ଭୁବନେଶ୍ୱର ଲୋୟର ପିଏମ୍ଜି ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଓଲା, ଉବେର୍ ଏବଂ ରାପିଡୋ ଭଳି ଆପ୍-ଆଧାରିତ ଚାଳକଙ୍କ ଚାଲିଥିବା ଧାରଣା ବୁଧବାର ଅଚାନକ ହିଂସାତ୍ମକ ମୋଡ଼ ନେଇଛି। ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହେବା ସହ ଟେକାପଥର ମାଡ଼ରେ ଅତିକମରେ ୧୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ଉଭୟ ପକ୍ଷରୁ ମୋଟ ୨୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କମିଶନରେଟ୍ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ୧୧୩ ଜଣ ଉପଦ୍ରବୀଙ୍କୁ ଗିରଫ କରିବା ସହ ୩୫୪ଟି ଗାଡ଼ି ଜବତ କରିଛି। ସେହିପରି ଉତ୍ତମ ଆଚରଣ ପାଇଁ ଅନ୍ୟ ୬୦ ଜଣଙ୍କୁ ମୁକ୍ତ କରାଯାଇଛି।
/odishatv/media/media_files/2026/08/19/ola-uber-rapido-drivers-protest-2026-08-19-11-51-00.jpg)
କିପରି ସୃଷ୍ଟି ହେଲା ଉତ୍ତେଜନା?
ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣ, କମିଶନ୍ ହ୍ରାସ ଏବଂ ସାମାଜିକ ସୁରକ୍ଷା ଭଳି ୭ ଦଫା ଦାବି ନେଇ ଚାଳକମାନେ ଆରମ୍ଭ କରିଥିବା ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଥିଲା।
- ରାସ୍ତା ରୋକ ଓ ବିକ୍ଷୋଭ : ଶତାଧିକ ଟ୍ୟାକ୍ସି, ଅଟୋ ଓ ବାଇକ୍ ଚାଳକ ରାଜମହଲ ଛକରୁ ରାଲି ବାହାର କରି ମହାତ୍ମା ଗାନ୍ଧୀ ମାର୍ଗ ଏବଂ ମାଷ୍ଟରକ୍ୟାଣ୍ଟିନ୍ ଆଖପାଖରେ ନିଜ ଗାଡ଼ି ରଖି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ କରିଥିଲେ।
- ପୋଲିସ ଉପରକୁ ପଥର ମାଡ଼ : ରାସ୍ତା ଖାଲି କରିବା ପାଇଁ ପୋଲିସ ବୁଝାସୁଝା କରିବା ବେଳେ କେତେକ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ପୋଲିସ ବାହିନୀ ଉପରକୁ ଢେଲାପଥର ମାଡ଼ କରିଥିଲେ।
- ସରକାରୀ ବସ୍ ଭଙ୍ଗାରୁଜା : ଉପଦ୍ରବକାରୀମାନେ ଯାତାୟାତ କରୁଥିବା ସରକାରୀ ‘ଆମ ବସ୍’ ଗୁଡ଼ିକ ଉପରେ ଆକ୍ରମଣ କରି ଗ୍ଲାସ୍ ଭାଙ୍ଗି ଚୁରମାର କରିଥିଲେ।
ପୋଲିସର ଲାଠିଚାର୍ଜ ଓ ପରିସ୍ଥିତି ନିୟନ୍ତ୍ରଣ
/odishatv/media/media_files/2026/08/19/ola-uber-rapido-drivers-stir-tension-in-bhubaneswar-as-drivers-clash-with-police-during-protest-2026-08-19-14-24-07.jpg)
- ସ୍ଥିତି ଅଣାୟତ୍ତ ହେବାରୁ ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ କରାଯାଇଥିଲା।
- ରାଜମହଲ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ରହିଥିଲା, ଯାହାଦ୍ୱାରା ରେଳଷ୍ଟେସନ୍ ଓ ବିମାନବନ୍ଦର ଯାଉଥିବା ସାଧାରଣ ଯାତ୍ରୀ ଚରମ ହନ୍ତସନ୍ତ ହୋଇଥିଲେ।
- ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ଉପଦ୍ରବୀମାନେ ଛତ୍ରଭଙ୍ଗ ଦେଇଥିଲେ ଏବଂ ପରେ ରାସ୍ତାରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା।
କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ: ପରମିଟ୍ ଓ ଡିଏଲ୍ ହେବ ରଦ୍ଦ
ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ସୂଚନା ଦେଇ କହିଛନ୍ତି ଯେ କେବଳ ଗୋଟିଏ ଦିନ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅନୁମତି ଦିଆଯାଇଥିଲା, ମାତ୍ର ବେଆଇନ ଭାବେ ମୁଖ୍ୟ ରାସ୍ତା ଅବରୋଧ କରି ହିଂସାକାଣ୍ଡ ଘଟାଯାଇଛି।

- ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ : ଜବତ ହୋଇଥିବା ୩୫୪ଟି ଗାଡ଼ିର ପରମିଟ୍ ରଦ୍ଦ କରିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
- ଆର୍ସି ଓ ଲାଇସେନ୍ସ ବାତିଲ୍ : ହିଂସାକାଣ୍ଡ ଓ ଭଙ୍ଗାରୁଜାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଚାଳକମାନଙ୍କ ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ନେଇ ବିଭାଗ ବିଚାର କରୁଛି।
- ସିସିଟିଭି ଫୁଟେଜ୍ ଯାଞ୍ଚ : ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଏବଂ ଡ୍ରୋନ୍ କ୍ୟାମେରା ଭିଡିଓ ଯାଞ୍ଚ କରି ଆକ୍ରମଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି।
ପୋଲିସ ପ୍ରଶାସନ ସ୍ପଷ୍ଟ ଚେତାବନୀ ଦେଇଛି ଯେ ଆଇନଶୃଙ୍ଖଳା ଭଙ୍ଗ କରିବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଏବଂ କର୍ତ୍ତବ୍ୟରତ ପୋଲିସ ଉପରେ ଆକ୍ରମଣ କରୁଥିବା ଉପଦ୍ରବୀଙ୍କ ବିରୋଧରେ କୌଣସି କୋହଳ ମନୋଭାବ ପୋଷଣ କରାଯିବ ନାହିଁ।
Also read : https://purvapaksa.com/phase-2-application-begins-from-august-24-first-merit-list-on-september-3/


