ଭାରତୀୟ ରାଜନୀତିରେ ପୁଣି ଥରେ ତୀବ୍ର ବିବାଦ ମୁଣ୍ଡ ଟେକିଛି। କଂଗ୍ରେସ ଦଳ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ‘ପ୍ରଧାନମନ୍ତ୍ରୀ ରାହୁଲ’ କ୍ୟାମ୍ପେନ୍ ଭାବେ ପାଳନ କରାଯିବାର ମାତ୍ର କିଛି ଦିନ ପରେ, ଏବେ ପୁଣି ଏକ ବଡ଼ ରାଜନୈତିକ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କଂଗ୍ରେସ ଦଳର ସଂଖ୍ୟାଲଘୁ ବିଭାଗର ଜିଲ୍ଲା ସଭାପତିମାନଙ୍କୁ ସମ୍ବୋଧିତ କରିବା ସମୟରେ ରାହୁଲ ଗାନ୍ଧୀ ଏଭଳି ଏକ ବକ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିଜେପି କଂଗ୍ରେସ ଉପରେ ସିଧାସଳଖ ତୁଷ୍ଟୀକରଣ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତିର ବଡ଼ ଅଭିଯୋଗ ଆଣିଛି।
ରାହୁଲ ଗାନ୍ଧୀ ଏହି ବୈଠକରେ ପ୍ରକାଶ କରିଛନ୍ତି ଯେ, ଦିନେ ତାଙ୍କୁ ତାଙ୍କ ଦଳର ସହକର୍ମୀମାନେ ପରାମର୍ଶ ଦେଇଥିଲେ ଯେ ସେ ‘ମୁସଲିମ୍’ ଶବ୍ଦ ବ୍ୟହାର ନକରି କେବଳ ‘ସଂଖ୍ୟାଲଘୁ’ ବା ମାଇନୋରିଟି ଶବ୍ଦ ବ୍ୟବହାର କରନ୍ତୁ। କିନ୍ତୁ ରାହୁଲ ଗାନ୍ଧୀ ସେହି ପରାମର୍ଶକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଯେଉଁଦିନ ସେ ମୁସଲିମ୍, ଶିଖ୍ କିମ୍ବା ଜୈନ ଭଳି ଶବ୍ଦ ବ୍ୟବହାର କରିବା ବନ୍ଦ କରିଦେବେ, ସେହିଦିନ ସେ ଆଉ କଂଗ୍ରେସ ଦଳର ହୋଇ ରହିବେ ନାହିଁ।
ରାହୁଲ ଗାନ୍ଧୀ ବୈଠକରେ କଣ କହିଥିଲେ ଏବଂ କଂଗ୍ରେସ ଏହାକୁ କେମିତି ସମର୍ଥନ କରୁଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, କେବଳ ଶବ୍ଦ ବଦଳାଇ ଦେଲେ ଆମେ ସମ୍ପ୍ରଦାୟଗୁଡ଼ିକର ସମସ୍ୟାକୁ ଏଡ଼ାଇ ଯାଇପାରିବା ନାହିଁ। ସେ ଦଳର ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ଦେଶରେ ମୁସଲିମ୍ ସମ୍ପ୍ରଦାୟ ପ୍ରତି କୌଣସି ଅନ୍ୟାୟ ବା ଅତ୍ୟାଚାର ହେଉଛି, ତେବେ ଦଳର କର୍ମକର୍ତ୍ତାମାନେ ଖୋଲାଖୋଲି ଭାବେ ‘ମୁସଲିମ୍’ ସମ୍ପ୍ରଦାୟର ନାମ ନେଇ ଏହାର ପ୍ରତିବାଦ କରନ୍ତୁ, ଏହାକୁ ସଂଖ୍ୟାଲଘୁ ସମସ୍ୟା କହି ଲୁଚାଇବା ଉଚିତ ନୁହେଁ।
କଂଗ୍ରେସ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଏହି ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। କଂଗ୍ରେସ ନେତାମାନଙ୍କ କହିବା ଅନୁସାରେ, ରାହୁଲ ଗାନ୍ଧୀ ହେଉଛନ୍ତି ଦେଶର ଏକମାତ୍ର ନେତା ଯିଏ ମୁସଲିମ୍ ସମ୍ପ୍ରଦାୟର ସମସ୍ୟା ଉପରେ ସ୍ପଷ୍ଟ ଦିଗଦର୍ଶନ ଦେଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଏବଂ ସରକାର କ୍ରମାଗତ ଭାବେ ମୁସଲିମ୍ ସମ୍ପ୍ରଦାୟକୁ ଟାର୍ଗେଟ୍ କରୁଛନ୍ତି ଏବଂ ଏଭଳି ସମୟରେ ଦେଶର ଧର୍ମନିରପେକ୍ଷ ବା Secular ନେତାମାନେ ସାମ୍ନାକୁ ଆସି ବିଜେପିର ଏହି ନୀତିକୁ କଡ଼ା ସମାଲୋଚନା କରିବା ଆବଶ୍ୟକ।
