ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ଧରଣର ଓଲଟପାଲଟ ଦେଖିବାକୁ ମିଳୁଛି। ବିଜୁ ଜନତା ଦଳ ବା ବିଜେଡି ଭିତରେ ଯେଉଁ ଅନ୍ତଃକନ୍ଦଳ ଓ କ୍ଷମତାର ଲଢ଼େଇ ଚାଲିଥିଲା, ସେଥିରେ ଏବେ ଏକ ଅତ୍ୟନ୍ତ ରୋଚକ ତଥା ଚାଞ୍ଚଲ୍ୟକର ମୋଡ଼ ଆସିଛି।
ପରାଜୟର ଗ୍ଳାନି, ଦଳୀୟ ସଂଗଠନରୁ ଦୂରତା ଏବଂ ଦୀର୍ଘ ଛଅ ମାସର ନିରବତା ପରେ ଅଚାନକ ସାମ୍ନାକୁ ଆସିଛନ୍ତି ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଦାସ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି—ଏହି ପ୍ରତ୍ୟାବର୍ତ୍ତନ କେବଳ ଏକ ସାଧାରଣ ରାଜନୈତିକ ନିଷ୍ପତ୍ତି, ନା ଏହା ପଛରେ ରହିଛି ଦିଲ୍ଲୀର କୌଣସି ଗୁପ୍ତ ଡିଲ୍? କିପରି ପୁଣିଥରେ ତାମିଲନାଡୁ ନିବାସୀ ଭୈରବ ବାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ହାତର ମୋହରା ପାଲଟୁଛନ୍ତି ବବି ଦାସ?
୨୦୧୪ ମସିହା ପରଠାରୁ ଓଡ଼ିଶା ରାଜନୀତିରେ ବିଜେଡିର ସଂଗଠନକୁ ନିଜ ମୁଠାରେ ରଖିଥିଲେ ପ୍ରଣବପ୍ରକାଶ ଦାସ, ଯାହାଙ୍କୁ ସମସ୍ତେ ବବି ଦାସ ଭାବେ ଜାଣନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଦଳରେ ତାଙ୍କର ପ୍ରଭାବ କାହାଠାରୁ ଲୁଚି ନଥିଲା। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ଶାସନ ପରିବର୍ତ୍ତନ ହେଲା। କେବଳ ସେତିକି ନୁହେଁ, ସମ୍ବଲପୁରରୁ ନିଜେ ବବି ଦାସ ଏବଂ କୋରାଇରୁ ତାଙ୍କ ମା’ ସଂଧ୍ୟାରାଣୀ ଦାସ ମଧ୍ୟ ପରାଜୟର ସାମ୍ନା କଲେ।
ଏହି ବଡ଼ ଝଟକା ପରେ ରାଜନୈତିକ କରିଡରରେ ଆଲୋଚନା ହେଉଥିଲା ଯେ, ବବି ଦାସ ଏବେ ତାମିଲନାଡୁ ନିବାସୀ ଆଇଏଏସ ଅଫିସର ତଥା ପରବର୍ତ୍ତୀ କାଳରେ ବିଜେଡିର ସର୍ବେସର୍ବା ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପ୍ରଭାବରୁ ବାହାରିବାକୁ ଚେଷ୍ଟା କରୁଛନ୍ତି। ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିଜର ସ୍ୱାର୍ଥ ପାଇଁ ତାଙ୍କ ପରିବାରକୁ ନିର୍ବାଚନରେ ବଳି ଚଢ଼ାଇ ଦିଆଗଲା ବୋଲି ତାଙ୍କର ହୃଦବୋଧ ହୋଇଥିଲା। ଏଣୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ ଯାଜପୁର ରାଜନୀତି ମଧ୍ୟରେ ନିଜକୁ ସୀମିତ ମଧ୍ୟ ରଖିଥିଲେ।
କିନ୍ତୁ ଖେଳ ସେତେବେଳେ ବଦଳିଗଲା, ଯେତେବେଳେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ସକ୍ରିୟ ଭାବେ ରାଜନୀତିକୁ ଆସିଲେ। ଆଉ ତାଙ୍କର ପ୍ରବେଶ ପରେ ପୁଣିଥରେ ବବି ଦାସଙ୍କୁ ମୋହରା ଭାବେ ବ୍ୟବହାର କରିବା ପାଇଁ ସୁଚିନ୍ତିତ ଯୋଜନା ହୋଇଥିବା ନେଇ ଦଳୀୟ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି ସମଗ୍ର ଘଟଣକ୍ରମ ପଛର କାହାଣୀ ଯାଇ ଯୋଡ଼ି ହେଉଛି ନୂଆଦିଲ୍ଲୀ ସହିତ। ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିଲେ। ସେଠାରେ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ଗୁପ୍ତ ବୈଠକରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସହ ପ୍ରଣବପ୍ରକାଶ ଦାସ ସାମିଲ ଥିଲେ। ବିଜେଡି ଶାସନରେ ଥିବାବେଳେ ପାଣ୍ଡିଆନଙ୍କ ସବୁଠୁ ଖାସ୍ ତଥା ଦଳର ‘ନମ୍ବର-୩’ ଭାବେ ପରିଚିତ ବବି ଦାସଙ୍କ ସହ ପୂର୍ବରୁ ଯେଉଁ ମନୋମାଳିନ୍ୟ କିମ୍ବା ଦୂରତା ସୃଷ୍ଟି ହୋଇଥିଲା, ତାହା ଏହି ଦିଲ୍ଲୀ ବୈଠକରେ ସମାଧାନ ହୋଇଯାଇଛି ବୋଲି କୁହାଯାଉଛି।
ଦିଲ୍ଲୀରୁ ଫେରିବା ପରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ବା ନବୀନ ନିବାସ ପକ୍ଷରୁ ଏକ ସଂଶୋଧିତ ତାଲିକା ଜାରି କରାଗଲା। ଆଶ୍ଚର୍ଯ୍ୟର କଥା ହେଲା, ଏହି ନୂଆ ତାଲିକା ଆଧାରରେ ହିଁ ବବି ଦାସ ଦୀର୍ଘ ଛଅ ମାସ ପରେ ପୁଣିଥରେ ଶଙ୍ଖଭବନର ରଣନୀତିକ ବୈଠକରେ ଯୋଗଦେଲେ।
ଏହି ପରିବର୍ତ୍ତିତ ରଣନୀତିର ପ୍ରଭାବ ସିଧାସଳଖ ଶଙ୍ଖଭବନରେ ଦେଖିବାକୁ ମିଳିଛି। ଟିକିଏ ପଛକୁ ଚାହିଁଲେ ଜଣାପଡ଼ିବ ଯେ, ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ଅଗଷ୍ଟ ୩୧ ତାରିଖରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ପ୍ରତାପ ଜେନାଙ୍କୁ ଡାକି ଆଗାମୀ ବିଧାନସଭା ଅଧିବେଶନ ପାଇଁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଦାୟିତ୍ୱ ଦେଇଥିଲେ। ଏହି ବରିଷ୍ଠ ନେତାମାନେ ମିଶି ପାଠ୍ୟପୁସ୍ତକ ତ୍ରୁଟି ଓ ଏମଏମଡିଆର (MMDR) ଆକ୍ଟ ପ୍ରସଙ୍ଗରେ ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ଚୂଡ଼ାନ୍ତ ମଧ୍ୟ କରିଥିଲେ।
କିନ୍ତୁ ସବୁକିଛି ବଦଳିଗଲା ଯେତେବେଳେ ନବୀନ ପଟ୍ଟନାୟକ ୧୮ ତାରିଖରେ ଦିଲ୍ଲୀରୁ ଫେରିଲେ। ନବୀନ ନିବାସରୁ ପୁରୁଣା ପ୍ରସ୍ତୁତିକୁ ଏଡ଼ାଇ ଦିଆଗଲା ଏବଂ ଏକ ନୂଆ ଫରମାନ ଜାରି ହେଲା। ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ବାଧ୍ୟ କରାଗଲା ବବି ଦାସଙ୍କୁ ମଧ୍ୟ ବୈଠକରେ ସାମିଲ କରିବା ପାଇଁ।
ଗତକାଲିର ଶଙ୍ଖଭବନ ବୈଠକରେ ଦେବୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ସିନା, କିନ୍ତୁ ସେଠାରେ ବବି ଦାସ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ପ୍ରତାପ ଦେବ ମଧ୍ୟ ସାମିଲ ଥିଲେ। ଏହା ସ୍ପଷ୍ଟ ପ୍ରମାଣ କରୁଛି ଯେ, ଶାସନ ଗଲା ପରେ ପାଣ୍ଡିଆନ ଯେଉଁ ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ଆଗରେ ରଖି ଦଳ ଚଳାଉଥିଲେ, ଏବେ ପୁଣି ବବିଙ୍କୁ ଆଣି ସେହି ପୁରୁଣା ଗୋଷ୍ଠୀକୁ ପରୋକ୍ଷରେ ଚେକ୍ ଦେବାକୁ ଆରମ୍ଭ କରିଛନ୍ତି।
