ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କୋଟି କୋଟି ଓଡ଼ିଆଙ୍କ ଆବେଗ, ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କ ଆସ୍ଥାର ମହାକୁମ୍ଭ। କିନ୍ତୁ ଆଜି ପ୍ରଶ୍ନ ଉଠୁଛି, ଏହି ପବିତ୍ର ଉତ୍ସବକୁ ନେଇ କ’ଣ ରାଜ୍ୟ ସରକାରଙ୍କ ଭିତରେ ହିଁ ଚାଲିଛି କିଛି ଗୁପ୍ତ ରଣନୀତି? କାହିଁକି ମୁଖ୍ୟମନ୍ତ୍ରୀଙ୍କ କଥା ସହ ଆଇନମନ୍ତ୍ରୀଙ୍କ ବୟାନ ମେଳ ଖାଉନାହିଁ?
ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିବା ପରେ ଦୁଇ ଦୁଇଟି ରଥଯାତ୍ରା ଶେଷ ହୋଇସାରିଲାଣି, ଏବଂ ଏବେ ତୃତୀୟ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ବିଗତ ଦୁଇବର୍ଷର ଇତିହାସ ଯଦି ଆମେ ଦେଖିବା, ତେବେ ରଥଯାତ୍ରା ପରିଚାଳନାରେ ଅନେକ ବିଭ୍ରାଟ ସାମ୍ନାକୁ ଆସିଛି। ପ୍ରଶାସନିକ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି ଏବଂ ସବୁଠାରୁ ଦୁଃଖଦାୟକ କଥା ହେଉଛି—ଭକ୍ତମାନେ ମୃତ୍ୟୁମୁଖରେ ପଡ଼ିଛନ୍ତି।
ଏସବୁ ଭିତରେ ବଡ଼ ପ୍ରଶ୍ନ ଉଠୁଛି—ଏହା କେବଳ ଏକ ସାଧାରଣ ପ୍ରଶାସନିକ ବିଫଳତା ନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବା ପାଇଁ ସରକାରଙ୍କ ଭିତରେ ହିଁ ରଚାଯାଉଛି କୌଣସି ବଡ଼ ଷଡ଼ଯନ୍ତ୍ର? ଆଇନମନ୍ତ୍ରୀଙ୍କର ଏହି ‘ଖଳବୁଦ୍ଧି’ ପଛର ରହସ୍ୟ କ’ଣ?
ବୟାନବାଜି ଓ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା
ପ୍ରଥମେ ନଜର ପକାଇବା ଗତ ଦୁଇ ଦିନର ଘଟଣାକ୍ରମ ଉପରେ। ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁରେ ହେବ, ଶୃଙ୍ଖଳିତ ହେବ ଏବଂ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ—ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଶ୍ ଗମ୍ଭୀର ଅଛନ୍ତି। ମାତ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଚଳିତ ବର୍ଷ କର୍ଡନ ପାସ୍ (Cordon Pass) ମନଇଚ୍ଛା ବଣ୍ଟନ କରାଯିବ ନାହିଁ। ଅର୍ଥାତ୍ ଯେଉଁମାନେ ଅନଧିକୃତ ଭାବେ ଭିତରକୁ ପଶି ଶୃଙ୍ଖଳା ଭଙ୍ଗ କରୁଛନ୍ତି, ତାହା ଉପରେ ରୋକ୍ ଲାଗିବ। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା।
କିନ୍ତୁ ଦୁର୍ଭାଗ୍ୟର କଥା ଦେଖନ୍ତୁ! ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନର ଠିକ୍ ଦିନକ ପରେ ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ସାମ୍ନାକୁ ଆସି ଏକ ନୂଆ ଗଣିତ ବାଢ଼ିଲେ। ସେ କହିଲେ—ଚଳିତ ବର୍ଷ କର୍ଡନ ପାସ୍ ସଂଖ୍ୟା ‘ଅଧା’ କରିଦିଆଯିବ।
