ପଶ୍ଚିମବଙ୍ଗର ନିର୍ବାଚନ ମଇଦାନ ଏବେ ସରଗରମ। କିନ୍ତୁ ଏହି ନିର୍ବାଚନୀ ତାତି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ବାର୍ତ୍ତା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାହୁଲ କହିଛନ୍ତି— “ବିଜେପିକୁ କେବଳ କଂଗ୍ରେସ ହିଁ ରୋକିପାରିବ”। ଶୁଣିବାକୁ କଥାଟି ବେଶ୍ ଆକର୍ଷଣୀୟ, କିନ୍ତୁ ବାସ୍ତବତା କ’ଣ?
ଯେଉଁ ରାଜ୍ୟରେ କଂଗ୍ରେସର ସଂଗଠନ ଆଇସିୟୁରେ ଅଛି, ଯେଉଁଠି ଦଳର ବିଧାୟକ ସଂଖ୍ୟା ଶୂନ, ସେଠାରେ ଠିଆ ହୋଇ ଏଭଳି ଦାବି କରିବା କ’ଣ କେବଳ ଏକ ରାଜନୈତିକ ଷ୍ଟଣ୍ଟ? ଆଜି ଆମେ ପଲଟିକାଲ ଭାଗବତରେ ରାହୁଲ ଗାନ୍ଧୀଙ୍କ ବୟାନର ବ୍ୟବଚ୍ଛେଦ କରିବା ଏବଂ ବୁଝିବାକୁ ଚେଷ୍ଟା କରିବା ଯେ, କଂଗ୍ରେସ ପ୍ରକୃତରେ ବିଜେପିକୁ ରୋକିବାକୁ ଚାହୁଁଛି ନା ନିଜର ପରାଜୟ ପାଇଁ ଅନ୍ୟକୁ ଦାୟୀ କରିବାକୁ ପଥ ପ୍ରସ୍ତୁତ କରୁଛି।
ପଶ୍ଚିମବଙ୍ଗର ଚିତ୍ର: କଂଗ୍ରେସ ବନାମ ମମତା
ରାହୁଲ ଗାନ୍ଧୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ମମତାଙ୍କ “ଧ୍ରୁବୀକରଣ” ପାଇଁ ବିଜେପିକୁ ରାସ୍ତା ମିଳିଲା। କିନ୍ତୁ ରାହୁଲ ଗାନ୍ଧି ଟିକିଏ ଚିନ୍ତା କରନ୍ତୁ, ଇତିହାସ କ’ଣ କହୁଛି? ୧୯୯୮ ମସିହାରେ ମମତା ବାନାର୍ଜୀ କଂଗ୍ରେସ ଛାଡ଼ିଥିଲେ। କାରଣ କ’ଣ ଥିଲା? କଂଗ୍ରେସ ସେତେବେଳେ ସିପିଏମ୍ ସହ ଲଢ଼ିବା ପରିବର୍ତ୍ତେ ଭିତିରି ବୁଝାମଣା କରୁଥିଲା।
ଆଜି ମମତା ୧୫ ବର୍ଷ ହେଲା କ୍ଷମତାରେ ଅଛନ୍ତି। କିନ୍ତୁ କଂଗ୍ରେସ କ’ଣ କଲା? ୨୦୧୬ରେ କଂଗ୍ରେସ ପାଖରେ ୪୪ଟି ଆସନ ଥିଲା, କିନ୍ତୁ ୨୦୨୧ରେ ତାହା ଶୂନକୁ ଖସି ଆସିଲା। ଯେଉଁ ଅଧୀର ରଞ୍ଜନ ଚୌଧୁରୀ ମମତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ତାଙ୍କୁ ମଧ୍ୟ ଦଳର ପଦବୀରୁ ହଟାଇ ଦିଆଗଲା। ତେବେ ପ୍ରଶ୍ନ ଉଠୁଛି— କଂଗ୍ରେସ କାହା ସହ ଅଛି? ମମତାଙ୍କ ସହ ମେଣ୍ଟରେ ଅଛି ନା ତାଙ୍କ ବିରୋଧରେ ଲଢ଼ୁଛି? ରାହୁଲଙ୍କ “Shoot and Scoot” ଅର୍ଥାତ୍ ବୟାନ ଦିଅ ଏବଂ ଖସିଯାଅ ନୀତି ଯୋଗୁଁ କଂଗ୍ରେସ କର୍ମକର୍ତ୍ତା ଆଜି ଦ୍ୱନ୍ଦ୍ୱରେ।
