ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକୁ ଦେଖିଲେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ମନରେ କ୍ଷୋଭ ଏବଂ ଆଶ୍ଚର୍ଯ୍ୟ ସୃଷ୍ଟି ହୁଏ। ଆପଣ କଥା ହେଉ ହେଉ ଗୋଟିଏ ମିନିଟ୍ ବିତିଗଲା ଏବଂ ସେତିକି ସମୟ ମଧ୍ୟରେ ଦେଶର ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ବିଭିନ୍ନ ସଂସଦୀୟ ରିପୋର୍ଟ ଏବଂ ସରକାରୀ ତଥ୍ୟ ଅନୁସାରେ, ସଂସଦର ଉଭୟ ସଦନ ଚଳାଇବା ପାଇଁ ପ୍ରତି ମିନିଟରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ଯଦି ଆମେ ଏହାକୁ ଘଣ୍ଟା ହିସାବରେ ଦେଖିବା, ତେବେ ଗୋଟିଏ ଘଣ୍ଟାରେ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ ହୁଏ। ଗୋଟିଏ ଦିନରେ ସଂସଦ ଯଦି ୬ ଘଣ୍ଟା ଚାଲେ, ତେବେ ଖର୍ଚ୍ଚ ହୁଏ ପ୍ରାୟ ୯ ରୁ ୧୦ କୋଟି ଟଙ୍କା। ଏବେ ଆପଣ ନିଜେ ହିସାବ କରନ୍ତୁ, ଯଦି ପୂରା ମୌସୁମୀ ଅଧିବେଶନ କିମ୍ବା ଶୀତକାଳୀନ ଅଧିବେଶନରେ ଅଧାରୁ ଅଧିକ ସମୟ ହଟ୍ଟଗୋଳ ଯୋଗୁଁ ସଦନ ମୁଲତବୀ ରହେ, ତେବେ କେତେ ଶହ କୋଟି ଟଙ୍କା ବରବାଦ ହେଉଛି?
ନିକଟରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁ ବରବାଦ୍ ହୋଇଯାଇଥିବା ସଂସଦର ମୌସୁମୀ ଅଧିବେଶନ ୨୫ ଦିନ ପାଇଁ ଥିଲା, ଏତିରେ ୧୯ଟି କାର୍ଯ୍ୟ ଦିବସ ଥିବା ଦିନକୁ ଅତିକମରେ ସଂସଦର ଅଧିବେଶନ ପାଇଁ ୧୦ କୋଟି ଖର୍ଚ୍ଚ ହେଉଥିବାରୁ ୨୫ ଦିନ ପାଇଁ ୨୫୦ କୋଟି ଟଙ୍କା ବରବାଦ ହୋଇଗଲା।
ଏହା କେବଳ କିଛି ଅଙ୍କ କିମ୍ବା ପରିସଂଖ୍ୟାନ ନୁହେଁ, ଏହା ହେଉଛି ଏ ଦେଶର ଗରିବ, ମଧ୍ୟବିତ୍ତ ଏବଂ ସାଧାରଣ ଜନତାଙ୍କର କଷ୍ଟଅର୍ଜିତ ଟିକସ (Tax) ପଇସା, ଯାହାକୁ ଦେଶର ବିକାଶରେ ଲଗାଯିବା କଥା, କିନ୍ତୁ ଦୁର୍ଭାଗ୍ୟର କଥା ଯେ, ତାହା କେବଳ ସ୍ଲୋଗାନ୍ ଏବଂ ହଟ୍ଟଗୋଳ ଭିତରେ ନଷ୍ଟ ହୋଇଯାଉଛି।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଶାସନ ଏବଂ ସଂସଦ ଚାଲିବା ପାଇଁ ଏତେ ପରିମାଣର ଟଙ୍କା ପ୍ରକୃତରେ କେଉଁ କାମରେ ଏବଂ କେଉଁଠାକୁ ଖର୍ଚ୍ଚ ହୁଏ?
