ଏମିତି ଏକ ବିଷୟ ଯାହା ଓଡ଼ିଶାର ପ୍ରତ୍ୟେକ ସଚେତନ ନାଗରିକଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ବର୍ଷ ଧରି ଯେଉଁ ବିଜୁ ଜନତା ଦଳ ଓଡ଼ିଶାର ପ୍ରଶାସନ, ରାଜନୀତି ଏବଂ ସମାଜର କୋଣ ଅନୁକୋଣରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା, ସେହି ଦଳ ଆଜି କାହିଁକି ଆତ୍ମରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଛି?
ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ଦେଖିଥିଲେ ଶାସକ ବିଜେଡି ଏବଂ ଏକ ପ୍ରକାର ନିଷ୍କ୍ରିୟ ବିରୋଧୀ ଦଳକୁ। କିନ୍ତୁ ୨୦୨୪ ନିର୍ବାଚନ ପରେ ଓଡ଼ିଶାର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଜି ପ୍ରଶ୍ନ ଉଠୁଛି, ଓଡ଼ିଶାର ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ଏଥିପାଇଁ ତିନିଟି ମୁଖ୍ୟ କାରଣ ରହିଛି: ୧. ରାଜ୍ୟରେ ଦୁର୍ବଳ ନେତୃତ୍ୱ? ୨. ଜନମତର କ୍ଷୀଣ ସ୍ୱର? ୩. ନା ଏକ ଦୁର୍ବଳ ବିରୋଧୀ ଦଳ?
ଆଜି ଆମେ ଏହି ତିନିଟି ପ୍ରସଙ୍ଗର ପୋଷ୍ଟମର୍ଟମ କରିବା। ଆମେ ଜାଣିବାକୁ ଚେଷ୍ଟା କରିବା ଯେ, ବିଜେଡି ଯେଉଁ ୯.୮ ଲକ୍ଷ ଭୋଟରଙ୍କ ନାମ କଟାଯିବା ଅଭିଯୋଗ ଆଣୁଛି, ତାହା ପ୍ରକୃତରେ ଗଣତନ୍ତ୍ରର ଚିନ୍ତା ନା ନିଜର ଭୋଟ୍ ବ୍ୟାଙ୍କ ଖସିଯିବାର ଭୟ? ଏବଂ ସବୁଠାରୁ ବଡ଼ କଥା ହେଉଛି, ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ପ୍ରକୃତ ଜନସମସ୍ୟାରୁ ମୁହଁ ଫେରାଇ ନେଇଛି କି?
ଆସନ୍ତୁ ବୁଝିବା SSR ବା ‘ ବିଶେଷ ସାରାଂଶ ସଂଶୋଧନ’ କ’ଣ। ଭାରତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ, ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ କରାଯାଏ। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ଯେଉଁମାନେ ସ୍ଥାନ ଛାଡ଼ିଛନ୍ତି ବା ଯେଉଁମାନଙ୍କର ଏକାଧିକ ସ୍ଥାନରେ ନାମ ଅଛି, ସେମାନଙ୍କ ନାମ କଟାଯାଏ। ଏଥିପାଇଁ ବିଏଲଓ (Booth Level Officer) ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରନ୍ତି।
କିନ୍ତୁ ଗତ ବୁଧବାର ଦିନ ବିଜୁ ଜନତା ଦଳର ନେତାମାନେ ଯେଉଁଭଳି ଭାବରେ ପ୍ରତିବାଦ କଲେ, ତାହା ଅନେକଙ୍କୁ ଚକିତ କରିଛି। ସେମାନଙ୍କ ଅଭିଯୋଗ ହେଉଛି ଯେ, ରାଜ୍ୟରେ ପ୍ରାୟ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ ବିନା ସୂଚନାରେ କଟାଯାଇଛି।
ଏଠାରେ ଗୋଟିଏ କଥା ଚିନ୍ତା କରିବାର ଅଛି – ବିଜେଡି ଏକ ସଶକ୍ତ ସଂଗଠନ ବୋଲି ନିଜକୁ ଦାବି କରେ। ପ୍ରତି ବୁଥ୍ରେ ସେମାନଙ୍କର ବିଏଲ୍ଏ (Booth Level Agent) ଅଛନ୍ତି। ଯଦି ଏତେ ସଂଖ୍ୟକ ଭୋଟରଙ୍କ ନାମ କଟାଯାଉଥିଲା, ତେବେ ଏହି ଏଜେଣ୍ଟମାନେ ସେତେବେଳେ କ’ଣ କରୁଥିଲେ? କ’ଣ ବିଜେଡିର ଗ୍ରାଉଣ୍ଡ ଲେଭଲ୍ ସଂଗଠନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି କି?
