କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିହାରର ପାଟନାରେ ଏକ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଅତ୍ୟନ୍ତ ଆପତ୍ତିଜନକ ଏବଂ ବିବାଦୀୟ ବୟାନ ଦେଲେ— “ମୋଦୀ କା ବାପ୍ ଭି ଜାଏଗା।” ଏହାକୁ ନେଇ ଦେଶବ୍ୟାପୀ ରାଜନୈତିକ ତୋଫାନ ସୃଷ୍ଟି ହୋଇଛି। ବିଜେପି ଏହାକୁ କେବଳ ଖରାପ ଭାଷା ନୁହେଁ, ବରଂ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପ୍ରତି ଅପମାନ ବୋଲି କହି ତୀବ୍ର ପ୍ରତିବାଦ କରିଛି।

ଏହା କ’ଣ ପ୍ରଥମ ଘଟଣା? ଆଉ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ, ସୁଲତାନପୁରର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୦୧୮ ମସିହାର ଏକ ମାନହାନି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି, ଯେଉଁଠାରେ ସେ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ଭାରତୀୟ ରାଜନୀତିରେ ଏହି ବ୍ୟକ୍ତିଗତ ଆକ୍ରମଣର ପରମ୍ପରା କେତେ ପୁରୁଣା? ଏହା ପଛର ମନସ୍ତତ୍ତ୍ୱ ବା ସାଇକୋଲୋଜି କ’ଣ? ଆଉ ସବୁଠାରୁ ବଡ଼ କଥା— ଏସବୁ ଦ୍ୱାରା ପ୍ରକୃତରେ କାହାର ଲାଭ ହେଉଛି ଏବଂ ଆମ ଗଣତନ୍ତ୍ର କେଉଁଆଡ଼କୁ ଗତି କରୁଛି?
ଖଡଗେଙ୍କ ବୟାନରୁ ବିବାଦ ଏବଂ ଇତିହାସର ଫର୍ଦ୍ଦ
ଘଟଣାଟି ଆରମ୍ଭ ହେଲା ଗତ ଅକ୍ଟୋବର ୨୫ ତାରିଖରୁ। ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେଠାରେ ଭୋଟର ତାଲିକା ସଂଶୋଧନ ଏବଂ କଳାଧନ ଫେରାଇ ଆଣିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରୁଥିଲେ। ସେହି ସମୟରେ ଦର୍ଶକ ଗ୍ୟାଲେରୀରୁ ଜଣେ ବ୍ୟକ୍ତି ସନ୍ତୋଷ କୁମାର କହିଥିଲେ ଯେ ମୋଦୀ ସହଜରେ କ୍ଷମତା ଛାଡ଼ିବେ ନାହିଁ। ବାସ୍, ଏତିକିରେ ଖଡଗେ ନିଜର ସଂଯମ ହରାଇ କହି ପକାଇଲେ— “ମୋଦୀ କା ବାପ୍ ଭି ଜାଏଗା!” ଏହାପରେ ବିଜେପି ପକ୍ଷରୁ ଏହାକୁ କାଉଣ୍ଟର କରିବା ପାଇଁ କହିବା ଆରମ୍ଭ କଲେଣି ମୋଦୀ କହିଁ ନେହି ଜାଏଗା।
ପରେ ସେହି ବ୍ୟକ୍ତିଜଣେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ମତ ଥିଲା ଯେ ଜନ ବିଦ୍ରୋହ ବିନା ମୋଦୀ ଯିବେ ନାହିଁ, କିନ୍ତୁ ଖଡଗେଙ୍କ ମୁହଁରୁ ବାହାରିଥିବା ଏହି ଶବ୍ଦ ଦେଶର ରାଜନୈତିକ ବାତାବରଣକୁ ସମ୍ପୂର୍ଣ୍ଣ ଗରମ କରିଦେଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ କଡ଼ା ନିନ୍ଦା କରି କହିଲେ ଯେ କଂଗ୍ରେସ ନେତାମାନେ ରାଜନୈତିକ ସୌଜନ୍ୟର ସମସ୍ତ ସୀମା ପାର୍ କରିସାରିଛନ୍ତି।

