ଆଜି ରାଜନୀତିର ସେହି ଅନ୍ଧାର କୋଠରୀର କବାଟ ଖୋଲିବା, ଯେଉଁଠି ଦଳକୁ ଜିତାଇଥିବା ଅସଲ କାରିଗରମାନେ ଆଜି ଅଭିମାନର ଚଦର ଘୋଡ଼େଇ ହୋଇ ବସିଛନ୍ତି। ଆଜି କଥା ହେବା ଓଡ଼ିଶା ରାଜନୀତିର ସେହି ଅଦୃଶ୍ୟ ସେନାବାହିନୀର, ଯାହାଙ୍କୁ ଆମେ ବିଜେପି ଆଇଟି ସେଲ୍ (BJP IT Cell) ବୋଲି ଜାଣୁ।
ସେହି ସ୍ୱାଭିମାନୀ ଭାଇମାନଙ୍କୁ ପ୍ରଶ୍ନ—କୁଆଡ଼େ ଗଲେ ଆପଣମାନେ? ବର୍ଷ ବର୍ଷ ଧରି ବିନା ପଇସାରେ, ଖରା-ବର୍ଷା-ଶୀତକୁ ଖାତିର ନ କରି, ବିରୋଧୀଙ୍କ ମାଡ଼, ଗାଳି ଆଉ ପୋଲିସ କେସ୍ ପର୍ଯ୍ୟନ୍ତ ନିଜ ମୁଣ୍ଡକୁ ନେଇ ଯେଉଁମାନେ ସୋସିଆଲ ମିଡିଆର ପ୍ରତିଟି କୋଣରେ ପଦ୍ମ ଫୁଟାଇବାକୁ ଲଢ଼ୁଥିଲେ, ସେମାନେ ଆଜି ନିଜ ସରକାର ଗଢ଼ିବା ପରେ କେଉଁ କୋଣରେ ହଜିଯାଇଛନ୍ତି?
ଏହା ଗୋଟିଏ ବଡ଼ ବିଡ଼ମ୍ବନା ନୁହେଁ କି? ୨୦୨୪ ମହାଲଢ଼େଇରେ ବିଜେପି ଏକ ବଡ଼ ବିଜୟ ହାସଲ କଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟିଲା। ଆଉ ଏହି ହାର୍ ପରେ, ଖୋଦ୍ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ପରୋକ୍ଷରେ ସ୍ୱୀକାର କରିଥିଲେ ଯେ—ସେମାନେ ବିଜେପିର ସୋସିଆଲ ମିଡିଆ ଆକାଉଣ୍ଟରକୁ ସାମ୍ନା କରିପାରିଲେ ନାହିଁ। ଯେଉଁ ଆଇଟି ସେଲ୍ର ପ୍ରଶଂସା ଖୋଦ୍ ବିରୋଧୀ କ୍ୟାମ୍ପର ସବୁଠୁ ବଡ଼ ନେତା କଲେ, ଆଜି ସେହି ଆଇଟି ସେଲ୍ର ତୃଣମୂଳ କର୍ମୀଙ୍କୁ ପଛକୁ ଠେଲି ଦିଆଯାଇଛି।
କାହିଁକି ଜାଣନ୍ତି? କାରଣ ଶାସନ ଗାଦିରେ ବସିଥିବା କିଛି ଚତୁର ‘ପାଣ୍ଡିଆନ ମାର୍କା’ ଅଫିସର ଏବେ ଆମ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଚାରିପାଖରେ ଏକ ଏଭଳି ବଳୟ ତିଆରି କରିଦେଇଛନ୍ତି, ଯେଉଁଠି ନିଃସ୍ୱାର୍ଥପର କର୍ମୀଙ୍କୁ ସାଇଡ୍ କରି ‘ରୋଷେଇ’ କରୁଥିବା, ‘ନାଚୁଥିବା’ କିମ୍ବା ‘ଫ୍ୟାମିଲି ବ୍ଲଗ୍’ ବନାଉଥିବା ଇନଫ୍ଲୁଏନ୍ସର ଓ କ୍ରିଏଟରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ବଣ୍ଟା ଚାଲିଛି।
କେମିତି କାମ କରୁଥିଲା ବିଜେପିର ତୃଣମୂଳ ଆଇଟି ସେଲ୍?