ରାହୁଲ ଗାନ୍ଧୀଙ୍କ ଏହି ବକ୍ତବ୍ୟ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ଚତୁର୍ଦ୍ଦିଗରୁ ଆକ୍ରମଣ ଆରମ୍ଭ କରିଦେଇଛି। ବିଜେପି ନେତାମାନଙ୍କ କହିବା ଅନୁସାରେ, ଏହି ବୟାନ ପ୍ରମାଣ କରୁଛି ଯେ କଂଗ୍ରେସ ପାଇଁ ‘ସଂଖ୍ୟାଲଘୁ’ ର ଅର୍ଥ କେବଳ ମୁସଲିମ୍ ସମ୍ପ୍ରଦାୟ। ସେମାନେ ଦେଶର ଅନ୍ୟ ସଂଖ୍ୟାଲଘୁ ଯେମିତି କି ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ବା ଜୈନମାନଙ୍କ ସୁରକ୍ଷା ଓ ଅଧିକାର ପ୍ରତି ଆଦୌ ଗମ୍ଭୀର ନୁହନ୍ତି।
ବିଜେପି ଅଭିଯୋଗ କରିଛି ଯେ, କଂଗ୍ରେସ ଏବେ ସମ୍ପୂର୍ଣ୍ଣ ରୂପେ ‘ଅର୍ବାନ ନକ୍ସଲ’ (Urban Nexals)ମାନଙ୍କ ହାତକୁ ଚାଲିଯାଇଛି, ଯେଉଁମାନେ ଭାରତର ଧର୍ମନିରପେକ୍ଷ ଚରିତ୍ର ବା Secular characterକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ କେବଳ ମୁସଲିମ୍ ସମ୍ପ୍ରଦାୟକୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ବା Special treatment ଦେଇ ଭୋଟ୍ ହାସଲ କରିବାକୁ ଚାହୁଁଛି। ବିଜେପି ଏହାକୁ ‘ଶୀର୍ଷ ସ୍ତରର ମୁସଲିମ୍ ତୁଷ୍ଟୀକରଣ’ (Peak Muslim Appeasement) ବୋଲି ଆଖ୍ୟା ଦେଇଛି ଏବଂ କହିଛି ଯେ ଆଜିର କଂଗ୍ରେସ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ‘ମୁସଲିମ୍ ଲିଗ୍’ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।
ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ଦଳ ପକ୍ଷରୁ ଏଭଳି ବକ୍ତବ୍ୟ ଆସିବା କୌଣସି ନୂଆ କଥା ନୁହେଁ। ଯଦି ଆମେ ଇତିହାସକୁ ଦେଖିବା, ତେବେ ୨୦୧୮ ମସିହାରେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କଣ କଂଗ୍ରେସ କେବଳ ମୁସଲିମମାନଙ୍କ ଦଳ? ସେତେବେଳେ ସେ ସିଧାସଳଖ ‘ହଁ’ ବୋଲି ଉତ୍ତର ଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଯେ, ଦେଶରେ ମୁସଲିମମାନେ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ସେମାନେ କଣଠେସା (Marginalized) ହୋଇ ରହିଛନ୍ତି, ତେଣୁ କଂଗ୍ରେସ ସେମାନଙ୍କ ସହ ଅଛି।
