ଆଜି ହେଉଛି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆମେ ତାଙ୍କୁ ମନେପକାଇବାକୁ ଚେଷ୍ଠା କରିବା। ବିଜୁ ପଟ୍ଟନାୟକ କାହାର ବୋଲି ଏହି ଅବସରରେ ତାଙ୍କ ପୁତ୍ର ଓ ବିଜୁ ପଟ୍ଟନାୟକଙ୍କ ଅନୁଗତମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି।

ଓଡ଼ିଶାର ରାଜନୈତିକ ଭୂଗୋଳରେ ‘ପଟ୍ଟନାୟକ’ ଶବ୍ଦଟି କେବଳ ଏକ ଉପନାମ ନୁହେଁ, ବରଂ ଏହା ଗତ ୬୦ ବର୍ଷର ଇତିହାସକୁ ନିୟନ୍ତ୍ରଣ କରିଆସୁଥିବା ଏକ ଶକ୍ତିଶାଳୀ ବ୍ରାଣ୍ଡ୍। ଏହି ବ୍ରାଣ୍ଡର ଦୁଇଟି ମୁଖ୍ୟ ସ୍ତମ୍ଭ ହେଉଛନ୍ତି ପିତା ବିଜୁ ପଟ୍ଟନାୟକ ଓ ପୁତ୍ର ନବୀନ ପଟ୍ଟନାୟକ। ଜଣେ ଓଡ଼ିଶାକୁ ଆଧୁନିକତାର ସ୍ୱପ୍ନ ଦେଖାଇଥିଲେ, ଅନ୍ୟଜଣେ ସ୍ଥିରତା ଓ ବିଜୁଙ୍କ ସ୍ୱପ୍ନର ଦ୍ୱାହି ଦେଇ ଦୀର୍ଘ ୨୪ ବର୍ଷ ଶାସନ ଗାଦିରେ ବସିଲେ। କିନ୍ତୁ ଯେତେବେଳେ ଆମେ ଏହି ଦୁଇ ଶାସନକାଳର ତୁଳନାତ୍ମକ ତର୍ଜମା କରୁ, ସେତେବେଳେ ଦେଖିବାକୁ ମିଳେ ଯେ ଜଣେ ଓଡ଼ିଶାକୁ ‘ନେତୃତ୍ୱ’ ଦେଇଥିଲେ ଏବଂ ଅନ୍ୟଜଣେ ଓଡ଼ିଆକୁ ‘ନିୟନ୍ତ୍ରଣ’ କରିଥିଲେ।
ଓଡ଼ିଶାର ରାଜନୀତିକ ଇତିହାସକୁ ଯଦି ତର୍ଜମା କରାଯାଏ, ତେବେ ଏକ ଅଦ୍ଭୁତ ବିପରୀତ ଚିତ୍ର ଆମ ସାମ୍ନାକୁ ଆସେ। ସେହି ଚିତ୍ରରେ ଦୁଇଟି ନାମ ଅସ୍ପଷ୍ଟ ନୁହେଁ—ସ୍ପଷ୍ଟ, ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ। ଗୋଟିଏ ପଟେ ଅଛନ୍ତି ବିପ୍ଲବୀ, ସାହସୀ ଓ ଦୃଢ଼ଚେତା ନେତା ବିଜୁ ପଟ୍ଟନାୟକ; ଅନ୍ୟପଟେ ଅଛନ୍ତି ଶାନ୍ତ, ପ୍ରଶାସନମୁଖୀ ଓ ଦୀର୍ଘସ୍ଥାୟୀ ଶାସକ ନବୀନ ପଟ୍ଟନାୟକ।
ପିତା ଓ ପୁତ୍ର—କିନ୍ତୁ ଦୁହିଁଙ୍କର ରାଜନୀତିକ ଶୈଳୀ ଏତେ ଭିନ୍ନ ଯେ, ସେମାନଙ୍କୁ ଏକ ରାଜନୀତିକ ଧାରାରେ ରଖିବା କଷ୍ଟକର। ଜଣେ ଦେଶ ଓ ରାଜ୍ୟ ପାଇଁ ବଳିଦାନ ଦେବାରେ ବିଶ୍ୱାସ କରୁଥିଲେ; ଅନ୍ୟଜଣେ ପ୍ରଣାଳୀକୁ ସ୍ଥିର ରଖିବାରେ ବିଶ୍ୱାସ କରିଥିଲେ।