ସଂସଦର ଉଭୟ ଗୃହର ସମସ୍ତ ସାଂସଦଙ୍କୁ ମାସିକ ନିର୍ଦ୍ଦିଷ୍ଟ ଦରମା ମିଳିଥାଏ। ଏହା ସହିତ ଅଧିବେଶନ ଚାଲିଥିବା ସମୟରେ ସେମାନଙ୍କୁ ପ୍ରତିଦିନର ‘ଡେଲି ଆଲାଉନ୍ସ’ (Daily Allowance) ମଧ୍ୟ ପ୍ରଦାନ କରାଯାଏ। ସବୁଠାରୁ ବଡ଼ କଥା ହେଉଛି, ସଦନ ଭିତରେ କାମ ହେଉ କିମ୍ବା ହଟ୍ଟଗୋଳ ଯୋଗୁଁ ସଦନ ମୁଲତବୀ ରହୁ—ସାଂସଦଙ୍କ ଦରମା ଏବଂ ଭତ୍ତା କେବେବି ବନ୍ଦ ହୁଏ ନାହିଁ, ବରଂ ନିୟମିତ ଭାବେ ଜାରି ରହେ।
ସଂସଦ ସଚିବାଳୟରେ ହଜାର ହଜାର ସଂଖ୍ୟାରେ କର୍ମଚାରୀ, ଅଧିକାରୀ, ସୁରକ୍ଷାକର୍ମୀ ଏବଂ ରିପୋର୍ଟରମାନେ ଦିନରାତି କାମ କରନ୍ତି। ସେମାନଙ୍କର ମାସିକ ଦରମା, ପେନସନ୍ ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜନତାଙ୍କ ଟିକସ ଟଙ୍କାରୁ ହିଁ ଆସିଥାଏ।
ଭାରତୀୟ ସଂସଦ ଭବନ ଦେଶର ସବୁଠାରୁ ସମ୍ବେଦନଶୀଳ ଏବଂ ସୁରକ୍ଷିତ ସ୍ଥାନାଞ୍ଚଳ ମଧ୍ୟରୁ ଗୋଟିଏ। ସଂସଦର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷାକର୍ମୀଙ୍କ ଯନ୍ତ୍ରପାତି, ଏବଂ ପ୍ରଶାସନିକ ପରିଚାଳନା ପାଇଁ ପ୍ରତିଦିନ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
ବିଦ୍ୟୁତ୍, ଆଧୁନିକ ଟେକ୍ନୋଲୋଜି ଓ ରକ୍ଷଣାବେକ୍ଷଣ:
ସଂସଦ ଭବନ ଭଳି ଏକ ବିଶାଳ ଏବଂ ଭବ୍ୟ ଅଟ୍ଟାଳିକାର ଏସି, ଶକ୍ତିଶାଳୀ ବିଜୁଳି ବ୍ୟବସ୍ଥା, ଡିଜିଟାଲ୍ ସ୍କ୍ରିନ୍, ଅଧିବେଶନ ପାଇଁ ଲାଇଭ୍ ଟେଲିକାଷ୍ଟ ବ୍ୟବସ୍ଥା ଏବଂ ନିୟମିତ ରକ୍ଷଣାବେକ୍ଷଣ ପାଇଁ ପ୍ରଚୁର ଅର୍ଥ ବ୍ୟୟ ହୋଇଥାଏ।
ଯେତେବେଳେ ସଦନରେ ନୀତିଗତ ଆଲୋଚନା ବନ୍ଦ ରହେ ଏବଂ କେବଳ ହଟ୍ଟଗୋଳ ଯୋଗୁଁ ସମୟ ନଷ୍ଟ ହୁଏ, ସେତେବେଳେ ଏହି ସବୁ ସ୍ଥିର ଖର୍ଚ୍ଚଗୁଡ଼ିକ ବନ୍ଦ ହୁଏ ନାହିଁ। ବରଂ ବିନା କାମରେ, ବିନା କୌଣସି ଜନହିତକର ବିଲ୍ ପାସ୍ ହୋଇ ଏହି ଅର୍ଥ ରାଜକୋଷରୁ ସିଧାସଳଖ ଖାଲି ହେବାକୁ ଲାଗେ।
ସଂସଦ ହେଉଛି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର। ଏହି ସ୍ଥାନରେ ଦେଶର ୧୪୦ କୋଟି ଜନସାଧାରଣଙ୍କ ସମସ୍ୟା, ସେମାନଙ୍କର ଅଧିକାର, ନୂତନ ଆଇନ ଏବଂ ଦେଶର ଅର୍ଥନୈତିକ ଭବିଷ୍ୟତ ନେଇ ଗମ୍ଭୀର ଆଲୋଚନା ହେବା କଥା। କିନ୍ତୁ ବାସ୍ତବତା କିଛି ଅଲଗା।