ବିଜେପିର ଏହି ସୋସିଆଲ ମିଡିଆ ସଂଗଠନ କେମିତି କାମ କରୁଥିଲା। ଏହା କୌଣସି କର୍ପୋରେଟ୍ ଅଫିସ୍ ନ ଥିଲା, ଯେଉଁଠି ଏସି ରୁମ୍ରେ ବସି କିଛି ପେଡ୍ କର୍ମଚାରୀ ଟ୍ୱିଟ୍ କରୁଥିଲେ। ଏହା ଥିଲା ଏକ ମାନବ ଶୃଙ୍ଖଳ।
ରାଜ୍ୟ କମିଟି ଥିଲା, ତା’ ତଳକୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କମିଟି ଥିଲା। ଜିଲ୍ଲା କମିଟି ମାଧ୍ୟମରେ ମଣ୍ଡଳ କମିଟି ଏବଂ ଶେଷରେ ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଯୋଜନା ପ୍ରସ୍ତୁତ ହେଉଥିଲା। ରାଜ୍ୟ ସ୍ତରରେ ଥିବା କିଛି ଆଙ୍ଗୁଠି ଗଣା କର୍ମୀ ହୁଏତ ଅଳ୍ପ ବହୁତ ପାରିଶ୍ରମିକ ପାଉଥିଲେ, କିନ୍ତୁ ଜିଲ୍ଲାଠାରୁ ନେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ଥିବା ହଜାର ହଜାର କର୍ମୀଙ୍କ ପକେଟ୍କୁ ଦଳ ତରଫରୁ ଟଙ୍କାଟିଏ ବି ଯାଉନଥିଲା। ସେମାନେ ନିଜ ମୋବାଇଲ୍ରେ ନିଜ ପଇସାରେ ଡାଟା ପ୍ୟାକ୍ ପକାଉଥିଲେ।
ତାଙ୍କର ଦୈନନ୍ଦିନ ରୁଟିନ୍ କଣ ଥିଲା ଜାଣନ୍ତି? ସକାଳୁ ନିଜ ଅଞ୍ଚଳର ନେତା କୁଆଡ଼େ ଯିବେ, କଣ କାର୍ଯ୍ୟକ୍ରମ ଅଛି, ସେଠାରୁ ଫଟୋ ସଂଗ୍ରହ କରିବା, ଭିଡିଓ ବନେଇବା ଏବଂ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା। କେନ୍ଦ୍ର ସରକାରଙ୍କ ଯୋଜନା, ମୋଦୀ ସରକାରଙ୍କ ସଫଳତାକୁ ସ୍ଥାନୀୟ ଓଡ଼ିଆ ଭାଷାରେ ସରଳ କରି ଗାଁ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଏମାନଙ୍କ କାମ। ରାତିରେ ନେତା ଘରକୁ ଫେରିବା ପର୍ଯ୍ୟନ୍ତ ଏମାନେ ସୋସିଆଲ ମିଡିଆର ମଇଦାନରେ ଜଗି ରହୁଥିଲେ।
ବଡ଼ ବଡ଼ ମେଟ୍ରୋ ସିଟିରେ ବସିଥିବା ଲୋକେ ଭାବନ୍ତି ଯାହାଙ୍କର ମିଲିୟନ୍ ଫଲୋୟର୍ସ ଅଛନ୍ତି, ସେମାନେ ବଡ଼। କିନ୍ତୁ ଗ୍ରାଉଣ୍ଡ ରାଜନୀତିରେ ଗଣିତ ଅଲଗା। ଏହି ବୁଥ୍ ସ୍ତରର କର୍ମୀଙ୍କ ଫେସବୁକ୍ ବା ଇନଷ୍ଟାଗ୍ରାମ ଆଇଡିରେ ହୁଏତ ୫ଶହରୁ ୫ହଜାର ଫଲୋୟର୍ସ ଥାନ୍ତି। କିନ୍ତୁ ସେହି ୫ ହଜାର ଲୋକ କିଏ? ସେମାନେ ସେହି ଜିଲ୍ଲା, ସେହି ପଞ୍ଚାୟତ, କିମ୍ବା ସେହି ଗାଁର ଲୋକ, ଯେଉଁମାନଙ୍କ ସହ ସେହି କର୍ମୀ ଜଣକ ପ୍ରତିଦିନ ସକାଳେ ଚା’ ଦୋକାନରେ ଦେଖାହୁଏ।