୧. ବିଜୁ ପଟ୍ଟନାୟକ: ସାହସ ଓ ଶିଳ୍ପାୟନର ଦୁଃସାହସିକ ଯୁଗ (୮ ବର୍ଷର କରାମତି)
ବିଜୁ ପଟ୍ଟନାୟକଙ୍କ ୮ ବର୍ଷର ଶାସନକାଳ ୧୯୬୧ରୁ ୧୯୬୩ ଏବଂ ୧୯୯୦ରୁ ୧୯୯୫ ଓଡ଼ିଶା ପାଇଁ କୌଣସି ବିପ୍ଳବଠାରୁ କମ୍ ନ ଥିଲା। ସେତେବେଳେ ଓଡ଼ିଶା ଏକ ଦରିଦ୍ର ରାଜ୍ୟ ଥିଲା, କିନ୍ତୁ ବିଜୁ ବାବୁଙ୍କ ଦୃଷ୍ଟିକୋଣ ଥିଲା ଆକାଶଛୁଆଁ।
ଆଜି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ପାରାଦୀପ ବନ୍ଦର ବିଜୁ ବାବୁଙ୍କ ଜିଦ୍ ଯୋଗୁଁ ସମ୍ଭବ ହୋଇଥିଲା। ସେ କେନ୍ଦ୍ରର ଅନୁଦାନକୁ ଅପେକ୍ଷା ନ କରି ରାଜ୍ୟ ପାଣ୍ଠିରୁ ଏହାର କାମ ଆରମ୍ଭ କରିଥିଲେ। ସୁନାବେଡ଼ା ଏରୋ ଏଞ୍ଜିନ କାରଖାନା ଓ ତାଳଚେର ଥର୍ମାଲ ପ୍ଲାଣ୍ଟ ପରି ପ୍ରକଳ୍ପ ସେତେବେଳେ ଓଡ଼ିଶାକୁ ଶିଳ୍ପ ମାନଚିତ୍ରରେ ସ୍ଥାନିତ କରିଥିଲା।
କେବଳ ଶିଳ୍ପ ନୁହେଁ, ମହିଳାମାନଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ ରାଜନୀତିରେ ସଶକ୍ତ କରିଥିଲେ। ଏଥିପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୩% ସଂରକ୍ଷଣ ଦେଇ ସେ ସାରାଦେଶକୁ ବାଟ ଦେଖାଇଥିଲେ। ସେ ମାଗଣା ବାଣ୍ଟିବାରେ ନୁହେଁ, ବରଂ ଅଧିକାର ଦେବାରେ ବିଶ୍ୱାସ କରୁଥିଲେ।
ବିଜୁ ପଟ୍ଟନାୟକ ନିଜକୁ କେବଳ ମୁଖ୍ୟମନ୍ତ୍ରୀ ଭାବରେ ଦେଖୁନଥିଲେ। ସେ ଜନତାଙ୍କ ସହ ନିଜକୁ ଜଡ଼ିତ ରଖିଥିଲେ। ତାଙ୍କ ଶାସନ ଶୈଳୀ ଥିଲା ସିଧାସଳଖ, ଅନେକ ସମୟରେ ପ୍ରଶାସନିକ ପ୍ରଣାଳୀକୁ ଅତିକ୍ରମ କରି ଯାଉଥିଲେ। ବିଜୁ ପଟ୍ଟନାୟକ କେବଳ ଶାସନ କରୁନଥିଲେ, ସେ ନେତା ତିଆରି କରୁଥିଲେ, ପିଢ଼ି ଗଢ଼ୁଥିଲେ, ଓଡ଼ିଆ ସ୍ୱାଭିମାନକୁ ଜାଗ୍ରତ କରୁଥିଲେ।। ଆଜି ଓଡ଼ିଶା ରାଜନୀତିରେ ଯେତେଜଣ ବି ପ୍ରଭାବଶାଳୀ ନେତା ଅଛନ୍ତି, ସେମାନେ କେଉଁଠି ନା କେଉଁଠି ବିଜୁ ବାବୁଙ୍କ ହାତଗଢ଼ା ମଣିଷ। ଏପରିକି ରାଜ୍ୟବାସୀ ବିଜୁ ପଟ୍ଟନାୟକଙ୍କୁ ସହଜରେ ଭେଟିପାରୁଥିଲେ।
ନବୀନ ପଟ୍ଟନାୟକ: ୨୪ ବର୍ଷର ସ୍ଥିରତା ନା ସ୍ଥାଣୁତା?
