ଯେଉଁ କାଶ୍ମୀରକୁ ପାକିସ୍ତାନ ଦଶନ୍ଧି ଦଶନ୍ଧି ଧରି ନିଜର ଜୀବନନାଡ଼ି ବୋଲି କହି ବିଶ୍ୱ ଆଗରେ ଡିଣ୍ଡିମ ପିଟୁଥିଲା, ଯେଉଁ କାଶ୍ମୀରୀଙ୍କ ନାମରେ ପାକିସ୍ତାନ ସେନା ନିଜ ଦେଶର ଜନତାଙ୍କୁ ଭ୍ରମରେ ରଖି ଆରବ ଆରବ ଡଲାର ଲୁଟି ଚାଲିଥିଲା, ଆଜି ସେହି ‘ ଜୀବନନାଡ଼ି ‘ ଉପରେ ପାକିସ୍ତାନ ସେନା ନିଜେ ନିର୍ଦ୍ଦୟ ଭାବେ ଛୁରୀ ଚଳାଉଛି!

ପାକିସ୍ତାନ ଦଖଲରେ ଥିବା କାଶ୍ମୀର— ଯାହାକୁ ଆମେ ପିଓଜେକେ ବୋଲି କହୁ, ସେଠାରେ ବର୍ତ୍ତମାନ ସ୍ଥିତି ଏତେ ଭୟଙ୍କର ଏବଂ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ଯେ, ପାକିସ୍ତାନ ସେନାର ଫିଲ୍ଡୟମାର୍ଶାଲ ଆସିମ୍ ମୁନିରଙ୍କ ନିଦ ହଜିଯାଇଛି। ସାରା ଦୁନିଆକୁ ନିଜର ତଥାକଥିତ ‘ଗଣତନ୍ତ୍ର’ ଦେଖାଇବା ପାଇଁ ପାକିସ୍ତାନ ପିଓଜେକେରେ ଏକ ନିର୍ବାଚନର ନାଟକ ରଚୁଛି। କିନ୍ତୁ ଏହି ପ୍ରହସନ ନିର୍ବାଚନ ଭିତରେ ସାଧାରଣ ନାଗରିକଙ୍କ ନିରୀହ ଛାତିକୁ ଟାର୍ଗେଟ୍ କରି ଗୁଳି ଚଳାଉଛି ପାକ୍ ସେନା ଏବଂ ପାକିସ୍ତାନୀ ରେଞ୍ଜର୍ସ!
ଗାୟବ ହୋଇଯାଉଛନ୍ତି ଶହ ଶହ ଆହତ ନାଗରିକ! ଗଳି କନ୍ଦିରେ ଆଶାନ୍ତର ନିଆଁ ଜଳୁଛି। ଆଉ ଅପରପକ୍ଷରେ, ନିଜର ଦେଶ ଜ୍ୱଳୁଥିବାବେଳେ ପାକିସ୍ତାନୀ ସେନା ଫିଲ୍ଡ।ମାର୍ଶାଲ ଅନ୍ୟ ଆରବ ଦେଶର ସୁରକ୍ଷା ନାମରେ ଡଲାର ରୋଜଗାର କରିବାରେ ବ୍ୟସ୍ତ!
ପିଓଜେକେରେ ବାସ୍ତବରେ କଣ ଚାଲିଛି? କେମିତି ନିଜ ଲୋକଙ୍କ ରକ୍ତରେ ହୋଲି ଖେଳୁଛି ପାକ୍ ସେନା, ଏବଂ କାହିଁକି ଏହି ସଂକଟ ପାକିସ୍ତାନର ଅନ୍ତିମ ପତନର କାରଣ ସାଜିବାକୁ ଯାଉଛି ?
ସବୁଠାରୁ ପ୍ରଥମେ ଆମକୁ ଏହି ସତ୍ୟକୁ ମନେରଖିବାକୁ ହେବ ଯେ, ପିଓଜେକେ ହେଉଛି ଭାରତର ଅଭିନ୍ନ ଅଙ୍ଗ, ଯାହାକୁ ପାକିସ୍ତାନ ବେଆଇନ ଭାବେ କବଜା କରି ରଖିଛି। ପାକିସ୍ତାନ ନିଜ ଦେଶ ଭିତରେ ସଠିକ୍ ଭାବେ ନିର୍ବାଚନ କରାଇପାରେ ନାହିଁ, କିନ୍ତୁ ସାରା ଦୁନିଆକୁ ଭୁଆଁ ବୁଲାଇବା ପାଇଁ ପିଓଜେକେରେ ଏକ ନିର୍ବାଚନୀ ନାଟକ କରୁଛି।

ଏହି ନିର୍ବାଚନକୁ ତିନିଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପିଓଜେକେର ନିର୍ବାଚନ କମିଶନରଙ୍କ ଅନୁସାରେ, ମୀରପୁର ଡିଭିଜନର ୧୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ସରିଛି। ଅଗଷ୍ଟ ୨ ତାରିଖରେ ମୁଜଫରାବାଦ ଡିଭିଜନର ୯ଟି ଏବଂ ଶରଣାର୍ଥୀଙ୍କ ପାଇଁ ଥିବା ୧୨ଟି ଆସନରେ ନିର୍ବାଚନ ହେବାକୁ ଯାଉଛି। ଏବଂ ଅଗଷ୍ଟ ୧୦ ତାରିଖରେ ପୁଞ୍ଛ୍ ଡିଭିଜନର ୧୧ଟି ଆସନରେ ଭୋଟ୍ ଗ୍ରହଣ ହେବ।
କିନ୍ତୁ ଗଣତନ୍ତ୍ରର ଏହି ଢୋଲ ଭିତରେ ଯେଉଁ ରକ୍ତର ଛିଟା ପଡ଼ୁଛି, ତାହା ଭୟଙ୍କର! ସ୍ଥାନୀୟ ଜନତା ଏହି ପ୍ରହସନ ନିର୍ବାଚନକୁ ପ୍ରତ୍ୟାଖ୍ୟାନ୍ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ସେମାନଙ୍କୁ ଦମନ କରିବା ପାଇଁ ପାକିସ୍ତାନ ସେନା ଏବଂ ରେଞ୍ଜର୍ସ ସିଧାସଳଖ ଛାତିକୁ ଟାର୍ଗେଟ୍ କରି ଗୁଳି ଚଳାଉଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ଜଣେ କର୍ମୀ ମୁଖତାର ୟୁନୁସ୍ଙ୍କ ଭଳି ଅନେକ ନିରୀହ ଯୁବକ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।
କେବଳ ସେତିକି ନୁହେଁ, ସୋସିଆଲ ମିଡିଆ ଏବଂ ବିଦେଶରେ ରହୁଥିବା ପିଓଜେକେର କାର୍ଯ୍ୟକର୍ତ୍ତାମାନେ ଏକ ଚମକାଇ ଦେଲା ଭଳି ଖବର ଦେଉଛନ୍ତି। ପାକିସ୍ତାନ ସେନା ଗୁଳିମାଡ଼ରେ ଆହତ ହୋଇଥିବା ନାଗରିକଙ୍କୁ “ଚିକିତ୍ସା କରାଇବୁ” ବୋଲି କହି ଗାଡ଼ିରେ ଭରି ଅଜ୍ଞାତ ସ୍ଥାନକୁ ନେଇଯାଉଛି। ତିନି ତିନି ଦିନ ବିତିଯାଉଛି, କିନ୍ତୁ ସେହି ଆହତମାନେ ନା ହସ୍ପିଟାଲରେ ପହଞ୍ଚୁଛନ୍ତି, ନା ନିଜ ଘରକୁ ଫେରୁଛନ୍ତି! ସେମାନଙ୍କୁ ଗାୟବ କରିଦିଆଯାଉଛି। ଏହା ହେଉଛି ପାକିସ୍ତାନୀ ସେନାର ପ୍ରକୃତ ବର୍ବରତା।
ଇତିହାସ ଗ୍ରନ୍ଥ ଓଲଟାଇଲେ ଜଣାପଡ଼େ, ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସମୟରୁ ପାକିସ୍ତାନ ସାଧାରଣ ଜନତାଙ୍କୁ ଏକ ଚୂରଣ ବିକି ଆସିଛି— “କାଶ୍ମୀର ଆମର ଜୀବନନାଡ଼ି, କାଶ୍ମୀର ପାଇଁ ଆମେ ପରମାଣୁ ଯୁଦ୍ଧ ମଧ୍ୟ କରିବୁ”। କାଶ୍ମୀରୀମାନଙ୍କୁ କୁହାଗଲା ଯେ ସେମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜି ବିଶ୍ୱ ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଗୋଟିଏ ଦେଶ ନିଜର ସୋ-କଲ୍ଡୁ’ଜୀବନନାଡ଼ି’ ବୋଲି କହୁଥିବା ଲୋକଙ୍କ ଗଳା ନିଜେ କାଟୁଛି!
ଆଜି ପାକିସ୍ତାନୀ ସେନା ଫିଲ୍ଡଲମାର୍ଶାଲ ଆସିମ୍ ମୁନିରଙ୍କ ପାଇଁ କାଶ୍ମୀର କୌଣସି ‘ରେଡ୍ ଲାଇନ୍’ ନୁହେଁ। ନା କାଶ୍ମୀର, ନା ଗାଜା, ନା ଫିଲିସ୍ତୀନ! ଆଜି ଆସିମ୍ ମୁନିରଙ୍କ ପାଇଁ ‘ରେଡ୍ ଲାଇନ୍’ ସାଜିଛି ‘ସାଉଦି ଆରବ’ ଏବଂ ‘କୁୱେତ’!

