୀ।
ବିଜେପି ସରକାରର କାର୍ଯ୍ୟଦକ୍ଷତା, ନବୀନଙ୍କ ସ୍ୱାସ୍ଥ୍ୟ ଓ ପଞ୍ଚାୟତ ନିର୍ବାଚନର ଅଗ୍ନିପରୀକ୍ଷା
ତେବେ ଭବିଷ୍ୟତରେ କ’ଣ ଏହି ସମୀକରଣ ବଦଳିପାରେ? ହଁ, ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ। ଏଠାରେ ତିନୋଟି ପ୍ରମୁଖ କାରଣ ଆଗାମୀ ଦିନର ମେଣ୍ଟ ଭବିଷ୍ୟତ ନିର୍ଦ୍ଧାରଣ କରିବ:
ପ୍ରଥମତଃ: ଓଡ଼ିଶାରେ ବିଜେପି ସରକାରର କାର୍ଯ୍ୟଦକ୍ଷତା। ବିଜେପି ରାଜ୍ୟରେ ସରକାର ଗଢ଼ିବା ପରେ ଲୋକଙ୍କ ମଧ୍ୟରେ ପ୍ରାରମ୍ଭିକ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ସରକାର ଚଳାଇବା ଏକ ବଡ଼ ଆହ୍ୱାନ। ଯଦି ଆଗାମୀ ଦିନରେ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ କିମ୍ବା ପ୍ରଶ୍ନ ଉଠେ, ତେବେ ତାହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡ଼ିପାରେ। ଏପରି ପରିସ୍ଥିତିରେ ବିଜେପିକୁ କ’ଣ ନିଜର ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ କୌଣସି ମେଣ୍ଟର ଆବଶ୍ୟକତା ପଡ଼ିବ କି? ଏହା ଏକ ବଡ଼ ପ୍ରଶ୍ନ।
ଦ୍ୱିତୀୟତଃ: ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଓ ବିଜେଡିର ଆଭ୍ୟନ୍ତରୀଣ ମାନସିକତା। ଏଠାରେ ସବୁକିଛି ନିର୍ଭର କରୁଛି ନବୀନ ପଟ୍ଟନାୟକଙ୍କ ଉପରେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ। ଗୋଟିଏ କଥା ମନେରଖିବାକୁ ହେବ ଯେ, ବିଜେଡିର ଅଧିକାଂଶ ନେତା ଓ ବିଧାୟକ ମୂଳତଃ କଂଗ୍ରେସ-ବିରୋଧୀ ମାନସିକତାର। ବିଜୁ ବାବୁଙ୍କ ସମୟରୁ ହିଁ ସେମାନେ କଂଗ୍ରେସକୁ ବିରୋଧ କରି ରାଜନୀତି କରିଆସିଛନ୍ତି। ତେଣୁ ସେମାନଙ୍କ ପାଇଁ କଂଗ୍ରେସ ଅପେକ୍ଷା ବିଜେପି ଏକ ସ୍ୱାଭାବିକ ମିତ୍ର ବା ‘ନ୍ୟାଚୁରାଲ୍ ଆଲାଏ’ (Natural Ally)। ଯଦି ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ରୁହନ୍ତି, ତେବେ ସେ ନିଜ ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏକାକୀ ଲଢ଼ିବାକୁ ଚାହିଁପାରନ୍ତି ଏବଂ ମେଣ୍ଟର ସମ୍ଭାବନା କମ୍ ରହିପାରେ। କିନ୍ତୁ ଯଦି ସ୍ୱାସ୍ଥ୍ୟଗତ କାରଣ କିମ୍ବା ପରବର୍ତ୍ତୀ ନେତୃତ୍ୱକୁ ନେଇ ଦଳରେ କୌଣସି ସଙ୍କଟ ଆସେ, ତେବେ ବିଜେଡିର ଦ୍ୱିତୀୟ ଧାଡ଼ିର ନେତୃତ୍ୱ ନିଜର ରାଜନୈତିକ ସୁରକ୍ଷା ପାଇଁ ବିଜେପି ସହ ଯିବାକୁ ଚାହିଁପାରନ୍ତି।
ତୃତୀୟତଃ: ଆଗାମୀ ପଞ୍ଚାୟତ ନିର୍ବାଚନ। ଦର୍ଶକବନ୍ଧୁ, ସବୁଠାରୁ ବଡ଼ କଥା ହେଉଛି, ଆଗାମୀ ପଞ୍ଚାୟତ ନିର୍ବାଚନ ଓଡ଼ିଶା ରାଜନୀତିର ଅସଲ ଚିତ୍ର ସ୍ପଷ୍ଟ କରିଦେବ। ତୃଣମୂଳ ସ୍ତରରେ କାହାର ଓଜନ କେତେ ଅଛି, ବିଜେପି ସରକାରଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢ଼ିଛି ନା କମିଛି, ଏବଂ ବିଜେଡି ନିଜର ସଂଗଠନକୁ କେତେଦୂର ବଞ୍ଚାଇ ରଖିପାରିଛି—ତାହା ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିଯିବ। କିଏ ଚାପରେ ଅଛି ଏବଂ କିଏ ଲାଭରେ ଅଛି, ତାହାର ପ୍ରମାଣ ମିଳିଯିବ। ପଞ୍ଚାୟତ ନିର୍ବାଚନର ଫଳାଫଳ ଏବଂ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ହିଁ ନିର୍ଣ୍ଣୟ କରିବ ଯେ, ଚନ୍ଦ୍ରବାବୁ ନାଇଡୁ ଓ ସୁଖବୀର ସିଂହ ବାଦଲଙ୍କ ପରେ ନବୀନ ବାବୁ ପୁଣିଥରେ ଏନଡିଏକୁ ଫେରିବେ କି ନାହିଁ। ଆଉ ଯଦି ଫେରନ୍ତି, ତେବେ କିଏ ବଡ଼ ଭାଇ ହେବ ଏବଂ କିଏ ସାନ ଭାଇ, ତାହା ସମୟ ହିଁ କହିବ।
also read
https://purvapaksa.com/a-direct-question-from-pujari/