ନବୀନ ପଟ୍ଟନାୟକଙ୍କ ଶାସନକାଳ ଓଡ଼ିଶାରେ ସବୁଠାରୁ ଦୀର୍ଘ। କିନ୍ତୁ ଏହି ୨୪ ବର୍ଷର ଉପଲବ୍ଧିକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଜୁ ପଟ୍ଟନାୟକ ଅଫିସରମାନଙ୍କୁ ଚଲାଉଥିଲେ, କିନ୍ତୁ ନବୀନଙ୍କ ସମୟରେ ଅଫିସରମାନେ ସରକାର ଓ ନବୀନ ପଟ୍ଟନାୟକଙ୍କୁ ଚଲାଇଲେ। ବିଶେଷ କରି ଅଣଓଡ଼ିଆ ଅଫିସରଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା କେନ୍ଦ୍ରୀଭୂତ ହେବା ଫଳରେ ଓଡ଼ିଶାର ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୟ ହୋଇଛି।
ଯେଉଁ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଶାସନ କରିବା ପରେ ମଧ୍ୟ ସ୍ଥାନୀୟ ଭାଷାରେ ଭାଷଣ ଦେଇପାରନ୍ତି ନାହିଁ, ତାହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ? ଓଡ଼ିଆ ଭାଷା ଓ ଅସ୍ମିତା ନବୀନଙ୍କ ଶାସନରେ ସଙ୍କୁଚିତ ହୋଇଛି। ଯେଉଁ ଜନସାଧାରଣ ତାଙ୍କ ଉପରେ ବିଶ୍ୱାସ କରି ୨୪ ବର୍ଷ କ୍ଷମତା ଦେଇଥିଲେ ସେମାନଙ୍କ ସେ ନିର୍ବାଚନ ପରେ ଆଦୌ ଧରାଛୁଆଁ ଦେଉନଥିଲେ।
ନବୀନଙ୍କ ଶାସନ କାଳରେ ସେମିତି କିଛି ବଡ଼ ପ୍ରକଳ୍ପ ବିଜୁଙ୍କ ସମୟ ଭଳି ହୋଇନାହିଁ। କିନ୍ତୁ ୫-ଟି ରୂପାନ୍ତରୀକରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ସିଏଜି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଅନେକ ସ୍ଥାନରେ କାମ ନ ହୋଇ ମଧ୍ୟ ଅର୍ଥ ପୈଠ କରାଯାଇଛି।
୩. ତୁଳନାତ୍ମକ ବିଶ୍ଳେଷଣ: ବିଜୁ ବନାମ ନବୀନ
ବିଜୁ ପଟ୍ଟନାୟକ ଜନତାଙ୍କ ମଧ୍ୟରେ ରହି ନିଷ୍ପତ୍ତି ନେଉଥିବାବେଳେ ନବୀନ ପଟ୍ଟନାୟକ ବନ୍ଦ କୋଠରୀରେ ଅଫିସରଙ୍କ ନିର୍ଦ୍ଦେଶରେ ଚାଲୁଥିଲେ।
ବିଜୁ ପଟ୍ଟନାୟକ ଓଡ଼ିଆ ଭାଷା ଓ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଥିବାବେଳେ ନବୀନ ପଟ୍ଟନାୟକଙ୍କର ଓଡ଼ିଆ ଭାଷା ସହ କୌଣସି ସମ୍ପର୍କ ନାହିଁ। ସେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ସଠିକ ଭାବରେ କହିପାରନ୍ତି ନାହିଁ।
ବିଜୁ ପଟ୍ଟନାୟକ ତାଙ୍କ ସମୟରେ ନୂଆ ନେତା ସୃଷ୍ଟି କରିଥିଲେ। କିନ୍ତୁ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରି ଅଣଓଡ଼ିଆଙ୍କ ନିର୍ଦ୍ଦେଶରେ ଚାଲୁଛନ୍ତି।
ବିଜୁ ପଟ୍ଟନାୟକ ତାଙ୍କ ଶାସନ କାଳରେ ଅଫିସରମାନଙ୍କୁ ଦୃଢ଼ ଶାସନ କରୁଥିଲେ କିନ୍ତୁ ନବୀନ ପଟ୍ଟନାୟକ ଅଫିସରଙ୍କ ଦ୍ୱାରା ନିଜେ ଶାସିତ ହେଉଥିଲେ।