ଯଦି ଆମେ ଇତିହାସକୁ ଟିକେ ଲେଉଟାଇ ଦେଖିବା, ତେବେ ଜାଣିବାକୁ ପାଇବା ଯେ ଏହା କୌଣସି ପ୍ରଥମ ଘଟଣା ନୁହେଁ। ଶାସକ ଦଳ ଏବଂ ବିରୋଧୀ— ଉଭୟ ପକ୍ଷରୁ ବର୍ଷ ବର୍ଷ ଧରି ଏଭଳି ବ୍ୟକ୍ତିଗତ ଆକ୍ରମଣ ହୋଇଆସୁଛି।
• ୨୦୦୭ ମସିହାରେ: ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ସମୟରେ ସୋନିଆ ଗାନ୍ଧୀଙ୍କୁ “ଜର୍ସି ଗାଈ” ଏବଂ ରାହୁଲ ଗାନ୍ଧୀଙ୍କୁ “ହାଇବ୍ରିଡ୍ ବାଛୁରୀ” ବୋଲି କହିଥିଲେ। ସେହିପରି ସୋନିଆ ଗାନ୍ଧୀ ମଧ୍ୟ ମୋଦୀଙ୍କୁ “ମୌତ କା ସୌଦାଗର” ବୋଲି ସମ୍ବୋଧନ କରିଥିଲେ।
• ୨୦୦୯ ଓ ୨୦୧୨: କଂଗ୍ରେସ ନେତା ବି.କେ. ହରିପ୍ରସାଦ ମୋଦୀଙ୍କୁ “ଗନ୍ଧି ନାଳିର କିଡ଼ା” ଏବଂ ଅର୍ଜୁନ ମୋଧୱାଡ଼ିଆ “ମାଙ୍କଡ଼ / ରାବିଜ” ଭଳି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ।
• ୨୦୧୩ ଓ ୨୦୧୪: ରଶିଦ ଆଲଭି “ଯମରାଜ”, ରେଣୁକା ଚୌଧୁରୀ “ଭାଇରସ”, ଜୟରାମ ରମେଶ “ଭଷ୍ମାସୁର”, ଗୁଲାମ ନବୀ ଆଜାଦ “ଗଙ୍ଗୁ ତେଲି” ଏବଂ ବେଣୀ ପ୍ରସାଦ ବର୍ମା “ଗୁନ୍” ବୋଲି ମୋଦୀଙ୍କୁ ଆଖ୍ୟା ଦେଇଥିଲେ।
• ୨୦୧୭ ଓ ୨୦୧୯: ମଣିଶଙ୍କର ଆୟାରଙ୍କ “ନିଚ କିସମର ଲୋକ” ଏବଂ ରାହୁଲ ଗାନ୍ଧୀଙ୍କ “ଚୌକିଦାର ଚୋର ହୈ” ସ୍ଲୋଗାନ୍ ରାଜନୀତିରେ ପ୍ରବଳ ଝଡ଼ ସୃଷ୍ଟି କରିଥିଲା।
• ଏପରିକି ଖୋଦ୍ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଗତ କିଛି ବର୍ଷ ଭେତେ ମୋଦୀଙ୍କୁ “୧୦୦ ମୁଣ୍ଡିଆ ରାବଣ” (୨୦୨୨) ଏବଂ “ବିଷଧର ସର୍ପ” (୨୦୨୩) ବୋଲି କହିସାରିଛନ୍ତି।
ଅନ୍ୟପଟେ, ବିଜେପି ନେତାମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଅଶ୍ୱିନୀ କୁମାର ଚୌବେ (୨୦୧୫) ସୋନିଆ ଗାନ୍ଧୀଙ୍କୁ ରାକ୍ଷସୀ “ପୂତନା” ସହ ତୁଳନା କରିଥିଲେ। ବାସନଗୌଡ଼ା ପାଟିଲ ୟାଟନାଲ (୨୦୨୩) “ବିଷକନ୍ୟା” ଏବଂ “ଚୀନ୍ ଓ ପାକିସ୍ତାନର ଏଜେଣ୍ଟ” ବୋଲି କହିଥିଲେ। ଗିରିରାଜ ସିଂହ (୨୦୧୫) ସୋନିଆ ଗାନ୍ଧୀଙ୍କ ଚର୍ମର ରଙ୍ଗକୁ ନେଇ ଅତି ନିମ୍ନସ୍ତରର ମନ୍ତବ୍ୟ ଦେଇଥିଲେ। ଆଉ ରାହୁଲ ଗାନ୍ଧୀଙ୍କୁ ତ କ୍ରମାଗତ ଭାବେ “ପପୁ” ଏବଂ “ସେହଜାଦେ” ବୋଲି ସମ୍ବୋଧନ କରାଯାଏ।
ଏହାର ଅର୍ଥ ସ୍ପଷ୍ଟ— କେହି କାହାଠାରୁ କମ୍ ନୁହଁନ୍ତି!
