ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମ ବେସରକାରୀ କକ୍ଷପଥ ଶ୍ରେଣୀର ରକେଟ୍ (Orbital-class Rocket) ‘ବିକ୍ରମ-୧’ ନିଜର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ହାଇଦ୍ରାବାଦ ସ୍ଥିତ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେସ୍’ ଗୁରୁବାର ଘୋଷଣା କରିଛି ଯେ, ‘ମିଶନ ଆଗମନ’ ଅନ୍ତର୍ଗତ ଏହି ରକେଟ୍ର ଉତକ୍ଷେପଣ ଜୁଲାଇ ୧୨ ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ କରାଯିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ ଏହି ଐତିହାସିକ ଉତକ୍ଷେପଣ କରାଯିବା ନେଇ ସମୟ ସୀମା ବା ଲଞ୍ଚ ୱିଣ୍ଡୋ ସ୍ଥିର ହୋଇଛି।

ଲଞ୍ଚ ପ୍ୟାଡ୍ରେ ସଜେଇ ହୋଇ ରହିଛି ‘ବିକ୍ରମ-୧’
ସ୍କାଏରୁଟ୍ ଏରୋସ୍ପେସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ବିକ୍ରମ-୧’ ରକେଟ୍ର ସମସ୍ତ ପର୍ଯ୍ୟାୟ ବା ଷ୍ଟେଜ୍ଗୁଡ଼ିକୁ ସଫଳତାର ସହ ଏକତ୍ର କରାଯାଇ ଲଞ୍ଚ ପ୍ୟାଡ୍ରେ ସଜେଇ ରଖାଯାଇଛି। ସାମ୍ପ୍ରତିକ ପ୍ରସ୍ତୁତି, ପାଣିପାଗର ଅନୁକୂଳତା ଏବଂ ସୁରକ୍ଷା ସମ୍ବନ୍ଧୀୟ କ୍ଲିଅରାନ୍ସ ମିଳିବା ପରେ ଜୁଲାଇ ୧୨ କିମ୍ବା ତା’ ପରବର୍ତ୍ତୀ ଯେକୌଣସି ଦିନ ଏହା ମହାକାଶକୁ ଉଡ଼ାଣ ଭରିବ। ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରକେଟ୍ର ପ୍ରତ୍ୟେକ ସ୍ତରରୁ ପ୍ରକୃତ ଉଡ଼ାଣ ତଥ୍ୟ ସଂଗ୍ରହ କରିବା, ଯାହା ଆଗାମୀ ଦିନରେ ବ୍ୟବସାୟିକ ଉତକ୍ଷେପଣ ପାଇଁ ସହାୟକ ହେବ।
3D ପ୍ରିଣ୍ଟେଡ୍ ଇଞ୍ଜିନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ
ପ୍ରାୟ ୭ ମହଲା କୋଠା ଉଚ୍ଚତା ବିଶିଷ୍ଟ ଏହି ରକେଟ୍ ସମ୍ପୂର୍ଣ୍ଣ ଭାବେ କାର୍ବନ କମ୍ପୋଜିଟ୍ ଗଠନରେ ନିର୍ମିତ। ଏଥିରେ ସ୍କାଏରୁଟ୍ ଦ୍ୱାରା ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରୋପଲସନ ସିଷ୍ଟମ, ୩D-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କଠିନ ଜାଳେଣି ବିଶିଷ୍ଟ ବୁଷ୍ଟର ବ୍ୟବହାର କରାଯାଇଛି। ଏହି ରକେଟ୍ ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଛୋଟ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥ ୪୫୦ କିମି ଉଚ୍ଚତା ରେ ସ୍ଥାପିତ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦୨୫ରେ ସ୍କାଏରୁଟ୍ର ଇନଫିନିଟି କ୍ୟାମ୍ପସ ଉଦ୍ଘାଟନ ସମୟରେ ଏହି ପ୍ରସ୍ତୁତ ରକେଟ୍କୁ ଉନ୍ମୋଚନ କରିଥିଲେ।
ଭାରତୀୟ ମହାକାଶ କ୍ଷେତ୍ରରେ ଏକ ନୂଆ ବିପ୍ଳବ

ସ୍କାଏରୁଟ୍ ଏରୋସ୍ପେସ୍ର ସହ-ପ୍ରତିଷ୍ଠାତା ତଥା ସିଇଓ ପବନ କୁମାର ଚାନ୍ଦନା କହିଛନ୍ତି, “‘ମିଶନ ଆଗମନ’ ରକେଟ୍ ବିକ୍ରମ-୧ ର ପ୍ରତ୍ୟେକ ପ୍ରଣାଳୀର ବାସ୍ତବ ପ୍ରଦର୍ଶନକୁ ମାପିବ। ରକେଟ୍ ଉଡ଼ାଣ ଭରିବା ମାତ୍ରେ ଭାରତର ବେସରକାରୀ ମହାକାଶ ଶିଳ୍ପ ଏକ ନୂଆ ସୀମା ପାର୍ କରିବ।” ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୧୮ ନଭେମ୍ବର ୨୦୨୨ରେ କମ୍ପାନୀ ‘ବିକ୍ରମ-ଏସ୍’ ନାମକ ଏକ ସବ୍-ଅର୍ବିଟାଲ୍ ରକେଟ୍ ସଫଳତାର ସହ ଉତକ୍ଷେପଣ କରି ଦେଶର ପ୍ରଥମ ବେସରକାରୀ ସ୍ପେସ୍ ଷ୍ଟାର୍ଟଅପ୍ର ଗୌରବ ହାସଲ କରିଥିଲା। ବର୍ତ୍ତମାନର ଏହି ‘ବିକ୍ରମ-୧’ ମିଶନ ଆଂଶିକ ଭାବେ ବ୍ୟବସାୟିକ ହେବ, ଯେଉଁଥିରେ କିଛି ଦେଶୀ ଏବଂ ବିଦେଶୀ ଗ୍ରାହକଙ୍କ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ଇନ୍-ସ୍ପେସ୍ ର ବୈଷୟିକ ସହଯୋଗରେ ଏହି ସମ୍ପୂର୍ଣ୍ଣ ମିଶନ ପରିଚାଳିତ ହେଉଛି।
Also read : https://purvapaksa.com/k-c-venugopal-writes-letter-to-pm-modi-on-ram-temple-donation-money-scam/


