ସମ୍ବଲପୁରର ବିଜେପି ସାଂସଦ, ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ କେନ୍ଦ୍ରୀୟ ଚେହେରା, ତଥା ଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିଅର୍ କ’ଣ ଆଜି ଶେଷ ହେବାକୁ ଯାଉଛି?
ଏହି କଥା ଆମେ କହୁନାହୁଁ, ବରଂ ଗତ ୧୨ ବର୍ଷର ଇତିହାସ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରେ ବସିଥିବା ନେତାମାନଙ୍କ ବର୍ତ୍ତମାନର ପରିସ୍ଥିତି ଏହି ଆଡ଼କୁ ହିଁ ସଙ୍କେତ ଦେଉଛି!
ଗତ ଜୁଲାଇ ୨୫ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। NEET-UG ପରୀକ୍ଷା ବିଭ୍ରାଟ, ଦେଶବ୍ୟାପୀ ପ୍ରଶ୍ନପତ୍ର ପ୍ରଘଟବିବାଦ, ଏବଂ ଦିଲ୍ଲୀର ଜନ୍ତର-ମନ୍ତରରେ ସପ୍ତାହ ସପ୍ତାହ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ଆଗରେ ଶେଷରେ କେନ୍ଦ୍ର ସରକାରଙ୍କୁ ନଇଁବାକୁ ପଡ଼ିଲା।
କିନ୍ତୁ ଆପଣ ଜାଣନ୍ତି କି? ଏହି ଇସ୍ତଫା ପଛରେ କେବଳ ଛାତ୍ର ଆନ୍ଦୋଳନ ନ ଥିଲା। ଏହା ପଛରେ ଥିଲା ଦିଲ୍ଲୀର ହାଇ-ପ୍ରୋଫାଇଲ୍ ରାଜନୈତିକ ବୈଠକ, ଆର.ଏସ.ଏସ. (RSS) ର ସରକାର୍ଯ୍ୟବାହ ଦତାତ୍ରେୟ ହୋସବଲେଙ୍କ କଡ଼ା ଚେତାବନୀ, ଏବଂ ଗୋଟିଏ ନାଟକୀୟ ମୋଡ଼!
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି— ଯେଉଁ ଧର୍ମେନ୍ଦ୍ର ପ୍ରଧାନ ୩୦ ବର୍ଷ ପୂର୍ବେ ୧୯୯୬-୯୭ ମସିହାରେ ଓଡ଼ିଶାରେ ‘ପେପର ଲିକ୍’ ବିରୋଧରେ ଛାତ୍ର ଆନ୍ଦୋଳନ କରି, ଲାଠିଚାର୍ଜ ଖାଇ ନିଜର ରାଜନୈତିକ ପରିଚୟ ସୃଷ୍ଟି କରିଥିଲେ… ଆଜି ଠିକ୍ ୩୦ ବର୍ଷ ପରେ, ସେଇ ସମାନ ‘ପେପର ଲିକ୍’ ବିବାଦ ଯୋଗୁଁ ହିଁ ତାଙ୍କୁ ନିଜର ମନ୍ତ୍ରୀପଦ ହରାଇବାକୁ ପଡ଼ିଲା!
ଏହା ଇତିହାସର ଏକ ବିଚିତ୍ର ଓ କ୍ରୂର ପରିହାସ ନୁହେଁ ତ ଆଉ କ’ଣ? ଆଜିର ପଲଟିକାଲ ଭାଗବତରେ ଆମେ ଖୋଲିବା ମୋଦୀ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ସେହି କଳା ପରଦା, ଯାହା ଶିକ୍ଷାମନ୍ତ୍ରୀମାନଙ୍କ କ୍ୟାରିଅର୍କୁ ସମ୍ପୂର୍ଣ୍ଣ ଗିଳି ଦେଇଛି!
ମୋଦୀ ସରକାରଙ୍କ ଶିକ୍ଷାମନ୍ତ୍ରୀମାନଙ୍କ ‘ଅଭିଶାପ’
ଆସନ୍ତୁ ଟିକେ ପଛକୁ ଫେରିଯିବା। ୨୦୧୪ରୁ ୨୦୨୬— ଏହି ୧୨ ବର୍ଷର ମୋଦୀ ଶାସନକାଳରେ ଗୋଟିଏ ସାଧାରଣ କଥା ସାମ୍ନାକୁ ଆସିଛି। ଯିଏ ବି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (ପୂର୍ବରୁ HRD Ministry) ର ଗାଦିରେ ବସିଛି, ସେ କିଛି ବଡ଼ ବଡ଼ ସଂସ୍କାର କରିଛି ସତ, କିନ୍ତୁ ଶେଷରେ ବଡ଼ ବିବାଦରେ ଫସି ନିଜର ଆସନ ହରାଇଛି!