ପ୍ରସିଦ୍ଧ ରାଜନୈତିକ ସମୀକ୍ଷକ ରସିଦ କିଡୱାଇ କହିଛନ୍ତି ଯେ ଏଭଳି ବକ୍ତବ୍ୟ କୌଣସି ପ୍ରକୃତ ରାଜନୈତିକ ଲାଭ ପ୍ରଦାନ କରେ ନାହିଁ, କାରଣ ରାଜନୀତି ଏକ ଦୃଢ଼ ଢାଞ୍ଚାରେ ଚାଲିଥାଏ। ତଥାପି ନେତାମାନେ ଏହାକୁ ବାରମ୍ବାର ବ୍ୟବହାର କରିଥାନ୍ତି। ଏହାର ମୁଖ୍ୟତଃ ଦୁଇଟି ବଡ଼ କାରଣ ରହିଛି:
୧. ବିରୋଧୀଙ୍କ ପ୍ରତିଛବିକୁ ମାଟିରେ ମିଶାଇବା: ଯେତେବେଳେ ଆପଣ ଜଣେ ନେତାଙ୍କ ନୀତି, ଦକ୍ଷତା କିମ୍ବା ଦୁର୍ନୀତି ବିରୁଦ୍ଧରେ ଯୁକ୍ତି ବାଢ଼ିବାରେ ଅସମର୍ଥ ହୁଅନ୍ତି, ସେତେବେଳେ ସବୁଠାରୁ ସହଜ ବାଟ ହେଉଛି— ତାଙ୍କର ଚରିତ୍ର, ପରିବାର, ଦେଖାଣିଆ ବା ପରିଚୟ ଉପରେ ଆକ୍ରମଣ କରିବା। ଏହାଦ୍ୱାରା ଜନସାଧାରଣଙ୍କ ମନରେ ସେହି ନେତାଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥାଏ, ଯାହାଫଳରେ ପ୍ରକୃତ କାମ ଓ ନୀତିଗତ ବିଫଳତା ଆଡ଼ୁ ଲୋକଙ୍କ ଧ୍ୟାନ ହଟିଯାଏ।
୨. ନିଜର ବିଶ୍ୱସ୍ତ ଭୋଟରଙ୍କୁ ବାନ୍ଧି ରଖିବା : ଏହା ହେଉଛି ସବୁଠାରୁ ବଡ଼ ରାଜନୈତିକ ଖେଳ! ଯେତେବେଳେ କୌଣସି ନେତା ବିରୋଧୀଙ୍କୁ କଡ଼ା ଭାଷାରେ ଆକ୍ରମଣ କରନ୍ତି, ସେତେବେଳେ ତାଙ୍କର କଟ୍ଟର ସମର୍ଥକ ବା ଭୋଟରମାନେ ଏହାକୁ “ଶକ୍ତି” ଏବଂ “ନିର୍ଭୟତା”ର ପ୍ରତୀକ ଭାବେ ଦେଖନ୍ତି। ସେମାନେ ଏହାକୁ ଉପଭୋଗ କରନ୍ତି। ଏହା ଦ୍ୱାରା ଦଳୀୟ ଭୋଟ୍ ବ୍ୟାଙ୍କ ଆହୁରି ମଜବୁତ ହୋଇଯାଏ ଏବଂ ନିଜର କର୍ମୀମାନେ ଉତ୍ସାହିତ ହୁଅନ୍ତି।
କିନ୍ତୁ ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା କ’ଣ ଜାଣିଛନ୍ତି? ଏହି ସବୁ ବ୍ୟକ୍ତିଗତ ଆକ୍ରମଣ ଏବଂ ବିବାଦ ମିଡିଆର ପ୍ରାଇମ୍-ଟାଇମ୍ ଡିବେଟ୍ ଏବଂ ଖବରର ମୁଖ୍ୟ ପୃଷ୍ଠାକୁ ଦଖଲ କରିନିଏ। ଫଳରେ ଦେଶର ପ୍ରକୃତ ସମସ୍ୟା— ଯେପରିକି ବେକାରୀ, ମୁଦ୍ରାସ୍ଫୀତି, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା— ପଛକୁ ଚାଲିଯାଏ।
୨୦୨୪ ମସିହାରେ ଏକ ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ପ୍ରମୁଖ ଟିଭି ଆଙ୍କରମାନଙ୍କ ଦ୍ୱାରା କରାଯାଇଥିବା ଶହ ଶହ ପ୍ରାଇମ୍-ଟାଇମ୍ ସେଗମେଣ୍ଟ୍ ମଧ୍ୟରୁ ମାତ୍ର କିଛିଟି ଚାକିରି ଓ ଶିକ୍ଷା ଉପରେ ଆଧାରିତ ଥିଲା। ଏହାର ଅର୍ଥ, ଗଣମାଧ୍ୟମ ମଧ୍ୟ ଏହି ମସଲାଦାର ବୟାନବାଜିକୁ ଅଧିକ ଗୁରୁତ୍ୱ ଦିଏ, ଯାହା ଜନସାଧାରଣଙ୍କ ମୂଲ୍ୟବାନ ସମୟକୁ ନଷ୍ଟ କରେ।
ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ଦ୍ୱିମୁଖୀ ନୀତି
ବର୍ତ୍ତମାନ ପ୍ରଶ୍ନ ହେଉଛି— ଯେତେବେଳେ ନେତାମାନେ ଏଭଳି ଅମର୍ଯ୍ୟାଦାକର ମନ୍ତବ୍ୟ ଦିଅନ୍ତି, ସେତେବେଳେ ସେମାନଙ୍କର ଦଳୀୟ ନେତୃତ୍ୱ କିପରି ପ୍ରତିକ୍ରିୟା ଦିଅନ୍ତି? କ’ଣ ଉଭୟ ବିଜେପି ଏବଂ କଂଗ୍ରେସ ସମାନ ମାନଦଣ୍ଡ ଆପଣାନ୍ତି?
ଯଦିଓ ଉଭୟ ଦଳ ସାଧାରଣତଃ ଏଭଳି ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ନିଅନ୍ତି, କିନ୍ତୁ ବାସ୍ତବତା ଅଲଗା। କିଛି ଉଦ୍ଧାରଣ ଦେଖନ୍ତୁ:
• ୨୦୧୯ରେ, ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରଜ୍ଞା ସିଂହ ଠାକୁରଙ୍କ ନାଥୁରାମ ଗଡସେଙ୍କ ପ୍ରଶଂସା ମନ୍ତବ୍ୟ ପରେ ତାଙ୍କୁ ଦଳର ଶୃଙ୍ଖଳା କମିଟିକୁ ପଠାଇଥିଲେ।
• ୨୦୧୭ରେ, କଂଗ୍ରେସ ସନ୍ଦୀପ ଦୀକ୍ଷିତଙ୍କ ତତ୍କାଳୀନ ସେନାମୁଖ୍ୟଙ୍କ ବିରୋଧରେ “ସଡକ କା ଗୁଣ୍ଡା” ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିଲା ଏବଂ ସେ କ୍ଷମା ମାଗିଥିଲେ।
• ୨୦୨୪ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କୁ ବିଜେପିର ଦିଲୀପ ଘୋଷ ଏବଂ କଂଗ୍ରେସର ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା।
ଏସବୁ ସତ୍ତ୍ୱେ ଦଳଗୁଡ଼ିକ କେବେବି ସ୍ଥିର ଏବଂ କଠୋର ମାନଦଣ୍ଡ ପ୍ରୟୋଗ କରନ୍ତି ନାହିଁ। ଯେତେବେଳେ ନିଜ ଦଳର ନେତା ଏଭଳି କାମ କରନ୍ତି, ସେତେବେଳେ ନରମ କାର୍ଯ୍ୟାନୁଷ୍ଠାନ କିମ୍ବା କେବଳ ମୌଖିକ ଦୂରତା ରଖାଯାଏ; କିନ୍ତୁ ଯେତେବେଳେ ବିରୋଧୀ କରନ୍ତି, ସେତେବେଳେ ଦେଶବ୍ୟାପୀ ଆନ୍ଦୋଳନ ଏବଂ ଏଫ୍ଆଇଆର୍ ରୁଜୁ ହୁଏ। ଏହା ସ୍ପଷ୍ଟ ଭାବେ ରାଜନୈତିକ ସୁବିଧାବାଦକୁ ଦର୍ଶାଏ।
ରାଜନୈତିକ ସମାଲୋଚନା କେବେ ଏକ ବ୍ୟକ୍ତିଗତ ଅପମାନରେ ପରିଣତ ହୁଏ ? ଜାଣି ରଖନ୍ତୁ— ଯେତେବେଳେ ଆପଣ ଜଣେ ନେତାଙ୍କର ନୀତି, ସରକାରୀ ନିଷ୍ପତ୍ତି କିମ୍ବା ଦୁର୍ନୀତିକୁ ପ୍ରମାଣ ସହକାରେ ସମାଲୋଚନା କରନ୍ତି, ସେତେବେଳେ ତାହା ଗଣତନ୍ତ୍ରକୁ ମଜବୁତ କରେ। କିନ୍ତୁ ଯେତେବେଳେ ବିନା କୌଣସି ଠୋସ୍ ଆଧାରରେ କେବଳ ଜଣେ ବ୍ୟକ୍ତିଙ୍କର ଦେଖାଣିଆ, ପରିବାର, ପରିଚୟ କିମ୍ବା ଚରିତ୍ରକୁ ଆକ୍ରମଣ କରାଯାଏ, ସେତେବେଳେ ତାହା ଅପମାନ ପାଲଟିଯାଏ।