ବିଜୁ ପଟ୍ଟନାୟକ ଶିଳ୍ପ ଓ କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଦେଉଥିଲେ, କିନ୍ତୁ ନବୀନ ପଟ୍ଟନାୟକ ମାଗଣା ବଣ୍ଟନ ଓ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିଲେ।
୪. ମାଗଣା ରାଜନୀତି ଓ ଓଡ଼ିଆଙ୍କ କର୍ମବିମୁଖତା
ବିଜୁ ବାବୁ ଚାହୁଁଥିଲେ ଓଡ଼ିଆ ପୁଅ ଜଣେ ସାହସୀ ସାମ୍ରାଜ୍ୟ ନିର୍ମାତା ହେଉ। କିନ୍ତୁ ନବୀନଙ୍କ ଶାସନରେ ‘ମାଗଣା ଚାଉଳ’ ଓ ‘ମାଗଣା ଯୋଜନା’ର ପ୍ରଲୋଭନ ଓଡ଼ିଆଙ୍କୁ କର୍ମବିମୁଖ କରିଦେଇଛି। ଆଜି ଓଡ଼ିଶାର ଯୁବପିଢ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ଯେଉଁଠି ପଡ଼ୋଶୀ ତାମିଲନାଡୁର ନେତାମାନେ ଓଡ଼ିଶାରେ ଶାସନ ଡୋରି ଧରୁଛନ୍ତି।
ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ବିଜୁ-ନବୀନ ଟ୍ରଷ୍ଟ
ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଯେଉଁ ବିଜୁ ବାବୁ ଅଣଓଡ଼ିଆ କର୍ତ୍ତୃତ୍ୱ ବିରୋଧରେ ଲଢ଼ୁଥିଲେ, ତାଙ୍କରି ପୁଅ ଆଜି ଜଣେ ତାମିଲ ଅଫିସର ଭି.କେ ପାଣ୍ଡିଆନଙ୍କୁ ନିଜର ଉତ୍ତରାଧିକାରୀଭାବେ ଗ୍ରହଣ କରିନେଇଛନ୍ତି। ବିଜୁ-ନବୀନ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଜଣେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏକ ଶକ୍ତ ଧକ୍କା।
ବିଜୁ ପଟ୍ଟନାୟକଙ୍କ ୮ ବର୍ଷର ଶାସନ କାଳ ଥିଲା ‘ନିର୍ମାଣ’ର ସମୟ, ଯେଉଁଠି ଓଡ଼ିଶା ନିଜ ପରିଚୟ ପାଇଥିଲା। କିନ୍ତୁ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ହେଉଛି ‘ନିୟନ୍ତ୍ରଣ’ର ସମୟ, ଯେଉଁଠି ଓଡ଼ିଶାରେ ଥିବା ଅଣ ଓଡ଼ିଆ ଅଫିସରମାନେ ଓଡ଼ିଶାର ଭାଗ୍ୟବିଧାତା ସାଜିଛନ୍ତି। ଯଦିଓ ନବୀନ ସ୍ଥିରତା ଦେଇଛନ୍ତି, କିନ୍ତୁ ସେହି ସ୍ଥିରତା ମଧ୍ୟରେ ଓଡ଼ିଆ ସ୍ୱାଭିମାନ ଓ ଭବିଷ୍ୟତ କେଉଁଠି ହଜିଯାଇଛି।
ଇତିହାସ କେବଳ ଶାସନର ସମୟ ସୀମାକୁ ଦେଖେ ନାହିଁ, ବରଂ ଶାସକଙ୍କ ଦ୍ୱାରା ଛଡ଼ାଯାଇଥିବା ପ୍ରଭାବକୁ ଦେଖେ। ସେହି ଦୃଷ୍ଟିକୋଣରୁ ବିଜୁ ପଟ୍ଟନାୟକ ଆଜି ମଧ୍ୟ ଜଣେ ସର୍ବକାଳୀନ ମହାନାୟକ, ଯାହାଙ୍କ ଛାୟାରେ ନବୀନ ବାବୁ ୨୪ ବର୍ଷ ଶାସନ କରି ମଧ୍ୟ ସେହି ଉଚ୍ଚତାକୁ ଛୁଇଁପାରିନାହାନ୍ତି।
AlsoRead; https://purvapaksa.com/have-you-accepted-your-defeat-didi/
ନିଜ ହାର ସ୍ୱୀକାର କଲେଣି କି ଦିଦି? || “Does Didi has accepted defeat?”