୧. ସ୍ମୃତି ଇରାନୀ (୨୦୧୪ – ୨୦୧୬): ମୋଦୀ ସରକାରଙ୍କ ପ୍ରଥମ ପାଳିରେ ବିଜେପିର ସବୁଠାରୁ ଫାୟାରବ୍ରାଣ୍ଡ୍ ଓ ଚର୍ଚ୍ଚିତ ନେତ୍ରୀ ସ୍ମୃତି ଇରାନୀଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦିଆଯାଇଥିଲା। ତାଙ୍କ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ବର୍ଷିଆ ପାଠ୍ୟକ୍ରମ, NIRF ରାଙ୍କିଙ୍ଗ, ଏବଂ ଜାତୀୟ ଶିକ୍ଷାନୀତି (NEP) ର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ ହୋଇଥିଲା। କିନ୍ତୁ ତା’ପରେ କ’ଣ ହେଲା? JNUରେ ଦେଶବିରୋଧୀ ନାରାବାଜୀ ବିବାଦ, ଏବଂ ହାଇଦ୍ରାବାଦ ୟୁନିଭରସିଟିର ରୋହିତ ଭେମୁଲା ଆତ୍ମହତ୍ୟା ମାମଲା! ଏହି ଦୁଇଟି ବିବାଦ ଦେଶବ୍ୟାପୀ ଏମିତି ନିଆଁ ଲଗାଇଲା ଯେ, ସ୍ମୃତି ଇରାନୀଙ୍କୁ ଶିକ୍ଷା ମନ୍ତ୍ରଣାଳୟରୁ କାଢ଼ି କପଡ଼ା ମନ୍ତ୍ରଣାଳୟକୁ ପଠାଇ ଦିଆଗଲା। ଆଉ ଆଜି? ୨୦୨୪ ନିର୍ବାଚନ ହାରିବା ପରେ ସ୍ମୃତି ଇରାନୀ ବିଜେପି ରାଜନୀତିରେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି।

୨. ପ୍ରକାଶ ଜାବେଡ଼କର (୨୦୧୬ – ୨୦୧୯): ସ୍ମୃତିଙ୍କ ପରେ ମହାରାଷ୍ଟ୍ରର ମାନ୍ୟବର ନେତା ପ୍ରକାଶ ଜାବେଡ଼କର ଶିକ୍ଷାମନ୍ତ୍ରୀ ହେଲେ। ସେ IIM ସ୍ୱାୟତ୍ତତା ଆଇନ ଆଣିଲେ, ଆଉ ଆଜି ଯେଉଁ NTA (National Testing Agency) କୁ ନେଇ ଏତେ ହଙ୍ଗାମା ଚାଲିଛି, ସେହି NTA କୁ ସେ ହିଁ ଗଠନ କରିଥିଲେ। କିନ୍ତୁ ୨୦୧୮ ମସିହାରେ ସିବିଏସ୍ଇ (CBSE) ୧୦ମ ଓ ୧୨ଶ ଶ୍ରେଣୀ ପ୍ରଶ୍ନପତ୍ର ଲିକ୍ ହେଲା। ଏହା ସହିତ ‘ଜିଓ ଇନଷ୍ଟିଚ୍ୟୁଟ୍’ କୁ ବିନା କୌଣସି କ୍ୟାମ୍ପସରେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ପଦବୀ ଦେବା ପ୍ରସଙ୍ଗରେ ସେ କଠୋର ସମାଲୋଚନାର ଶିକାର ହେଲେ। ୨୦୧୯ରେ ମୋଦୀ୨.୦ ସରକାର ଗଠନ ହେବା କ୍ଷଣି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦିଆଗଲା। ଆଜି ସେ ବି ବିଜେପିର ମୁଖ୍ୟ ସ୍ରୋତରୁ ଗାଏବ!
