ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହୋଇଥିବା କଥିତ ଦାନ ଅର୍ଥ ହେରଫେର ଓ ଚୋରି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ତଥା ସଂଗଠନ ମହାସଚିବ କେ. ସି. ବେଣୁଗୋପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ବଡ଼ ଧରଣର ‘ଚାନ୍ଦା ଚୋରି ମେଗା ସ୍କାମ୍’ ର ତୁରନ୍ତ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଦନ୍ତ କରାଯିବା ପାଇଁ ସେ ଦାବି କରିଛନ୍ତି।

ହିନ୍ଦୁ ଆସ୍ଥା ପ୍ରତି ଏକ ବଡ଼ ପ୍ରତାରଣା
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବେଣୁଗୋପାଳ ଦର୍ଶାଇଛନ୍ତି ଯେ, ଶହ ଶହ କୋଟି ଟଙ୍କାର ଏହି ମହାଘୋଟାଲା କୋଟି କୋଟି ହିନ୍ଦୁଙ୍କ ଆସ୍ଥା, ଧର୍ମ ଏବଂ ସେମାନଙ୍କ ଜୀବନଶୈଳୀ ପ୍ରତି ଏକ ବଡ଼ ପ୍ରତାରଣା। ସାଧାରଣ ନାଗରିକମାନେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଅଗାଧ ଶ୍ରଦ୍ଧା ଓ ବିଶ୍ୱାସ ଯୋଗୁଁ ନିଜର ରକ୍ତଝାଳ ବୁହା ଧନକୁ ଦାନ କରିଥିଲେ। କିନ୍ତୁ କିଛି ଲୋକ ନିର୍ଲଜ ଭାବେ ଏହି ପବିତ୍ର ଅର୍ଥକୁ ଲୁଟି ନେଇଛନ୍ତି, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଯେଉଁମାନେ ହିନ୍ଦୁ ଧର୍ମର ରକ୍ଷକ ବୋଲି ଦାବି କରନ୍ତି, ସେମାନେ ହିଁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନାମକୁ କଳଙ୍କିତ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଦାୟିତ୍ୱ
କଂଗ୍ରେସ ନେତା ଜଣକ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାରୀ ଜମି ଏବଂ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏକ ପବ୍ଲିକ ଟ୍ରଷ୍ଟ (ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର) ମାଧ୍ୟମରେ ରାମ ମନ୍ଦିର ନିର୍ମାଣ କରାଯାଇଛି। ତେଣୁ ମନ୍ଦିର ପ୍ରଶାସନ ମଧ୍ୟରେ ଯାହା ବି ଘଟୁଛି, ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ପୂର୍ବରୁ ଏହି ଚୋରି ସମ୍ପର୍କରେ ବିଭିନ୍ନ ସ୍ତରରୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଜାଣିଶୁଣି ଅଣଦେଖା କରିଥିଲେ।
SIT ତଦନ୍ତ କେବଳ ଏକ ଦେଖାଣହାରି

ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ବିଶେଷ ତଦନ୍ତକାରୀ ଦଳ (SIT) ଉପରେ ପ୍ରଶ୍ନ ଉଠାଇ ବେଣୁଗୋପାଳ କହିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ଏସଆଇଟି ତଦନ୍ତ କେବଳ ଏକ ଦେଖାଣହାରି କାର୍ଯ୍ୟାନୁଷ୍ଠାନ। ଏହା କେବଳ ଘଟଣାର ପଛରେ ଥିବା ‘ବଡ଼ ମାଛ’ ମାନଙ୍କୁ ସୁରକ୍ଷା ଦେବା ପାଇଁ କରାଯାଇଛି। ସାଧାରଣ କର୍ମଚାରୀଙ୍କ ତୁଳନାରେ ଏଥିରେ ଉପରସ୍ତରର ବହୁ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି। ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ପ୍ରାୟ ୭ ରୁ ୮ ମାସର ଗୁରୁତ୍ୱପୂର୍ଣ୍ଣ ସିସିଟିଭି (CCTV) ଫୁଟେଜ୍କୁ ମଧ୍ୟ ଜାଣିଶୁଣି ଗାଏବ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ଏହି ମାମଲା କେବଳ ଏକ ସାଧାରଣ ଲୁଟ୍ ନୁହେଁ, ବରଂ ରାଜନୈତିକ ଫାଇଦା ଏବଂ ଆର୍ଥିକ ସମୃଦ୍ଧି ପାଇଁ ଲୋକଙ୍କ ଆସ୍ଥାକୁ ଭ୍ରଷ୍ଟ କରିବାର ଏକ ସଂଗଠିତ ପ୍ରୟାସ। ତେଣୁ ଏହି ସମ୍ପୂର୍ଣ୍ଣ ମହାଘୋଟାଲାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।


