ମୋଦୀ ସରକାରଙ୍କ ୧୨ ବର୍ଷର ଶାସନକାଳରେ ପ୍ରଥମ ଥର ପାଇଁ ନୈତିକତା ଆଧାରରେ ଜଣେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଲେ।
ସାରା ଦେଶରେ ଖୁସିର ଲହରୀ ଖେଳିଗଲା, ନେତାମାନେ ନିଜର ଜୟଜୟକାର କଲେ, ସୋସିଆଲ୍ ମିଡିଆରେ ଶ୍ରେୟ ନେବାର ପ୍ରତିଯୋଗିତା ଚାଲିଲା। କିନ୍ତୁ ଆଜି ଆମେ ଆପଣଙ୍କୁ ପଚାରିବାକୁ ଚାହୁଁଛୁ— ମନ୍ତ୍ରୀ ଚାଲିଗଲେ ସତ, କିନ୍ତୁ ଯେଉଁ ସମସ୍ୟା ପାଇଁ କୋଟି କୋଟି ଛାତ୍ରଛାତ୍ରୀ ରାସ୍ତାରେ ଆନ୍ଦୋଳନ କରୁଥିଲେ, ସେହି ସମସ୍ୟାର ସମାଧାନ ହୋଇଗଲା କି?

ସରକାରଙ୍କ ଅହଙ୍କାର ତ ଭାଙ୍ଗିଗଲା, କିନ୍ତୁ ପେପର୍ ଲିକ୍ କରାଉଥିବା ସେହି ମେସିନ୍, ସେହି ଦୁର୍ନୀତିଗ୍ରସ୍ତ ସିଷ୍ଟମ୍ କ’ଣ ବଦଳିଗଲା? ନା କେବଳ ଚେହେରା ବଦଳାଇ ପୁରୁଣା ଖେଳକୁ ପୁଣି ଥରେ ନୂଆ ରୂପ ଦିଆଗଲା?
ଗଣତନ୍ତ୍ରରେ ଉତ୍ତାଦାୟିତ୍ୱ ବା Accountability ରହିବା ଅତ୍ୟନ୍ତ ଜରୁରୀ। ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେତେବେଳେ ପ୍ରଶ୍ନବାଚୀ ଆଗରେ ଛିଡ଼ା ହୁଏ, ସେତେବେଳେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଗୋଟିଏ ବଡ଼ ସଂକେତ। ଏହାଦ୍ୱାରା ଭବିଷ୍ୟତର ମନ୍ତ୍ରୀମାନଙ୍କ ମନରେ ଭୟ ରହିବ ଯେ ନିଜ ଦାୟିତ୍ୱରେ ଅବହେଳା କଲେ ଚେୟାର ଚାଲିଯିବ।
କିନ୍ତୁ ଗୋଟିଏ କଥା ଚିନ୍ତା କରନ୍ତୁ— ପରୀକ୍ଷା କରାଏ NTA (National Testing Agency), ମନ୍ତ୍ରୀ କେବଳ ଆଦେଶ ଦିଅନ୍ତି।
ବର୍ତ୍ତମାନ କେନ୍ଦ୍ର ସରକାର ନୂଆ ଶିକ୍ଷାମନ୍ତ୍ରୀ ଭାବେ ପ୍ରହ୍ଲାଦ ଯୋଶୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଯେଉଁ ମନ୍ତ୍ରୀଙ୍କ ପାଖରେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ବୋଝ ରହିଛି, ସିଏ କିପରି ଏହି ବିଶାଳ ଶିକ୍ଷା ବିଭାଗକୁ ପୂର୍ଣ୍ଣ ସମୟ ଦେଇ ସମ୍ଭାଳିବେ? ସରକାର କ’ଣ ଭାବିନେଲେ ଯେ ଛାତ୍ରଙ୍କ ଆକ୍ରୋଶ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଥିଲା, ଆଉ ଚେହେରା ବଦଳାଇଦେଲେ ପୂରା ସିଷ୍ଟମ୍ ‘ଅଟୋ ମୋଡ୍’ରେ ଚାଲିବ?