୩. ରମେଶ ପୋଖରିଆଲ ‘ନିଶଙ୍କ’ (୨୦୧୯ – ୨୦୨୧): ତା’ପରେ ଦାୟିତ୍ୱ ନେଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’। ତାଙ୍କ ସମୟରେ ଐତିହାସିକ ଜାତୀୟ ଶିକ୍ଷାନୀତି (NEP 2020) ମଞ୍ଜୁରୀ ପାଇଲା। କିନ୍ତୁ କୋଭିଡ୍ ସମୟରେ ପରୀକ୍ଷା ପରିଚାଳନାରେ ବିଳମ୍ବ, ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି (VC) ପଦବୀ ଖାଲି ପଡ଼ିବା ଏବଂ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିବାରୁ ୨୦୨୧ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ବି ବିଦା କରାଗଲା। ଆଜି ସେ ବି ରାଜନୈତିକ ଗୁରୁତ୍ୱ ହରାଇସାରିଛନ୍ତି।

ଆଉ ଏବେ… ଚତୁର୍ଥ ଶିକାର ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ! ଧର୍ମେନ୍ଦ୍ର ପ୍ରଧାନ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସବୁଠାରୁ ଦୀର୍ଘ ୫ ବର୍ଷ ଶିକ୍ଷାମନ୍ତ୍ରୀ ରହିଲେ। NEP 2020 ର ସଫଳ ରୂପାୟନ, PM-SHRI ସ୍କୁଲ୍ ଯୋଜନା, ମାତୃଭାଷାରେ ଶିକ୍ଷାଦାନ ଭଳି ଅନେକ ବଡ଼ ବଡ଼ ସଫଳତା ତାଙ୍କ ନାଁରେ ଯୋଡ଼ି ହେଲା। ସେ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଜିତି ବିଜେପିର ଜଣେ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଥିଲେ।
କିନ୍ତୁ, ୨୦୨୬ ମସିହାର NEET-UG ପ୍ରଶ୍ନପତ୍ର ପ୍ରଘଟଏବଂ NTA ର ପରୀକ୍ଷା ବିଭ୍ରାଟ ତାଙ୍କର ସବୁ ସଫଳତାକୁ ଗୋଟିଏ ଝଟ୍କାରେ ପାଣି କରିଦେଲା!
ଘଟଣାଟି କେବଳ ଗୋଟିଏ ପରୀକ୍ଷାରେ ସୀମିତ ନଥିଲା। ଦେଶର ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯାଇଥିଲା।

ଦିଲ୍ଲୀର ଜନ୍ତର-ମନ୍ତରରେ ସପ୍ତାହ ସପ୍ତାହ ଧରି ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାରେ ବସିଲେ। ବିଶିଷ୍ଟ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ଛାତ୍ରମାନଙ୍କ ସମର୍ଥନରେ ୨୬ ଦିନ ଧରି ଆମରଣ ଅନଶନରେ ବସିଲେ। ଗତ ଜୁଲାଇ ୨୦ ତାରିଖରେ ଯେତେବେଳେ ଛାତ୍ରମାନେ ‘ସଂସଦ ମାର୍ଚ୍ଚ’ କଲେ, ସେତେବେଳେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ପ୍ରଚଣ୍ଡ ହିଂସାକାଣ୍ଡ ହେଲା। ୧୮୦ରୁ ଉର୍ଦ୍ଧ୍ୱ ପୁଲିସ ଓ ଛାତ୍ର ଆହାତ ହେଲେ। ଦିଲ୍ଲୀର ୧୮ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରିବାକୁ ପଡ଼ିଲା।
ସରକାରଙ୍କ ଭାବମୂର୍ତ୍ତି ଉପରେ ଏକ ବଡ଼ ଦାଗ ଲାଗିସାରିଥିଲା! ସେତେବେଳେ ଦିଲ୍ଲୀର ପରଦା ପଛରେ ଆରମ୍ଭ ହେଲା ଗୋପନ ରାଜନୈତିକ ନାଟକ! ସୂଚନା ଅନୁସାରେ, ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ୨୦ ବୈଠକରେ ହିଁ ଦୁଇ ଦୁଇ ଥର ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରଥମେ ସରକାର ତାହା ମାନିନଥିଲେ। କିନ୍ତୁ ତା’ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସର୍ବୋଚ୍ଚ ନେତୃତ୍ୱ— ସରକାର୍ଯ୍ୟବାହ ଦତାତ୍ରେୟ ହୋସବଲେ, ଅରୁଣ କୁମାର ଓ ଗୋପାଳ କୃଷ୍ଣଙ୍କ ମଧ୍ୟରେ ଘନଘନ ଗୋପନ ବୈଠକ ବସିଲା।

RSS ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଗଲା—”ଯୁବସମାଜ ଓ ଛାତ୍ରସମାଜ ସହ ଜଡ଼ିତ ଏହି ଆନ୍ଦୋଳନ ସରକାରଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରୁଛି। କେନ୍ଦ୍ର ସରକାରଙ୍କୁ ଏକ ବଡ଼ ‘Course Correction’ ବା ସଂସ୍କାରମୂଳକ ପଦକ୍ଷେପ ନେବାକୁ ପଡ଼ିବ।”
କୁହାଯାଏ, ସଂଘର ସରକାର୍ଯ୍ୟବାହ ଦତାତ୍ରେୟ ହୋସବଲେଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କର ବହୁତ ଆତ୍ମୀୟ ସମ୍ପର୍କ ରହିଛି। କିନ୍ତୁ ସଂଘ ଓ ସରକାରଙ୍କ ଭାବମୂର୍ତ୍ତି ବଞ୍ଚାଇବା ପାଇଁ, ନିଜେ ଦତାତ୍ରେୟ ହୋସବଲେଙ୍କ ପରାମର୍ଶ କ୍ରମେ ହିଁ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଦେଲେ!