ଯେଉଁଠାରୁ ପାକିସ୍ତାନ ସେନାକୁ ଦୁଇ ପଇସା ଭିକ ମିଳେ, ସେଠାରେ ସେମାନଙ୍କର ଆଦର୍ଶ ଏବଂ ‘ରେଡ୍ ଲାଇନ୍’ ବଦଳିଯାଏ। ଗତ ମାସରେ ଯେତେବେଳେ ଲାଗିଲା ଇରାନ ପାଖକୁ ଆମେରିକାରୁ ବିଲିୟନ୍ ଡଲାର ଆସିବ, ସେତେବେଳେ ଇରାନ ସେମାନଙ୍କର ‘ରେଡ୍ ଲାଇନ୍’ ଥିଲା। ଯେତେବେଳେ ଦେଖିଲେ ଇରାନକୁ ଟଙ୍କା ମିଳୁନି, ସଙ୍ଗେ ସଙ୍ଗେ ସେମାନଙ୍କ ‘ରେଡ୍ ଲାଇନ୍’ ପାରସ୍ୟ ଉପସାଗର ଡେଇଁ ସାଉଦି ଆରବରେ ପହଞ୍ଚିଗଲା!
ଆଜି ସାଉଦି ଆରବକୁ ସୁରକ୍ଷା ଦେବା ନାମରେ ପ୍ରତ୍ୟେକ ପାକିସ୍ତାନୀ ସୈନିକ ପଛରେ ପାକ୍ ସେନା ଫିଲ୍ଡେମାର୍ଶାଲମାନେ ମାସକୁ ହଜାର ହଜାର ଡଲାର ରୋଜଗାର କରୁଛନ୍ତି। ଆଉ ନିଜ ଦେଶର ନିରକ୍ଷର ଓ ସାଧାରଣ ଜନତାଙ୍କୁ ମିଛ କହୁଛନ୍ତି ଯେ ସେମାନେ “ମକ୍କା-ମଦିନାର ସୁରକ୍ଷା” ପାଇଁ ଯାଉଛନ୍ତି। ମକ୍କା-ମଦିନାକୁ କାହାଠାରୁ ବିପଦ ଅଛି? ଇରାନ, ଇସ୍ରାଏଲ ନା ଆମେରିକା? କାହାଠାରୁ ନୁହେଁ! କିନ୍ତୁ ଏହି ଆବରଣ ତଳେ ଚାଲିଛି କେବଳ ଭ୍ରଷ୍ଟାଚାର ଏବଂ ଡଲାରର ଖେଳ।
ପାକିସ୍ତାନୀ ସେନାର ଏହି ରଣନୀତି କିଛି ନୂଆ ନୁହେଁ। ଏହା ସେହି ପୁରୁଣା ପ୍ଲେବୁକ୍।
ପିଓଜେକେରେ ବର୍ତ୍ତମାନ ସବୁଠାରୁ ଲୋକପ୍ରିୟ ଦଳ ହେଉଛି ‘ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି’। ସେଠାକାର ସେନା କଣ କଲା? ସେହି ସବୁଠାରୁ ଲୋକପ୍ରିୟ ଦଳକୁ ବ୍ୟାନ୍ କରିଦେଲା!
ମନେପକାନ୍ତୁ, ନିକଟରେ ଇମ୍ରାନ ଖାନଙ୍କ ଦଳ ‘ତେହରିକ୍-ଏ-ଇନସାଫ୍’ ସହ ପାକ୍ ସେନା କଣ କରିଥିଲା? ନିର୍ବାଚନ ଚିହ୍ନ ଛଡ଼ାଇ ନେଲା, ଦଳକୁ ବ୍ୟାନ୍ କଲା। ଆଉ ୧୯୭୦ ଦଶକରେ ପୂର୍ବ ପାକିସ୍ତାନ ବା ଆଜିର ବାଂଲାଦେଶରେ ଶେଖ ମୁଜିବୁର ରହମାନଙ୍କ ସହ ସେନା କଣ କରିଥିଲା? ଭୋଟ୍ ଚୋରି କଲା, ଜନାଦେଶକୁ ଚୋରି କଲା, ନେତାଙ୍କୁ ଆତଙ୍କବାଦୀ ଘୋଷଣା କଲା। ପରିଣାମ କଣ ହେଲା? ୧୯୭୧ ରେ ପାକିସ୍ତାନର ଭୂଗୋଳ ବଦଳିଗଲା, ବାଂଲାଦେଶ ଜନ୍ମ ନେଲା!
