ମହାନଦୀ ଓଡ଼ିଶାର କେବଳ ଗୋଟିଏ ନଦୀ ନୁହେଁ, ଏହା ଓଡ଼ିଶାର ଅର୍ଥନୀତି, କୃଷି, ସଂସ୍କୃତି ଓ ଭାବନାର ସହିତ ଗଭୀର ଭାବେ ଜଡ଼ିତ। ମହାନଦୀର ପାଣି ଉପରେ ରାଜ୍ୟର ଚାଷୀର ଜୀବିକା, ଶିଳ୍ପର ଭବିଷ୍ୟତ ଓ ପରିବେଶର ସନ୍ତୁଳନ ନିର୍ଭର କରେ। ସେହି ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ଧରି ଚାଲିଥିବା ଜଳବିବାଦ ଆଜି ମଧ୍ୟ ନିରାକରଣ ହୋଇପାରିନାହିଁ। କିନ୍ତୁ ବିଡମ୍ବନା ଏହା—ବିବାଦର ସମାଧାନ ନ ହେଲେ ମଧ୍ୟ, ଏହାର ନାଁରେ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବାହାରି ଯାଉଛି। ୨୦୨୩ ମେ’ ମାସରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୧୦ ଦିନିଆ ଓଡ଼ିଶା–ଛତିଶଗଡ଼ ଗସ୍ତ ପାଇଁ ୫.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ପ୍ରଶ୍ନର ଝଡ଼ ଉଠିଛି। ୧୦ ଦିନରେ ୫ କୋଟି ଟଙ୍କା—ଦିନକୁ ହାରାହାରି ୫୦ ଲକ୍ଷ! ଏହା କ’ଣ ସତରେ ଜରୁରୀ ଥିଲା, ନା କି ମହାନଦୀ ଜଳବିବାଦକୁ ଆଳ କରି ରାଜକୋଷକୁ ଆଖିବୁଜା ଲୁଟ୍ କରାଗଲା?
ବିବାଦ ଚାଲିଛି, ବ୍ୟୟ ବଢ଼ୁଛି

ମହାନଦୀ ଜଳବିବାଦ ମାମଲାରେ ପୂର୍ବତନ ବିଜେଡି ସରକାର ସୁପ୍ରିମକୋର୍ଟରେ ପ୍ରାୟ ୩୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ରେକର୍ଡ ରହିଛି। ସେଥିରେ ଆଇନଜୀବୀ ଫିସ୍, ଡକ୍ୟୁମେଣ୍ଟ ପ୍ରସ୍ତୁତି, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟୟ ସାମିଲ। କିନ୍ତୁ ଏହି ମହଙ୍ଗା ଆଇନି ଲଢ଼େଇର ପରିଣାମ କ’ଣ? ମହାନଦୀରେ ପାଣି ଆଜି ବି କମୁଛି, ଚାଷୀ ହନ୍ତସନ୍ତ, ତଳଓଡ଼ିଶାର ଅଞ୍ଚଳ ଗ୍ରୀଷ୍ମକାଳରେ ପାଣି ପାଇଁ ହାହାକାର କରୁଛି। ଏହା ମଧ୍ୟରେ ଟ୍ରିବ୍ୟୁନାଲଙ୍କ ଗସ୍ତ ନାଁରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ—ଏହା ସାଧାରଣ ନାଗରିକଙ୍କ ପାଇଁ ଅସ୍ୱାଭାବିକ ଲାଗିବା ସ୍ୱାଭାବିକ।
୧୦ ଦିନର ଗସ୍ତ, ୫.୦୫ କୋଟି ଟଙ୍କାର ବିଲ୍