୧୯୯୬ରୁ ୨୦୨୬: ୩୦ ବର୍ଷର ମହା-ନାଟକୀୟ ଚକ୍ର
ଆସନ୍ତୁ ଆଜି ଆମେ ସମୟର ଚକ୍ରକୁ ୩୦ ବର୍ଷ ପଛକୁ ଘୁରାଇ ଦେବା! ଏହା ହେଉଛି ଇତିହାସର ସବୁଠାରୁ ବଡ଼ ଏବଂ ଦୁଃଖଦ ବିଡ଼ମ୍ବନା। କଥାଟି ୧୯୯୬-୯୭ ମସିହାର। ସେତେବେଳେ ଓଡ଼ିଶାରେ କଂଗ୍ରେସ ସରକାର ଥିଲା, ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ମୁଖ୍ୟମନ୍ତ୍ରୀ। ସେତେବେଳେ ଓଡ଼ିଶାରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ସେତେବେଳେ ଭୁବନେଶ୍ୱରର ସରକାରୀ ଦପ୍ତର ସାମ୍ନାରେ ୧୫୦୦ରୁ ଉର୍ଦ୍ଧ୍ୱ ଛାତ୍ର ରାସ୍ତାରେ ବସିଥିଲେ। ଆଉ ସେହି ଆନ୍ଦୋଳନର ଆଗଧାଡ଼ିର ଯୁବ ନେତା ଥିଲେ ABVP ର ଧର୍ମେନ୍ଦ୍ର ପ୍ରଧାନ!

ସେଦିନ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ସ୍ୱର ଉଠାଇବାରୁ ପୋଲିସ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କଠୋର ଲାଠିଚାର୍ଜ କରିଥିଲା। ସେ ରକ୍ତାକ୍ତ ହୋଇଥିଲେ। ସେହି ଲାଠିଚାର୍ଜର ଫଟୋ ସେତେବେଳେ ପୋଷ୍ଟର ବନିଥିଲା। ସେହି ଗୋଟିଏ ପ୍ରଶ୍ନପତ୍ର ପ୍ରଘଟ ଆନ୍ଦୋଳନ ଧର୍ମେନ୍ଦ୍ରଙ୍କୁ ଛାତ୍ରନେତାରୁ ବିଧାୟକ, ସାଂସଦ, ଆଉ ପରେ କେନ୍ଦ୍ରର ପ୍ରଭାବଶାଳୀ ମନ୍ତ୍ରୀ ବନାଇଥିଲା!
ଆଉ ଆଜି… ଠିକ୍ ୩୦ ବର୍ଷ ପରେ, ୨୦୨୬ରେ…
- ଯେଉଁ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଲାଠି ଖାଇ ନେତା ହୋଇଥିଲେ, ସେ ନିଜେ ଦେଶର ଶିକ୍ଷାମନ୍ତ୍ରୀ ଥିବା ବେଳେ ପ୍ରଶ୍ନପତ୍ର ପ୍ରଘଟ ହେଲା!
- ସେଦିନ ସେ ଯେଉଁ ବୟସରେ ରାସ୍ତାରେ ବସିଥିଲେ, ଆଜି ସେଇ ବୟସର ଛାତ୍ରମାନେ ଦିଲ୍ଲୀର ରାସ୍ତାରେ ଲାଠିମାଡ଼ ଖାଇଲେ!
- ସେଦିନ ସେ ଯାହା ଦାବି କରୁଥିଲେ, ଆଜିର ଛାତ୍ରମାନେ ବି ସେଇ ସମାନ ଦାବି କଲେ!
