ଭାରତୀୟ ନୌସେନା ନିଜର ପ୍ରତିରକ୍ଷା କ୍ଷମତା ଏବଂ ସାମୁଦ୍ରିକ ସୀମା ସୁରକ୍ଷାକୁ ଅଧିକ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନୌସେନା ଏବେ ବିଶାଖାପାଟଣାସ୍ଥିତ ପ୍ରତିରକ୍ଷା ପିଏସ୍ୟୁ ‘ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍’କୁ କେବଳ ଏକ ସାଧାରଣ ଜାହାଜ ନିର୍ମାଣକାରୀ ସଂସ୍ଥା ଭାବେ ନୁହେଁ, ବରଂ ଏକ ଦୀର୍ଘକାଳୀନ ‘ରଣନୈତିକ ସାଥୀ’ ଭାବେ ଗ୍ରହଣ କରିବାକୁ ଯାଉଛି। ନୌସେନାର ଡେପୁଟି ଚିଫ୍ ଅଫ୍ ନେଭାଲ ଷ୍ଟାଫ୍ ଭାଇସ୍ ଆଡମିରାଲ୍ ତରୁଣ ସୋବତୀ ଏଚ୍ଏସ୍ଏଲ୍ ଗସ୍ତ ଅବସରରେ ଏହି ସଂକେତ ଦେଇଛନ୍ତି। ଆଗାମୀ ଦିନରେ ଏହି ସିପ୍ୟାର୍ଡ ଭାରତୀୟ ନୌସେନାର ସ୍ୱଦେଶୀ ବୁଡ଼ାଜାହାଜ ନିର୍ମାଣ ଏବଂ ସାମରିକ ଜାହାଜଗୁଡ଼ିକର ସଂପୂର୍ଣ୍ଣ ଆଧୁନିକୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
![]()
ଯୁଦ୍ଧପୋତ ନିର୍ମାଣଠାରୁ ଆରମ୍ଭ କରି ସଂପୂର୍ଣ୍ଣ ଲାଇଫ୍ ସାଇକେଲ୍ ସପୋର୍ଟ
ଏଚ୍ଏସ୍ଏଲ୍ର ଭିତ୍ତିଭୂମି ଏବଂ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ପରେ ଭାଇସ୍ ଆଡମିରାଲ୍ ତରୁଣ ସୋବତୀ କହିଛନ୍ତି ଯେ, ନୌସେନା ଏବଂ ଏଚ୍ଏସ୍ଏଲ୍ ମଧ୍ୟରେ ସମ୍ପର୍କ ଦଶନ୍ଧି ପୁରୁଣା। ହେଲେ ଏବେ ଏହି ସମ୍ପର୍କକୁ ଏକ ନୂଆ ସ୍ତରକୁ ନେବାର ସମୟ ଆସିଛି। ନୌସେନା ଚାହୁଁଛି ଯେ ଏଚ୍ଏସ୍ଏଲ୍ କେବଳ ନୂଆ ଯୁଦ୍ଧପୋତ ତିଆରି କରି ନିଜର ଦାୟିତ୍ୱ ଶେଷ ନକରୁ, ବରଂ ସେହି ସାମରିକ ପ୍ଲାଟଫର୍ମଗୁଡ଼ିକର ସଂପୂର୍ଣ୍ଣ ସେବା କାଳ ମଧ୍ୟରେ ସେଗୁଡ଼ିକର ଯାନ୍ତ୍ରିକ ରକ୍ଷଣାବେକ୍ଷଣ, ଟେକ୍ନିକାଲ୍ ଅପଗ୍ରେଡେସନ୍ ଏବଂ ମିଡ୍-ଲାଇଫ୍ ଆଧୁନିକୀକରଣ ଭଳି କାର୍ଯ୍ୟରେ ପ୍ରମୁଖ ସହଯୋଗୀ ସାବ୍ୟସ୍ତ ହେଉ।
ସ୍ୱଦେଶୀ ବୁଡ଼ାଜାହାଜ ନିର୍ମାଣ କ୍ଷମତାକୁ ମିଳିବ ବଳ
![]()
ରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତୀୟ ନୌସେନା ନିଜର ବେଡ଼ା ବା ସାମୁଦ୍ରିକ ସାମର୍ଥ୍ୟର ଦ୍ରୁତ ସମ୍ପ୍ରସାରଣ କରୁଛି। ଏହି ଯୋଜନା ଅଧୀନରେ ଭାରତର ସ୍ୱଦେଶୀ ବୁଡ଼ାଜାହାଜ ନିର୍ମାଣ କ୍ଷମତାକୁ ଏକ ନୂଆ ଶକ୍ତି ମିଳିବ। ମିନିରତ୍ନ କାଟେଗୋରୀ-୧ ର ମାନ୍ୟତା ପାଇଥିବା ଏହି ସିପ୍ୟାର୍ଡ ପୂର୍ବରୁ ‘କିଲୋ-କ୍ଲାସ’ ବୁଡ଼ାଜାହାଜର ସଫଳ ମରାମତି ଓ ଅପଗ୍ରେଡେସନ୍ କରି ନିଜର ଦକ୍ଷତା ପ୍ରମାଣିତ କରିସାରିଛି। ଏବେ ଏଚ୍ଏସ୍ଏଲ୍ ମାଝାଗାଓଁ ଡକ୍ ସିପ୍ବିଲ୍ଡର୍ସ ସହ ମିଶି କେବଳ ମରାମତି ନୁହେଁ, ବରଂ ସ୍ୱଦେଶୀ ବୁଡ଼ାଜାହାଜ ନିର୍ମାଣ କ୍ଷେତ୍ରରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଛି।
ମୁଖ୍ୟ ସମ୍ପଦ ହେଉଛନ୍ତି ଅଭିଜ୍ଞ କର୍ମଚାରୀ
ଡେପୁଟି ନେଭାଲ ଚିଫ୍ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, କୌଣସି ସିପ୍ୟାର୍ଡର ପ୍ରକୃତ ଶକ୍ତି କେବଳ ତାର ସ୍ୱୟଂଚାଳିତ ମେସିନ୍ ନୁହେଁ, ବରଂ ସେଠାରେ ବର୍ଷ ବର୍ଷ ଧରି କାମ କରୁଥିବା ଅଭିଜ୍ଞ ଏବଂ ଦକ୍ଷ ମାନବ ସମ୍ବଳ। ଏଚ୍ଏସ୍ଏଲ୍ ପାଖରେ ଏହି ଅଭିଜ୍ଞତା ପ୍ରଚୁର ପରିମାଣରେ ରହିଛି। ଭାରତକୁ ସାମୁଦ୍ରିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏବଂ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ଦେଶ ଭାବେ ଗଢ଼ିତୋଳିବା ଦିଗରେ ରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଏହି ସଂସ୍ଥା ଆଗାମୀ ଦିନରେ ଏକ ସୁଦୃଢ଼ ସ୍ତମ୍ଭ ସାଜିବ।