ବିଜେଡିର ଏହା କେବଳ ଏକ ‘ଟୋକନ୍ ବିରୋଧ’ କି । ବିଜେଡି ଲୋକଙ୍କୁ ଏବଂ ନିଜ କର୍ମୀଙ୍କୁ ଦେଖାଇବାକୁ ଚାହୁଁଛି ଯେ, “ଆମେ ଏବେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ଜୀବିତ ଅଛୁ।” କିନ୍ତୁ ବିଜେଡି ନେତାଙ୍କର ଆତ୍ମରକ୍ଷା ପାଇଁ ଏହି ପ୍ରୟାସ କେତେଦୂର ସଫଳ ହେବ? ଯେଉଁ ଦଳ ୨୪ ବର୍ଷ ଶାସନ କରିବା ପରେ ବିରୋଧୀ ଆସନରେ ବସିଛି, ସେହି ଦଳକୁ କ’ଣ ପ୍ରକୃତ ଜନସମସ୍ୟା ଦେଖାଯାଉନି? କେବଳ ଭୋଟର ତାଲିକାକୁ ନେଇ କାହିଁକି ଏତେ ହଟଚମଟ?
ଗୋଟିଏ ଦକ୍ଷ ବିରୋଧୀ ଦଳର କାମ କ’ଣ? ସରକାରଙ୍କୁ ଜନହିତକର କାର୍ଯ୍ୟ ପାଇଁ ବାଧ୍ୟ କରିବା ଏବଂ ସରକାରଙ୍କ ଭୁଲ୍ ନୀତିକୁ ବିରୋଧ କରିବା। କିନ୍ତୁ ଓଡ଼ିଶାରେ ଚିତ୍ରଟା କିଛି ଅଲଗା ଅଲାଗା ଲାଗୁଛି।
ଆଜି ଓଡ଼ିଶାର ଗାଁ ଗାଁରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି। ଖରା ଦିନେ ଲୋକମାନେ ଛଟପଟ ହେଉଛନ୍ତି। ଏହା ସହିତ ସ୍ମାର୍ଟ ମିଟର ପ୍ରସଙ୍ଗ। ଓଇଆରସିର ବିନା ଅନୁମତିରେ ପ୍ରାୟ ୧୨ ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯିବାର ଯୋଜନା ଚାଲିଛି। ଏହି ପ୍ରକ୍ରିୟାରେ ପ୍ରାୟ ୧୨୦୦ କୋଟି ଟଙ୍କାର ଟେଣ୍ଡର ହୋଇଛି। କିନ୍ତୁ ବିଜେଡି ଏହି ପ୍ରସଙ୍ଗରେ କାହିଁକି ଚୁପ୍? କାହିଁକି ସେମାନେ ଏହାକୁ ନେଇ ଆନ୍ଦୋଳନ କରୁନାହାନ୍ତି? ଓକାକରେ ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ମଧ୍ୟ ଟେଣ୍ଡର ପ୍ରକିୟାରେ ଅନିୟମିତତା ହୋଇଛି।
ବିଜେଡି ଏହି ଉଭୟ ଘଟଣାରେ ଚୁପ୍ ରହିଛି କାରଣ ଉଭୟ ବିଭାଗରେ ଯେଉଁ ଅଧିକାରୀ ଦାୟିତ୍ୱରେ ଅଛନ୍ତି ଏକଦା ସେ ନବୀନ ପଟ୍ଟନାୟକ ଓ ତାଙ୍କ ବିଶ୍ୱସ୍ତ ସେବକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ନୟନର ମଣି ଥିଲେ। ତେଣୁ ଏହି ବିଭାଗରେ ଚାଲିଥିବା ଦୁର୍ନୀତି ଉପରେ ବିଜେଡି ଚୁପ ବସିଛି।
ସେହିପରି ଚାଷୀଙ୍କ ସମସ୍ୟା। ଧାନ ବିକ୍ରିରେ ଅନିୟମିତତା, ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ଏବଂ ପାନୀୟ ଜଳର ସଂକଟ। ଏସବୁ କ’ଣ ମୁଖ୍ୟ ପ୍ରସଙ୍ଗ ନୁହେଁ? ବିଜେଡି ନିର୍ବାଚନୀ ପରିଚାଳନା ପାଇଁ ଅବୈଧ ଅନୁପ୍ରବେଶକାରୀଙ୍କ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ରାସ୍ତାକୁ ଓହ୍ଲାଉଛି, କିନ୍ତୁ ଜନସାଧାରଣଙ୍କ ସେବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ।
ଏହି ନିରବତା ପଛର କାରଣ କ’ଣ ହୋଇପାରେ? କ’ଣ ମୋହନ ମାଝୀଙ୍କ ସରକାରଙ୍କ ସହ ବିଜେଡିର କିଛି ‘ଅଘୋଷିତ ସନ୍ଧି’ ରହିଛି? ନା ବିଜେଡି ନିଜ ସମୟର ଦୁର୍ନୀତି ଫାଶରେ ପଡ଼ିବାର ଭୟ କରୁଛି?