ଗତକାଲିର ଶଙ୍ଖଭବନ ବୈଠକରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହେଲା, ଆସନ୍ତୁ ଜାଣିବା। ଏମଏମଡିଆର (MMDR) ଆକ୍ଟ ସଂଶୋଧନକୁ ବିରୋଧ କରି ବିଜେଡି ଆସନ୍ତା ୨୮ ତାରିଖରେ ବିଧାନସଭା ଘେରାଉ କରିବାକୁ ବଡ଼ଧରଣର ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରାୟ ୧୦ରୁ ୧୫ ହଜାର କର୍ମୀଙ୍କୁ ଭୁବନେଶ୍ୱର ଅଣାଯିବ ଏବଂ ବଡ଼ଧରଣର ପାଣ୍ଠି ମଧ୍ୟ ଖର୍ଚ୍ଚ କରାଯିବ। ସବୁଠୁ ବଡ଼ କଥା ହେଲା, ଏହି ବିକ୍ଷୋଭରେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।
କିନ୍ତୁ ଏ ସବୁ ଭିତରେ ସବୁଠୁ ରୋଚକ ତଥା ଚାଞ୍ଚଲ୍ୟକର ସୂଚନାଟି ହେଲା—ଯେତେବେଳେ ଶଙ୍ଖଭବନରେ ଏହି ବୈଠକ ଚାଲିଥିଲା, ଠିକ୍ ସେହି ସମୟରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଉପରମହଲରେ ଥିବା ନିଜର ସ୍ୱତନ୍ତ୍ର ଚାମ୍ବରରେ ବସି ସମଗ୍ର ଘଟଣାକ୍ରମକୁ ତୀକ୍ଷ୍ଣ ନଜରରେ ଦେଖୁଥିଲେ। ଏଥିରୁ ସ୍ପଷ୍ଟ ଜାଣିହୁଏ ଯେ, ଦଳର ପରଦା ପଛରୁ ଅସଲି ରିମୋଟ୍ କଣ୍ଟ୍ରୋଲ୍ କାହା ହାତରେ ରହିଛି।
ସେହିପରି, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଯୁବ-ଛାତ୍ର ସଂଗଠନ ପକ୍ଷରୁ ୭ ଦିନ ଧରି ଧାରଣା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ନବୀନ ନିବାସରୁ ସିଧାସଳଖ ନିର୍ଦ୍ଦେଶ ଆସିଲା ଯେ ଏହାକୁ ମାତ୍ର ୨ ଦିନ (ଅର୍ଥାତ୍ ୨୨ ଓ ୨୩ ତାରିଖ) ମଧ୍ୟରେ ସୀମିତ ରଖାଯାଉ। ଏହି ଆନ୍ଦୋଳନର ସମ୍ପୂର୍ଣ୍ଣ କମାଣ୍ଡ ଏବେ ଅରୁଣ ସାହୁଙ୍କ ହାତରେ ନ୍ୟସ୍ତ କରାଯାଇଛି।
ଦିଲ୍ଲୀର ସିକ୍ରେଟ୍ ଡିଲ୍ ପରେ ବବି ଦାସଙ୍କ ଏହି ଯେଉଁ ନାଟକୀୟ ପ୍ରତ୍ୟାବର୍ତ୍ତନ ଘଟିଛି ଏବଂ ଆସନ୍ତା ୨୮ ତାରିଖର ବିଶାଳ ବିକ୍ଷୋଭ ଆଳରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ପୁଣିଥରେ ଦଳ ଭିତରକୁ ଫେରିଛି—ଏହା ଦଳୀୟ କର୍ମୀ ଏବଂ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଲୁଚି ରହିଥିବା ଅସନ୍ତୋଷକୁ ଆହୁରି ଉଗ୍ର କରିବାର ଆଶଙ୍କା ସୃଷ୍ଟି କରିଛି।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏହି ରଣନୀତି ଦଳକୁ କେତେଦୂର ସଫଳତା ଦେବ, ତାହା ସମୟ କହିବ। କିନ୍ତୁ ଏତିକି ସ୍ପଷ୍ଟ ଯେ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଛାଇ ଏବେ ବି ବିଜେଡିର ଶୀର୍ଷ ନେତୃତ୍ୱ ଓ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବେ ରହିଛି।
Also read : https://purvapaksa.com/indias-mysterious-brahmastra-kali-5000/
ଭାରତର ରହସ୍ୟମୟ ବ୍ରହ୍ମାସ୍ତ୍ର: କାଳୀ-୫୦୦୦ || India’s Mysterious Brahmastra: Kali-5000