ସରକାରୀ ଦସ୍ତାବିଜ ଅନୁଯାୟୀ, ୨୦୨୩ ମେ’ ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ଟ୍ରିବ୍ୟୁନାଲର ତତ୍କାଳୀନ ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଏ.ଏମ ଖାନୱିଲକରଙ୍କ ସହ ଅନ୍ୟ ଦୁଇଜଣ ସଦସ୍ୟ, ୯ଜଣ ଏକ୍ସପର୍ଟ ଓ ଅଧିକାରୀ, ମୋଟ ମିଶି ପ୍ରାୟ ୩୨–୩୫ ଜଣଙ୍କ ଟିମ୍ ଏହି ଗସ୍ତରେ ଥିଲେ।
ଖର୍ଚ୍ଚର ବିବରଣୀ
• ରହିବା–ଖାଇବା: ୧.୮୫ କୋଟି ଟଙ୍କା
• ଟେଣ୍ଟ, ଅସ୍ଥାୟୀ ଭିତ୍ତିଭୂମି: ୧.୮୭ କୋଟି ଟଙ୍କା
• ପରିବହନ ଓ ଲଜିଷ୍ଟିକ: ୧.୩୩ କୋଟି ଟଙ୍କା
ମୋଟ ଖର୍ଚ୍ଚ—୫ କୋଟି ୫ ଲକ୍ଷ ୫୮ ହଜାର ୨୯୭ ଟଙ୍କା। ଆଶ୍ଚର୍ଯ୍ୟର କଥା ହେଉଛି, ମୂଳ ବଜେଟ୍ ୩.୯୧ କୋଟି ଟଙ୍କା ଥିଲା। ତାହାଠୁ ୨୯.୨% ଅଧିକ ଅର୍ଥ କିପରି ଖର୍ଚ୍ଚ ହେଲା—ଏହାର ସଫା ସ୍ପଷ୍ଟ ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ।
ଦିନକୁ ୧୮.୫ ଲକ୍ଷ—କେଉଁ ରାଜକୀୟ ଆତିଥ୍ୟ?
ଏହି ଗସ୍ତରେ ଦିନକୁ ହାରାହାରି ୧୮.୫ ଲକ୍ଷ ଟଙ୍କା କେବଳ ରହିବା–ଖାଇବାରେ ଖର୍ଚ୍ଚ ହୋଇଥିବା ତଥ୍ୟ ସାଧାରଣକୁ ଆଶ୍ଚର୍ଯ୍ୟଚକିତ କରିଛି। ପ୍ରଶ୍ନ ହେଉଛି—କେଉଁ ହୋଟେଲ୍, କେଉଁ ଖାଦ୍ୟ, କେଉଁ ପ୍ରୋଟୋକଲ୍ ଥିଲା ଯେ ଏତେ ଅର୍ଥ ଖର୍ଚ୍ଚ ହେଲା? ସରକାରୀ ଅତିଥିମାନେ ନିଶ୍ଚୟ ସମ୍ମାନ ପାଇବାର ଅଧିକାରୀ। କିନ୍ତୁ ଗରିବ ରାଜ୍ୟରେ, ଚାଷୀ ପାଣି ପାଇଁ ହାହାକାର କରୁଥିବା ବେଳେ, ଏଭଳି ରାଜକୀୟ ଆତିଥ୍ୟ କେତେ ନୀତିସମ୍ମତ?
ଟେଣ୍ଡର ବିନା ‘ଓସିସି’କୁ କାମ
ସବୁଠାରୁ ଗୁରୁତର ଅଭିଯୋଗ ହେଉଛି—ଟ୍ରିବ୍ୟୁନାଲ ଗସ୍ତ ସମ୍ପର୍କିତ ସମସ୍ତ କାମ ଓସିସିକୁ ବିନା ଟେଣ୍ଡରରେ ଦିଆଯାଇଥିଲା। ‘ଜରୁରୀକାଳୀନ ଓ ବିଶେଷଧରଣର କାମ’ ଦର୍ଶାଇ ନିୟମକୁ ଫୁ’ କରାଗଲା। ଆଉ ଅଧିକ ଆଶ୍ଚର୍ଯ୍ୟ—ଟ୍ରିବ୍ୟୁନାଲ ଓଡ଼ିଶାରେ ପହଂଚି ସାରିବା ପରେ, ଅର୍ଥାତ୍ ୨୦୨୩ ମେ’ ୨୦ ତାରିଖରେ, ଇଞ୍ଜିନିୟର-ଇନ୍-ଚିଫ୍ ଏହି କାମ ପାଇଁ ଅନୁମତି ଦେଇଥିଲେ। ଏହା କ’ଣ ନିୟମସମ୍ମତ? ନା କି ପୂର୍ବ-ଯୋଜିତ ଭାବେ ଖର୍ଚ୍ଚକୁ ବଢ଼ାଇବା ପାଇଁ ରାସ୍ତା ଖୋଲାଗଲା?