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ‘ଓକାକ’ ବର୍ତ୍ତମାନ ଦୁର୍ନୀତି ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ସାରିଲାଣି ବୋଲି ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ ଗତ ସରକାର ସମୟରେ ଅତି ବ୍ୟୟବହୁଳ କମ୍ପ୍ୟୁଟର ବ୍ୟବସ୍ଥା ଏବଂ କ୍ୟାମେରା ବ୍ୟବସ୍ଥା ନାମରେ ହଜାର ହଜାର କୋଟି ଟଙ୍କାର ଅନିୟମିତତା ହୋଇଛି। ପ୍ରାୟ ୧୦୦୦ ରୁ ୧୭୦୦ କୋଟି ଟଙ୍କାର ଏକ ବିରାଟ ଦୁର୍ନୀତିର ଗନ୍ଧ ଆସୁଛି।
କଂଗ୍ରେସ ଏହାକୁ ନେଇ କିଛି ମାତ୍ରାରେ ପ୍ରତିକ୍ରିୟା ଦେଇଛି, କିନ୍ତୁ ବିଜେଡି ସମ୍ପୂର୍ଣ୍ଣ ନୀରବ। ଏହାର କାରଣ ହୁଏତ ଏହା ଯେ, ଏହି ପ୍ରକଳ୍ପଗୁଡ଼ିକ ବିଜେଡି ସମୟରେ ହିଁ ଆରମ୍ଭ ହୋଇଥିଲା। ଯଦି ବିଜେଡି ଆଜି ଏହାକୁ ବିରୋଧ କରେ, ତେବେ ପାଲଟା ପ୍ରଶ୍ନ ତାଙ୍କରି ଆଡ଼କୁ ହିଁ ଆସିବ।
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା – ଜଣେ ମହିଳା ଆଇଏଏସ ଅଧିକାରୀଙ୍କ ନାମରେ ଏକ ଦିବ୍ୟାଙ୍ଗ ପରିବାରକୁ ୯୫ ଲକ୍ଷ ଟଙ୍କା ଠକି ନେବାର ଅଭିଯୋଗ ଆସିଲା। ଜମି ଦେବା ନାଁରେ ଠକେଇ ହେଲା। କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କଲା ନାହିଁ। କାହିଁକି? କାରଣ ହୁଏତ ସେହି ଅଧିକାରୀ ଜଣଙ୍କ ‘ପାଣ୍ଡିଆନ୍ ଇକୋସିଷ୍ଟମ୍’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।
ଏହି ସବୁ ଘଟଣା ପ୍ରମାଣ କରୁଛି ଯେ, ବିଜେଡି ନିଜ ସମୟର ଦୁର୍ନୀତିକୁ ଢାଙ୍କିବା ପାଇଁ ଏକ ସୁରକ୍ଷା କବଚ ଖୋଜୁଛି। ଆଜି ସେମାନେ ସରକାରଙ୍କୁ ସେହି ସବୁ ବିଷୟରେ ଘେରି ପାରୁନାହାନ୍ତି, ଯେଉଁଥିରେ ସେମାନଙ୍କ ନିଜର ସ୍ୱାର୍ଥ ଜଡ଼ିତ।
ଏବେ ପ୍ରଶ୍ନ ଆସୁଛି – ଓଡ଼ିଶା ରାଜନୀତି କୁଆଡ଼େ ଯାଉଛି? ୨୦୨୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନ ଏବେଠାରୁ ରାଜନୈତିକ ଦଳଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।