ଶୁଣିବାକୁ ତ ଏହା ବହୁତ ଭଲ ଲାଗୁଛି। କିନ୍ତୁ ଏହି ‘ଅଧା’ର ଅସଲ ହିସାବ କ’ଣ, ତାହା ଆଇନମନ୍ତ୍ରୀ କହୁନାହାନ୍ତି। ଗତବର୍ଷ କେତେ ସଂଖ୍ୟକ କର୍ଡନ ପାସ୍ ବଣ୍ଟା ଯାଇଥିଲା, ତାହାର କୌଣସି ସରକାରୀ ରିପୋର୍ଟ କିମ୍ବା ଆକଳନ ଆଇନମନ୍ତ୍ରୀ ସାର୍ବଜନୀନ କରୁନାହାନ୍ତି କାହିଁକି? ଯଦି ମୂଳ ସଂଖ୍ୟା ହିଁ ଜଣାନାହିଁ, ତେବେ ତାହାର ‘ଅଧା’ କେତେ? ଏହି ଅଧା ନ୍ୟାୟରେ, ଗତବର୍ଷ ଭଳି କର୍ଡନ ଭିତରେ ପୁଣି ଲୋକଙ୍କ ଗହଳି ହେବ ନାହିଁ ତ? ନା ଏହା କେବଳ ଲୋକଙ୍କ ଆଖିରେ ଧୂଳି ଦେବା ପାଇଁ ଏକ ପ୍ରୟାସ?
ଗତ ବର୍ଷର ବିଭ୍ରାଟ ଓ କର୍ଡନ ପାସର ଅରାଜକତା
ବର୍ତ୍ତମାନ ଆଲୋଚନା କରିବା କାହିଁକି ଆଇନମନ୍ତ୍ରୀ ଗତବର୍ଷର ହିସାବ ଲୁଚାଉଛନ୍ତି। ଅଭିଯୋଗ ହେଉଛି, ଗତବର୍ଷ ରଥଯାତ୍ରା ସମୟରେ ସରକାରୀ ଅଧିକାରୀ ଏବଂ ଶାସକ ଦଳ ଅର୍ଥାତ୍ ବିଜେପିର କିଛି ନେତାମାନେ ମନଇଚ୍ଛା ନିଜର ବନ୍ଧୁବାନ୍ଧବ ଏବଂ ପ୍ରିୟାପ୍ରୀତି ପ୍ରୀତିରେ କର୍ଡନ ପାସ୍ ବାଣ୍ଟିଥିଲେ। ଯେଉଁ କର୍ଡନ ଭିତରେ କେବଳ ସେବାୟତ ଏବଂ ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀ ରହିବା କଥା, ସେଠାରେ ବାହାର ଲୋକଙ୍କ ଭିଡ଼ ଜମିଥିଲା। ଫଳସ୍ୱରୂପ—ରଥଟଣାରେ ବ୍ୟାପକ ବିଭ୍ରାଟ ଦେଖାଦେଇଥିଲା।
ଆପଣମାନଙ୍କର ମନେଥିବ, ୨୦୨୪ ମସିହାରେ ବଡ଼ଠାକୁର ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସରକାରୀ ସ୍ତରରେ ସମନ୍ୱୟର ଅଭାବ ଯୋଗୁଁ ବଡ଼ଠାକୁର ଚାରମାଳ ଉପରୁ ଖସିପଡ଼ିଥିଲେ। ଏହି ଘଟଣା ସେତେବେଳେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଗଭୀର ଆଘାତ ଦେଇଥିଲା। କିନ୍ତୁ ଦୁଃଖର କଥା, ଏହି ସମ୍ବେଦନଶୀଳ ଘଟଣାରୁ ନା ମନ୍ଦିର ପ୍ରଶାସନ କିଛି ଶିକ୍ଷା ଲାଭ କଲା, ନା ରାଜ୍ୟ ସରକାରଙ୍କ ଆଇନ ବିଭାଗ ସଚେତନ ହେଲା।
ଏହାର ପରିଣାମସ୍ୱରୂପ, ଗତବର୍ଷ ମଧ୍ୟ ରଥଯାତ୍ରା ପରିଚାଳନାରେ ସମାନ ବିଫଳତା ଦେଖିବାକୁ ମିଳିଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଦଳାଚକଟା ଭଳି ସ୍ଥିତି ଉପୁଜିଲା ଏବଂ କିଛି ନିରୀହ ଭକ୍ତଙ୍କର ମୃତ୍ୟୁ ମଧ୍ୟ ହେଲା। ଏହି ଘଟଣା ପରେ ସରକାରଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ପଣ ଦେଖାଇ ଲୋକଙ୍କ ସାମ୍ନାରେ କ୍ଷମା ପ୍ରାର୍ଥନା କରିଥିଲେ, କିନ୍ତୁ ଅନ୍ୟପଟେ ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସ୍ପର୍ଶକାତର ଘଟଣା ପାଇଁ ଦୁଃଖ ପ୍ରକାଶ କରିବାକୁ ବି କୁଣ୍ଠାବୋଧ କରିଥିଲେ। ଏହି ଆଟିଚ୍ୟୁଡ୍କୁ ନେଇ ସେତେବେଳେ ରାଜନୈତିକ ଏବଂ ସାମାଜିକ ସ୍ତରରେ ତୀବ୍ର ବିବାଦ ଦେଖାଦେଇଥିଲା। ସେ ଯେହେତୁ ଗଭର୍ଣ୍ଣରଙ୍କ ପୁଅ, ତେଣୁ ସେ କଣ କ୍ଷମା ମାଗିପାରିବେ। ତେଣୁ ସେ ନିଜର ଭୁଲ ସ୍ୱୀକାର କରି କ୍ଷମା ପ୍ରାର୍ଥନା କଲେ ନାହିଁ।
ସରକାରୀ ସ୍ତରରେ ଷଡ଼ଯନ୍ତ୍ରର ଆଶଙ୍କା
ରଥଯାତ୍ରା ପରିଚାଳନାରେ ସେବାୟତମାନଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ଶ୍ରୀମନ୍ଦିର ପ୍ରଶାସନର ବିଫଳତା କଥା ଆମେ ପୂର୍ବ ସରକାର ଅମଳରୁ ଶୁଣି ଆସୁଛୁ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ସେଥିରେ କୌଣସି ସୁଧାର ଆସିବା ପରିବର୍ତ୍ତେ ବ୍ୟବସ୍ଥା ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୁଇ ଦୁଇଟି ରଥଯାତ୍ରାରେ ପ୍ରଶାସନିକ ସ୍ତରରେ ଯେଉଁ ବିଫଳତା ଦେଖିବାକୁ ମିଳିଛି, ତାହା ଏବେ ଅନେକ ସନ୍ଦେହ ସୃଷ୍ଟି କରୁଛି।
ଆଜି ସ୍ୱୟଂ ଶାସକ ଦଳ ବିଜେପି ମହଲରେ ଏବଂ ସାଧାରଣ ଲୋକଙ୍କ ଭିତରେ ଏକ ବଡ଼ ଚର୍ଚ୍ଚା ଚାଲିଛି। ଲୋକମାନେ ସନ୍ଦେହ କରୁଛନ୍ତି ଯେ, ସତେ ଯେମିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବା ପାଇଁ ସରକାରଙ୍କ ଭିତରେ ଏକ ରୀତିମତ ଷଡ଼ଯନ୍ତ୍ର ଚାଲିଛି। କାରଣ ଆପଣମାନେ ଜାଣନ୍ତି, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ସାରାବିଶ୍ୱର ନଜର ଏହା ଉପରେ ଥାଏ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସନ୍ତି। ଏଭଳି ସ୍ଥିତିରେ ରଥଯାତ୍ରାରେ ଯଦି କୌଣସି ପ୍ରକାରର ବିଭ୍ରାଟ ହୁଏ, କିମ୍ବା କୌଣସି ଅଘଟଣ ଘଟେ, ତେବେ ତାର ସମସ୍ତ ନିନ୍ଦା ଏବଂ ବଦନାମ ସିଧାସଳଖ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ଯିବ।
ତେଣୁ ପ୍ରଶ୍ନ ଉଠୁଛି—ଆଇନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ଏପରି ଅସ୍ପଷ୍ଟ ନିୟମ କରୁଛନ୍ତି କି, ଯାହାଫଳରେ ରଥଯାତ୍ରାରେ ବିଶୃଙ୍ଖଳା ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇବ? କାହିଁକି ଆଇନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ କ୍ଲିଅର ଡିରେକ୍ସନ (Clear Direction) କୁ ଏଡ଼ାଇ ଯାଇ ନିଜ ମନଇଚ୍ଛା ବୟାନ ଦେଉଛନ୍ତି?