ଏବେ ଆସନ୍ତୁ ଜାଣିବା NTA ଭିତରର ସେହି କାହାଣୀ, ଯାହା ଆପଣଙ୍କ ହୋସ୍ ଉଡ଼ାଇଦେବ ।
ଗତ ଜୁଲାଇ ୨୨ ତାରିଖରେ, ଇସ୍ତଫାର ଠିକ୍ ତିନି ଦିନ ପୂର୍ବରୁ ସରକାର ନିଜେ ରାଜ୍ୟସଭାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ରଖିଥିଲେ। NTA, ଯାହା ଦେଶର ୬.୫ କୋଟିରୁ ଅଧିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ପରିଚାଳନା କରେ, ସେହି ସଂସ୍ଥାରେ ସ୍ଥାୟୀ ପଦବୀ ସଂଖ୍ୟା ମାତ୍ର ୩୯!
ଆଉ ସେହି ୩୯ଟି ପଦବୀରୁ କାମ କରୁଛନ୍ତି କେତେ ଜଣ ଜାଣନ୍ତି? ମାତ୍ର ୨୪ ଜଣ! ୧୫ଟି ପଦବୀ ଆଜି ବି ଫାଙ୍କା ପଡ଼ିଛି!
ଆଉ ଏହି ୨୪ ଜଣ ବି NTA ର ନିଜସ୍ୱ କର୍ମଚାରୀ ନୁହଁନ୍ତି। ସେମାନେ ଅନ୍ୟ ବିଭାଗରୁ କିଛି ବର୍ଷ ପାଇଁ ଡେପୁଟେସନ୍ରେ ଆସିଥିବା ଅଫିସର। ବାକି ପୂରା କାମ ୭୩ ଜଣ ଠିକା କର୍ମଚାରୀ (Contractual Workers) ଏବଂ ୧୨୪ ଜଣ ବାହାରୁ ଅଣାଯାଇଥିବା ଲୋକଙ୍କ ଭରସାରେ ଚାଲିଛି।
ପରୀକ୍ଷା ଦିନ ଯେଉଁ ହଜାର ହଜାର ଲୋକ ନିୟୋଜିତ ହୁଅନ୍ତି— ସିଟି କୋଅର୍ଡିନେଟର କୌଣସି ସ୍କୁଲର ପ୍ରିନ୍ସିପାଲ, ସେଣ୍ଟର ସୁପରଭାଇଜର ସେହି ସ୍କୁଲର ଶିକ୍ଷକ, ଆଉ ଭେଣ୍ଡର ହେଉଛନ୍ତି ଜଣେ ଠିକାଦାର।
ଅର୍ଥାତ୍, ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ଏପରି ଜଣେ ବି ସ୍ଥାୟୀ ବ୍ୟକ୍ତି ନାହାନ୍ତି, ଯିଏ କହିପାରିବ— “ଏହା ମୋର ସଂସ୍ଥା, ଏଠାରେ ଗଡ଼ବଡ଼ ହେଲେ ବଦନାମ ମୋର ହେବ!” ଯେଉଁଠି କୌଣସି ମାଲିକ ବା ଦାୟିତ୍ୱବାନ ଅଧିକାରୀ ନାହାନ୍ତି, ସେଠାରେ ଦୁର୍ନୀତି ଓ ପେପର୍ ଲିକ୍ ହେବା ତ ସ୍ୱାଭାବିକ୍!
ସରକାର କହିଲେ ୪୭ ଜଣ ଅଫିସରଙ୍କୁ ବାହାର କରାଯାଇଛି। କିନ୍ତୁ ସେମାନଙ୍କ ନାଁ କ’ଣ? ସେମାନଙ୍କ ପଦବୀ କ’ଣ? ସେମାନେ ଦୁର୍ନୀତିରେ ସାମିଲ ଥିଲେ ନା ଅବହେଳା କରିଥିଲେ— ତାହା କାହିଁକି ଲୁଚାଗଲା?
ଆସନ୍ତୁ ବୁଝିବା ପେପର୍ ଲିକ୍ ହୁଏ କିପରି?