ବିଜେଡି କ’ଣ ଭାବୁଛି ଯେ, ସେମାନେ ୨୦୨୯ ରେ ଏକୁଟିଆ ଫେରି ପାରିବେ? ବିଜେଡି ନେତୃତ୍ୱ ନିଜ ଉପରେ ଭରସା ହରାଇଛନ୍ତି। ସେଥିପାଇଁ ହୁଏତ ପଛ ଦ୍ୱାର ଦେଇ କଂଗ୍ରେସ ସହ ମେଣ୍ଟ କରିବାର ଏକ ରହସ୍ୟଜନକ ଯୋଜନା ଚାଲିଛି। କିନ୍ତୁ ଇତିହାସ କହୁଛି, ଯେଉଁ ଦଳ ଲଗାତାର ତିନି ଚାରିଟି ନିର୍ବାଚନ ହାରିଛି, ତା’ର ପ୍ରତ୍ୟାବର୍ତ୍ତନ ଅତ୍ୟନ୍ତ କଷ୍ଟକର। ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ବିହାର ଏହାର ବଡ଼ ଉଦାହରଣ।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏବେ ଶାସନରେ ଅଛି। ସେମାନେ ମଧ୍ୟ ନିଜ ପାଇଁ ଗାତ ଖୋଳିବା ଆରମ୍ଭ କରିଦେଲେଣି। ବିଜେଡି ଆଜି ଯେଉଁ ସୋସିଆଲ ମିଡିଆରେ ଆକ୍ରମଣ କରୁଛି, ତାହା କେତେଦୂର ସଫଳ ହେବ? କାରଣ ସୋସିଆଲ ମିଡିଆରେ ଯାହା ଚାଲେ, ତାହା ପ୍ରକୃତରେ ଗ୍ରାଉଣ୍ଡରେ ଭୋଟ୍ରେ ପରିଣତ ହୁଏ କି ନାହିଁ, ତାହା ଏବେ ବି ଏକ ପ୍ରଶ୍ନବାଚୀ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ବିଜେଡି ଭିତରର କନ୍ଦଳ। ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ। ଗୋଟିଏ ପାଣ୍ଡିଆନଙ୍କ ପ୍ରଭାବଶାଳୀ ଗୋଷ୍ଠୀ ଏବଂ ଅନ୍ୟଟି ସେମାନଙ୍କୁ ବିରୋଧ କରୁଥିବା ପୁରୁଣା ନେତାଙ୍କ ଗୋଷ୍ଠୀ। ଏହି ଆଭ୍ୟନ୍ତରୀଣ ଯୁଦ୍ଧରେ ଦଳର ସଂଗଠନ ଦୁର୍ବଳ ହେବାରେ ଲାଗିଛି।
ଶେଷରେ, ଗୋଟିଏ କଥା ବୁଝିବାକୁ ହେବ – ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ରହିବା ଅତ୍ୟନ୍ତ ଆବଶ୍ୟକ। ଯଦି ବିରୋଧୀ ଦଳ ଦୁର୍ବଳ ହୋଇଯାଏ, ତେବେ ଶାସକ ଦଳ ମନମାନୀ କରିବାର ଆଶଙ୍କା ବଢ଼ିଯାଏ।
ଓଡ଼ିଶାରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିପାଇଁ କେବଳ ସରକାର ନୁହଁନ୍ତି, ବିରୋଧୀ ମଧ୍ୟ ସମାନ ଭାବରେ ଦାୟୀ। ବିଜେଡି କେବଳ ୯.୮ ଲକ୍ଷ ଭୋଟରଙ୍କ ପାଇଁ ଲଢ଼େଇ ନ କରି, ଓଡ଼ିଶାର ୪.୫ କୋଟି ଲୋକଙ୍କ ମୌଳିକ ସମସ୍ୟା ପାଇଁ ଲଢ଼ିବା ଉଚିତ।
• ବିଜେଡି କ’ଣ ପ୍ରକୃତରେ ଲୋକଙ୍କ ପାଇଁ ଲଢୁଛି?
• ନା ଏହା କେବଳ ୨୦୨୯ ପାଇଁ ଏକ ସ୍ୱପ୍ନ?
• ଓଡ଼ିଶାରେ ବିରୋଧୀ ଦଳର ଭୂମିକା ଆଗକୁ କ’ଣ ହେବ?
AlsoRead; https://purvapaksa.com/balen-shah-a-disaster-for-india/