ତା’ ଆଇଡିରେ ଆସୁଥିବା ଗୋଟିଏ ‘ଲାଇକ୍’ କିମ୍ବା ‘କମେଣ୍ଟ’କୁ ସେ ସହଜରେ ଭୋଟ୍ରେ ବଦଳାଇ ଦେଇପାରେ।
କାରଣ ସେ ଜାଣିଛି ତା’ ଗାଁର କେଉଁ ୱାର୍ଡରେ କେଉଁ ଲୋକ ବିଜେପିର ବିଚାରଧାରାକୁ ଭଲ ପାଏ, କିଏ ବିଜେଡିର ଅନ୍ଧ ସମର୍ଥକ, ଆଉ କିଏ କଂଗ୍ରେସର। କାହା ମନରେ ନେତାଙ୍କ ଉପରେ କ୍ରୋଧ ଅଛି, ଆଉ କାହା ମନରେ ସରକାରଙ୍କ ପ୍ରତି କିଛି ଅଭିମାନ ଅଛି—ଏହି ସବୁ ନାଡ଼ି ଜ୍ଞାନ ସେହି ସ୍ୱାଭିମାନୀ କର୍ମୀ ପାଖରେ ଥାଏ। ସେ କାହାକୁ କେମିତି ବୁଝାଇଲେ ସେ ଦଳୀୟ ସ୍ରୋତକୁ ଆସିବ, ତାହା ସେ ଭଲ ଭାବେ ଜାଣିଥାଏ। ଏହି କର୍ମୀମାନଙ୍କ ପାଇଁ ଦଳ ଏକ ରାଜନୈତିକ ପ୍ଲାଟଫର୍ମ ନ ଥିଲା, ଦଳ ଥିଲା ତାଙ୍କ ପାଇଁ ଏକ ପରିବାର। ଦଳକୁ କେହି କିଛି କହିଲେ ସେମାନଙ୍କୁ ନିଜ ବାପା-ମାଆଙ୍କୁ କେହି ଗାଳି ଦେଲା ଭଳି ଅନୁଭବ ହେଉଥିଲା, ତେଣୁ ସେମାନେ ରକ୍ତ ଗରମ କରି ପ୍ରତି ଆକ୍ରମଣର ଜବାବ ଦେଉଥିଲେ।
କ୍ରିଏଟର ସଂସ୍କୃତିର ପ୍ରବେଶ ଓ ଅର୍ଥର ଅପବ୍ୟୟ
କିନ୍ତୁ ଆଜି ସେହି କର୍ମୀମାନେ କାହିଁକି ଚୁପ୍ଚାପ୍ ବସିଛନ୍ତି? କାହିଁକି ସେମାନଙ୍କ ମନରେ ଏକ ବଡ଼ ଅଭିମାନ ଆସିଛି? ତାହାର କାରଣ ହେଉଛି—’କ୍ରିଏଟର ସଂସ୍କୃତି’।
ଓଡ଼ିଶାରେ ନୂଆ ସରକାର ଆସିଲା, ନୂଆ ମୁଖ୍ୟମନ୍ତ୍ରୀ ଆସିଲେ, ମନ୍ତ୍ରିମଣ୍ଡଳ ଗଢ଼ା ହେଲା। କିନ୍ତୁ ପ୍ରଶାସନିକ ସ୍ତରରେ ସେହି ପୁରୁଣା ‘ପାଣ୍ଡିଆନ ମାର୍କା’ ଅଫିସରମାନେ ନିଜର ଚେର ଏଭଳି ଭାବେ ବିଛାଇ ଦେଲେ ଯେ ଆମ ନେତାମାନେ ନିଜ ବିଭାଗର ଅସଲ କାମ, ସେହି ସରକାରୀ ଫାଇଲ୍, ଗରିବ ଲୋକଙ୍କ ସମସ୍ୟା ବୁଝିବା ଛାଡ଼ି ଘନ ଘନ ‘କ୍ରିଏଟର’ ଓ ‘ଇନଫ୍ଲୁଏନ୍ସର’ମାନଙ୍କୁ ସମୟ ଦେବାରେ ବ୍ୟସ୍ତ ରହୁଛନ୍ତି।