ପ୍ରଶ୍ନପତ୍ର ଛପାଯାଏ, ସିଲ୍ଡ୍ ଟ୍ରଙ୍କରେ ପ୍ୟାକ୍ ହୁଏ, ଟ୍ରକ୍ରେ ଗାଡ଼ି ଚାଲେ, ସ୍କୁଲର କୋଠରୀରେ ରଖାଯାଏ, ଆଉ ପରୀକ୍ଷା ସକାଳେ ଖୋଲେ। ଏହି ଦୀର୍ଘ ରାସ୍ତାରେ ଯେତେ ହାତ ସେହି ଟ୍ରଙ୍କକୁ ଛୁଏଁ, ପେପର୍ ଲିକ୍ ହେବାର ସୁଯୋଗ ସେତେ ବଢ଼ିଯାଏ।
୨୦୨୪ ଅକ୍ଟୋବରରେ ଗଠିତ ‘ରାଧାକୃଷ୍ଣନ୍ କମିଟି’ ସପାରିଶ କରିଥିଲେ ଯେ— କାଗଜ ପରୀକ୍ଷା ବନ୍ଦ କରି କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) କରାଯାଉ। ପ୍ରଶ୍ନପତ୍ର ରାସ୍ତାରେ ନଯାଇ, ସିଧାସଳଖ ସେଣ୍ଟରର କମ୍ପ୍ୟୁଟରକୁ ଏନକ୍ରିପ୍ଟେଡ୍ ଫାଇଲ୍ ଭାବେ ଯାଉ।
୨୦୨୫ ଜାନୁଆରୀରେ ସରକାର ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦେଲେ ଯେ ଏହି ସୁପାରିଶ ଲାଗୁ ହେବ। କିନ୍ତୁ ୨୦୨୬ ଆସିଗଲା, ସୁପାରିଶ ଲାଗୁ ହେଲାନି! ସୁପ୍ରିମ୍ କୋର୍ଟ ବି ଦୁଃଖ ପ୍ରକାଶ କରି କହିଥିଲେ ଯେ ସବୁ ଜାଣି ମଧ୍ୟ ସରକାର ଶିକ୍ଷା ଗ୍ରହଣ କଲେ ନାହିଁ।
ମନ୍ତ୍ରୀ ବଦଳିଲେ, କିନ୍ତୁ ୨୦୨୭ ପରୀକ୍ଷା କମ୍ପ୍ୟୁଟରରେ ହେବ ବୋଲି କୌଣସି ତାରିଖ ଆସିଲା କି? ସିଷ୍ଟମର ସେହି ଦୁର୍ବଳ ଲିଙ୍କ୍ କ’ଣ ବନ୍ଦ ହେଲା?
ସରକାର ନୂଆ ଆଇନ ଆଣିଲେ— ୧୦ ବର୍ଷ ଜେଲ୍, ୧୦ କୋଟି ଟଙ୍କା ଜରିମାନା, ଆଉ ୩ ମାସରେ ଫାଷ୍ଟ-ଟ୍ରାକ୍ କୋର୍ଟରେ ନିଷ୍ପତ୍ତି।
କୋଟି କୋଟି ଟଙ୍କାର କାରବାର କରୁଥିବା ପେପର୍ ଲିକ୍ ମାଫିଆଙ୍କ ପାଇଁ ୧ କୋଟି କି ୧୦ କୋଟି ଜରିମାନା କୌଣସି ବଡ଼ କଥା ନୁହେଁ। ଅସଲ କଥା ହେଉଛି ‘ସଜାର ଭୟ’!

୨୦୨୪ NEET କେସ୍ କଥା ଭାବନ୍ତୁ। ନଭେମ୍ବର ୨୦୨୪ ସୁଦ୍ଧା ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ହୋଇଥିଲା। ଆଜି ୨୦ ମାସ ପରେ ବି କୋର୍ଟରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ! ୪୪ ଜଣ ଜାମିନରେ ବାହାରେ ବୁଲୁଛନ୍ତି, ମାତ୍ର ଜଣେ ଜେଲ୍ରେ ଅଛି। ଅତୀତର ଇତିହାସ କହୁଛି, ଏହିପରି ମାମଲାରେ ସଜା ହେବାକୁ ୧୪ ବର୍ଷ ଲାଗିଯାଏ!