ରାଷ୍ଟ୍ରୀୟ ସ୍ତରର ବିଫଳତା: ଗୁଜରାଟରୁ ଆସାମ
ରାଜନୀତି ବିଶ୍ଳେଷକଙ୍କ ମତରେ, ରାହୁଲ ଗାନ୍ଧୀ ଯେତେବେଳେ ବି କିଛି ବୟାନ ଦିଅନ୍ତି, ସେଥିରେ କଂଗ୍ରେସର ଲାଭ ହେଉ କି ନ ହେଉ, କିନ୍ତୁ ବିରୋଧୀ ଶିବିରରେ ହଟଚମଟ ନିଶ୍ଚୟ ସୃଷ୍ଟି ହୁଏ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବା ମମତା ବାନାର୍ଜୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ, ମମତାଙ୍କ ‘ଧ୍ରୁବୀକରଣ’ ରାଜନୀତି ପାଇଁ ହିଁ ବିଜେପି ପଶ୍ଚିମବଙ୍ଗରେ ପଶିବାର ସୁଯୋଗ ପାଇଲା । କଣ କହିଛନ୍ତି ରାହୁଲ ଗାନ୍ଧି ତାହାକୁ ଆସନ୍ତୁ ଶୁଣିନେବା
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ ମମତା ବାନାର୍ଜୀଙ୍କୁ ରାହୁଲ ଆଜି ସମାଲୋଚନା କରୁଛନ୍ତି, ସେହି ମମତା ପୁଣି ଇଣ୍ଡି ମେଣ୍ଟର ସହଯୋଗୀ। ଏହା କି ପ୍ରକାରର ରାଜନୀତି? ଗୋଟିଏ ପଟେ ବନ୍ଧୁତା ଏବଂ ଅନ୍ୟପଟେ ନିର୍ବାଚନ ସମୟରେ ପରସ୍ପରକୁ ଦୋଷାରୋପ। ରାହୁଲଙ୍କ ବକ୍ତବ୍ୟ ଅନୁସାରେ ଆସାମ କଥା ଦେଖନ୍ତୁ, ସେଠାରେ ତ ମମତା ନାହାନ୍ତି, ତେବେ ସେଠାରେ ବିଜେପି କିଭଳି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି?
ଚାଲନ୍ତୁ ତଥ୍ୟ ଉପରେ ନଜର ପକାଇବା।
• ଗୁଜରାଟରେ ୧୯୯୦ ପରଠାରୁ କଂଗ୍ରେସ ସେଠାରେ କ୍ଷମତାକୁ ଫେରିନାହିଁ। ୩୬ ବର୍ଷ ହେଲା କଂଗ୍ରେସ କେଉଁଠି ଅଛି?
• ଉତ୍ତରପ୍ରଦେଶରେ ୧୯୮୯ରେ ଶେଷ ଥର ପାଇଁ କଂଗ୍ରେସ ସରକାର ଥିଲା। ଆଜି ସେଠାରେ କଂଗ୍ରେସ କେବଳ ସମାଜବାଦୀ ପାର୍ଟିର ଏକ ‘ଛୋଟ ଭାଇ’ ଭାବେ ଛିଡ଼ା ହୋଇଛି।
• ଆସାମରେ ଏଠାରେ ତ କୌଣସି ତୃତୀୟ ପକ୍ଷ ନାହାନ୍ତି। ସିଧାସଳଖ ଲଢ଼େଇ ବିଜେପି ଏବଂ କଂଗ୍ରେସ ଭିତରେ। କିନ୍ତୁ ବିଜେପି ଲଗାତାର ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ତେବେ ଆସାମରେ ବିଜେପି ପାଇଁ ରାସ୍ତା କିଏ ଖୋଲିଲା? ସେଠାରେ ତ ମମତା ବାନାର୍ଜୀ ନଥିଲେ?