ଏବେ ସେହି କ୍ରିଏଟରଙ୍କ କଥା ଆଲୋଚନା କରିବା। ସରକାରୀ ସ୍ତରରେ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍ ପାସ୍ କରି ଏମାନଙ୍କୁ ମନ୍ତ୍ରୀ ଓ ଅଫିସରମାନଙ୍କ ଚାରିପାଖରେ ବୁଲାଯାଉଛି। ଏମାନଙ୍କର ବିଷୟବସ୍ତୁ ବା କଣ୍ଟେଣ୍ଟ କଣ? କିଏ ରୋଷେଇ କେମିତି ହେବ ତାର ବ୍ଲଗ୍ ବନାଉଛି, କିଏ ନିଜ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଦେଖାଇ ଭିଡିଓ କରୁଛି, କିଏ ଟ୍ରାଭେଲ୍ ବ୍ଲଗ୍ ନାଁରେ ନିଜ ପରିବାର କଥା କହୁଛି, ତ କିଏ କମେଡି ନାଁରେ ଦେହ ଦେଖାଇ ଥେଇ ଥେଇ ହୋଇ ନାଚି ଦେଉଛି। ହଁ, ଏମାନଙ୍କର ଫଲୋୟର୍ସ ଲକ୍ଷ ଲକ୍ଷ ଥାଇପାରନ୍ତି, ସବସ୍କ୍ରାଇବର ମିଲିୟନରେ ଥାଇପାରନ୍ତି।
ରାଜନୈତିକ ଏବଂ ବାସ୍ତବିକ ଦୃଷ୍ଟିରୁ ଦେଖିଲେ, ଏହି ମିଲିୟନ୍ ଫଲୋୟର୍ସ ଥିବା କ୍ରିଏଟରଙ୍କଠାରୁ ଆମର ସେହି ୫ଶହ କିମ୍ବା ୫ ହଜାର ଫଲୋୟର୍ସ ଥିବା ଆଇଟି ସେଲ୍ କର୍ମୀ ଜଣକ ଶହେ ଗୁଣରେ ଭଲ। କାହିଁକି? କାରଣ ଏହି ନାଚ-ଗୀତ କରୁଥିବା କ୍ରିଏଟରଙ୍କ ଭିଡିଓକୁ ଲୋକେ କେବଳ ମନୋରଞ୍ଜନ ପାଇଁ ୨ ମିନିଟ୍ ଦେଖନ୍ତି ଏବଂ ସ୍କ୍ରୋଲ୍ କରି ଆଗକୁ ଚାଲିଯାଆନ୍ତି। ସେହି ଫଲୋୟର୍ସମାନେ କେଉଁ ରାଜ୍ୟର, କେଉଁ ଜିଲ୍ଲାର ତାହାର କୌଣସି ଗ୍ୟାରେଣ୍ଟି ନ ଥାଏ। ସେମାନେ କେବେ ବି ସରକାରଙ୍କ ବିଚାରଧାରାକୁ ଦେଖି ଭିଡିଓ ଲାଇକ୍ କରନ୍ତି ନାହିଁ। କିନ୍ତୁ ଆଇଟି ସେଲ୍ କର୍ମୀ ସୋସିଆଲ ମିଡିଆରେ ‘ଭୋଟ୍ ତିଆରି’ କରିବାର ଗଣିତ ଶିଖିଛି। ତା’ ପାଖରେ ସଂଗଠନର ଆନୁଗତ୍ୟ ଅଛି, ଯାହା ଏହି ପେଡ୍ କ୍ରିଏଟରମାନଙ୍କ ପାଖରେ କେବେ ବି ମିଳିବ ନାହିଁ।
ଅଫିସରରାଜ ଓ ରାଜକୋଷ ଲୁଟ୍ର ଭିତର କଥା
ଆପଣମାନଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ। ଯଦି କ୍ରିଏଟରମାନଙ୍କ ଦ୍ୱାରା ଦଳର ବା ସରକାରଙ୍କର ଗ୍ରାଉଣ୍ଡ ସ୍ତରରେ କୌଣସି ଲାଭ ନାହିଁ, ତେବେ ଏହି ବଡ଼ ବଡ଼ ସରକାରୀ ବାବୁମାନେ କାହିଁକି କ୍ରିଏଟରମାନଙ୍କୁ ଏତେ ଗୁରୁତ୍ୱ ଦେଉଛନ୍ତି? କାହିଁକି ସେମାନଙ୍କ ପାଇଁ ସ୍ପେଶାଲ୍ ବଜେଟ୍ ତିଆରି ହେଉଛି?