ଆଜି ପିଓଜେକେରେ ସେହି ସମାନ ଇତିହାସ ଦୋହରାଉଛି ପାକିସ୍ତାନୀ ସେନା। ପିଓଜେକେ, ବଲୁଚିସ୍ତାନ, ଖାଇବର ପାଖତୁନଖ୍ୱାରେ ଦିନରାତି ବେଆଇନ ଭାବେ ଲୋକଙ୍କୁ ଉଠାଇ ନିଖୋଜ କରିଦିଆଯାଉଛି।
ସେପଟେ ପାକିସ୍ତାନୀ ଗଣମାଧ୍ୟମର ସ୍ଥିତି ଏତେ ଶୋଚନୀୟ ଯେ, କୌଣସି ଜଣେ ହେଲେ ସାମ୍ବାଦିକ କିମ୍ବା ଆଙ୍କରଙ୍କର ଔକାତ୍ ନାହିଁ ଯେ ସେନା ଫିଲ୍ଡ ମାର୍ଶାଲ ଆସିମ୍ ମୁନିରଙ୍କୁ ଗୋଟିଏ ପ୍ରଶ୍ନ ପଚାରିପାରିବେ! ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି— “ତୁମେମାନେ ତାଳି ମାର, ଫିଲ୍ଡାମାର୍ଶାଲଙ୍କ ପ୍ରଶଂସାରେ ଗୀତ ଗାଅ”। ସେଥିପାଇଁ ତ ସେଠାରେ “ମେରୀ ଜିନ୍ଦ ମେରୀ ଜାନ୍ ଫିଲ୍ଡେମାର୍ଶାଲ ଆସିମ୍ ମୁନିର” ଭଳି ସରକାରୀ ଗୀତ ରିଲିଜ୍ କରାଯାଉଛି।
୧୯୭୯ରୁ ୧୯୮୯ ଭିତରେ ଜେନେରାଲ ଜିଆ-ଉଲ୍-ହକ୍ ଆମେରିକାରୁ ଆଫଗାନିସ୍ତାନ ନାମରେ କୋଟି କୋଟି ଡଲାର ଲୁଟିଲେ। ୨୦୦୧ ପରେ ପରଭେଜ୍ ମୁସାରଫ୍ ସେହି ସମାନ କାମ କଲେ। ଆଜି ପାକିସ୍ତାନର ମନ୍ତ୍ରୀ ଖ୍ୱାଜା ଆସିଫ୍ ନିଜେ ସ୍ୱୀକାର କରୁଛନ୍ତି ଯେ “ଆମେରିକା ଆମକୁ ଟଏଲେଟ୍ ପେପର ଭଳି ବ୍ୟବହାର କରି ଫିଙ୍ଗିଦେଲା”! ଆଉ ଆଜି ଫିଲ୍ଡଟମାର୍ଶାଲ ଆସିମ୍ ମୁନିର ନିଜ ଅବସର ପୂର୍ବରୁ ସାଉଦି ଆରବ ଏବଂ କୁୱେତ ନାମରେ ନିଜ ପକେଟ୍ ଭରିବାରେ ବ୍ୟସ୍ତ।
ସତ୍ୟ ହେଉଛି— ଯେଉଁ ଦେଶ ନିଜ ଜନତାଙ୍କୁ ଭିକ୍ଷା ମାଗିବାକୁ ବାଧ୍ୟ କରେ, ଯେଉଁ ସେନା ନିଜର ନାଗରିକଙ୍କ ଉପରେ ଗୁଳି ଚଳାଏ, ସେହି ଦେଶର ଆୟୁଷ ବେଶୀ ଦିନ ନଥାଏ।
ପିଓଜେକେର ଲୋକମାନେ ଆଜି ବୁଝିସାରିଛନ୍ତି ଯେ ପାକିସ୍ତାନ ସେମାନଙ୍କର ଶୋଷଣ କରୁଛି। ସେଠାକାର ଆକାଶରେ ଆଜି ଆଜାଦିର ସ୍ୱର ଗୁଞ୍ଜରିତ ହେଉଛି। ଆଉ ଫିଲ୍ଡେମାର୍ଶାଲ ଆସିମ୍ ମୁନିରଙ୍କ ବର୍ବରତା ଏହି ଅଗ୍ନିରେ ଘିଅ ଢାଳିବାର କାମ କରୁଛି। ଭାରତର ଏହି ପବିତ୍ର ଭୂଖଣ୍ଡ ପିଓଜେକେ ଆଜି ପାକିସ୍ତାନୀ ଶୃଙ୍ଖଳରୁ ମୁକ୍ତ ହେବା ପାଇଁ ଛଟପଟ ହେଉଛି, ଏବଂ ସେହି ଦିନ ଆଉ ବେଶୀ ଦୂର ନୁହେଁ।