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚେତାବନୀ
ଏହି ସମଗ୍ର ଘଟଣା ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏକ ବଡ଼ ଚେତାବନୀ। ଚଳିତ ବର୍ଷର ରଥଯାତ୍ରା ଆଗକୁ ଅଛି। ଯଦି ଏବେଠାରୁ ମୁଖ୍ୟମନ୍ତ୍ରୀ ସତର୍କ ନ ହୁଅନ୍ତି, ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ବିଜେପି ମହଲରୁ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏତିକି ହିଁ ପରାମର୍ଶ ଦିଆଯାଉଛି ଯେ—ସେ ନିଜେ ସିଧାସଳଖ ରଥଯାତ୍ରା ପରିଚାଳନାର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଉନ୍ତୁ। ସେ ଅନ୍ୟ ମନ୍ତ୍ରୀ କିମ୍ବା କେବଳ ସରକାରୀ ଅଧିକାରୀଙ୍କ ଭରସାରେ ନ ରହି, ନିଜ ତତ୍ତ୍ୱାବଧାନରେ ସମୀକ୍ଷା କରନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ।
କର୍ଡନ ପାସ୍ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବା ଦରକାର। ଗତବର୍ଷର ହିସାବ ସାମ୍ନାକୁ ଆସିବା ଦରକାର ଏବଂ ଚଳିତ ବର୍ଷ କେଉଁମାନଙ୍କୁ କେଉଁ ଆଧାରରେ ପାସ୍ ଦିଆଯାଉଛି, ତାର କଡ଼ା ଯାଞ୍ଚ ହେବା ଆବଶ୍ୟକ। ଯଦି ଏଥର ମଧ୍ୟ ସମନ୍ୱୟର ଅଭାବ ରହେ କିମ୍ବା ପ୍ରଶାସନିକ ଖାମଖିଆଲି ମନୋଭାବ ଜାରି ରହେ, ତେବେ ବିଗତ ବର୍ଷ ଭଳି ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମର କଳା ବୋଳି ହେବାକୁ ପଡ଼ିବ, ଯାହା ଓଡ଼ିଶାର ଜନସାଧାରଣ କେବେହେଲେ ଗ୍ରହଣ କରିବେ ନାହିଁ।
ମହାପ୍ରଭୁଙ୍କ ଯାତ୍ରା ସୁରୁଖୁରୁରେ ଶେଷ ହେଉ, ଶ୍ରଦ୍ଧାଳୁମାନେ ଶାନ୍ତିରେ ଦର୍ଶନ କରନ୍ତୁ—ଏହା ହିଁ ସମଗ୍ର ଓଡ଼ିଶାର କାମନା। କିନ୍ତୁ ଏହା ପଛରେ ଚାଲିଥିବା ରାଜନୈତିକ ଗୋଟିଚାଳନା କେଉଁ ମୋଡ଼ ନେଉଛି, ତାହା ଉପରେ ଆମର ନଜର ରହିବ।
AlsoRead; https://purvapaksa.com/15-fishermen-missing-in-deep-sea-search-continues/