ଏହା ପଛରେ ରହିଛି ଏକ ବଡ଼ ପ୍ରଶାସନିକ ଚାଲାକି ଓ ଆର୍ଥିକ ମହାଘୋଟାଲାର ବ୍ଲୁ-ପ୍ରିଣ୍ଟ।
ବିଜେପିର ଆଇଟି ସେଲ୍ କର୍ମୀମାନେ ହେଉଛନ୍ତି ଅତ୍ୟନ୍ତ ସ୍ୱାଭିମାନୀ ଏବଂ ସଜାଗ। ସେମାନେ ସରକାରୀ ବ୍ୟବସ୍ଥାରେ କୌଣସି ସୁଧାର ଦେଖିଲେ ବା ଅଳ୍ପ ଟିକିଏ ବି ଲାଭ ପାଇଲେ, ସେମାନେ ଛାତି ଫୁଟେଇ ଚାରିଆଡ଼େ କହି ବୁଲିବେ—”ରାଜ୍ୟରେ ଆମ ସରକାର ଆସିଛି, ମୋ ସରକାର ଗରିବଙ୍କୁ ଏହି ଫାଇଦା ଦେଇଛି।” କିନ୍ତୁ ଏହାର ଏକ ଓଲଟା ଦିଗ ମଧ୍ୟ ଅଛି। ଯଦି କୌଣସି ବିଭାଗର ଅଫିସରମାନେ ବଜେଟ୍ ହଡ଼ପ୍ କରନ୍ତି, ଯଦି ସରକାରୀ ଯୋଜନାର ଅର୍ଥ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନ ପହଞ୍ଚେ, ତେବେ ଏହି ଖବର ତୁରନ୍ତ ତୃଣମୂଳ କର୍ମୀଙ୍କ ମାଧ୍ୟମରେ ଯାଇ ସିଧାସଳଖ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି କିମ୍ବା ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପର୍ଯ୍ୟନ୍ତ ପହଞ୍ଚିଯିବ। କାରଣ ଏହି କର୍ମୀମାନଙ୍କର ସିଧାସଳଖ ଦଳୀୟ ଶୀର୍ଷ ନେତୃତ୍ୱ ସହ କନେକ୍ସନ୍ ଥାଏ।
ଅଫିସରମାନେ ଏହି କର୍ମୀମାନଙ୍କର ‘ସଜାଗ ଆଖି’କୁ ଭୟ କରନ୍ତି। ସେଥିପାଇଁ ସେମାନେ ଏକ ଚତୁର ଚାଲ୍ ଚଳାଇଲେ। ସେମାନେ ଯୋଜନାବଦ୍ଧ ଭାବେ ବିଜେପିର ସେହି ପୁରୁଣା, ନିଃସ୍ୱାର୍ଥପର ଆଇଟି ସେଲ୍ କର୍ମୀମାନଙ୍କୁ ସାଇଡ୍ ଲାଇନ୍ କରିଦେଲେ, ଯେମିତି କୌଣସି ସରକାରୀ ସୂଚନା ତାଙ୍କ ପାଖକୁ ନଯାଉ। ଆଉ ସାମ୍ନାକୁ ଆଣିଲେ ଏହି ସୋସିଆଲ ମିଡିଆ କ୍ରିଏଟରମାନଙ୍କୁ।
ଏହି କ୍ରିଏଟରମାନଙ୍କୁ ଆଣିବାରେ ଅଫିସରଙ୍କର କଣ ଲାଭ:
