ସିନ୍ଧୁ ଜଳ ଚୁକ୍ତି (IWT) କୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ନୂଆଦିଲ୍ଲୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ସ୍ଥିତ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଚେନାବ୍ (ଚନ୍ଦ୍ରଭାଗା) ନଦୀ ଉପରେ ନିର୍ମିତ ‘ଦୁଲହସ୍ତୀ ପାୱାର ପ୍ରୋଜେକ୍ଟ’ର ସମସ୍ତ ଗେଟ୍କୁ ଭାରତ ପକ୍ଷରୁ ଖୋଲି ଦିଆଯାଇଛି । ଏହା ଦ୍ୱାରା ଚେନାବ୍ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି ।
Jammu and Kashmir: The gates of the Dulhasti Power Project have been opened, leading to a rise in the water level of the Chenab River. The district administration has advised people to stay away from riverbanks, streams, and low-lying areas due to possible sudden increases in… pic.twitter.com/foB1Kk1t0A
— IANS (@ians_india) July 1, 2026
ଡ୍ୟାମରୁ ପଟୁମାଟି ବା ଗାଦ (Silt) ସଫା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ଦୂରେଇ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ପାକିସ୍ତାନ ପକ୍ଷରୁ କ୍ରମାଗତ ଭାବେ ମିଳୁଥିବା ଯୁଦ୍ଧ ଧମକ ମଧ୍ୟରେ ଭାରତର ଏହି ପଦକ୍ଷେପ ପଡ଼ୋଶୀ ଦେଶର ଚିନ୍ତାକୁ ବହୁ ଗୁଣିତ କରିଦେଇଛି ।
ପାକିସ୍ତାନ ଦେଇଥିଲା ହାତ କାଟିବା ଏବଂ ଯୁଦ୍ଧର ଧମକ
ସିନ୍ଧୁ ଜଳ ଚୁକ୍ତିକୁ ନେଇ ନିକଟରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତକୁ ଖୋଲା ଧମକ ଦେଇଥିଲେ । ସେ କହିଥିଲେ ଯେ, “ଯଦି କେହି ସିନ୍ଧୁ ନଦୀର ଜଳକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବ, ତେବେ ଇସଲାମାବାଦ୍ ସେହି ହାତକୁ କାଟିଦେବ।” ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ଚେତାବନୀ ଦେଇ କହିଥିଲେ ଯେ, ପାଣି ସେମାନଙ୍କର ଜାତୀୟ ସୁରକ୍ଷାର ଅଂଶ ଏବଂ ଏହା ପ୍ରତି ବିପଦ ସୃଷ୍ଟି ହେଲେ ସେମାନେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବେ ।
Pakistan Warns India Over Indus Waters Treaty
Pakistan’s Ministers Dr. Musadik Malik and Attaullah Tarar warned India of a forceful response to any interference with its water rights under the Indus Waters Treaty.
Islamabad rejects New Delhi’s 2025 suspension citing… https://t.co/uq0wFnPqmq pic.twitter.com/sAqZJUXsXv
— Mr. Kashyap (@MrKashyapSpeaks) June 29, 2026
ବାସ୍ତବରେ, ଏପ୍ରିଲ ୨୦୨୫ରେ ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦଶନ୍ଧି ପୁରୁଣା ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି । ଏହା ପରେ ଜମ୍ମୁ-କାଶ୍ମୀରରେ ଦୀର୍ଘ ଦିନ ଧରି ଅଟକି ରହିଥିବା ଅନେକ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକୁ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ାଉଛି, ଯାହାକୁ ପାକିସ୍ତାନ ତୀବ୍ର ବିରୋଧ କରୁଛି ।
ବିବାଦର କେନ୍ଦ୍ରବିନ୍ଦୁ ଚେନାବ୍ ନଦୀ ଏବଂ ପ୍ରକଳ୍ପ
୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ, ଚେନାବ୍ ନଦୀର ଜଳ ପାକିସ୍ତାନ ପାଇଁ ବଣ୍ଟନ କରାଯାଇଥିଲା । ମାତ୍ର ଭାରତ ଏହି ନଦୀ ଉପରେ ପ୍ରଥମ ପର୍ଯ୍ୟାୟରେ ୩୯୦ ମେଗାୱାଟର ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଗତବର୍ଷ ‘ଦୁଲହସ୍ତୀ ଷ୍ଟେଜ୍-୨’ ଜଳବିଦ୍ୟୁତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ।

ଭାରତ ଏହାକୁ ‘ରନ୍-ଅଫ୍-ଦି-ରିଭର’ (ନଦୀର ପ୍ରାକୃତିକ ପ୍ରବାହକୁ ନ ଅଟକାଇ) ପ୍ରକଳ୍ପ ବୋଲି କହୁଥିବା ବେଳେ ପାକିସ୍ତାନ ଏହାକୁ ଚୁକ୍ତିର ଉଲ୍ଲଂଘନ ଏବଂ ଭାରତ ପାଣିକୁ ‘ଅସ୍ତ୍ର’ ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି । ଦୁଲହସ୍ତୀ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଜମ୍ମୁ-କାଶ୍ମୀର ସମେତ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ରାଜସ୍ଥାନ ଭଳି ଅଞ୍ଚଳକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପରିସ୍ଥିତିରେ ଡ୍ୟାମର ଗେଟ୍ ଖୋଲିବା ଭାରତର ଏକ ଦୃଢ଼ ରଣନୀତିକୁ ଦର୍ଶାଉଛି ।


