ୟୁକ୍ରେନ–ଋଷ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣିଥରେ ଭୟାବହ ଆକ୍ରମଣ କରିଛି। ରାଜଧାନୀ କିଭ୍ ସହିତ ଡିନିପ୍ରୋ ସହର ଉପରେ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡିନିପ୍ରୋ ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଏକ ବସ୍ କୁ ଲକ୍ଷ୍ୟ କରାଯାଇଥିଲା, ଯାହାରେ ଯାଉଥିଲେ ଖଣି ଶ୍ରମିକମାନେ।
ସୂଚନା ଅନୁଯାୟୀ, ଏହି ଡ୍ରୋନ୍ ଆକ୍ରମଣରେ ୧୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପରେ ବସ୍ଟିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।

ୟୁକ୍ରେନର ବଡ଼ ଘରୋଇ ଶକ୍ତି କମ୍ପାନୀ DTEK ସ୍ପଷ୍ଟ କରିଛି ଯେ ଆକ୍ରମଣରେ ଶିକାର ହୋଇଥିବା ବସ୍ଟି ସେମାନଙ୍କର ଥିଲା। କମ୍ପାନୀ କହିଛି, ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ଥିବା DTEKର ଖଣି କ୍ଷେତ୍ରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ଶ୍ରମିକମାନେ କାର୍ଯ୍ୟ ସମାପ୍ତ କରି ଖଣି ଅଞ୍ଚଳରୁ ଅନ୍ୟ ଏକ ସ୍ଥାନକୁ ଯାଉଥିବା ସମୟରେ ବସ୍ଟିକୁ ଟାର୍ଗେଟ କରାଯାଇଥିଲା।
DTEK ଏହି ଘଟଣାକୁ ଏକ “ଲକ୍ଷ୍ୟଭେଦୀ ଆତଙ୍କବାଦୀ ଆକ୍ରମଣ” ବୋଲି ବର୍ଣ୍ଣନା କରିଛି ଏବଂ କହିଛି ଯେ ଏହା ୟୁକ୍ରେନର ଅର୍ଥନୀତି ଓ ଶକ୍ତି କ୍ଷେତ୍ରକୁ ଦୁର୍ବଳ କରିବା ପାଇଁ ଏକ ଚେଷ୍ଟା।
ଏହି ଆକ୍ରମଣ ଏପରି ଏକ ସମୟରେ ଘଟିଛି, ଯେତେବେଳେ ୟୁକ୍ରେନୀୟ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସକି ରୁଷ ଓ ୟୁକ୍ରେନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଶାନ୍ତି ଆଲୋଚନା ନେଇ ଘୋଷଣା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଆସନ୍ତା ସପ୍ତାହ ବୁଧବାର ଓ ଗୁରୁବାର ଆବୁଧାବିରେ ଏହି ଆଲୋଚନା ହେବ। ଜେଲେନ୍ସକି କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ଏକ ସମ୍ମାନଜନକ ଅନ୍ତ ପାଇଁ ବାସ୍ତବ ଆଲୋଚନାକୁ ପ୍ରସ୍ତୁତ।
ତଥାପି, ଏହି ଆକ୍ରମଣ ରୁଷ ଦ୍ୱାରା ସାଧାରଣ ନାଗରିକ ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବାର ସ୍ପଷ୍ଟ ପ୍ରମାଣ ବୋଲି ୟୁକ୍ରେନୀୟ କର୍ତ୍ତୃପକ୍ଷ କହିଛନ୍ତି । ସେମାନେ ଏହି ଆକ୍ରମଣକୁ କଡ଼ା ଭାବରେ ନିନ୍ଦା କରି “ଆତଙ୍କବାଦୀ କାର୍ଯ୍ୟ” ବୋଲି ଅଭିହିତ କରିଛନ୍ତି ।
also read https://purvapaksa.com/haroscope-12/
Haroscope ।। ଆଜିଠାରୁ ଏହି ୫ଟି ରାଶିଙ୍କୁ ମିଳିବ ପୁଳା ପୁଳା ଟଙ୍କା !