ପ୍ରଥମତଃ, ଏହି କ୍ରିଏଟରମାନଙ୍କର କୌଣସି ରାଜନୈତିକ ବ୍ୟାକଗ୍ରାଉଣ୍ଡ ନ ଥାଏ କି ଦଳୀୟ ଲିଙ୍କ୍ ନ ଥାଏ। ସେମାନେ କେଉଁ ଏଜେନ୍ସି ମାଧ୍ୟମରେ ଆସିଥାନ୍ତି, ଯେତିକି ଟଙ୍କାର ଚୁକ୍ତି ହୋଇଥାଏ ସେତିକି ନିଅନ୍ତି। ବାକି ସରକାରୀ ରାଜକୋଷରୁ ପାସ୍ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବଜେଟ୍କୁ ଅଫିସରମାନେ ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି।
ଦ୍ୱିତୀୟତଃ, ଏହି କ୍ରିଏଟରମାନେ କେବେ ବି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ସାମ୍ନାରେ ପାଟି ଫଟାଇବେ ନାହିଁ। ସେମାନେ କେବେ ବି ପ୍ରଶାସନର ଦୁର୍ନୀତି ବିଷୟରେ ପ୍ରଶ୍ନ ପଚାରିବେ ନାହିଁ, କାରଣ ସେମାନେ ରାଜନୈତିକ ବ୍ୟକ୍ତି ନୁହନ୍ତି। ସେମାନଙ୍କୁ କେବଳ ନିଜ ପେମେଣ୍ଟ ଓ ଭିଡିଓର ଭ୍ୟୁଜ୍ ସହ ମତଲବ୍।
କିନ୍ତୁ ଅପରପକ୍ଷରେ, ବିଜେପି ହେଉଛି ଏକ କ୍ୟାଡର ବେସ୍ ପାର୍ଟି (Cadre-based Party)। ଏଠି ସଂସ୍କୃତି ହେଉଛି—ନେତା ବଡ଼ ନୁହେଁ, କର୍ମୀ ବଡ଼। ଏଠି ଜଣେ ବୁଥ୍ ସ୍ତରର ସାଧାରଣ କର୍ମୀ ବି ଯଦି ଦେଖିବ ପ୍ରଶାସନ ଭୁଲ୍ କରୁଛି, ସେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଛିଡ଼ା ହୋଇ ପ୍ରଶ୍ନ ପଚାରିବାକୁ ଡରେ ନାହିଁ। ବାସ୍, ଏହି ସ୍ୱାଭିମାନ ଓ ପ୍ରଶ୍ନ ପଚାରିବାର ଶୈଳୀକୁ ଦବାଇବା ପାଇଁ, ରାଜକୋଷକୁ ମନଇଚ୍ଛା ଲୁଟ୍ କରିବା ପାଇଁ ଏହି ଅଫିସରମାନେ କର୍ମୀଙ୍କୁ ଅନ୍ଧାରରେ ରଖି କ୍ରିଏଟରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଦେଖାଯାଉଛି ଯେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସୁଛି, ହେଲେ ସେହି ଭ୍ୟୁଜ୍ ଯେ ସେମାନଙ୍କୁ ଭୋଟ୍ ଦେବ ନାହିଁ, ଏହି ସତ୍ୟକୁ ଅଫିସରମାନେ ନେତାଙ୍କ ପାଖକୁ ଆସିବାକୁ ଦେଉନାହାନ୍ତି।
କ୍ରିଏଟର ବନାମ କାର୍ଯ୍ୟକର୍ତ୍ତା: କାହାର ଆନୁଗତ୍ୟ କେତେ?