ଅଢ଼େଇ ବର୍ଷର ଟଣାଓଟରା

ଏହି ବିଲ୍କୁ ଅନୁମୋଦନ କରିବା ପାଇଁ ଜଳସମ୍ପଦ ବିଭାଗରେ ପ୍ରାୟ ଅଢ଼େଇ ବର୍ଷ ଧରି ଟଣାଓଟରା ଚାଲିଥିଲା। ବିଭାଗୀୟ ଅନୁସଚିବ ପ୍ରଦୀପ କୁମାର ବେହେରା ଏହି ଖର୍ଚ୍ଚ ଉପରେ ଆପତ୍ତି ଉଠାଇଥିଲେ। ବିଭାଗର ଅର୍ଥ ଉପଦେଷ୍ଟା ମଧ୍ୟ ଖର୍ଚ୍ଚର ସଠିକତା ଓ ସ୍ୱଚ୍ଛତା ଯାଂଚ ପାଇଁ ଟିପ୍ପଣୀ ଦେଇଥିଲେ।
ତଥାପି, ୨୦୨୬ ଜାନୁୟାରୀ ୨ ତାରିଖରେ ‘ରାଜ୍ୟର ପ୍ରାଥମିକତା’ ଓ ‘ଜରୁରୀକାଳୀନ କାର୍ଯ୍ୟ’ ଦର୍ଶାଇ ବିଲ୍କୁ ଅନୁମୋଦନ କରାଗଲା। ପ୍ରଶ୍ନ—ଯଦି ଏହା ଏତେ ଜରୁରୀ ଥିଲା, ତେବେ ଅଢ଼େଇ ବର୍ଷ ଧରି ଫାଇଲ୍ କାହିଁକି ଘୁରୁଥିଲା?
ଜଳବିବାଦର ସମାଧାନ—ଏବେ ବି ଅଧୂରା
ଏକ ପକ୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ, ଅନ୍ୟ ପକ୍ଷରେ ସମାଧାନର ଅଭାବ। ବର୍ତ୍ତମାନ ବିଜେପି ସରକାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼—ତିନି ପାର୍ଟି। ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ ଆପୋଷ ସମାଧାନର ସମ୍ଭାବନା ଥିଲେ ମଧ୍ୟ, ତତ୍ପରତା ଦେଖାଯାଉନାହିଁ। ସର୍ବଦଳୀୟ ବୈଠକ, ଷ୍ଟେକହୋଲଡର ଆଲୋଚନା—ଏସବୁ ଆଜି ବି କାଗଜରେ।
ମହାନଦୀ ପାଇଁ ପାଣି, ନା ବାବୁମାନେ ପାଇଁ କୋଟି?
ମହାନଦୀ ଜଳବିବାଦ ଓଡ଼ିଶାର ଭବିଷ୍ୟତ ସହ ଜଡ଼ିତ। ଏହାର ସମାଧାନ ପାଇଁ ଯେତେ ଅର୍ଥ, ଯେତେ ପ୍ରୟାସ ଲାଗୁ—ସେଥିରେ କାହାରି ଆପତ୍ତି ନାହିଁ। କିନ୍ତୁ ସମାଧାନ ବିନା, ସ୍ୱଚ୍ଛତା ବିନା, ଜବାବଦେହି ବିନା ଏଭଳି କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ଲୋକତନ୍ତ୍ର ପାଇଁ ଭଲ ସଙ୍କେତ ନୁହେଁ। ଆଜି ଲୋକଙ୍କ ପ୍ରଶ୍ନ ସରଳ—ମହାନଦୀର ପାଣି କେବେ ମିଳିବ? ନା କି ମହାନଦୀର ନାଁରେ କେବଳ କୋଟି କୋଟି ଟଙ୍କା ‘ସ୍ୱାହା’ ହେଉଥିବ? ସରକାର ଯଦି ଏହି ପ୍ରଶ୍ନର ସଫା ଉତ୍ତର ଦେଇପାରୁନାହାନ୍ତି, ତେବେ ମହାନଦୀ ଜଳବିବାଦ ଆଗାମୀ ଦିନରେ ଜଳ ସଙ୍କଟ ଠାରୁ ଅଧିକ—ଶାସନ ସଙ୍କଟ ହୋଇ ଉଠିବ।
also read https://purvapaksa.com/adarsh-school/