ଏହି ନିକଟରେ ତେଲଙ୍ଗାନାର କଂଗ୍ରେସ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ଏକ ଅତ୍ୟନ୍ତ ବିବାଦୀୟ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ – “କଂଗ୍ରେସ ମାନେ ହିଁ ମୁସଲିମ୍ ଏବଂ ମୁସଲିମ୍ ମାନେ ହିଁ କଂଗ୍ରେସ”।
ବିଜେପି ଏହି ସମସ୍ତ ପୁରୁଣା ବକ୍ତବ୍ୟକୁ ସାମ୍ନାକୁ ଆଣି କହିଛି ଯେ, କଂଗ୍ରେସ ସବୁବେଳେ ଦେଶର ଜନସାଧାରଣଙ୍କୁ କେବଳ ଭୋଟ୍ ବ୍ୟାଙ୍କର ଚଷମାରେ (Prism of vote bank calculations) ଦେଖିଆସିଛି ଏବଂ ସେମାନଙ୍କର ଏହି ପ୍ରକୃତ ଚେହେରା ଏବେ ଜନସାଧାରଣଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଉନ୍ମୋଚିତ ହୋଇଯାଇଛି।
ଗ୍ରାଉଣ୍ଡ ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏହି ବୟାନ ମାଧ୍ୟମରେ ଦେଶର ସମସ୍ତ ଧର୍ମନିରପେକ୍ଷ କିମ୍ବା ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସର ରଣନୀତି ହେଉଛି ଯେ, ସରକାରଙ୍କ ଦ୍ୱାରା ଯଦି କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଭେଦଭାବ ହେଉଛି, ତେବେ ତାହାକୁ ସାମ୍ନାକୁ ଅଣାଯାଉ।
କଂଗ୍ରେସକୁ ଏହି ପ୍ରସଙ୍ଗରେ ଅନ୍ୟ କେତେକ ବିରୋଧୀ ଦଳର ମଧ୍ୟ ସମର୍ଥନ ମିଳୁଛି। ସେମାନଙ୍କର କହିବା କଥା ହେଉଛି, ଦେଶରେ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ସ୍ପଷ୍ଟ ଭାବେ କହିବା ଜଣେ ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ବିଜେପି ଏହାକୁ ଏକ ବଡ଼ ଜାତୀୟ ପ୍ରସଙ୍ଗ କରି ଆଗାମୀ ନିର୍ବାଚନରେ ଜନସାଧାରଣଙ୍କ ସାମ୍ନାକୁ ଯିବାକୁ ପ୍ରସ୍ତୁତି କରୁଛି, ଯାହା ଆଗାମୀ ଦିନରେ ରାଜନୈତିକ ଧ୍ରୁବୀକରଣ (Political Polarization)କୁ ଆହୁରି ବଢ଼ାଇ ଦେଇପାରେ।
ତେବେ ଲୋକସଭାର ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ଏହି ଆଭିମୁଖ୍ୟ ଏବଂ ବିଜେପିର ଏହି ପାଲଟା ଆକ୍ରମଣ ଆଗାମୀ ସଂସଦ ଅଧିବେଶନରେ ଏକ ବଡ଼ ହଙ୍ଗାମାର ସଙ୍କେତ ଦେଉଛି। ଏକ ପଟେ ଜାତୀୟ ସୁରକ୍ଷା ଏବଂ ସମସ୍ତ ନାଗରିକଙ୍କ ସମାନ ଅଧିକାର କଥା କୁହାଯାଉଥିବା ବେଳେ, ଅନ୍ୟପଟେ ସମ୍ପ୍ରଦାୟ ଆଧାରିତ ରାଜନୀତି ଦେଶର ଗଣତନ୍ତ୍ରକୁ କେଉଁ ଆଡ଼କୁ ନେଇଯିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ।
AlsoRead; https://purvapaksa.com/wind-of-change-or-storm-of-communal-chaos-in-the-new-congress/