ଯେତେବେଳେ ବିରୋଧୀ ଦଳ ସରକାରଙ୍କ କୌଣସି ନୀତିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ କରନ୍ତି କିମ୍ବା ଆକ୍ରମଣ କରନ୍ତି, ସେତେବେଳେ କଣ ଏହି ରୋଷେଇ ବନାଉଥିବା ବା ନାଚୁଥିବା କ୍ରିଏଟରମାନେ ଆସି ସରକାରଙ୍କ ସପକ୍ଷରେ ଲଢ଼ନ୍ତି? ସେମାନେ କଣ ବିରୋଧୀଙ୍କୁ କାଉଣ୍ଟର କରନ୍ତି?
ନା, କେବେ ବି ନୁହେଁ। ସେମାନେ ନିଜ କମେଣ୍ଟ ବକ୍ସ ବନ୍ଦ କରିଦେବେ କିମ୍ବା ଚୁପ୍ଚାପ୍ ବସିଯିବେ। କାରଣ ସେମାନଙ୍କର କୌଣସି ବିଚାରଧାରା ନାହିଁ। ତାଙ୍କୁ ଡର ଥାଏ ଯେ ସେମାନେ ଯଦି କୌଣସି ରାଜନୈତିକ ବିତର୍କରେ ପଶିବେ, ତେବେ ତାଙ୍କର ବ୍ୟକ୍ତିଗତ ବ୍ରାଣ୍ଡ୍ ଭ୍ୟାଲୁ ଖରାପ ହୋଇଯିବ, ତାଙ୍କର କିଛି ଫଲୋୟର୍ସ କମିଯିବେ।
କିନ୍ତୁ ସେହି ସମୟରେ କିଏ ଆଗକୁ ଆସେ? ସେହି ସମୟରେ ଆଗକୁ ଆସେ ସେହି ଅବହେଳିତ ଆଇଟି ସେଲ୍ କର୍ମୀ। ଯେତେବେଳେ ଦଳ ଉପରକୁ କେହି କାଦୁଅ ଫିଙ୍ଗେ, ସେତେବେଳେ ସେ ନିଜ ସ୍ୱାଭିମାନକୁ ଆଗକୁ ରଖି, ପ୍ରତିଟି ମିଥ୍ୟା ଅଭିଯୋଗର ତଥ୍ୟଭିତ୍ତିକ ଉତ୍ତର ପ୍ରସ୍ତୁତ କରେ। ସେ ବିରୋଧୀଙ୍କ ସହ ସୋସିଆଲ ମିଡିଆରେ ଯୁଦ୍ଧ କରେ। ସେ ନିଜର ବ୍ୟକ୍ତିଗତ ପରିଚୟକୁ ବାଜି ଲଗାଇ ଦଳ ପାଇଁ ଏକ ଢାଲ ସଦୃଶ ଛିଡ଼ା ହୁଏ।
ତେବେ ଆଜି ପୁରସ୍କାର କାହାକୁ ମିଳୁଛି? ଯିଏ ଦଳ ପାଇଁ ରକ୍ତ-ଝାଳ ବୁହାଇଲା, ସେ ଆଜି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ପଶିବା ପାଇଁ ପାସ୍ ପାଉନାହିଁ। ଆଉ ଯିଏ ନିର୍ବାଚନ ବେଳେ ଏସି ରୁମ୍ରେ ବସି ମଜା କରୁଥିଲା, ସେ ଆଜି ସରକାରୀ ଗାଡ଼ିରେ ବୁଲୁଛି, ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ସେଲଫି ଉଠାଉଛି। ଏହା କଣ ସେହି ନିଃସ୍ୱାର୍ଥପର କର୍ମୀଙ୍କ ପ୍ରତି ବିଶ୍ୱାସଘାତକତା ନୁହେଁ କି? ଯଦି ତୃଣମୂଳ ସ୍ତରର କର୍ମୀଟିଏ ଭାବିବ ଯେ ତା’ର ପରିଶ୍ରମର କୌଣସି ମୂଲ୍ୟ ନାହିଁ, ତେବେ କେଉଁ ଆଧାରରେ ସେ ଆଗାମୀ ଦିନରେ ଦଳ ପାଇଁ ନିଜ ସମୟ ନଷ୍ଟ କରିବ? ଏହି ପ୍ରଶ୍ନର ଉତ୍ତର ଆଜି ଶୀର୍ଷ ନେତୃତ୍ୱକୁ ଦେବାକୁ ପଡ଼ିବ।