- ନିୟତିର କି ବିଚିତ୍ର ନ୍ୟାୟ! ଯେଉଁ ପ୍ରଶ୍ନପତ୍ର ପ୍ରଘଟ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିଅର୍କୁ ଜନ୍ମ ଦେଇଥିଲା… ସେଇ ‘ପେପର ଲିକ୍’ ହିଁ ଆଜି ତାଙ୍କ ମନ୍ତ୍ରୀପଦକୁ ସଦା ପାଇଁ ବୁଡ଼ାଇ ଦେଲା!
ଓଡ଼ିଶା ରାଜନୀତି, ସଂଘର ସ୍ଥିତି
ଏବେ ପ୍ରଶ୍ନ ଉଠୁଛି— ଏହି ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗାମୀ ଭବିଷ୍ୟତ କ’ଣ?
ଓଡ଼ିଶା ତଥା ଜାତୀୟ ରାଜନୀତିରେ ତାଙ୍କର ସ୍ଥିତି କ’ଣ ହେବ?
ରାଜନୈତିକ ସମୀକ୍ଷକଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନଙ୍କର କେନ୍ଦ୍ରୀୟ ସଂଘ (RSS) ର ବରିଷ୍ଠ ନେତାଙ୍କ ସହ ଭଲ ସମ୍ପର୍କ ଥିଲେ ବି, ଓଡ଼ିଶା ରାଜ୍ୟ ସଂଘ ପଦାଧିକାରୀଙ୍କ ସହିତ ତାଙ୍କର ସମ୍ପର୍କ ସେତେ ମଧୁର ନଥିଲା। ସେ ସଦାବେଳେ କେନ୍ଦ୍ରୀୟ ନେତୃତ୍ୱ, ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନ ବଳରେ ହିଁ ନିଜର ଦବଦବା ବଜାୟ ରଖିଥିଲେ।

ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ କ୍ୟାବିନେଟ୍ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଦିଆଯାଇଛି। ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନ ଏବେ କେବଳ ସମ୍ବଲପୁରର ସାଂସଦ ଭାବେ ରହିବେ। କିନ୍ତୁ ମୋଦୀ ସରକାରଙ୍କ ପୂର୍ବ ଶିକ୍ଷାମନ୍ତ୍ରୀମାନଙ୍କ ଇତିହାସକୁ ଦେଖିଲେ— ସ୍ମୃତି ଇରାନୀ, ପ୍ରକାଶ ଜାବେଡ଼କର, କିମ୍ବା ରମେଶ ପୋଖରିଆଲ… ଶିକ୍ଷା ମନ୍ତ୍ରଣାଳୟରୁ ଯିବା ପରେ କେହି ବି ପୁଣି ଥରେ ରାଜନୀତିର ଶୀର୍ଷକୁ ଫେରିପାରିନାହାନ୍ତି।
ଧର୍ମେନ୍ଦ୍ର ପ୍ରଧାନ କ’ଣ ଏହି ‘ଅଭିଶାପ’କୁ ଭାଙ୍ଗି ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିପାରିବେ? ନା ତାଙ୍କର ବି ରାଜନୈତିକ ସଫର ଏଇଠି ଧୀମେଇ ଯିବ?
କ୍ଷମତାର ସମୀକରଣ ବଦଳିପାରେ, ଚେହେରା ବଦଳିପାରେ…
କିନ୍ତୁ ଗୋଟିଏ କଥା ସ୍ପଷ୍ଟ— ଦେଶର ଲକ୍ଷ ଲକ୍ଷ ଯୁବକ, ପରୀକ୍ଷାର୍ଥୀ, ଏବଂ ସେମାନଙ୍କ ପରିବାରର ସ୍ୱପ୍ନ ସହ ଯେତେବେଳେ ବି ପ୍ରଶ୍ନପତ୍ର ଲିକ୍ ନାଁରେ ଖେଳ ହେବ, ସେତେବେଳେ ଜନତାଙ୍କ ସ୍ୱର ଏମିତି ହିଁ କ୍ଷମତାର ସିଂହାସନକୁ ଦୋହଲାଇ ଦେବ!
ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନାଟକୀୟ ଇସ୍ତଫା, ୧୯୯୬ରୁ ୨୦୨୬ର ଏହି ୩୦ ବର୍ଷର କାହାଣୀ, ଏବଂ ଓଡ଼ିଶା ରାଜନୀତି ଉପରେ ଆପଣଙ୍କର ମତାମତ କ’ଣ?
Also read : https://purvapaksa.com/weak-government-failed-opposition/
ଦୁର୍ବଳ ସରକାର, ବିଫଳ ବିରୋଧୀ ଦଳ || Weak government, failed opposition