ବାସ୍ତବତା ହେଉଛି, ଯେଉଁଠି ବିଜେପି ସହ କଂଗ୍ରେସର ସିଧାସଳଖ ଲଢ଼େଇ ହେଉଛି, ସେଠାରେ କଂଗ୍ରେସ ପରାଜିତ ହେଉଛି। କେବଳ ହିମାଚଳ ପ୍ରଦେଶ କିମ୍ବା ତେଲେଙ୍ଗାନା ଭଳି କିଛି ହାତଗଣତି ସ୍ଥାନକୁ ଛାଡ଼ିଦେଲେ, ରାହୁଲଙ୍କ ରଣନୀତି ସବୁଠି ବିଫଳ ସାବ୍ୟସ୍ତ ହୋଇଛି। ଏହି ଦୁଇ ରାଜ୍ୟରେ ରାହୁଲ ଗାନ୍ଧି ଷ୍ଟାର ପ୍ରଚାରକ ନ ଥିଲେ। ହିମାଚଳରେ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଦାୟିତ୍ୱରେ ଥିବାବେଳେ ତେଲେଙ୍ଗାନାରେ ଅନ୍ୟ ନେତାମାନେ ଥିଲେ।
ମିଥ୍ୟା ପ୍ରଚାରର ରାଜନୀତି?
ରାହୁଲ ଗାନ୍ଧୀ ନିଜ ଭିଡିଓରେ ଏକ ସଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ବିଜେପି “One Nation, One Religion” ଏବଂ “One Language” ଚାହୁଁଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ଅମିତ ଶାହ ଏଭଳି କଥା କହିଛନ୍ତି?
ସରକାର “One Nation, One Election” (ଏକ ଦେଶ, ଏକ ନିର୍ବାଚନ) କଥା କହୁଛନ୍ତି, ଯାହା ଗଣତନ୍ତ୍ରର ସଂସ୍କାର ପାଇଁ ଏକ ପଦକ୍ଷେପ। କିନ୍ତୁ ରାହୁଲ ଗାନ୍ଧୀ ଶବ୍ଦ ସହ ଖେଳୁଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଧର୍ମ ଏବଂ ଭାଷାର ପ୍ରସଙ୍ଗ ଉଠାଉଛନ୍ତି। ଏହା କ’ଣ ଜଣେ ଦାୟିତ୍ୱବାନ ନେତାଙ୍କ ପାଇଁ ଶୋଭା ପାଏ କି? ଲଗାତାର ମିଥ୍ୟା କହିବା ଦ୍ୱାରା ହୁଏତ କିଛି ସମୟ ପାଇଁ ଚର୍ଚ୍ଚା ମିଳିପାରେ, କିନ୍ତୁ ଭୋଟ୍ ମିଳେନାହିଁ।
ସାଙ୍ଗଠନିକ ଦୁର୍ବଳତା ଓ ଦୋଷାରୋପ
ରାହୁଲ ଗାନ୍ଧୀଙ୍କର ଏକ ବଡ଼ ସମସ୍ୟା ହେଉଛି— ସେ ନିଜର ଏବଂ ନିଜ ପରିବାରର ଭୁଲ୍ ସ୍ୱୀକାର କରନ୍ତି ନାହିଁ। କଂଗ୍ରେସର ଏଭଳି ଦୁର୍ଗତି ପାଇଁ ସେ କେତେବେଳେ ଆଞ୍ଚଳିକ ଦଳକୁ ଦାୟୀ କରନ୍ତି ତ କେତେବେଳେ ଇଭିଏମକୁ।