ଆଜି ଏହି ସ୍ପେଶାଲ୍ ରିପୋର୍ଟ ମାଧ୍ୟମରେ ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଏକ ବଡ଼ ସତ୍ୟ ସାମ୍ନାକୁ ଆଣିବାକୁ ଚେଷ୍ଟା କରିବା। ଇତିହାସ ସାକ୍ଷୀ ଅଛି, ଯେଉଁ ସରକାର କିମ୍ବା ଯେଉଁ ନେତା ନିଜ କର୍ମୀଙ୍କୁ ଭୁଲି କେବଳ ଅଫିସର ଆଉ ଭଡ଼ାଟିଆ ଏଜେନ୍ସି ଉପରେ ଭରସା କରିଛନ୍ତି, ସେମାନଙ୍କର ପତନ ଅତି ଅଲକ୍ଷ୍ୟରେ ହୋଇଛି। ପୂର୍ବ ସରକାର ମଧ୍ୟ ଏହି ଭୁଲ୍ କରିଥିଲେ, ଯାହାର ପରିଣାମ ଆଜି ସମସ୍ତଙ୍କ ସାମ୍ନାରେ।
ଏହି କ୍ରିଏଟରମାନେ ହେଉଛନ୍ତି ପକ୍ଷୀ ଭଳି। ଆଜି ଏହି ଗଛରେ ଫଳ ଅଛି ତ ଏଠି ବସିଛନ୍ତି, କାଲି ଯଦି ଅନ୍ୟ କୌଣସି ଦଳ ସରକାରକୁ ଆସିବ କିମ୍ବା ଅଧିକ ବଜେଟ୍ ଦେବ, ଏମାନେ ସେପଟକୁ ଉଡ଼ିଯିବାକୁ ଅଧ ମିନିଟ୍ ବି ସମୟ ନେବେ ନାହିଁ। ସେଦିନ ଏହି କ୍ରିଏଟରମାନେ ଆପଣଙ୍କୁ ଭୋଟ୍ ଜିତେଇ ଦେବେ ନାହିଁ। ୨୦୨୯ରେ ଯେତେବେଳେ ପୁଣି ମହାଲଢ଼େଇ ହେବ, ସେତେବେଳେ ସେହି ଗାଁ ଗହଳିରେ, ସେହି ଧୂଳିମାଟିର ବୁଥ୍ ସ୍ତରରେ ପୁଣି ସେହି ଅଭିମାନୀ ଆଇଟି ସେଲ୍ କର୍ମୀ ହିଁ ଦରକାର ହେବ।
ତେଣୁ ସମୟ ଥାଉ ଥାଉ ଚେତିଯିବା ଦରକାର। ଏହି ‘ପାଣ୍ଡିଆନ ମାର୍କା’ ଅଫିସରମାନଙ୍କ ଚକ୍ରବ୍ୟୂହରୁ ବାହାରି, ରାଜକୋଷର ପଇସାକୁ କ୍ରିଏଟରଙ୍କ ନାଁରେ ବାଣ୍ଟିବା ବନ୍ଦ କରି, ନିଜର ସେହି ପୁରୁଣା, ସ୍ୱାଭିମାନୀ ଏବଂ ବିଶ୍ୱସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କୁ ସଂଗଠନ ଏବଂ ସରକାରୀ ପ୍ରଚାରର ମୂଳ ସ୍ରୋତରେ ସାମିଲ କରନ୍ତୁ। ନହେଲେ କ୍ରିଏଟରଙ୍କ ଚକ୍ଚକ୍ ଭିଡିଓ ଭିତରେ ଦଳର ସାଂଗଠନିକ ମୂଳଦୁଆ କେତେବେଳେ ଦୁର୍ବଳ ହୋଇଯିବ, ତାହା ଆପଣ ଜାଣି ମଧ୍ୟ ପାରିବେ ନାହିଁ।