ସବୁଠାରୁ ବଡ଼ ପ୍ରଶ୍ନ— ଅକ୍ଟୋବର ୨୦୨୪ରେ CBI ୧୪୪ ଜଣ ଏପରି ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରି NTA କୁ ତାଲିକା ଦେଇଥିଲା, ଯେଉଁମାନେ ଟଙ୍କା ଦେଇ ଲିକ୍ ପେପର୍ କିଣିଥିଲେ। ଆଜି ଦୁଇ ବର୍ଷ ପରେ ବି ସେହି ୧୪୪ ଜଣଙ୍କ ନାମାଙ୍କନ ରଦ୍ଦ ହେଲା କି ନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ!
ଯେଉଁ ମେଧାବୀ ଛାତ୍ର ପଢ଼ିଶୁଣି ପଛରେ ରହିଗଲା, ତା’ର ସିଟ୍କୁ ଜଣେ ଚୋର ନେଇଗଲା। କୌଣସି ମନ୍ତ୍ରୀଙ୍କ ଇସ୍ତଫା ସେହି ନିରୀହ ଛାତ୍ରକୁ ତା’ର ସିଟ୍ ଫେରାଇ ଦେଇପାରିବ କି?
ତେବେ ଶେଷରେ ହିସାବ କ’ଣ ବାହାରିଲା?
ମନ୍ତ୍ରୀ ଗଲେ, ୧୩ ଜଣ ଗିରଫ ହେଲେ। କିନ୍ତୁ…
- ପେପର୍ ଯିବାର ପୁରୁଣା ରାସ୍ତା ସେଇୟା ଅଛି।
- କମ୍ପ୍ୟୁଟର ପରୀକ୍ଷାର କୌଣସି ତାରିଖ ନାହିଁ।
- NTA ର ୧୫ଟି ସ୍ଥାୟୀ ପଦବୀ ଆଜି ବି ଫାଙ୍କା।
- ଦୋଷୀଙ୍କ ବିରୋଧରେ ମାମଲା କୋର୍ଟରେ ଅଟକିଛି।

ତେଣୁ ଆସନ୍ତା ୩ ଅଗଷ୍ଟ ତାରିଖକୁ ମନେରଖନ୍ତୁ। ସେହିଦିନ ସୁପ୍ରିମକୋର୍ଟରେ ସରକାର ଦାଖଲ କରିବାକୁ ଥିବା ସତ୍ୟପାଠ (Affidavit) ରୁ ସ୍ପଷ୍ଟ ହେବ ଯେ—
- କମ୍ପ୍ୟୁଟର ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଆସୁଛି କି ନାହିଁ?
- NTA ରେ ସ୍ଥାୟୀ କର୍ମଚାରୀ ନିଯୁକ୍ତିର ସମୟସୀମା କ’ଣ?
- ଦୋଷୀଙ୍କୁ ସଜା ଦେବାର ସ୍ଥିତି କ’ଣ?
ଯଦି ୩ ଅଗଷ୍ଟରେ ଏହି ତିନୋଟି ଯାକ ପ୍ରଶ୍ନର ଉତ୍ତର ନମିଳିଲା, ତେବେ ବୁଝିଯିବେ— ଆମେ କେବଳ ଚେହେରା ବଦଳାଇଛୁ, ସିଷ୍ଟମ୍ ବଦଳି ନାହିଁ!
କେବଳ ମନ୍ତ୍ରୀଙ୍କ ଇସ୍ତଫାରେ ଖୁସି ହୋଇଗଲେ ଚଲିବ ନାହିଁ। ଯେ ପର୍ଯ୍ୟନ୍ତ NTA ଭିତରେ ସଂସ୍କାର ଆସିନାହିଁ, ସେ ପର୍ଯ୍ୟନ୍ତ ଦେଶର ଛାତ୍ରସମାଜ ସୁରକ୍ଷିତ ନୁହଁନ୍ତି।