ଗ୍ରାଉଣ୍ଡ ଜିରୋରେ କଂଗ୍ରେସ କର୍ମକର୍ତ୍ତାଙ୍କ ଅବସ୍ଥା ଦେଖନ୍ତୁ। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ରାହୁଲ ମାତ୍ର ଥରେ ବା ଦୁଇଥର ପ୍ରଚାର ପାଇଁ ଗଲେ। ଯଦି ଆପଣ ମଇଦାନରେ ଲଢ଼ିବେ ନାହିଁ, ତେବେ କେବଳ ଏକ ଡିଜିଟାଲ୍ ଭିଡିଓ ବାର୍ତ୍ତା ଦେଇ ନିର୍ବାଚନ ଜିତିବା ସମ୍ଭବ କି? ରାଜନୀତି ପାଇଁ ସଂଘର୍ଷ ଦରକାର, ରାସ୍ତାକୁ ଓହ୍ଲାଇବା ଦରକାର। କିନ୍ତୁ ରାହୁଲ ଗାନ୍ଧୀ ଜଣେ “Part-time Politician” ଭଳି କାମ କରୁଥିବା ଅନେକ ସମାଲୋଚକ କହୁଛନ୍ତି।
ଶେଷରେ ପ୍ରଶ୍ନ ଉଠୁଛି, କଂଗ୍ରେସର ଭବିଷ୍ୟତ କ’ଣ? ରାହୁଲଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ ମାନି ନେଇଛନ୍ତି, ସେଥିପାଇଁ ସେ ଆଗୁଆ ମମତା ବାନାର୍ଜୀଙ୍କୁ ଦାୟୀ କରିବା ଆରମ୍ଭ କରିଦେଲେଣି। ଯଦି କଂଗ୍ରେସ ସତରେ ବିଜେପିକୁ ରୋକିବାକୁ ଚାହୁଁଥାନ୍ତା, ତେବେ ସେମାନେ ମେଣ୍ଟ ଭିତରେ ଏଭଳି କଳି ଝଗଡ଼ା ନ କରି ଗୋଟିଏ ସାଧାରଣ ଏଜେଣ୍ଡା ଉପରେ କାମ କରିଥାନ୍ତେ।
ରାହୁଲ ଗାନ୍ଧୀଙ୍କୁ ବୁଝିବାକୁ ହେବ ଯେ, ମିଥ୍ୟା ଅଭିଯୋଗ ଏବଂ ଅନ୍ୟ ଉପରେ ଦୋଷ ଲଦିବା ଦ୍ୱାରା ଦଳ ମଜବୁତ ହୁଏନାହିଁ। ଯେଉଁ ନେତାମାନେ ଆଜି କଂଗ୍ରେସରେ ନିଜର ଭବିଷ୍ୟତ ଖୋଜୁଛନ୍ତି, ସେମାନଙ୍କୁ ଭାବିବାକୁ ପଡ଼ିବ— ଯେଉଁ ଦଳର ନିଜର କୌଣସି ଭବିଷ୍ୟତ ନାହିଁ, ସେଠାରେ କର୍ମକର୍ତ୍ତାଙ୍କ ଭବିଷ୍ୟତ କେଉଁଠି?
ପଶ୍ଚିମବଙ୍ଗର ଜନସାଧାରଣ ବହୁତ ସଚେତନ। ସେମାନେ ଜାଣନ୍ତି କିଏ ସେମାନଙ୍କ ପାଇଁ ଲଢୁଛି ଏବଂ କିଏ କେବଳ ଦିଲ୍ଲୀରେ ବସି ଭିଡିଓ ବାର୍ତ୍ତା ଦେଉଛି। ଆଗାମୀ ଦିନରେ ଏହି ନିର୍ବାଚନ ଫଳାଫଳ ହିଁ କହିବ ଯେ ରାହୁଲଙ୍କ ଦାବିରେ କେତେ ସତ୍ୟତା ଥିଲା।
AlsoRead; https://purvapaksa.com/in-whose-interest-is-bjd/