ଯେତେବେଳେ ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା ଅଭାବରୁ ଗୃହରେ ମତଭେଦ ସୃଷ୍ଟି ହୁଏ, ସେତେବେଳେ ଆଲୋଚନା ବଦଳରେ ପ୍ରତିବାଦର ପନ୍ଥା ଆପଣାଯାଏ। ଭିତରେ ବାଚସ୍ପତିଙ୍କ ପାଟିକିଆ ପାଖରେ ପୋଷ୍ଟର ଦେଖାଇବା, ସ୍ଲୋଗାଜବାଜି କରିବା ଏବଂ ଗୃହର କାର୍ଯ୍ୟକ୍ରମକୁ ବାଧାପ୍ରାପ୍ତ କରିବା ଏକ ନିତିଦିନିଆ ଘଟଣା ପାଲଟିଛି।
ଗୋଟିଏ ଦିନର ଗୋଟିଏ ମୁଲତବୀ କାରଣରୁ ଦେଶର କେତେ କୋଟି ଟଙ୍କା ବରବାଦ ହେଲା, ତାହା କେବେ କୌଣସି ରାଜନୈତିକ ଦଳ ଚିନ୍ତା କରନ୍ତି କି? ଯଦି ଏହି ଅର୍ଥକୁ ସଞ୍ଚୟ କରାଯାନ୍ତା, ତେବେ କେତେ ଗାଁରେ ପାନୀୟ ଜଳ ପହଞ୍ଚିପାରନ୍ତା, କେତେ ଗରିବ ପିଲାଙ୍କ ପାଠପଢ଼ା ବ୍ୟବସ୍ଥା ହୋଇପାରନ୍ତା, କିମ୍ବା କେତେ ହସ୍ପିଟାଲ୍ରେ ମାଗଣା ଔଷଧ ମିଳିପାରନ୍ତା, ତାହା ଭାବିବାର ସମୟ ଆସିଯାଇଛି।
ଗଣତନ୍ତ୍ରରେ ଜନତା ସବୁଠାରୁ ଶକ୍ତିଶାଳୀ। ଆମେ ଭୋଟ୍ ଦେଇ ନେତାମାନଙ୍କୁ ସଂସଦକୁ ପଠାଉଛୁ କାମ କରିବା ପାଇଁ, ଦେଶର ନୀତି ନିର୍ଦ୍ଧାରଣ କରିବା ପାଇଁ। କିନ୍ତୁ ଯେତେବେଳେ ସେମାନେ ଜନସାଧାରଣଙ୍କ ଟିକସ ପଇସାକୁ ଏପରି ଭାବେ ହଟ୍ଟଗୋଳରେ ବରବାଦ କରନ୍ତି, ସେତେବେଳେ ପ୍ରଶ୍ନ ପଚାରିବାର ଅଧିକାର ଆମର ରହିଛି।
କିଛି ଦେଶରେ ଏକ ନିୟମ ରହିଛି—ଯେତେବେଳେ ସଦନରେ କାମ ନଚାଲିବ ଏବଂ ହଟ୍ଟଗୋଳ ଯୋଗୁଁ ସମୟ ନଷ୍ଟ ହେବ, ସେହି ସମୟର ଅନୁପାତରେ ସାଂସଦମାନଙ୍କର ଭତ୍ତା କିମ୍ବା ଦରମାରୁ ଅର୍ଥ କଟାଯିବା ଉଚିତ। ଯଦି ଏପରି କଡ଼ା ନିୟମ ଆସନ୍ତା, ତେବେ ହୁଏତ ସଦନର ମୂଲ୍ୟବାନ ସମୟ ଏପରି ଅଯଥା ନଷ୍ଟ ହେବ ନାହିଁ।
ସଂସଦର ପ୍ରତିଟି ମିନିଟ୍ ମୂଲ୍ୟବାନ। ଏହାର ପ୍ରତିଟି ସେକେଣ୍ଡ୍ ପଛରେ ଦେଶର ଜଣେ ଶ୍ରମିକର, ଜଣେ କୃଷକର ଏବଂ ଜଣେ ମଧ୍ୟବିତ୍ତ କର୍ମଚାରୀର ଝାଳ ବୁହା ଟଙ୍କା ଜଡ଼ିତ ଅଛି। ତେଣୁ, ନେତାମାନେ ଏହା ବୁଝିବା ଅତି ଜରୁରୀ।