ବେକାରୀ କିମ୍ବା ମୁଦ୍ରାସ୍ଫୀତିକୁ ପ୍ରଶ୍ନ କରିବା ସରକାରଙ୍କୁ ଦାୟୀ କରେ; କିନ୍ତୁ କାହାର ବାପା କିମ୍ବା ପରିବାରକୁ ନେଇ ଅଶ୍ଳୀଳ ଭାଷା ବ୍ୟବହାର କରିବା ଦେଶର ଜନସାଧାରଣଙ୍କ ଜୀବନରେ ଗୋଟିଏ ବୁନ୍ଦା ମଧ୍ୟ ପରିବର୍ତ୍ତନ ଆଣିପାରେ ନାହିଁ!
ମନେ ପକାନ୍ତୁ, କିପରି ଭାବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ସେମାନଙ୍କର ନିଜର ମେଣ୍ଟ ସହଯୋଗୀ ସମାଜବାଦୀ ପାର୍ଟିକୁ ମଧ୍ୟ ଏହା ଗ୍ରହଣୀୟ ହେଲା ନାହିଁ। ଏସ୍.ପି ନେତା ରାମଗୋପାଳ ଯାଦବଙ୍କୁ ସ୍ୱୀକାର କରିବାକୁ ପଡ଼ିଲା ଯେ, ରାଜନୀତିରେ ଭାଷା ଉପରେ ସଂଯମ ରଖିବା ନିହାତି ଜରୁରୀ। ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ ଏପରି ଭାଷା ପ୍ରୟୋଗକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିପାରିବ ନାହିଁ।

ଏପରିକି ମହାରାଷ୍ଟ୍ର କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାନ ମଧ୍ୟ ଏହାକୁ ସମର୍ଥନ କରିପାରି ନାହାନ୍ତି।
ଶେଷରେ କହିବାକୁ ଗଲେ— ବାରମ୍ବାର ଏଭଳି ବ୍ୟକ୍ତିଗତ ଅପମାନ ରାଜନେତାମାନଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଦିନକୁ ଦିନ ଭାଙ୍ଗି ଦେଉଛି। ଲୋକମାନେ ଆଜି ବିରକ୍ତ ହେଲେଣି। କିନ୍ତୁ ନେତାମାନେ ବୁଝୁନାହାନ୍ତି ଯେ ଏଭଳି କଥା ଦ୍ୱାରା ସାଧାରଣ ଜନତାଙ୍କ ପ୍ରକୃତ ମୌଳିକ ସମସ୍ୟାଗୁଡ଼ିକ କେବଳ ଲୁଚି ଯାଉଛି।
କେବଳ କିଛି ଆଇନଗତ ନିୟମ କିମ୍ବା ନିର୍ବାଚନ ଆୟୋଗଙ୍କ ଚେତାବନୀ ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ନାହିଁ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକୁ ନିଜେ ଆତ୍ମସମୀକ୍ଷା କରିବାକୁ ପଡ଼ିବ ଏବଂ ଏକ ସମାନ, କଠୋର ନୈତିକ ମାନଦଣ୍ଡ ତିଆରି କରିବାକୁ ପଡ଼ିବ— ମନ୍ତବ୍ୟ କିଏ ଦେଉଛି ତାହା ନିର୍ବିଶେଷରେ।
also read
https://purvapaksa.com/cyclone-arnab-update/


