କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀର ଜନ୍ତର-ମନ୍ତରଠାରେ ଚାଲିଥିବା ଆନ୍ଦୋଳନକୁ ଏବେ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ମିଳିବାରେ ଲାଗିଛି । ଏହି କ୍ରମରେ ତୃଣମୂଳ କଂଗ୍ରେସ (TMC) ସାଂସଦ ତଥା ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ ମଧ୍ୟ ଏହି ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ଜରିଆରେ ସୂଚନା ଦେଇଛନ୍ତି ଯେ, ସେ ଜନ୍ତର-ମନ୍ତରରେ ଚାଲିଥିବା ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ପ୍ରତିବାଦ ପ୍ରଦର୍ଶନରେ ଯୋଗଦେବେ । ଏହା ସହ CJPର ଉପସହାୟକ ସୌରଭ ଦାସ ଏହି ସଭ୍ୟର କିଛି ଫୋଟୋ ନିଜ ‘X’ ହାଣ୍ଡେଲ ପୋଷ୍ଟ କରିଛନ୍ତି ।
![]()
ସାଗରିକା ଘୋଷ ନିଜ ପୋଷ୍ଟରେ ଲେଖିଛନ୍ତି, “ଅଭିଜିତ ଦୀପକେ, ଆପଣଙ୍କ ଏହି ସାହସିକ ସଂଗ୍ରାମକୁ ସମର୍ଥନ କରିବା ଆମର କର୍ତ୍ତବ୍ୟ ।” ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ବିଭ୍ରାଟ ଯୋଗୁଁ ଦେଶର ଯୁବପିଢ଼ି ନିରାଶା ଏବଂ ମାନସିକ ଯନ୍ତ୍ରଣା ମଧ୍ୟକୁ ଚାଲିଯାଇଛନ୍ତି, ଯେଉଁଥିପାଇଁ ୧୪ ଜଣଙ୍କ ଜୀବନ ମଧ୍ୟ ଯାଇସାରିଛି । ଏହା ସତ୍ତ୍ୱେ ମଧ୍ୟ ନିର୍ଦ୍ଦୟ ନରେନ୍ଦ୍ର ମୋଦୀ ସରକାର ଏହି ପ୍ରସଙ୍ଗ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି । ୪୫ ଡିଗ୍ରୀ ସେଲସିୟସର ପ୍ରବଳ ଗରମ ସତ୍ତ୍ୱେ ଯୁବ କର୍ମକର୍ତ୍ତାମାନେ ବିଗତ ୧୨ ଦିନ ହେବ ଜନ୍ତର-ମନ୍ତରରେ ଧାରଣାରେ ବସିଛନ୍ତି ।
![]()
ଟିଏମସି ସାଂସଦଙ୍କ ଏହି ସମର୍ଥନ ପରେ ‘କକ୍ରୋଚ୍ ଜନତା ପାର୍ଟି’ର ପ୍ରତିଷ୍ଠାତା ସଭାପତି ଅଭିଜିତ ଦୀପକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିଜିତ ଲେଖିଛନ୍ତି, “ରାଜ୍ୟସଭାରେ ଟିଏମସିର ଉପନେତା ସାଗରିକା ଘୋଷ ଆଜି ଆମ ଆନ୍ଦୋଳନରେ ସାମିଲ ହେଉଛନ୍ତି । ଆମର ଏହି ସଂଗ୍ରାମକୁ ସମର୍ଥନ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ମ୍ୟାଡାମ ।”
The Cockroach Janta Party thanks @AITCofficial for extending their full solidarity to the youth and activists who have entered their 12th consecutive day of protest at Jantar Mantar.
In her address, Deputy Leader of TMC at Rajya Sabha @sagarikaghose highlighted the structural… pic.twitter.com/rbsXAvjtj3
— Saurav Das (@SauravDassss) July 1, 2026
ଉଲ୍ଲେଖଯୋଗ୍ୟ ଯେ, ଏହି ଆନ୍ଦୋଳନକୁ ପୂର୍ବରୁ ସିପିଆଇଏମ (CPIM) ନେତା ଏମ.ଏ. ବେବି, ବୃନ୍ଦା କରାଟ ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଜନ୍ତର-ମନ୍ତରରେ ପହଞ୍ଚି ନିଜର ସମର୍ଥନ ଜଣାଇ ସାରିଛନ୍ତି। ଅପରପକ୍ଷରେ, ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ମଧ୍ୟ ଏହି ଆନ୍ଦୋଳନ ସପକ୍ଷରେ ଜନ୍ତର-ମନ୍ତରରେ ଅନଶନରେ ବସିଛନ୍ତି, ଯାହାର ଆଜି ଚତୁର୍ଥ ଦିନ ଅଟେ । ଏହାକୁ ନେଇ ବର୍ତ୍ତମାନ ଦିଲ୍ଲୀର ରାଜନୈତିକ ପାଣିପାଗ ବେଶ ଗରମ ରହିଛି ।


